ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଜି ଅଶୋକାଷ୍ଟମୀ, ମାଉସୀ ଘର ଯିବେ ଶ୍ରୀଲିଙ୍ଗରାଜ

ଆଜି ଅଶୋକାଷ୍ଟମୀ,

ମାଉସୀ ଘର ଯିବେ ଶ୍ରୀଲିଙ୍ଗରାଜ

ଆଜି ପବିତ୍ର ଅଶୋକାଷ୍ଟମୀ। ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ବରର ରଥଦାଣ୍ଡରେ ଗଡ଼ିବ ରୁକୁଣା ରଥ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ଯିବେ ମାଉସୀ ଘର (ରାମେଶ୍ବର ମନ୍ଦିର)। ରଥରେ ଦେବଦେବ ମହାଦେବଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖରଙ୍କ ସହ ବିଜେ କରିବେ ପ୍ରଭୁ ବାସୁଦେବ (ଦୋଳଗୋବିନ୍ଦ) ଓ ଦେବୀ ରୁକୁଣା ବା ରୁକ୍ମିଣୀ। ୬ ଦିନ ପାଇଁ ନିଜ ମନ୍ଦିର ଓ ପତ୍ନୀ ଦେବୀ ପାର୍ବତୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କ ସହ ମାଉସୀ ଘର ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ। ରାମେଶ୍ବର ମନ୍ଦିରରେ ମାଉସୀ ଘରେ ହେବ ହରି-ହର ଭେଟ। ମାନ କରିବେ ମା’ ପାର୍ବତୀ। ରାଗରେ ରଥ ଭାଙ୍ଗିବେ। ଏମିତିକି ପ୍ରତ୍ୟାବର୍ତ୍ତନ ବେଳେ ମନ୍ଦିର କବାଟ କିଳି ଦିଅନ୍ତି। ପରେ ମାନଭଞ୍ଜନ କରିବେ ପ୍ରଭୁ ଲିଙ୍ଗରାଜ ଓ ମା’ ପାର୍ବତୀ ପୁଣି ମହାଦେବଙ୍କୁ ପାଛୋଟି ନେବେ ମନ୍ଦିରକୁ। ପ୍ରଭୁ ଲିଙ୍ଗରାଜଙ୍କ ଏହି ଦିବ୍ୟ ଲୀଳାଖେଳା ଦର୍ଶନ ପାଇଁ ସବୁ ବର୍ଷ ଭଳି ଏଥର ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ। ତେଣୁ ମନ୍ଦିର ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ବିଏମ୍‌ସି ଓ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଓଡ଼ିଶାର ଭୁବନେଶ୍ୱରଠାରେ ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ । ଏହା ପୁରୀର ରଥଯାତ୍ରାଠାରୁ ମଧ୍ୟ ଅଧିକ ପୁରୁଣା ଯାତ୍ରା ।

କିମ୍ବଦନ୍ତୀ…..

ପୌରାଣିକ କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ର ରାବଣକୁ ହତ୍ୟାକରି ସୀତାଙ୍କୁ ଉଦ୍ଧାର କରିଥିଲେ । ରାବଣ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଲା । ଏହିପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ କଥା ଅନୁସାରେ ଏକାମ୍ର କ୍ଷେତ୍ରକୁ ଯାଇ ରାମେଶ୍ୱରଠାରେ ହରିହର (ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜାକଲେ । ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ କ’ଣ ବର ଚାହଁ ବୋଲି ପଚାରିଲେ । ଶେଷରେ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର (ଲିଙ୍ଗରାଜ) ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ । ସେହିଦିନଠାରୁ ତାଙ୍କୁ ଦର୍ଶନ ଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି । ଉକ୍ତ ପ୍ରଥା ଓ ପରମ୍ପରା ଅନୁସାରେ ଏହି ରଥଯାତ୍ରା ହୋଇ ଆସୁଛି । ଏହାବ୍ୟତୀତ ରଥଯାତ୍ରାର ଆଉ ଏକ ବିଶେଷତ୍ୱ ମଧ୍ୟ ରହିଛି ଯେ ମା ଭୁବନେଶ୍ୱରୀ ଏହିଦିନ ରଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ସହ ସୁରାସରକୁ ବଧ କରିବା ପାଇଁ ଯାତ୍ରା କରିଥାନ୍ତି ।

ପର୍ବର ବିଶେଷତା…

ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଚୈତ୍ର ଶୁକ୍ଳ ଅଷ୍ଟମୀ (ଅଶୋକାଷ୍ଟମୀ)[୨] ଦିନ ଗୋଟିଏ ରଥରେ ରାମେଶ୍ୱର ମନ୍ଦିରକୁ ନିଆଯାଇ ପାଞ୍ଚଦିନ ସେଠାରେ ଅବସ୍ଥାପିତ କରି ପୁଣି ବଡ଼ଦେଉଳକୁ ବାହୁଡ଼ାଇ ଅଣାଯାଏ । ଯିବା ବାଟରେ ଅନେକ ପୂଜାର୍ଚ୍ଚନା ପୂର୍ବକ ଅଧରପଣାର ଲାଗି କରାଯାଇଥାଏ । ଏହାକୁ ଦେଖିବା ଲାଗି ଭକ୍ତଙ୍କର ଗହଳି ଲାଗିରହିଥାଏ । ବିଶ୍ୱାସ ରହିଛି ଲିଙ୍ଗରାଜଙ୍କ ରାମେଶ୍ୱର ମନ୍ଦିରକୁ ଗମନ ଅବସରରେ ରାମଚନ୍ଦ୍ର ପୂଜାର୍ଚ୍ଚନା କରିବାର ସୁଯୋଗ ପାଇଥାନ୍ତି । ଲିଙ୍ଗରାଜ ମନ୍ଦିରଠାରୁ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରଥକୁ ଟଣାଯାଏ । ରାମଚନ୍ଦ୍ରଙ୍କ କଥାକୁ ରଖି ପ୍ରତିବର୍ଷ ଅଶୋକାଷ୍ଟମୀ ତିଥିରେ ଦୋଳଗୋବିନ୍ଦ ଓ ରୁକୁଣାଙ୍କୁ ଧରି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର (ମାଉସୀ ମା’ ମନ୍ଦିର ) ମନ୍ଦିରକୁ ଯାତ୍ରା କରିଥାନ୍ତି । ଏହି ରଥର ଉଚ୍ଚତା ୫୦ ଫୁଟ ଓ ୪ ଚକ, ୨ଓରା, ୧୬ନାହାକା, ୫ଦଣ୍ଡା ବିଶିଷ୍ଟ ; ରଥର ନାମ ରୁକ୍ମଣୀ ବା ରୁକୁଣା ରଥ । ଏହି ରଥଟିର ବିଶେଷତ୍ୱ ହେଉଛି ରଥଟି ଅଣଲେଉଟା । ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ । ରଥର ପଛପଟେ ଦ୍ୱାର ଖୋଲାଯାଇ ଘୋଡ଼ା ଜଚାଯିବା ପରେ ଏହା ପଛକୁ ପଛ ଫେରିଥାଏ । ଜଗନ୍ନାଥ ମହାପ୍ରଭୁଙ୍କ ପରି ରଥ ଦକ୍ଷିଣ ମୋଡ ବା ବୁଲିନଥାଏ । ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ । ଏଇରଥ ଯେଉଁଆଡ଼େ ମୁହଁକରି ଯାଇଥାଏ ସେ ଆଡ଼ରୁ ଆଉ ମୁହଁ ଫେରାଏ ନାହିଁ । ବାହୁଡ଼ା ଦିନ ରଥର ଆଗପାଖର ସାଜସଜ୍ଜାକୁ ଆଣି ପଛ ପାଖରେ ଲଗାଇ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କଉ ବାହୁଡ଼ାଇ ଅଣାଯାଏ । ଏଥିପାଇଁ ଢଗ ଅଛି ଯେ ‘ରୁକୁଣା ରଥ ଅଣଲେଉଟା/ ଆଉ ନ ଫେରେ’ । ରୁକୁଣା ରଥର ସାରଥୀଙ୍କୁ କୁହାଯାଏ ‘ବ୍ରହ୍ମା’ । ଅଶୋକାଷ୍ଟମୀ ଦିନ,୮ଟି ଅଶୋକା କଢ଼ି ପକାଇ, ସେହି ଜଳ ପାନକଲେ, ଦୁଃଖଶୋକ ଲାଘବ ହେବାର ମାନ୍ୟତା ରହିଛି । ସନ୍ତାନ ହେଉନଥିବା ବା ସନ୍ତାନ ହୋଇ ମରିଯାଉଥିବା ମହିଳାମାନେ ଅଶୋକାଷ୍ଟମୀ ପୂର୍ବଦିନ ଅଧିବାସ କରି, ଅଶୋକାଷ୍ଟମୀ ଦିନ ମରିଚି କୁଣ୍ଡର ଜଳରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହେବାର ମଧ୍ୟ ମାନ୍ୟତା ରହିଛି । ଏଥି ଯୋଗୁଁ ମରିଚି କୁଣ୍ଡର ପ୍ରଥମ ଗରା ଜଳ ଖୁବ ଉଚ୍ଚଦରରେ ନିଲାମ ମଧ୍ୟ ହୋଇଥାଏ।ଦୋଳପୂର୍ଣ୍ଣମୀର ଦୁଇଦିନ ପରଠାରୁ ରଥ ପାଇଁ କାମ ଆରମ୍ଭ ହୋଇ ଚୈତ୍ର ମାସ ଶୁକ୍ଳପକ୍ଷ ସପ୍ତମୀ ଅଧରାତି ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଥାଏ । ଏଥିପାଇଁ ମହାପ୍ରଭୁଙ୍କର ସ୍ୱତନ୍ତ୍ର ମହାରଣାମାନେ କାର୍ଯ୍ୟ କରିଥାନ୍ତି । ରଥଖଳାରେ ରଥର ସମସ୍ତ କାର୍ଯ୍ୟକୁ କରିଥାନ୍ତି । ରଥଯାତ୍ରା ପୂର୍ବଦିନ ଭୋର ୪ଟାରୁ ମଙ୍ଗଳା ଆଳତୀ ଆରମ୍ଭ ହୋଇ ଅବକାଶ ନୀତି, ରୋଷପାକ, ସାହାଣ ମେଲା ଦର୍ଶନ, ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ପୂଜା, ମା ଭୁବନେସ୍ୱରୀଙ୍କ ପୂଜା, ସକାଳ ଧୂପ, ଭୋଗ ମଣ୍ଡପ, ବେଶ ସଜ୍ଜା ଓ ଦିନ ୨ଟା ସୁଦ୍ଧା ମହାପ୍ରଭୁ ଲିଙ୍ଗରାଜ, ବାସୁଦେବ ଓ ମା ଭୁବନେଶ୍ୱରୀ ବା ରୁକୁଣାଙ୍କ ପହଣ୍ଡି ହୋଇଥାଏ । ଏହାପରେ ରଥ ଉପରେ ଚକ ପୂଜା, ଅଖ ପୂଜା, ଦ୍ୱାରପୂଜା, ଅଶ୍ୱପୂଜା, ଧ୍ୱଜାପୂଜା, ବ୍ରହ୍ମାପୂଜା ଓ ଛେରାପହଁରା ପ୍ରଭୃତି ପ୍ରାୟ ୧୨ ପ୍ରକାରର ପୂଜା କରାଯାଇଥାଏ ।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା….

Related posts

ଚୈତ୍ର ମଙ୍ଗଳା ଓଷା କାନପୁରା ଗ୍ରାମରେ 

masiha

ଶ୍ରୀ ଆଖଣ୍ଡଳମଣି ମହାଦେବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଆସନ୍ତା ୬ ରେ..

Sunil Chandra Nayak

ଖଣ୍ଡିଆ ଗୁଡା ବାଲିଯାତ୍ରା ଧୁମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!