ଶୂନ୍ୟ ନୀଡ଼ ର ପକ୍ଷୀ
ନଳିନୀ ପ୍ରଭା ମିଶ୍ର
ସହରର ପରିବେଶକୁ ଆସି ନିଜକୁ ଭାରି ଖାପଛଡା ବୋଧ କରୁଥିଲା ରମାକାନ୍ତ। ପଲ୍ଲୀ ର ଶାନ୍ତ, ସୁନ୍ଦର ପରିବେଶ, ଆମ୍ର ବନାନୀ ରୁ କୋକିଳ କୂଜନ, ଗୋଧୂଳି ସମୟର ଅପୂର୍ବ ଦୃଶ୍ୟ ଛଟା,ଦିଗନ୍ତ ବିସ୍ତାରୀ ସବୁଜ କେଦାର ଏ ସବୁଠାରୁ ସେ ଆଜି ବହୁ ଦୂରରେ।ସହରରେ ଅଛି କେବଳ ଧୂଳି ଧୂଆ୰ ର ପରିବେଶ ଗାଡ଼ି ମଟର ର ଶବ୍ଦ ଭାରି ଶ୍ରୁତି କଟୁ ମନେ ହେଉଛି। କେଡେ ଶାନ୍ତ,ସରଳ ସତେ ! ପଲ୍ଲୀ ର ମଣିଷ ଗୁଡ଼ାକ ହିଂସା, ଦ୍ୱେଷ ହଠାତ୍ ସେମାନଙ୍କ ମନକୁ ଛୁଏଁ ନାହିଁ।ଜଣକ ବିପଦ ବେଳେ ଅନ୍ୟ ଜଣେ ସାହାଯ୍ୟ ପାଇଁ ଆସିଯାଏ,ବିପଦ ଆପଦ ରେ କାନ୍ଧ କୁ କାନ୍ଧ ମିଳାଇ ଚଳନ୍ତି ସେମାନେ।
କିନ୍ତୁ ସହର ଧର୍ଷଣ ,ଗୁଣ୍ଡାମି , ଡକାୟତି, ଦୁର୍ଘଟଣା ସବୁ ବେଳେ ଲାଗି ରହିଥାଏ।ସବୁ ଭାବନା ଭିତରେ ସେ ନିଜକୁ ସେ ଦୁଃଖୀ ଟି ଏ ମନେ କରୁଥିଲା।
ପଲ୍ଲୀ ର ସୌନ୍ଦର୍ଯ୍ୟ ବୋଧ ଅପେକ୍ଷା ଅନ୍ୟ ଏକ ଆକର୍ଷଣ ହେଲା ତା’ର ବାଲ୍ୟ ସଙ୍ଗିନୀ ନିଳୀମା,ଖାଲି ବାଲ୍ୟ ସଙ୍ଗିନୀ ନୁହେଁ ଉଭୟ ପରିବାର ର ସମ୍ମତି କ୍ରମେ ବିବାହ କଥା ସ୍ଥିର ହୋଇ ସାରିଛି।ଆଉ କେଇଟା ମାସ ପରେ ନିଳୀମା ହେବ ତା’ର ଜୀବନ ସାଥୀ,ନିଳୀମା ର ନୀଳ କଇଁ ପରି ନୟନ ଯୁଗଳ ମୁକ୍ତ ଆକାଶ ପରି ହୃଦୟ ଏ ସବୁକୁ ସେ ପଛରେ ଛାଡି ପେଟ ଚାଖଣ୍ଡକ ପାଇଁ ଏ ସହର ମୁହାଁ ହୋଇଛି। ନୂଆଁ ଚାକିରି, ନୂଆଁ ପରିବେଶ ତା ‘ପରି ଜଣେ ପଲ୍ଲୀ ମଣିଷ ପାଖରେ ଚଳିବା ପାଇଁ ଭାରି କଷ୍ଟକର ହେଉଛି।ସେ ଯେତେ ଯାହା ହେଉ ଆଉ କିଛି ଦିନ ପରେ ତାକୁ ଆଉ ଏକୁଟିଆ ରହିବାକୁ ହେବ ନାହିଁ। ମନକୁ ସାନ୍ତ୍ଵନା ଦେଲା ରମାକାନ୍ତ।
ଆଜ୍ଞା ଆଜ୍ଞା! ଶବ୍ଦ ସହ ଦ୍ବାର ରେ କରାଘାତ ଶୁଣି ସାମ୍ନାରେ ଦେଖିଲା
ଜଣେ ପ୍ରୌଢା ଝିଅଟିଏ ସହିତ ଠିଆ ହୋଇଛନ୍ତି।ଝିଅଟି ବେଶି ସୁନ୍ଦରୀ ନହେଲେ ବି ଆଧୁନିକ ଢଙ୍ଗ ଢାଙ୍ଗରେ ନିଜକୁ ସଜାଇ ଥିଲା।
ଭାରି ପ୍ରଗଳ୍ଭା,ବନ୍ୟ ହରିଣୀ ପରି ଚଳ ଚଞ୍ଚଳ ଗତି ଭଙ୍ଗୀ ଏ ସବୁ ଦେଖି ନିଜକୁ ନିଜେ ହଜାଇ ଦେଇଥିଲା ରମାକାନ୍ତ। ନମସ୍କାର!
