ଡାବୁଗାଁ, ୭/୧ – (ମ.ନି.ସ.)-ନବରଙ୍ଗପୁର ଜିଲା ଏକ ଆଦିବାସୀ ବହୁଳ ଜିଲା ହୋଇଥିବା ବେଳେ ଏଠିକାର ଆଦିବାସୀ ମାନଙ୍କ ଜୀବନ ଜୀବିକା ଓ ପର୍ବ ପର୍ବାଣୀ ମଧ୍ୟ ନିଆରା ଓ ଅତି ସରଳ |ବର୍ଷ ସାରା ଅନେକ ପର୍ବ ପର୍ବାଣୀ ପଡୁଥିଲେ ମଧ୍ୟ ଯେତେବେଳେ ଆଦିବାସୀ ମାନଙ୍କ ପର୍ବ ପର୍ବାଣୀ କଥା ପଡେ ସେତେବେଳେ ମନ ରେ ଏକ କୌତୁହଳ ଦେଖାଦିଏ |ମଣ୍ଡେଇ, ଦଶହରା, ଦିଆଲି, ଟୋକିମାରା ପର୍ବ, ପୁଷପୁନି ଏମିତି ଅନେକ ପର୍ବ ପର୍ବାଣୀ ନବରଙ୍ଗପୁର ଜିଲା ବାସୀ ପାଳନ କରିଥାନ୍ତି | ଏହି ସବୁ ପର୍ବପର୍ବାଣୀ ଗୁଡିକ ମଧ୍ୟରେ କିଛି ପର୍ବ ସମଗ୍ର ଜିଲାବାସୀ ସାମୁହିକ ଭାବ ରେ ପାଳନ କରୁଥିବା ବେଳେ କିଛି ପର୍ବ ନିର୍ଦ୍ଧିଷ୍ଟ କିଛି ସମ୍ପ୍ରଦାୟ ର ଲୋକେ ଧୂମଧାମ ର ସହ ପାଳନ କରିଥାନ୍ତି |କନ୍ଧ, ପରଜା ସମ୍ପ୍ରଦାୟ ର ଲୋକେ ଟୋକିମାରା, ପୁଷପୁନି ପର୍ବ କୁ ଗୁରୁତ୍ୱ ଦେଇ ଧୁମଧାମ ରେ ପାଳନ କରିଥାନ୍ତି |କନ୍ଧ (ସାନ୍ତା )ସମ୍ପ୍ରଦାୟ ର ଲୋକେ ପୌଷ ମାସ ର ପୁର୍ଣିମା ତିଥି କୁ “ପୁଷପୁନି” ପର୍ବ ଭାବରେ ପାଳନ କରିଥାନ୍ତି |ଓଡିଶା ରେ ପାଳିତ ହେଉଥିବା ସମସ୍ତ ପର୍ବପର୍ବାଣୀ ମାନଙ୍କ ମଧ୍ୟରେ ଏହି ପର୍ବ ସାନ୍ତା ବା କନ୍ଧ ସମ୍ପ୍ରଦାୟ ର ମୁଖ୍ୟ ପର୍ବ |ଏହି ପର୍ବ ପାଇଁ ପ୍ରତ୍ୟେକ ଘରର ଝିଅବୋହୁ ମାନେ ଘର ଗୁଡିକୁ ପରିଷ୍କାର ପରିଚ୍ଛନ୍ନ କରି ବିଭିନ୍ନ ରଙ୍ଗ ରେ ସଜେଇଥାନ୍ତି |ପୂର୍ଣ୍ଣମୀ ର ସାତ ଦିନ ପୂର୍ଵ ରୁ ପ୍ରତି ଗ୍ରାମ ରେ ବସବାସ କରୁଥିବା କନ୍ଧ ସମ୍ପ୍ରଦାୟ ର ଲୋକେ ଏକ ବୈଠକ କରି ପର୍ବ ପାଇଁ ଚାନ୍ଦା ଆଦାୟ କରନ୍ତି ଓ ପୂର୍ବ ପ୍ରସ୍ତୁତି ରେ ଲାଗି ଯାଆନ୍ତି |ପ୍ରତି ପରିବାର ର ଲୋକେ ଏହି ପର୍ବ ପାଇଁ ନୂତନ ବସ୍ତ୍ର ସବୁ ପରିଧାନ କରିଥାନ୍ତି |ଗ୍ରାମ ର ପ୍ରତ୍ୟେକ ପରିବାର ରୁ ଜଣେ ବ୍ୟକ୍ତି ଜଙ୍ଗଲ କୁ ଯାଇ କାଠ ସଂଗ୍ରହ କରି ଆଣି ଦେବୀ ଙ୍କ ପୀଠରେ ରଖନ୍ତି ଓ ସେହି ଠାରେ ସାତ ଦିନ ପର୍ଯ୍ୟନ୍ତ ନିଆଁ ଜାଳି ପ୍ରତି ପରିବାର ର ଜଣେ ଜଣେ ବ୍ୟକ୍ତି ଓ ମହିଳା ରାତିରେ ଦଳବଦ୍ଧ ହୋଇ ଶୋଇବାର