Uncategorizedଅପର୍ତ୍ତି ସେଠୀ ଙ୍କ କବିତା l l ଟଙ୍କା ଓ ମଦ l l by Sunil Chandra NayakDecember 16, 2022051 Share0 l l ଟଙ୍କା ଓ ମଦ l l ଅପର୍ତ୍ତି ସେଠୀ (ରମ୍ୟ ରଚନା) ହରେ ଟଙ୍କା ହରେ ଟଙ୍କା ଟଙ୍କା ଟଙ୍କା ହରେ ହରେ, ହରେ ମଦ ହରେ ମଦ ମଦ ମଦ ହରେ ହରେ। ଏହି ମହା ମନ୍ତ୍ର କଳିଯୁଗେ ସାର ଏହା ବିନା ନାହିଁ ମୁକ୍ତି, କାମିନୀ କାଞ୍ଚନ ଅଚିରେ ମିଳଇ ଟଙ୍କା ମଦ କରାମତି। ଟଙ୍କା ମୋର ରାମ ଟଙ୍କା ମୋର କୃଷ୍ଣ ଟଙ୍କାରେ ମୋ ପୂର୍ଣ୍ଣାନନ୍ଦ, ମଦ ମୋ ଗୋବିନ୍ଦ ମଦ ପରମ୍ପଦ ମଦ ମୋର ବ୍ରହ୍ମନାଦ। ଟଙ୍କା ବିନା ଫାଙ୍କା ଏଇ ଜୀବନଟା ଅଣ୍ଟାରେ ପଶେ ମୋ ରକା, ମଦ ବିନା କୋଉ ପଦ ବାହାରିବ ପାଟି ହୋଇଯାଏ ଅଠା। ରାମ କୃଷ୍ଣ ନାମେ ଅରୁଆ ଆହାର ଗ୍ଯାଷ୍ଟିକ୍ ହେବାଟି ସାର, ଟଙ୍କା ମଦ ନାଆଁ ଧରିଲେ ବାବୁରେ ଏ ଭବୁ ହେବୁ ଉଦ୍ଧାର। ମଦ ବିନା ଅନ୍ଧ ଏ ଦୁନିଆଁ ସିନା ଟଙ୍କା ବିନା ସର୍ବେ ବୋକା, ମଦୁଆ ଦେଉଛି ପ୍ରବଚନ ଏଠି ଅଣ୍ଟାର ବଳଟି ଟଙ୍କା। ଟଙ୍କା ଜ୍ଞାନ ମଞ୍ଜି ଟଙ୍କା ଭାଗ୍ଯପାଞ୍ଜି ଟଙ୍କା ସର୍ବସ୍ବଟି ଆଜି, ମଦ ମକରନ୍ଦ ପରମ ଆନନ୍ଦ ମଦୁଆ ଜିତୁଛି ବାଜି। ଟଙ୍କା ପାଇଁ ନେତା ଟଙ୍କା ସବୁ ରାସ୍ତା ଟଙ୍କା ପାଇଁ ଯେତେ କଥା, ଏହି ଟଙ୍କା ପାଇଁ ମଦ ପୁଣି ପିଇ ଯେତେ ରାହାଜାନୀ ହତ୍ୟା। ମଦ ଟଙ୍କା ଦୁଇ ଅମୋଘ ଅସ୍ତ୍ର ଯେ ଅସମ୍ଭବ ସାଧିପାରେ, ମଦ ଟଙ୍କା ସବୁ ଓଲଟପାଲଟ ଦେଖୁ ଦେଖୁ କରି ପାରେ। ଟଙ୍କା କିଣିପାରେ ଆଇନ୍କୁ ପୁଣି ଟଙ୍କାରେ ଅସତ୍ୟ ଜିତେ, କ୍ଷମତାର ଚାବି ଆଜି ରହୁଅଛି