ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତି ସେଠୀ ଙ୍କ ପଲ୍ଲୀ କବିତା l l l ଭୂତ l l l

l l l ଭୂତ l l l

     ଅପର୍ତ୍ତି ସେଠୀ

       (ପଲ୍ଲୀ କବିତା)
ଲୋକ ଜମିଛନ୍ତି ଭୂତ ଲାଗିଅଛି‌ 
     ଲତା ଖାଲି ଗପୁଅଛି,
ଆର ଗାଁ ଗୁଣିଆ ସଜନା ପତ୍ରରେ
     ମନ୍ତୁରା ପାଣି ସିଞ୍ଚୁଛି‌।
ଭୂତ ଭୂତ ଭୂତ , ନାଆଁଟି ଶୁଣିଲେ
       ଲୁଗାରେ ପଡ‌ଇ ମୁତ,
ଅବଶ୍ୟସେବେଳ ଥିଲାସେତେବେଳେ
      ଡରାଉଥିଲା ଯେ ଭୂତ।
ଭୂତ ଦେଖାଦିଏ ଶବାର‌ ସେ ହୁଏ
      ନିଜ କଥା କହିବାକୁ,
ଆମ ଶରୀରଟି ପଞ୍ଚଭୂତ ହୋଇ
      ଡରେ ସେହି ଭୂତଟିକୁ।
କୁଆଁର ପୁନେଇଁ ପାଳଭୂତ ସିନା
      ଗାଆଁରେ ଦେଖିଛ ଭାଇ,
ସପନରେ‌ ପୁଣି କାଳପୁରୁଷଟା
      ଆମକୁ ମାଡ଼ି ବସ‌ଇ।
ଭୂତ ସଂଜ୍ଞା ଆଜି ବଦଳି ଯାଇଛି
      ଦୁନିଆଁ ବି ବଦଳିଛି,
ଦିନ ରାତି ଏଠି ଚବିଶି ଘଣ୍ଟିଆ
      ଭୂତ ଖାଲି ବୁଲୁଛନ୍ତି।
ଭୂତ ମାନେ ଡର,ଡର ମାନେ ଭୂତ
      ଯେ ଡରାଏ‌ ସିଏ ଭୂତ,
ଆଜିର ମଣିଷ ପ୍ରତି ମୁହୂର୍ତ୍ତରେ
      ବଞ୍ଚେ ହୋଇ ଭୟଭୀତ।
ଏକାବେଳେ ଏଠି ଅନେକ ପ୍ରକାର
        ଭୂତ ଯେ ଶବାର‌ ହୁଏ,
“ଚିନ୍ତା”ଭୂତ‌ ମୁଣ୍ଡେ ବସି ମଣିଷକୁ
        ସମସ୍ୟାରେ ଘାରୁଥାଏ।
“ସ୍ବାର୍ଥ”ନାମେ ଭୂତ ଯେବେ ଲାଗିବତ‌
        ମଣିଷଟି ହିଂସ୍ର ହୁଏ,
“ଟଙ୍କା” ଭୂତ ଏଠି ମଣିଷ ବକ୍ଷରୁ‌
        ରକ୍ତ ପୁଣି ଶୋଷୁଥାଏ। 
“ସନ୍ଦେହ”ନାମରେ ସାଂଘାତିକ ଭୂତ
       ଭାରି ଭୟାନକ ସିଏ,
ସ୍ଵାମୀ, ସ୍ତ୍ରୀ ମୁଣ୍ଡେ ଯେବେ ସେ ବସିବ
       ସଂସାରଟା ଭାଙ୍ଗି ଦିଏ।
ମୁଣ୍ଡରେ ବସିବ ଯେବେ”ପ୍ରେମ” ଭୂତ
       ଲଜ୍ଯା ଦୂର ହୋଇଯିବ,
ଭଲ ପାଇବାଟା ପ୍ରତାରଣା ହୋଇ
       ଆତ୍ମହତ୍ୟା କରାଇବ।
“ପଦବୀ” ଭୂତଟା‌ ଯେବେ ଆମମୁଣ୍ଡେ‌
       କେବେ ବି ଶବାର ହୁଏ,
ଦୁଷ୍କର୍ମ,ଦୁର୍ନୀତି,ଅବାଟେ ଫସାଇ‌
       ଦେଖୁ ଦେଖୁ ମାରିଦିଏ‌।
