ଉତ୍କଳେ ତୁଳସୀ କ୍ଷେତ୍ର
ଅପର୍ତ୍ତି ସେଠୀ
ପୂଣ୍ୟ ଭୂ ମଣ୍ଡଳ ବିଖ୍ୟାତ ଉତ୍କଳ
ତା’ ମଧ୍ୟରେ ନୀଳାଚଳ,
ସାରା ସଂସାରର ସାର ତୀର୍ଥ ସ୍ଥଳ
ବିଜୟ କଳା ଠାକୁର।
କ୍ଷେତ୍ର ଯହିଁ ଶ୍ରେଷ୍ଠ ବିଶ୍ଵରେ ବିଖ୍ୟାତ
କଳାର ଉତ୍କର୍ଷ ସ୍ଥଳ,
ଦେବ ଭୂମି ଯହିଁ ମହିମାରେ ପୂର୍ଣ୍ଣ
ଲାଗିଛି ଧରମ ଖେଳ।
ଐତିହ୍ୟ ସମ୍ପନ୍ନ ସଂସ୍କୃତି ବିମଗ୍ନ
ନାନା ତୀର୍ଥ ବିରାଜିତ,
ସେ ତୀର୍ଥ ଭିତରେ ସବୁଠୁଁ ପବିତ୍ର
ଆମ ଏ ତୁଳସୀ କ୍ଷେତ୍ର।
ବଡଠାକୁର ମୋ ପ୍ରଭୁ ବଳଦେବ
ଯେ କ୍ଷେତ୍ରରେ ବିଦ୍ୟମାନ,
ପ୍ରତି ଧୂଳିବାଲି ବ୍ରହ୍ମମୟ ଯେଣୁ
ବ୍ରହ୍ମକ୍ଷେତ୍ର ତାର ନାମ।
କନ୍ଦରାକୁ ମାରି ପ୍ରଭୁ କନ୍ଦରାରୀ
ଇଚ୍ଛା ପୁରେ ବିଜେ କରି,
ମଧୁ,ଶଙ୍କୁ ଆଦି ଦୈତ୍ୟଙ୍କୁ ନିପାତି
ହସୁଛନ୍ତି ହଳଧାରୀ।
ମୋର ଛୋଟ ଗାଁ ସେହି ମୋର ମାଆ
ଯେଉଁ ଠାରେ ମୋର ଘର,
ଆନନ୍ଦରେ ଜିଇଁ ରହିଛି ଅନେଇ
କେବେ ଯିବି ସ୍ଵର୍ଗଦ୍ଵାର।
ଧନ୍ୟ ଏ ଉତ୍କଳ ମୋଗର୍ବ ମୋ ବଳ
ବଞ୍ଚିବାର ରାହା ମୋର,
ସ୍ନେହ ଶରଧାକୁ ବାଣ୍ଟି ଚାଲୁଅଛି
ନଭାବି ଆପଣା ପର।।
ସମୟ ସ୍ରୋତରେ ଇତିହାସ ହୋଇ
କିଛି ସ୍ମୃତି ଅଛି ରହି,
ବୋଇତ ବନ୍ଦାଣ ରଜ ବାଲିଯାତ୍ରା
ଏ ମନରୁ ଭୁଲେ ନାହିଁ।
କୋଣାର୍କ ରହିଛି ଚନ୍ଦ୍ରଭାଗା ତୀରେ
ଉତ୍କଳର ଗର୍ବ ବହି,
ଭିତରକନିକା ସେ ଗହୀର ମଥା
ପ୍ରକୃତିର ଗୁଣ ଗାଇ।
ଆଖଣ୍ଡଳମଣି ସେ ଚନ୍ଦ୍ର ମଉଳୀ
ଲିଙ୍ଗରାଜ ମହାପ୍ରଭୁ,
ସେ ଚନ୍ଦ୍ରଶେଖର ବାବା ମହେଶ୍ୱର
ତାଙ୍କୁ ସଦା ଜପୁଥିବୁ।
ଶାରଳା,ବିମଳା,ବିରଜା,ତାରିଣୀ
ଅବା ମାଆ ସମଲେଇ,
ଭଦ୍ରକାଳୀ ପୁଣି ବାସୁଳୀ ମଙ୍ଗଳା
ଭଗବତୀ କାଳିଜାଈ।
ମାଆ ନୀମ୍ବଦାରୁ ଚଣ୍ଡୀ ଓ ଚର୍ଚ୍ଚିକା
ସ୍ଥାନେ ସ୍ଥାନେ ବିରାଜିତ,
ମା’ଗୋଜବାୟାଣୀ ମର୍ତ୍ତ୍ୟ ଠାକୁରାଣୀ
ଉତ୍କଳରେ ବିରାଜିତ।
ଉତ୍କଳରାଇଜେ କେତେକେତେ ବୀର
ଜନମ ନେଇଅଛନ୍ତି,
ଉତ୍କଳମଣି କି ମଧୂ ବାରିଷ୍ଟର
ରଚିଲେ ଅମର କୀର୍ତ୍ତି।
ସାରା ଜଗତରେ ଯେତେ ଭାଷା ଅଛି
ମୋ ଭାଷା ଓଡ଼ିଆ ଭଲ,
ଯେତେ ନାଚ ଗୀତ ଦେଖୁଥାଅ କେହି
ଓଡିଶୀର ନୁହେଁ ତୁଲ।
ମୋ ଗାଁ ବଢିଆ ମୋ ନାଁ ବଢ଼ିଆ
ବଢିଆ ରାଇଜ ମୋର,
ଭାଷା ବଢିଆ ମୋ ଜାତି ବି ବଢିଆ
ପରିଚୟ ଓଡ଼ିଆର।
ପାଳକଣା, କୋରୋ, କେନ୍ଦ୍ରାପଡ଼ା