ପ୍ରକୃତିସ୍ଥ ହୋଇ ପ୍ରତି ନମସ୍କାର ଜଣାଇ ବସିବା ପାଇଁ କହିଥିଲା।କିଛି ସମୟ ନୀରବତା ଭିତରେ କଟି ଯିବା ପରେ ପ୍ରଥମେ କହିବାକୁ ଆରମ୍ଭ କଲେ ଝିଅର ମା ।”ମୁଁ ଶୁଣିବାକୁ ପାଉଛି ଆପଣ ଜଣେ ମେଧାବୀ ଛାତ୍ର ଗଣିତରେ ଭଲ ଜ୍ଞାନ ଅଛି , ଝିଅଟି ଏ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେବ,ଆପଣ ଅଫିସ ରୁ ଫେରିବା ପରେ ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ଘରକୁ ଯାଇ ଟ୍ୟୁସନ କରିବା ପାଇଁ ଅନୁରୋଧ କରୁଛି ।” କିଛି ସମୟ ଚିନ୍ତା କଲା ରମାକାନ୍ତ , ଚାକିରୀ ରୁ ସେ ଯେତିକି ଦରମା ପାଇବ ସେହି ଟଙ୍କାରୁ ନିଜେ ଚଳିବା ସହିତ ଫେରେ ପ୍ରତି ମାସରେ ଘରକୁ ତ! ପୁଣି ପଠାଇ ବାକୁ ପଡିବ,ଦରଦାମ୍ ତ ଆକାଶ ଛୁଆଁ,ଟ୍ୟୁସନ୍ କଲେ କ୍ଷତି କ’ଣ?ଟୁସନ୍ ରୁ ପାରିଶ୍ରମିକ କିଛି ସଞ୍ଚୟ କରି ରଖିଥିଲେ, ବିବାହ ପରେ ଚଳିବା ନିମନ୍ତେ କିଛି ଅସୁବିଧା ହେବ ନାହିଁ।
ଅଫିସ୍ ରୁ ଫେରି ଚଞ୍ଚଳ ନିତ୍ୟକର୍ମ ସାରି ଚାଲିଲା ଘରୋଇ ଟ୍ୟୁସନ୍ ଅଭିମୁଖେ।ଘର ଭିତରେ ପ୍ରବେଶ କରି ଦେଖିଲା ବଡ଼ ଲୋକ ଘର କିଛି ଅଭାବ ନାହିଁ।ପଢା ଘରଟି ର ସାଜସଜ୍ଜା ମଧ୍ୟ କିଛି କମ୍ ନୁହେଁ।
ଲିସା କୁ ପଢ଼ାଇବା ଦିଗରେ ସବୁବେଳେ ଧ୍ୟାନ ଦେଉ ଥାଏ।କିନ୍ତୁ ଲିସା ର ପଡ଼ାରେ ମନ ନଥାଏ। ଏଣୁତେଣୁ ବାଜେ କଥା କହି ସମୟ କଟାଇ ଦିଏ।କ୍ରମେ କ୍ରମେ ଉଭୟଙ୍କ ଭିତରେ ହୁଏ ପ୍ରେମର ସୂତ୍ରପାତ, ଲିସା ର ମା ମଧ୍ୟ ଉଭୟଙ୍କୁ ମିଶିବା ପାଇଁ ସୁଯୋଗ ଦିଅନ୍ତି। ବଦଳି ଯାଇଛି ରମାକାନ୍ତ,ଲିସା ର ପ୍ରେମ ଜାଲରେ ବୁଢିଆଣୀ ଟିଏ ପରି ଘରଦ୍ୱାର,ବାପା ମା ସମସ୍ତଙ୍କୁ ସେ ପାଶୋରି ଦେଇଛି
