l l ଆତ୍ମ ଚିନ୍ତନ l l
ଧରା ରଙ୍ଗମଞ୍ଚେ ମାନବ ଜୀବନ
ଅଢେଇ ଦିନ ରହଣି
ଅଭିନୟ ଶେଷେ ବାହୁଡା଼ ବେଳାରେ
ଶୂନ୍ୟହସ୍ତେ ଯାଏ ପୁଣି ll
ଆତ୍ମ ଅହଂକାର ଗର୍ବ ଅହମିକା
କଳୁଷର ପଙ୍କେ ପଡି
ଆତ୍ମୀୟ ସ୍ୱଜନ ଦାରା ସୁତାସୁତ
ପଛରେ ରହନ୍ତି ଛାଡି ll
ଜାଗତିକ ଧନ ସମ୍ପଦ ଅରଜି
ଧରା ତଳେ କିବା ଲାଭେ
ଅପର ହୃଦୟେ ଆସନ ପାତିଲେ
ଜୀବନ ସାର୍ଥକ ଲଭେ ll
ସ୍ୱକୀୟ କରମେ ପରଉପକାର
ପଙ୍କଜ ସୁରଭି ବୁଣେ
କାରୁଣିକ ହୃଦେ ଓ଼ଷ୍ଠେ ହାସ୍ୟ ଧାର
ସଭିଙ୍କର ମନ ଜିଣେ ll
ଅଢେଇ ଦିନର ଜୀବନ ହାଟରେ
ହାଟୁଆ ଟିଏ ସାଜିଣ
ବୁଣି ପ୍ରେମ ବୀଜ ଜନମାନସରେ
ରହିଥାଏ ଆୟୁଷ୍ମାନ ll
ଜୀବନ କାଳର ଧରମ ପୁଞ୍ଜି ତା
ସାଥେ ପଥର ପାଥେୟ
ଆତ୍ମ ଚିନ୍ତନର କାଳ ଉପନୀତ
ବିଭୂ ପଦେ ରଖି ଲୟ ll
ନର୍ମଦା ନାୟକ
ରାଉରକେଲା