ସଂସାର ଭିତରେ ଅନେକ ଭୂତ ଯେ
       ବୁଲୁଛନ୍ତି ଠାଏଠାଏ‌,
ମଦ,ମାତ୍ସର୍ଯ୍ଯ କି ଚୋରୀ ରାହାଜାନୀ
       କରି ଅନ୍ଯେ‌ ଲୁଟୁଥାଏ‌।
ଭୂତର‌ ଧରମ‌ ଡରାଇବ ପୁଣି
       କେବେ ସେ କଙ୍କାଳ ହୋଇ,
କୋରଡିଆ‌ ଆଖି ଖପୁରୀ‌ ମୁଣ୍ଡଟା
       ଠୋ ଠୋ ହସୁଥାଇ।
ଅନୁଭବ ହୁଏ ନିଛାଟିଆ‌ ବାଟେ
       ଖଡ୍‌ ଖାଡ୍‌ ଶବ୍ଦ ଶୁଣି,
କିଆବୁଦା ଲାଗେ ସନ୍ଧ୍ୟାବେଳଟାରେ‌
       ବୋଧେ ଭୂତ ଆସିଲାଣି‌।
ନା’ବନ୍ଧୁ ସିଏ କେବେ ଭୂତ ନୁହେଁ
       ଭୂତ ଆମଠାରେ‌ ଅଛି,
ପ୍ରତି ମୁହୂର୍ତ୍ତରେ ‘ଲୋଭ’ରୂପେ ଥାଇ
        ଆମକୁ ସେ ଗ୍ରାସୁଅଛି‌।
ଘରେ ଘରେ ଭୂତ ନିର୍ଦ୍ଵନ୍ଦେ‌ ବୁଲନ୍ତି
        ଭିନ୍ନ ଭିନ୍ନ ରୂପ ନେଇ,
ପୁଅ କାଳଭୂତ‌ ଝିଅଟା ଭୂତୁଣୀ‌
       ବୋହୂ ପିଶାଚୁଣୀ‌ ହୋଇ।
ପ୍ରତିକ୍ଷଣେ ପୁଣି ଡରାନ୍ତି‌ ଏମାନେ
       ଭିନ୍ନ ଭିନ୍ନ ସର୍ତ୍ତ ରଖି,
ବାପା ମାଆ ଏଠି ଡରି ମରୁଥାନ୍ତି‌
       ମିଛଟାରେ ବଞ୍ଚି ବଞ୍ଚି‌। 
ସବୁ ଭୂତ ଠାରୁ ବେଶୀ ଭୟଙ୍କର
       ଭୂତ ଏଠି ବୁଲୁଅଛି,
“ଅହଂକାର” ରୂପେ ମଣିଷ ମୁଣ୍ଡରେ
       ନିର୍ଦ୍ଵନ୍ଦରେ ବସିଅଛି।
ମୁଁ’ ନିଜେ ଠିକ୍ ଅନ୍ଯମାନେ ଭୁଲ୍
      ଏହି ଭାବନା ବି ଭୂତ,
ମୁଁ’ସବୁ କରେ ସଭିଙ୍କୁ କରାଏ‌
      “ମୁଁ”ଟି ଅଟେ ମାଲିକ।
ଗୁଣିଆ ମନ୍ତୁରା ପାଣିରେ ଏ ଭୂତ
       କେବେ ବି ଛାଡ଼ିବେ ନାହିଁ,
ମରିବା ପର୍ଯ୍ୟନ୍ତ ମୁଣ୍ଡେ ବସିଥିବେ
        ମୂର୍ଖ ଅପର୍ତ୍ତି କହ‌ଇ।

  ପାଳକଣା‌,କୋରୋ‌, କେନ୍ଦ୍ରାପଡ଼ା

 

Related posts

ଚନ୍ଦ୍ର ଶେଖର ଶବର ଙ୍କ କବିତା // ବସନ୍ତ ନିବାସ

Sunil Chandra Nayak

ଅଜୟ କୁମାର ନାୟକ ଙ୍କ କବିତା= ଫେରି ଆସିଥିବା ଫଗୁଣର ବାର୍ତ୍ତା

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା  l l l ଦଉଡ଼ି l l l

Sunil Chandra Nayak

Leave a Comment

error: Content is protected !!