ପତ୍ର ଖଣ୍ଡିଏ ଗାଁରୁ ବାପା ଦେଇଛନ୍ତି, ନିଳୀମା ସହିତ ତା’ର ବିବାହ ଦିନ ସ୍ଥିର ହୋଇ ସାରିଛି,ସେ ଚିଠି ଲେଖି ଜଣାଇ ଦେବ,”ମୁଁ ଏ ପ୍ରସ୍ତାବରେ ରାଜି ନୁହେଁ।”ଜଣେ ହେଉଛି କୁଳୁକୁଳୁ ନିନାଦିତା ଅନ୍ତଃସଲିଳା ଫଲଗୁ ଓ ଅନ୍ୟ ଜଣେ ପ୍ରଗଳ୍ଭା ତଟିନୀ,କାହାକୁ ନେଇ ତା’ର ଜୀବନ ଧାରା ପ୍ରବାହିତ ହେବ।ସେ ଦିନ ଅଫିସ ଫେରନ୍ତା ରାସ୍ତାରେ ଦେଖା ହେଲା ଗାଁ ର ମଧୁ ସହିତ। ହଠାତ୍ ସେ ପଚାରି ଉଠିଲା ,”କିରେ! କ’ଣ ସହର ଆସି ସବୁ କିଛା ଭୂଲି ଗଲୁଣି ସହରୀ ଝିଅର ପ୍ରେମରେ ପଡି।” ହଠାତ୍ ଅପ୍ରତିଭ ହୋଇ ଉଠିଲା ରମାକାନ୍ତ,ନା ସେମିତି କିଛି ନୁହେଁ ସମୟ ଅଭାବରୁ ଗାଁ ଆଡେ ଯାଇ ପାରୁନି। ଅଫିସ୍ ଗଲେ କାମରେ ମନ ଲାଗେ ନାହିଁ, ନିଳୀମା ଦିନେ ହୃଦୟରେ ଯେଉଁ ସ୍ଥାନ ଅଧିକାର କରିଥିଲା,ସେଠି ସ୍ଥାନ ଅଧିକାର କରିଛି ଆଉ ଜଣେ।
ବାପା ଆସିଛନ୍ତି ତାକୁ ସାଙ୍ଗରେ ନେଇ ଯିବେ, ଆଠଦିନ ପରେ ବାହାଘର ହେବ।ସେ ରୋକ୍ ଠୋକ୍ କରି ମନା କରିଦେଲା”ମୁଁ ଜଣେ ଗାଉ୰ଲି ଝିଅକୁ ବାହା ହୋଇ ପାରିବି ନାହିଁ”। ବାପାଙ୍କ ମୁଣ୍ଡ ଉପରେ ହଠାତ୍ ଯେମିତି ବଜ୍ରପାତ ହେଲା, କାନ୍ଦ କାନ୍ଦ ହୋଇ ସେ କହି ଉଠିଲେ ,” ତୁ ଯେଉଁ ସହରୀ ଝିଅ ପଛରେ ପଡିଛୁ, ଦେଖ୍ ସେ ବନ ହଂସୀ ପରି ଅନ୍ୟ ଏକ ନୀଡ଼ ରଚନା କରି ଚାଲିଯିବ।”ବାପା ଦୁଃଖରେ ଫେରି ଗଲେ।
ଲିସା ର ପରୀକ୍ଷା ସରି ଯାଇଛି ଏଣିକି ରମାକାନ୍ତ ଲକ୍ଷ୍ୟ କରିବାକୁ ଲାଗିଲା ଲିସା ଆଉ ପୂର୍ବପରି ତା ସହିତ ମିଶୁ ନାହିଁ।ତା’ର ବାପା ମଧ୍ୟ ତାକୁ ଦେଖି ନ ଦେଖିବା ଭଳି ବାଟ କାଟି ଚାଲି ଯାଉଛନ୍ତି,ଏ ସବୁର କାରଣ କ’ଣ ବା! ହୋଇପାରେ। ଜାଣିବା କୁ ପାଇଲା ଲିସା ର ବାହାଘର ଠିକ୍ ହୋଇ ଯାଇଛି, ସ୍ଵାମୀ ଜଣେ ଉଚ୍ଚ ପଦସ୍ଥ ଅଫିସର ଭାରି ଖାନ୍ ଦାନ୍ ଘର। ନିଳୀମା ମଧ୍ୟ ଅନ୍ୟତ୍ର ବାହା ହୋଇ ଚାଲିଗଲାଣି।ମନେ ପଡ଼ିଲା ବାପାଙ୍କ କଥା “,ତୁ ଯେଉଁ ସ଼ହରୀ ଝିଅ ପଛରେ ——-।
ସେ ବର୍ତ୍ତମାନ ଶୂନ୍ୟ ନୀଡ଼ ର ପକ୍ଷୀ ଟିଏ, ସମ୍ପୂର୍ଣ୍ଣ ଏକାକୀ। ନି଼ଃସଙ୍ଗତାକୁ ଧେୟ କରି ତାକୁ ବଞ୍ଚିବାକୁ ହେବ।