ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବେଣୁଧର ସୂତାର ଙ୍କ କବିତା // ବସନ୍ତେ ରଙ୍ଗର ହୋଲି 

  ବସନ୍ତେ ରଙ୍ଗର ହୋଲି 

      ବେଣୁଧର ସୂତାର

ଯାଦୁ ନଗରୀର କୁହୁକ ପସରା
ଧରାରେ ବସନ୍ତ ଦେଇଛି ମେଲି
ଫୁଲ ଫଗୁଣର ରୂପ ତରଙ୍ଗରେ
ପ୍ରୀତିରାସ ଛନ୍ଦ ତୋଳେ ରଙ୍ଗୋଲି
       ଚମକଇ ଚନ୍ଦ୍ରମଲ୍ଲୀ
ଫଗୁ ସାତରଙ୍ଗେ ଝୁମଇ ପ୍ରକୃତି
ଧରାରେ ବସନ୍ତ ଆସିଛି ବୋଲି ।।
ଚୋରା ମଳୟର ଚାରୁ ଚୁମ୍ବନରେ
ମହୁଲି ମାଦକ ତନୁରେ ଭରେ
ସହକାର କୁଞ୍ଜ ମୁକୁଳ ମଧୁର 
ମହମହ ବାସ୍ନା ମନକୁ ହରେ
    ପ୍ରୀତି ଫଲ୍ଗୁ ଧାରେ ଧାରେ
ତନୁ ସୁକୁମାରୀ କୁସୁମ ମାଧୁରୀ
ଚାରୁ ଅଧରରୁ ଅମୃତ ଝରେ ।।
ଚୋରା ଚଇତିର ପ୍ରୀତି ମନୋହର
ପ୍ରଣୟ ପରାଗ ମିଠା ସପନ
ରଙ୍ଗ ପଳାଶର ରୂପ ରୋଶଣିରେ
ଧରା ସାଜିଅଛି ନନ୍ଦନ ବନ
     କୋକିଳ ମଙ୍ଗଳ ଗାନ
ରତି ସୁଖ ସାରେ ତନୁତୃଷ୍ଣା ହରେ
ମଧୁ ବସନ୍ତର ଏ ସମ୍ମୋହନ ।।
ଚାରୁ ଗୋଧୂଳିର ଚୁନାଚୁନା ରେଣୁ
ଅସ୍ତରାଗ ଝରା ରଙ୍ଗ ହିଲ୍ଲୋଳେ
ରକ୍ତକୃଷ୍ଣଚୂଡା ଲଲାମ ଅଧରେ
ପ୍ରେମ ପୀୟୂଷର ଧାରା ଉଛୁଳେ
        ପ୍ରଣୟ ଦୀପିକା ଜାଳେ
ଏ ବାସନ୍ତୀ ରାତି ପ୍ରୀତି ମଧୁମତୀ
ନୈଶ୍ୟ ଅଭିସାରେ ମୂର୍ଚ୍ଛନାତୋଳେ
ସୁଷମା ମଂଜୁଳ ପ୍ରକୃତିର କୋଳ
ଲୋଭନୀୟ ଶୋଭା ଏମହୀ ପୁର
ପ୍ରୀତି ସମ୍ମୋହନେ ଧରିତ୍ରୀଅଙ୍ଗନେ
ବସନ୍ତ ବୋଳିଛି ରଙ୍ଗ ଅବିର
      ରୂପ ରସ ସମାହାର
ଚାରୁ ପ୍ରକୃତିର ହସ ମାଧୁରିମା
ପ୍ରୀତି ଛନ୍ଦମୟ ମହକ ଝର ।।
ଭୂମି ଠାରୁ ଭୂମା ବିଚିତ୍ର ଉପମା
ମଧୁ ମାଧୁର୍ଯ୍ୟର ସ୍ବପ୍ନ ନଗରୀ
ଧରା ପ୍ରାଣବନ୍ତ କରିଛି ବସନ୍ତ
ରଙ୍ଗେଇ ଦେଇଛି ରୂପ ମାଧୁରୀ
       ସୁଷମା ମୃଦୁ ମଞ୍ଜୁରୀ 
ହୋଲି ରଙ୍ଗୋଲିର 
                    ଭବ୍ୟ ଉପହାରେ
ସାଜିଛି ମରତ ଅଳକାପୁରୀ ।।
ଝରା ସୁମନର ମହକ ସମ୍ଭାର
ଅୟି ପ୍ରକୃତିର ଭାବ ମୂର୍ଛନା
ଅସ୍ତରାଗ ସୁରେ ଚନ୍ଦ୍ରଶାଳା ପୁରେ
ଶିହରି ଉଠଇ ନୀଳ ନୟନା
    ସପନର ବେଦିର ତଳେ
ସହକାର କୁଞ୍ଜେ ନିତି ଫୁଲସଞ୍ଜେ
ବସନ୍ତ ରାସରେ ତନୁ ପଖାଳେ ।। 

କେଶଦୁରାପାଳ କେନ୍ଦୁଝର

Related posts

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା // ଜାଳିଛି ଜାଗର ହେ ! ଶିବ ଶଙ୍କର

Sunil Chandra Nayak

ଭାଗବତ ପ୍ରସାଦ ଙ୍କ କବିତା // ପଦଚିହ୍ନ

Sunil Chandra Nayak

ପ୍ରେମଶିଳା ବେହେରା ଙ୍କ କବିତା – ରଥଯାତ୍ରା

Sunil Chandra Nayak

Leave a Comment

error: Content is protected !!