ଦେଖ ମଦୁଆଙ୍କ ହାତେ। ମଦ ପିଇ ଦେଲେ ଲାଜ ଛାଡିଯାଏ ପାଟିରୁ ପଦ ବାହାରେ, ଟଙ୍କା ପାଇଁ ପୁଣି ମୁକ ବେଦଗାଏ ପଙ୍ଗୁ ଗିରି ଲଙ୍ଘିପାରେ। ଟଙ୍କା ମଦ ପାଇଁ ଦୁନିଆଁ ଚଳଇ ଟଙ୍କା ଥିଲେ ମଦ ଲୋଡ଼ା, ଖାଲି ଟଙ୍କା ଥାଇ ସଉକ ନ କଲେ ଜୀବନ ହୁଏ ଅଲୋଡା। ଏହି ଟଙ୍କା ପାଇଁ କିଏ ଭୋକେ ଶୋଇ ଫୁଟ୍ ପାଥ୍ରେ ବଞ୍ଚୁଛି, ଏହି ଟଙ୍କା ପାଇଁ ମଦଗୁଡା ପିଇ କିଏ ହିଂସ୍ର ପାଲଟୁଛି। ମଦ ନେଇଯାଏ ମଣିଷ ମନକୁ ସୀମା ହୀନ ନିଗମକୁ, ଟଙ୍କା ଦିବା ସ୍ଵପ୍ନ ଦେଖାଇ ସେ କହେ ଇନ୍ଦ୍ର ପଦଟି ନେବାକୁ। ମଦୁଆ ଆଖିରେ ଚଉଦ ଭୂବନ ଘୂରି ଯାଉଥିବା ବେଳେ, ମାନବିକତାଟି ଦୂରେଇ ଯାଉଛି ଆଜି ଏହି ଟଙ୍କା ବଳେ। ଚାକିରୀ କରିଛେ ଦରମା ପାଉଛେ କିଳା ପୋତିଠାରେ ଲୋଭ, ଉପୁରି ଟଙ୍କାକୁ ବେକାରେ ସାରୁଛେ ଲୋଡ଼ା ତ ମାଉଁସ ମଦ। ମଦ ଅଟେ ନିଶା ଟଙ୍କା ବି ତ ନିଶା ଏ ଦୁଇ ଘାରେ ଆମକୁ, ଠିକ୍ ଅନୁଚିତ୍ ଚିନ୍ତା କରିବାର ବୁଦ୍ଧି ଆସେନି ମୁଣ୍ଡକୁ। ଟଙ୍କା ସର୍ବସ୍ବଟି ସଂସାରରେ ଆଜି ମଦ ତା ଲାଞ୍ଜ ଧରିଛି, ଟଙ୍କା ପାଇଁ ବଞ୍ଚେ ଡେଞ୍ଜର ରୋଗୀଟି ଭଲ ଲୋକ ମରୁଅଛି। ଏହି ଟଙ୍କା ପାଇଁ ଇଜ୍ଜତ କେ ବିକେ ଭୋକ ଜ୍ଵାଳା ମାରିବାକୁ, ମଦ ନିଶାରେ କେ ନିଲାମ କରୁଛି ନିଜ ମାନସମ୍ମାନକୁ। କୁହାଯାଇପାରେ ଏଠାରେ ହେ ବନ୍ଧୁ ମଦ ଟଙ୍କା ସମ ନୁହେଁ, ଟଙ୍କା ଆବଶ୍ୟକ ପ୍ରତ୍ୟେକ କାର୍ଯ୍ୟରେ ମଦ କାହିଁ ଖୋଜାହୁଏ? ମଦ ନେଇ ଯାଏ ଅବାଟକୁ ଭାଇ ଅସାଧ୍ୟ ରୋଗକୁ ଡାକେ, ଉଚିତ୍ ମାର୍ଗରେ ଟଙ୍କା ଲଗାଇଲେ ବିପଦୁଁ ଆମକୁ ରଖେ। ପାଳକଣା, କୋରୋ, କେନ୍ଦ୍ରାପଡ଼ା