ପରମ୍ପରା ରହିଛି |ହେଲେ ଆଜିକାଲି ଆଉ ସାତଦିନ ଧରି ଲୋକେ ଶୋଉନାହାନ୍ତି |କେବଳ ଦୁଇ ବା ତିନିଦିନ ଶୋଉଛନ୍ତି |ଯେଉଁ ପରିବାର ରୁ କାଠ ଆସେନାହିଁ ସେହି ପରିବାର କୁ ଦଣ୍ଡ ସ୍ୱରୂପ କିଛି ଅର୍ଥ ଜୋରିମାନା ଆକାର ରେ ଦଣ୍ଡିତ କରାଯାଏ |ରାତିରେ କନ୍ଧ ସମ୍ପ୍ରଦାୟ ର ଯୁବତୀ ଯୁବକ ମାନେ ନାଚଗୀତ ରେ ମସଗୁଲ ରୁହନ୍ତି |ଏହି ପର୍ବ ପାଳୁଥିବା ଭିତରେ ଯଦି କୌଣସି ପୁଅ କୌଣସି ଝିଅ କୁ ପସନ୍ଦ କରି ଫେରାର ହୁଅନ୍ତି ଓ ଉଭୟେ ଉଭୟ ଙ୍କୁ ପସନ୍ଦ କରୁଥାନ୍ତି ତେବେ ସେ ଦୁହିଁଙ୍କୁ ସ୍ୱାମୀ ସ୍ତ୍ରୀ ମାନ୍ୟତା ମଧ୍ୟ ମିଳିଯାଏ |ସାନ୍ତା ଗ୍ରାମ ମାନଙ୍କ ରେ ଏହି ପର୍ବ ର ରାତିରେ କନ୍ଧ ସମ୍ପ୍ରଦାୟ ର ଲୋକେ ଗ୍ରାମ ରେ ବୁଲି ଛେଳି, ମେଣ୍ଢା, କୁକୁଡ଼ା, ବତକ ଓ ପନିପରିବା ସବୁ ଚୋରୀ କରିଥାନ୍ତି |ପର୍ବ ଦିନ ସେମାନେ ଯାହା ବି ଚୋରୀ କରି ଆଣିବେ ସେସବୁକୁ ଗାଁ ମୁଣ୍ଡରେ ଥିବା ଦେବୀ ଙ୍କ ପୀଠ ରେ ଠୁଳ କରାଯାଏ ଓ ପୀଠ ରେ ଜାଳି ଥିବା ନିଆଁ ରେ ରୋଷେଇ କରି ପ୍ରତି ପରିବାର କୁ ବାଣ୍ଟି ଦିଆଯାଏ |ପର୍ବ ଦିନ ଯିଏ ଯାହା ବି ଚୋରୀ କଲେ ତାକୁ ଏହି ପରବ ପାଇଁ କ୍ଷମା ଦିଆଯାଏ | ପର୍ବ ସମୟରେ ଗ୍ରାମ କୁ କୌଣସି ଚିହ୍ନା କି ଅଚିହ୍ନା ଲୋକ ଯଦି ପ୍ରବେଶ କରନ୍ତି ତେବେ ତାକୁ ଶ୍ରଦ୍ଧା ର ସହ ଖଟିଆ ରେ ବୋହି ଗାଁ ମୁଣ୍ଡ ରେ ଥିବା ପୀଠ ପର୍ଯ୍ୟନ୍ତ ନିଆଯାଏ ଓ ସସମ୍ମାନେ ବସିବାକୁ ଆସନ ଦିଆଯାଏ ଓ ଖାଇବାକୁ ବିଭିନ୍ନ ଦ୍ରବ୍ୟ ଦିଆଯାଏ |ପ୍ରତି ପରିବାର ରେ ପର୍ବ ପାଇଁ ମାଣ୍ଡିଆ ଯାଉ ବା ଲନ୍ଦା ତିଆରି ହୁଏ |ସାନ୍ତା ମାନଙ୍କ ଦ୍ୱାରା ତିଆରି ଲନ୍ଦା ଏବଂ ପେଣ୍ଡମ ଗ୍ରାମ କୁ ଆସୁଥିବା ଅତିଥି ତଥା ନିମନ୍ତ୍ରିତ ବନ୍ଧୁବାନ୍ଧବ ଙ୍କୁ ପରସି ଦିଆଯାଏ | କେଉଁ ଆଦିମ କାଳରୁ କନ୍ଧ ସମ୍ପ୍ରଦାୟ ରେ ଏହି ପରମ୍ପରା ପାଳିତ ହେଉଛି | ଡାବୁଗାଁର ବିଭିନ୍ନ ସାନ୍ତା ଗାଁ ଗୁଡିକ ରେ ମଧ୍ୟ ଏହି ପର୍ବ ଟି ହର୍ଷ ଉଲ୍ଲାସ ରେ ପାଳିତ ହୋଇଛି |
ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