ଆଜିଠୁ ଶ୍ରୀମନ୍ଦିରରେ ଲାଗି ହେବ ପହିଲି ଭୋଗ, ବାପଘର ଯିବେ ମହାଲକ୍ଷ୍ମୀ, ମାସେ ଯାଏଁ ମା ଯଶୋଦାଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ
ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପହିଲି ଭୋଗ ନୀତି। ଧନୁ ସଂକ୍ରାନ୍ତିଠୁ ଆସନ୍ତା ମକର ସକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗିବ।ଏହି ମାସ ମହାଲକ୍ଷ୍ମୀ ବାପ ଘରକୁ ଯିବାର ବିଧି ରହିଛି।ମହାପ୍ରଭୁଙ୍କ ପାଇଁ ମାସକ ଯାକ ମାତା ଯଶୋଦା ପହିଲି ଭୋଗ ପ୍ରସ୍ତୁତ କରିବେ। ଏହି ସମୟରେ ରାତି ପାହିବା ମହାପ୍ରଭୁଙ୍କ ପୂର୍ବରୁ ବ୍ୟଞ୍ଜନ ଭୋଗ କରାଯାଇଥାଏ।
ବିଶେଷ ଭାବେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଏଥିରେ ରହିବ। ବଡ଼ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡ଼ା, କାକେରା, ଲଡ଼ୁ ଗଜା ପ୍ରଭୃତି ରହିଛି। ପ୍ରତିଦିନ ଅବକାଶ ଓ ମଙ୍ଗଳ ଆଳତି ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲଗାଯିବ। ମହାପ୍ରଭୁଙ୍କୁ ଏହି ମାସକ ଯାକ ସ୍ୱତନ୍ତ୍ର ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ।
ତେବେ ଆଜିଠାରୁ ମହାପ୍ରଭୁ ମହାଲକ୍ଷ୍ମୀଙ୍କ ହାତରନ୍ଧା ବଦଳରେ ମା’ଙ୍କ ହାତରନ୍ଧା ଖାଇବେ। ଏଥିପାଇଁ ସଅଳ ନୀତିକାନ୍ତି ହେବ। ସଅଳ ମହାପ୍ରସାଦ ବାହାରିବ। ସଅଳ ଦ୍ବାରଫିଟା ଓ ସଅଳ ପହୁଡ଼ ବି ହେବ। ଏହି ଉପଲକ୍ଷେ ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ ସ୍ବତନ୍ତ୍ର ନୀତିକାନ୍ତିକୁ ଗୁରୁବାର ଦିନ ବସିଥିବା ପରିଚାଳନା କମିଟି ବୈଠକରେ ଅନୁମୋଦନ ମିଳିଛି।
ଚୂଡ଼ାନ୍ତ ନିତୀକାନ୍ତି ଅନୁଯାୟୀ, ପ୍ରତିଦିନ ରାତି ୨ଟାରୁ ଦ୍ବାରଫିଟା ଓ ଭୋର ୫ଟା ୨୦ରେ ପହିଲି ଭୋଗ ନୀତି ହେବ। ସେହିଭଳି ଜାନୁଆରି ୬ ତାରିଖରେ ଦେବାଭିଷେକ ପୂର୍ଣ୍ଣିମାରେ ପୂର୍ବାହ୍ନ ସାଢ଼େ ୧୧ଟାରେ ମହାପ୍ରଭୁ ଶ୍ରୀପୟର ଲାଗି ଅଭିଷେକ ବେଶ ହେବେ। ଜାନୁଆରି ୧୪ ତାରିଖ ମକର ସଂକ୍ରାନ୍ତିରେ ପୂର୍ବାହ୍ଣ ୧୦ଟାରେ ନୂଆଲୁଗା ଲାଗି ହୋଇ ମହାପ୍ରଭୁ ମକର ବେଶରେ ଦର୍ଶନ ଦେବେ।
ସୂଚନାଯୋଗ୍ୟ ଯେ,ପୌଷ ମାସର ପ୍ରଥମ ଦିନ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଏ ।ଏହା ପ୍ରାୟତଃ ଡିସେମ୍ବର ୧୪ ବା ୧୫ ତାରିଖରେ ପଡ଼େ । ଏହି ଦିବସଠାରୁ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଆରମ୍ଭ ହୋଇ ଉତ୍ତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି (ପ୍ରାୟତଃ ଜାନୁଆରୀ ୧୪ତାରିଖ) ପର୍ଯ୍ୟନ୍ତ ଚାଲିଥାଏ ।ପ୍ରଭାତୀ କୀର୍ତ୍ତନ ବନ୍ଦ ରହେ I ପୌଷ ମାସର ପବିତ୍ରତା ଯୋଗୁଁ ପୁଷ୍ୟାଭିଷେକ ଅନୁଷ୍ଠିତ ହୁଏ । ଏହି ସଂକ୍ରାନ୍ତିର ସ୍ୱରୂପ ବର୍ଣ୍ଣନା କରି ପଞ୍ଜିକାକାର କହନ୍ତି ଏ ସଂକ୍ରାନ୍ତିର ନାମ ମହୋଦରୀ । ଏ ମାସର ସଂକ୍ରାନ୍ତି ପୁରୁଷ ପଶୁ ଜାତି, ପୌଢା ବୟସ, ରକ୍ତବସ୍ତ୍ର ପରିଧାନ କରି ଗୋରଚନା ଲେପନ ଓ ବେଲପତ୍ର ଭୂଷିତ ହୋଇ ଦୁର୍ମୁଖାବସ୍ଥାରେ ସୀସା ଆସି, ପୂର୍ବ ଦିଗକୁ ଦୃଷ୍ଟି ଦେଇ ଦକ୍ଷିଣ ଦିଗକୁ ଗମନ କରିବେ । ପୁଷ ମାସରେ ଧାନ ଅମଳ ପରେ ‘ଉଖୁଡା’ବା ‘ମୁଆଁ’ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ । ଧନୁ ସଂକ୍ରାନ୍ତିର ପ୍ରସିଦ୍ଧି ମୁଆଁ ଭୋଗ ପାଇଁ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ ।