ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଡ଼. ରଶ୍ମିତା ମହାରଣା ଙ୍କ ଆଲେଖ୍ୟ = ବିଶ୍ୱାସ

        = ବିଶ୍ୱାସ =

                                ଡ଼. ରଶ୍ମିତା ମହାରଣା 

   ମହାଭାରତ ଯୁଦ୍ଧ ଅବ୍ୟବହିତ ପୂର୍ଵରୁ ଭଗବାନ ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କ ସହିତ କୁରୁକ୍ଷେତ୍ରର ପର୍ଯ୍ୟବେକ୍ଷଣ କରୁଥିଲେ।ଯୁଦ୍ଧ ନିମିତ୍ତ ଭୂମିର ପ୍ରସ୍ତୁତିକରଣକୁ ନିରୀକ୍ଷଣ କରୁଥିଲେ।ସେହି ସମୟରେ ଏକ ବିରାଟକାୟ ହାତୀ ଗୋଟିଏ ଗଛକୁ ମୂଳରୁ ଓପାଡି ଭୂମିରେ ପକେଇ ଦେଲା । ସେହି ଗଛରେ ପକ୍ଷୀଟିଏ ତାର ଛୁଆମାନଙ୍କୁ ନେଇ ବସା ବାନ୍ଧି ରହୁଥିଲା।ଗଛଟି ପଡିଯିଵାରୁ ପକ୍ଷୀର ବସା ମଧ୍ୟ ତଳେ ପଡିଗଲା।ତା’ର ଛୁଆମାନେ ପ୍ରାଣବିକଳରେ କାନ୍ଦିବାକୁ ଲାଗିଲେ।ଏତିକିବେଳେ ମା ପକ୍ଷୀଟି ଭଗବାନ ଶ୍ରୀକୃଷ୍ଣଙ୍କ ପାଖକୁ ଆସି କାନ୍ଦି କାନ୍ଦି ତାର ଏବଂ ତା’ଛୁଆମାନଙ୍କର ରକ୍ଷାକରିବାକୁ କହିଲା।ଭଗବାନ ଶ୍ରୀକୃଷ୍ଣ କ’ଣ ହେଇଛି ବୋଲି ପଚାରିବାରୁ ପକ୍ଷୀଟି କହିଲା,ଏକ ବିରାଟକାୟ ହାତୀ ଆସି ମୋର ବସାଥିବା ଗଛକୁ ଓପାଡି ଦେଇଛି।ବର୍ତ୍ତମାନ ମୁଁ ଓ ମୋ ଛୁଆମାନେ ନିରାଶ୍ରୟ।ଆପଣ ତ ସ୍ୱୟଂ ନାରାୟଣ ସର୍ବଶକ୍ତିମାନ।ମତେ ରକ୍ଷା କରନ୍ତୁ।

            ଏହା ଶୁଣି ଶ୍ରୀକୃଷ୍ଣ କହିଲେ,ଏଥିରେ ମୁଁ କ’ଣ କରିପାରିବି।ଯାହା ହେବାର ଥିଲା ତ ହେଇସାରିଲାଣି।ଗଛକୁ ତ ପୂନର୍ବାର ଲଗେଇ ହେବନାହିଁ।ଏହା ଶୁଣି ପକ୍ଷୀଟି କହିଲା ହେ ଭଗବାନ! ଆପଣଙ୍କ ଇଛ୍ଛା ବିନା ସଂସାରରେ କିଛି ବି ସମ୍ଭବ ନୁ଼ହେଁ।ଗଛରୁ ପତ୍ର ମଧ୍ୟ ପଡେନାହିଁ।ଏଥିରେ ମଧ୍ୟ ଆପଣଙ୍କ ଇଛ୍ଛା ହିଁ ନିହିତ ରହିଛି।ତେବେ ଠିକ୍ ଅଛି।ଆପଣ ଯଦି କିଛି କରିପାରିବେ ନାହିଁ ତେବେ ସଂସାରର ଏମିତି କୌଣସି ଶକ୍ତି ନାହିଁ ମୋର ରକ୍ଷା କରିବାକୁ।ହେ ଭଗବାନ! ଏତିକି ମାତ୍ର ଦୟାକର ଯେ,ତୁମ ଉପରେ ମୋର ବିଶ୍ୱାସ ଯେମିତି ଅତୁଟ ରହେ।ମୋର ଆସ୍ଥା ଓ ବିଶ୍ୱାସ ଏମିତି ରହିଥାଉ।ଏହା ଶୁଣି ଭଗବାନ ଶ୍ରୀକୃଷ୍ଣ ହସିଦେଇ ତଥାସ୍ତୁ କହିଲେ।

