ଅତୀତର ପ୍ରତିବିମ୍ବ
ଶ୍ଯାମା ପ୍ରସାଦ୍ ବୋଷ୍
ହୃଦୟ ରେ ପ୍ରତିବିମ୍ବିତ ହେଉଥିଲା ଅତୀତର ମଧୁର ସ୍ମୃତି । “ମାନସ,, ଫେରି ଯାଉଥିଲା ହଜିଲା ଅତୀତ ର ପିଛିଲା ଦିନକୁ । କେତେ ସୁନ୍ଦର ଥିଲା ସତେ ସେ ଦିନ ଗୁଡିକ । ସେ ଧିରେ ଧିରେ ହଜି ଯାଉଥିଲା ନିଜ ଭାବନାର ଗହ୍ବରରେ ।
ନୀଳ ତାରା ଭରା ଆକାଶ ରେ ସେ ଦିନର ସେ ପୂର୍ଣ୍ଣିମାର ଜହ୍ନ ଟା ଶାନ୍ତ, ସୌମ୍ଯ , କମନୀୟ , ସ୍ନିଗ୍ଧ ଭାବେ ଜୋଛନା ରାଶି ଅକାତରେ ଅଜାଡି ଦେଉଥିଲା ନଦୀ କୂଳର ବିସ୍ତୀର୍ଣ୍ଣ ବାଲୁକା ରାଶିରେ । ପ୍ରାଣ ପ୍ରିୟା ସହିତ ଦୁହେଁ ମିଶି ଗଢିଥିଲେ ସୁନ୍ଦର ବାଲି ଘର ଟିଏ । ଭବିଷ୍ୟତର ସୁନେଲି ସ୍ବପ୍ନରେ ଡୁବି ଯାଇଥିଲେ ଦୁହେଁ । ଆଃ କି ମଜାର ସେ ଦିନ ଗୁଡାକ । ନଦୀ ର ସ୍ବଚ୍ଛ ଜଳରାଶି ଝିଲ୍ ମିଲ୍ କରୁଥିଲା ଶୁଭ୍ର ଜୋଛନାର ଶୀତଳ ଆଲୋକରେ । ନଦୀର ଚହଲା ଜଳରେ ବିଖଣ୍ଡିତ ହେଉଥିବା ଜହ୍ନ ର ପ୍ରତିଛବି ପ୍ରତିବିମ୍ବିତ ହେଉଥିଲା । ତା ପାଖରେ ରହିଥିଲା ଆଉ ଏକ ଜହ୍ନ ମାନେ “ମାନସ,, ର ମନର ମାନସୀ ମୋନାଲିସା ।ତାରି କୋଳରେ ମଥା ରଖି ମାନସ ହଜି ଯାଇଥିଲା ଏକ ସୁନ୍ଦର ଭାବନାର ଦୁନିଆ ରେ । ମୋନାଲିସା କୁ ନେଇ ଦେଖିଥିବା ଅନେକ୍ ସୁନେଲି ସ୍ବପ୍ନ ଓ ମଧୁର ମୂହୁର୍ତ୍ତ ସବୁ ଆଜି ପ୍ରତିବିମ୍ବିତ ହେଉଥିଲା ମାନସ ର ମାନସ ପଟରେ । ସେ ହଜି ଯାଉଥିଲା ଭାବନା ରାଇଜରେ ।
ମାନସ ର ଜୀବନ ପରିଧି ରୁ ମୋନାଲିସା ଆଜି ଅନେକ୍ ଦୂରରେ । ସେ ତାର ସୁଖର ସଂସାରରେ ଡୁବି ରହି କିଏ ଜାଣେ ତାକୁ ମନେ ରଖିଛି କି ନା । ସେ ତାର ନିଜ ସଂସାରରେ ରହି ହୁଏତ ଭୁଲି ସାରିଥିବ ସେ ମଧୁର ଅତୀତକୁ । ଜହ୍ନ କୁ ସାକ୍ଷୀ ରଖି ଦେଇଥିବା ସେ ଦିନର କଥାକୁ । ଯିଏ ଦିନେ ଥିଲା ତାର ନିଜଠୁ ନିଜର ଅତି ଆପଣାର ଚିରକାମ୍ଯ ପୁରୁଷ । ଆଜି ସିଏ ହୋଇ ଯାଇଛି ସାତ ପର ତା ପାଇଁ । ଦୀର୍ଘ ବର୍ଷ ବିତି ଗଲାଣି ଏ ମଧ୍ୟରେ । କେତେ ବସନ୍ତ ଆସିଛି ମଳୟ ବହିଛି କୋଇଲି ମଧ୍ୟ ମଧୁର ସ୍ବରରେ ଗାଇଛି ପ୍ରେମର ସଙ୍ଗୀତ । ଆକାଶରେ ଜହ୍ନ ଉଇଁଛି ଚିରାଚରିତ ଭାବରେ ତାର ଜୋଛନା ବିଛାଡି ଦେଇଛି ।ସେଇ ନଈ ଅଛି ସେଇ ଜହ୍ନ ବି ଅଛି । ସେଇ ବାଲୁକା ଶର୍ଯ୍ଯା ଅଛି ସେଇ ଭାବନା ବି ଅଛି । ହେଲେ ନାହିଁ ସେଇ ଅଫେରା ଦିନ ଗୁଡାକ । ନାହିଁ ତାର ମନର ମାନସୀ ମୋନାଲିସା । ଆଜି ମାନସ ପୁରା ପୁରି ଏକା ହୋଇ ଯାଇଛି ସମୟ ଓ ଭାଗ୍ୟର ବିଡମ୍ବନା ରେ । ଜୀବନର ପଥେ ଏକା ଚାଲିବାର ସଂକଳ୍ପ ନେଇଛି ସେ ।ତାର ସେ ମଧୁର ଅତୀତକୁ ଭୁଲିବାକୁ ଶତ ଚେଷ୍ଟା କରୁଛି । ହେଲେ ଅତୀତର ସେ ମଧୁର ସ୍ମୃତି କଣ ଏତେ ସହଜରେ ଭୁଲି ହୋଇପାରେ । କାହିଁକି କେଜାଣି ଅତୀତର ସେ ସ୍ମୃତି ଗୁଡିକ ତାକୁ ଏତେ ଜଳାଇ ମାରୁଛି ।
ଆଜି ଦୀର୍ଘ ବର୍ଷ ପରେ ବି ପ୍ରତିବିମ୍ବତ ହେଉଛି ହଜିଲା ଅତୀତ ଟା । ହଠାତ୍ ସେ ଏ କଣ ଦେଖୁଛି ? କାହାକୁ ସେ ଦେଖୁଛି । ଏ କଣ ସତ୍ଯ ନାଁ ତାର ମନର ଭ୍ରମ ? ସତରେ ସେ ସ୍ବପ୍ନ ଦେଖୁନି ତ ? ନଦୀ ର ସ୍ବଚ୍ଛ ଜଳରାଶି ରେ ଏ କାହାର ପ୍ରତିବିମ୍ବ ତାକୁ ହାତ ଠାରି ଡାକୁଛି । ଏକ ଲୟରେ ସେ ଚାହିଁ ରହିଛି ନିଜ ଭାବନାର ଅତୀତ କୁ । ଦୁରଭାଷ ର ସୃତି ମଧୁର ସ୍ବରରେ ପ୍ରକୃତିସ୍ଥ ହୋଇଛି ମାନସ । ନାଁ ସେ ସବୁ ତାର ମନର ଭ୍ରମ ଥିଲା । ସମୟ ଅନେକ୍ ହେଲାଣି । ଏବେ ଫେରି ଯିବାକୁ ହେବ ତାର ନିଜ ଦୁନିଆ କୁ । ଆକାଶ କୁ ଚାହିଁଲା । ଜହ୍ନ ଟା ସେମିତି ହସୁଛି ଯେମିତି ସେ ଦିନ ହସୁଥିଲା । ଜହ୍ନ ର ସେ ପ୍ରତିଛବି ପ୍ରତିବିମ୍ବିତ ହେଉଛି ନଦୀର ସ୍ବଚ୍ଛ ଜଳରାଶି ରେ ଯେମିତି ତା ମନ ସରଶୀରେ ପ୍ରତିବିମ୍ବିତ ହେଉଛି ତାର ହଜିଲା ଅତୀତ । ସେ ଜହ୍ନ କୁ ଚାହିଁ ମନେ ମନେ ମୋନାଲିସା କଥା ଭାବି ହସି ଦେଲା ଟିକେ । ନଦୀ କୁ ପଛ କରି ଫେରି ଯାଉଥିଲା ତାର ବର୍ତ୍ତମାନ ର ଦୁନିଆ କୁ । ଆଉ ଭୁଲିବାକୁ ଚେଷ୍ଟା କରୁଥିଲା ତାର ସେ ଅଫେରା ଅତୀତ କୁ । ଯାହା କିଛି କ୍ଷଣ ଆଗରୁ ତାର ହୃଦୟ ଆଇନା ରେ ପ୍ରତିବିମ୍ବିତ ହେଉଥିଲା । ————- ।