== ଲାଭା ==
ନଳିନୀ ପ୍ରଭା ମିଶ୍ର
ଆଲବମ୍ ଟିକୁ ବାହାର କଲେ ମନ୍ଦିରା ଦେବୀ, ପୃଷ୍ଠା ପରେ ପୃଷ୍ଠା ଓଲଟାଇ ଗୋଟିଏ ପାଖରେ ଅଟକି ଗଲେ।ନିରୋଳା ମୂହୁର୍ତ୍ତ ର ବଡ ସାଥୀ ହେଉଛି ଏହି ଫଟୋ ଖଣ୍ଡିକ ଯାହାକୁ କି ସେ ଉପଜୀବ୍ୟ କରି ଆଜି ଯାଏଁ ରହି ଆସିଛନ୍ତି।ଫଟୋ ଟିକୁ ଲୁଚାଇ ରଖିଛନ୍ତି ସମସ୍ତଙ୍କ ଅଜାଣତରେ,ଫଟୋ ଟିକୁ ଦେଖିଲେ ଏ ପରିଣତ ବୟସରେ ବି ଅନ୍ତର ଭିତରେ ଅଜଣା ପୁଲକ ସୃଷ୍ଟି ହୋଇଯାଏ।ଆଖିରୁ ଝରି ଆସେ ଦୁଇ ଧାର ଅଶ୍ରୁ।କାଳେ କିଏ ଦେଖି ନେବ ଭାବି ଲୁହ ପୋଛିଦେଲେ କ’ଣ ମାନସ ପଟ୍ଟରୁ ସେ ସ୍ମୃତି ପୋଛି ହୁଏ?
ଏଇ ଫଟୋଟି ଆଉ କାହାରି ନୁହେଁ, ସମ୍ବିତ୍ ମହାପାତ୍ର ର,ପାଠରେ ଯେମିତି ଲେଖାଲେଖିରେ ବି ସେମିତି। ତା’ର ଅନ୍ୟ ଏକ ବିଶେଷ ଗୁଣ ଥିଲା ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା। କ୍ରାନ୍ତି କାରୀ ତା ରେ ତା’ର ନାମ ଥିଲା ଆଗ ଧାଡିରେ।ସାରା ଓଡ଼ିଶାରେ ଛାତ୍ର ଆନ୍ଦୋଳନ ରେ ସେ ଥିଲା କର୍ଣ୍ଣଧାର।
ଏହି ଗୁଣ ଗୁଡିକ ଯୋଗୁଁ ଗୁଣ ଗ୍ରାହିଣୀ ମନ୍ଦିରା ଦିନେ ତା’ ସହିତ ବନ୍ଧୁତା ଜମାଇ ଥିଲା। ସେଥିପାଇଁ ଅନ୍ୟ ବାନ୍ଧବୀ ମାନଙ୍କ ର ସମାଲୋଚନା ର ଶରବ୍ୟ ହେବାକୁ ପଡୁଥିଲା। ମନ୍ଦିରା ଥିଲା ଅନ୍ୟ ମାନଙ୍କ ଠାରୁ ନିଆରା ପ୍ରକୃତି ର ଝିଅ ଯାହାର ହୃଦୟ ଭିତରେ ବୈପ୍ଳବିକ ମନୋବୃତ୍ତି ସବୁବେଳେ ଜାଗରୁକ ହେଉ ଥିଲା ସର୍ବଦା ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ଲୋକଙ୍କ ଭିତରେ ଜନ ସଚେତନତା ସୃଷ୍ଟି କରିବା ଥିଲା ତା’ ଜୀବନ ର ଲକ୍ଷ୍ୟ, ସେଥିପାଇଁ ମନେ ମନେ ସେ ସମ୍ବିତ୍ କୁ ଭଲ ପାଇ ବସିଥିଲା।