କୋକସରା,୧୬/୧୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆଦିବାସୀ ବହୁଳ ଗୋତୋମୁଣ୍ଡା ପଞ୍ଚାୟତ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ବହୁ ପ୍ରତୀକ୍ଷିତ ଦାବି ପୂରଣ ହେବାକୁ ଯାଉଛି । କଳାହାଣ୍ଡିରୁ ନବରଙ୍ଗପୁର ଜିଲ୍ଲାକୁ ଗମନାଗମନ ପାଇଁ ଆଉ କିଛି ମାସର ଅପେକ୍ଷା ପରେ ଯୋଡିବ ଗୋତୋମୁଣ୍ଡାରୁ ଡାହିମାଲ ରାସ୍ତା। ଏହି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡର ଜନସାଧାରଣ ନବରଙ୍ଗପୁର ଜିଲ୍ଲା ସହିତ ସିଧାସଳଖ ଯୋଡ଼ିହେବେ। ରାସ୍ତା ନିର୍ମାଣରେ ବାଧକ ସାଜିଥିଲା ସାହାଜଖୋଲ ସଂଗକ୍ଷିତ ଜଙ୍ଗଲ । ତେବେ ଜନସାଧାରଣଙ୍କ ମୌଳିକ ସମସ୍ୟାକୁ ନେଇ ବିଗତ ବର୍ଷରେ ପୁର୍ବତନ ଧର୍ମଗଡ଼ ବିଧାୟକ ତଥା ମନ୍ତ୍ରୀ ରହିଥିବା ପୁଷ୍ପେନ୍ଦ୍ର ସିଂଦେଓ ରାଜ୍ୟ ସରକାରଙ୍କୁ ଏହି ରାସ୍ତା ନିର୍ମାଣ ପାଇଁ ଦାବି ଉପସ୍ଥାପନ କରିଥିଲେ।ପରବର୍ତ୍ତୀ ସମୟରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ମାଝୀ ମଧ୍ୟ ଏହି ରାସ୍ତା ନିର୍ମାଣ ପାଇଁ ସରକାରଙ୍କୁ ଲିଖିତ ଭାବେ ଅନୁରୋଧ କରିଥିଲେ। ଫଳସ୍ୱରୂପ ରାଜ୍ୟ ସରକାର ଏହି ରାସ୍ତା ନିର୍ମାଣ ପାଇଁ ଅନୁମତି ଦେଇଥିଲେ ଓ ପ୍ରଥମ ପର୍ଯ୍ୟାୟରେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫୩ ଲକ୍ଷ ଟଙ୍କା ଅନୁଦାନରେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା । ତାହା ବର୍ତ୍ତମାନ ଅଧାପନ୍ତରିଆ ରହିଛି। ବର୍ତ୍ତମାନ ୫.୮୦୦ କିଲୋମିଟର ରାସ୍ତା ପାଇଁ ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୮କୋଟି ୪୫ ଲକ୍ଷ ଅନୁଦାନରେ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ସରିଛି। ଗୁରୁବାର ଦୁଇ ଜିଲ୍ଲାର ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଏହି ରାସ୍ତା ପରିଦର୍ଶନ କରିଛନ୍ତି। ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, କୋକସରା ତହସିଲଦାର ଦେବବ୍ରତ କରାଟି, ଧର୍ମଗଡ଼ ଫରେଷ୍ଟ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର କାଉର, ନବରଙ୍ଗପୁର ଉମରକୋଟ ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଅନ୍ତୁନି କିଷାନ, ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ମାଝୀ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ସରପଞ୍ଚ ପ୍ରତିନିଧି ହିମାଂଚଳ ପୁଝାରି, ରାଜସ୍ୱ ନିରୀକ୍ଷକ ଜିତେନ୍ଦ୍ର ନାଏକ, ବେହେରା ସେକ୍ସନ ଫରେଷ୍ଟର ଫାଲ୍ଗୁନି ମେହେର, ପୂର୍ଣ୍ଣଚନ୍ଦ୍ର ନାଏକ, ପାର୍ଥବ ମାଝୀ, ରମେଶ ମେହେର ପ୍ରମୁଖଙ୍କ ସହ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ଗୋତୋମୁଣ୍ଡା ଠାରୁ ଡାହିମାଲ ରାସ୍ତା ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ରହିଛି ଭାବର ଆଦାନ ପ୍ରଦାନ। ସାମାଜିକ ଅର୍ଥନୈତିକ, ସ୍ୱାସ୍ଥ୍ୟ, ଗମନାଗମନ ପାଇଁ ଏହି ରାସ୍ତା ନିର୍ମାଣ ହେଲେ ବିକାଶର ନୂତନ ବାଟ ଫିଟିବ । ଜଙ୍ଗଲ ବିଭାଗର ଅନୁମୋଦନ ପରେ ରାସ୍ତା କାର୍ଯ୍ୟ ଆରମ୍ଭ ହେବା ନେଇ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି। ରାସ୍ତା ନିର୍ମାଣକୁ ନେଇ ଦୁଇ ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି ।
previous post