    ତା’ପରଦିନ ଅଠର ଦିନ ଧରି ମହାଭାରତ ଯୁଦ୍ଧ ଚାଲିଲା।ଯୁଦ୍ଧ ଶେଷହେବା ପରେ ଭଗବାନ ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କ ସହ କୁରୁକ୍ଷେତ୍ରରେ ବୁଲୁଥିବା ସମୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧକ୍ଷେତ୍ରର ଶେଷମୁଣ୍ଡରେ ପଡିଥିବା ଏକ ବିରାଟ ଘଣ୍ଟିଟିକୁ ତଳୁ ଉଠେଇଵାପାଇଁ ନିର୍ଦେଶ ଦେଲେ।ଏହା ଶୁଣି ଅର୍ଜୁନ ଆଶ୍ଚର୍ଯ୍ୟ ହୋଇଯାଇ ମନେମନେ ଭାଵୁଥାନ୍ତି ମୁଁ ଆର୍ଯ୍ୟାବର୍ତ୍ତର ସର୍ବଶ୍ରେଷ୍ଠ ବୀର।ଯାହା ବିନା ପଞ୍ଚୁପାଣ୍ଡବଙ୍କ ବିଜୟ ଅସମ୍ଭବ ଥିଲା। ମୋ ପରି ମହାନ୍ ଧନୁର୍ଦ୍ଧରକୁ ସଖା ଏପରି ଛୋଟ କାମଟିଏ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି।ଏହା ତ କୌଣସି ସୈନିକଦ୍ୱାରା ମଧ୍ୟ କରାଇପାରିଥାନ୍ତେ।ତଥାପି ସଖାଙ୍କର ଆଦେଶ ଶିରୋଧାର୍ଯ୍ୟ କରି ଘଣ୍ଟିଟିକୁ ଉଠାଇବାକୁ ଗଲେ। ଯାହା ଦେଖିଲେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲେ ନାହିଁ।ଘଣ୍ଟିତଳେ ପକ୍ଷୀଶାବକମାନେ ନିର୍ଭୟରେ ଆନନ୍ଦରେ ରହିଥିଲେ।ଆଉ ଏହା ସେହି ଘଣ୍ଟି ଥିଲା ଯାହା ହାତୀର ବେକରେ ଲାଗିଥିଲା।ହାତୀ ଗଛକୁ ଓପାଡିବା ସମୟରେ ତା’ବେକରୁ ଛିଣ୍ଡି ତଳେ ପକ୍ଷୀଶାବକମାନଙ୍କ ପାଖରେ ପଡିଯାଇଥିଲା।ଏସବୁ ଦେଖି ଅର୍ଜୁନ ଶ୍ରୀକୃଷ୍ଣଙ୍କ ଲୀଳା ବୁଝିଗଲେ।ପକ୍ଷୀଟି ଏତିକି ମାତ୍ର ଶ୍ରୀକୃଷ୍ଣଙ୍କୁ ମାଗିଥିଲା ଯେ ତାର ଯେମିତି ଭଗବାନଙ୍କ ଉପରେ ଥିବା ଅଟଳ ବିଶ୍ୱାସ ଅତୁଟ ରହେ।

       ଶ୍ରୀକୃଷ୍ଣ ପକ୍ଷୀଟିର ସେହି ବିଶ୍ୱାସ ଟିକକର ରକ୍ଷା ନିମିତ୍ତ ଘଣ୍ଟିଟିକୁ ପକ୍ଷୀଶାବକମାନଙ୍କର ନିର୍ଭୟ ଆଶ୍ରୟସ୍ଥଳୀ ରୂପେ ରଖିଥିଲେ। ନିଜର ବସା ଭାନ୍ଗିଗଲା ପରେ ମଧ୍ୟ ପକ୍ଷୀ ଆଉ ତା ଛୁଆମାନଙ୍କର କୌଣସି ଅସୁବିଧା ହେଇ ନ ଥିଲା।ଭଗବାନଙ୍କ ଉପରେ ଥିଵା ଅତୁଟ ବିଶ୍ୱାସ ହିଁ ପକ୍ଷୀଟିର ସବୁଠାରୁ ବଡ ଆତ୍ମବଳ ଥିଲା।

  ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ହିଁ ଆମର ବିପଦ ଆପଦରେ ସବୁଠାରୁ ବଡ ସୁରକ୍ଷାକବଚ ଅଟେ।ଦ୍ରୌପଦୀଙ୍କ ପରି ପୂର୍ଣ୍ଣ ସମର୍ପଣର ସହ ଅନ୍ତରାତ୍ମାରୁ ପ୍ରଭୁଙ୍କୁ କରିଥିବା ପ୍ରାର୍ଥନା କେବେହେଲେ ନିଷ୍ଫଳ ହୁଏନାହିଁ।ଭଗବାନଙ୍କ ଉପରେ ସଂପୂର୍ଣ୍ଣ ସମର୍ପଣ ର ସହିତ ବିଶ୍ୱାସ କଲେ ସେ ଯେମିତି ହେଲେ ବିଶ୍ୱାସର ରକ୍ଷା କରିଥାନ୍ତି।ଅଦୃଶ୍ୟ ଶକ୍ତି ହୋଇ ସେ ଆମର ସଦୈବ ରକ୍ଷା କରିଥାନ୍ତି।ଏହି ଅଦୃଶ୍ୟ ଶକ୍ତି ର ନା ହେଲା ବିଶ୍ୱାସ।

          ବ୍ରହ୍ମପୁର, ଗଞ୍ଜାମ

Related posts

ଆଜି ଦିବସର ଅନୁଚିନ୍ତା : ଜାନୁୟାରୀ ୨୭ : ମାନବତା,ଶାନ୍ତି,ସହିଷ୍ଣୁତା ଓ ସାଂସ୍କୃତିକ ଗରିମାର ଅପୂର୍ବ ନିଦର୍ଶନ 

Sunil Chandra Nayak

ଆଜି ଦିବସର ଅନୁଚିନ୍ତା: ୨୩ ଫେବୃୟାରୀ

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ ପ୍ରବନ୍ଧ = ରକ୍ତତୀର୍ଥ ଇରମ

Sunil Chandra Nayak

Leave a Comment

error: Content is protected !!