ସେ ଜାଣେ ଜଣେ ବିପ୍ଳବୀ ର ରକ୍ତ ନିଆରା।ସେ ରକ୍ତରେ ନଥାଏ କଳା ବଜାରୀ,ଶୋଷଣ,ତୋଷଣର ଅପ୍ ମିଶ୍ରଣ।ସେ ରକ୍ତର ବିଶୁଦ୍ଧତା ସୃଷ୍ଟି କରେ ଏକ ନୂତନ ଯୁଗ ଯାହାକି ସ୍ଵର୍ଣ୍ଣାକ୍ଷର ରେ ଲିପିବଦ୍ଧ ହୋଇ ରହିଥାଏ। ବିଦ୍ରୋହ କୁ ଦମନ କରିବା କ’ଣ ଏବେ ସହଜ।
ଯେଉଁ ଦିନ ବାପାଙ୍କ ସମକ୍ଷରେ ସମ୍ବିତ୍ ସହିତ ତା’ ବିବାହ ପ୍ରସ୍ତାବ ବାଢି ଥିଲା ,ଆହତ ସର୍ପ ପରି ବାପା ଫୁତ୍କାର କରି ଉଠିଥିଲେ ଅହଙ୍କାରିତାରେ।ପୋଲିସ୍ ର ଲାଠି ମାଡ଼ ଖାଇ ଯେ କାରାଗାର କୁ ଆଦରି ନିଏ ସ୍ଵ ଇଚ୍ଛା ରେ , ତା’ର ପୁଣି ମାନ ଇଜ୍ଜତ କ’ଣ?ଜଣେ ଶିଳ୍ପ ପତିର ଝିଅ ପୁଣି ବିବାହ କରିଵ ସମ୍ବିତ୍ ଭଳି ଜଣେ ଆନ୍ଦୋଳନ କାରୀ କୁ।ହାଃ ହାଃ ହାଃ ଅହଙ୍କାର ର ଅଟ୍ଟହାସ୍ୟ ରେ ପ୍ରକମ୍ପିତ ହୋଇ ଉଠିଥିଲା ସାରା କୋଠରୀ। ଦଂଶନ ର ତୀବ୍ର ଜ୍ଜାଳା ରେ ମନ୍ଦିରା ଫେରି ଆସିଥିଲା, ଘୃଣା ରେ ବାପାଙ୍କ ମୁହଁ କୁ ଚାହିଁ ବାକୁ ବି ଇଚ୍ଛା ହେଉ ନଥିଲା।
ଆଭିଜାତ୍ୟର ଅହଙ୍କାର ବିବାହର ରୂପ ନେଲା ବିଖ୍ୟାତ ଧନୀକ କଣ୍ଟ୍ରାକଟ୍ର ସୁଧାଂଶୁ ବାବୁଙ୍କ ସାଥିରେ।ସମ୍ବିତ୍ ଆସିଥିଲା ଅଭିନନ୍ଦନ ଜଣାଇ ଫେରି ଯାଇଥିଲା।ସାଥିରେ ଆଣିଥିବା ଭେଟିଟି ଏବେ ବି ସାଇତା ହୋଇ ରହିଛି,” କ୍ରାନ୍ତି କାରୀ ଜୀବନର ଈତିକଥା” ସମ୍ବିତ୍ ଯେପରି କହୁଛି,ତୁମେ ଠିକ୍ କରିଛ ମନ୍ଦିରା ମୋ ପରି ଜଣେ କ୍ରାନ୍ତି କାରୀ କୁ ବିବାହ କରି କ’ଣ ବା! ସୁଖ ପାଇଥାନ୍ତ? ମନର ଜ୍ୱାଳା କୁ କ’ଣ ଉପଶମ କରିହୁଏ? ପ୍ରାଚୁର୍ଯ୍ୟ ଭିତରେ ବୁଡି ଯାଇ କ’ଣ ନିଃଶ୍ୱାସୀ ହୋଇ ଉଠୁଛି ମନ୍ଦିରା, ଯେଉଁଠି ଟଙ୍କାଟିଏ ପାଇଁ ହାତ ପାତିବାକୁ ହୁଏ,ସେଠି ଟଙ୍କାର ଗଦା ଉପରେ ବସିଛି ସେ, ହେଲେ ପାଇଛି କ’ଣ!? ଶୂନ୍ୟତା ର ବଳୟ ଭିତରେ ରାଶି ରାଶି କ୍ଷୋଭ, ଲକ୍ଷ୍ୟ ହୀନ ବିହଙ୍ଗୀ ଭଳି କେବଳ ପଡ଼ି ରହିଛି ସୁଧାଂଶୁ ଦାସଙ୍କ ପାଖରେ।ସ୍ଵାମୀ ହିସାବରେ ମନ୍ଦିରା ଙ୍କ ହୃଦୟ ଭିତରେ ଥାନ ପାତି ପାରି ନାହାନ୍ତି ସୁଧାଂଶୁ।ହୃଦୟର କେଉଁ ନିଭୃତ କୋଣରେ ସମ୍ବିତ ପାଇଁ ରହି ଯାଇଛି କିଛି ଶୂନ୍ୟତା। ସୁଧାଂଶୁ ଖାଲି କେବଳ ଅର୍ଥର ମୋହରେ ଜଡ଼ିତ,ହୂଦୟ ଦେଇ ପାରନ୍ତି ନାହିଁ।
ମଣିଷ ପାଇଁ ରାଇଘର ର ଆନ୍ଦୋଳନ ରେ ବିଚରା ସମ୍ବିତ ମହା ପ୍ରୟାଣ ଲଭିଲା। ସମ୍ବିତ ଆଉ ସୁଧାଂଶୁ ଦୁହିଁଙ୍କ ଭିତରେ ଆକାଶ ପାତାଳ ପ୍ରଭେଦ।ଜଣେ ରକ୍ତ ଶୋଷଣ କାରୀ ତ! ଅନ୍ୟ ଜଣେ ନିଜ ରକ୍ତକୁ ବାଣ୍ଟି ଚାଲିଛି ସମ୍ବିତ ଯେପରି ଫଟୋ ଭିତରୁ ବାହାରି ଆସୁଛି, ମନ୍ଦିରା ର ରକ୍ତ ଟକ୍ ମକ୍ ଫୁଟି ଉଠୁଛି।
ସେ ରକ୍ତ ଆଉ କାହାରି ନୁହେଁ ଜଣେ ବିପ୍ଳବିଣୀ ର ରକ୍ତ।ନା ସେ ଆଉ କଦାପି ବରଦାସ୍ତ କରି ପାରିବ ନାହିଁ। ନିରୀହ ମଣିଷ ର ଲହୁ ଲୁହକୁ ସେ ଆଜିଯାଏଁ ଭୋଗ କରି ଆସିଛି। ଆଖି ସାମ୍ନାରେ ଦେଖାଯାଉଛି ଏକ ଅଗ୍ନି ଶିଖା,ପତଙ୍ଗ ଝାସ ଦେବା ପରି ଝାସ ଦେଉଛନ୍ତି ନିରୀହ ପ୍ରଜାଗୁଡାକ ଶୁଣାଯାଉଛି ଚିତ୍କାର ଆମେ ଏ ଅନ୍ୟାୟ ଆଉ ସହିବୁ ନାହିଁ ଆମକୁ ଶୋଷଣ କବଳରୁ ମୁକ୍ତ କର,ଏତେ ବଡ଼ ଆନ୍ଦୋଳନ ର ନେତୃତ୍ୱ ନେଇଛନ୍ତି ସମ୍ବିତ୍ ମହାପାତ୍ର,ଏବେ ସେ ଆଉ ସୁଧାଂଶୁ ଦାସଙ୍କର ସହଧର୍ମିଣୀ ନୁହେଁ, ବିପ୍ଳବୀ ସମ୍ୱିତ ମହାପାତ୍ର ର ସ୍ତ୍ରୀ ଏକ ଉତ୍ତପ୍ତ ଆଗ୍ନେୟ ଗିରି ରୁ ନିର୍ଗତ ସ୍ଵାକ୍ଷର -ବୈପ୍ଲବିକ ଚିନ୍ତା ର ଏକ ଜ୍ୱଳନ୍ତ ଶିଖା।