ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ବିତୃଷ୍ଣା

  ।। ବିତୃଷ୍ଣା।।

ମୋ ମନରେ ଏତେ ବିତୃଷ୍ଣା କାହିଁକି
ଭରି ଭରି ଯାଉଅଛି,
ଯେତିକି ଦେଖୁଛି ଅତି ନିକଟରୁ
ସେତିକି ବଢୁଛି ନିତି।।୧।।
ଚାହିଁତ ନଥିଲି ବହୁତ କିଛି ମୁଁ
ସବୁବେଳେ ଖାଲି ଦିଏ,
ପାଇବାର କେବେ କାଣିଚାଏ ଆଶା
ମନରେ ମୋର ନଥାଏ।।୨।।
ତଥାପି କାହିଁକି ହାରି ହାରି ଯାଏ
ପ୍ରିୟଜନଠାରୁ ମୁହିଁ,
କିଏ ପ୍ରିୟ କିଏ ଅପ୍ରିୟ ମୋପାଇଁ
ଅବୁଝା ସବୁ ଲାଗଇ।।୩।।
ନୂଆ ଲାଗେ ସବୁ ପୁରୁଣା କଥାକୁ
ମିଛ ମାୟା ସବୁ ଲାଗେ,
ଏତେ ସହଜରେ ବିଶ୍ଵାସ କରିମୁଁ
ଠକି ରହିଯାଏ ଆଗେ।।୪।।
ପ୍ରତାରଣା ଏକ ନିଛୁକ ନମୁନା
ଅଙ୍ଗେ ନିଭାଉଛି ଯାହା,
ଯାହଲାଗି ନିଜ ସର୍ବସ୍ବ ହାରିବ
ସେଇ ନାଶିଦେବ ଗ୍ରାହା।।୫।।
ବିବେକ ବିଚାର ନ ଥିବ ଯା’ପାଶେ
ସେ କି ବାଣ୍ଟିନେବ ଦୁଃଖ,
ନିଜ ସୁଖ ପାଇଁ ଶତତ ଚେଷ୍ଟିତ
ପର ଭୋଗୁ ପଛେ ନର୍କ।।୬।।
ଯନ୍ତ୍ରଣାରୁ ଜାତ ବିତୃଷ୍ଣା ନିଶ୍ଚୟ
ପାଏ ନାହିଁ ଯେବେ ରାହା,
ପର ଖୁସି ପାଇଁ ଜଳାଞ୍ଜଳି ଦେଇ
ନିଜେ ହୋଇଯାଏ ସ୍ୱାହା।।୭।।

    ।। ଚିତ୍ରା ରାଣୀ ପାତ୍ର ।।

              ।।ବାଲେଶ୍ଵର।।

Related posts

ବନଲକ୍ଷ୍ମୀ ମହାନ୍ତି  ଙ୍କ କବିତା l l l କ୍ୟାଲେଣ୍ଡର l l l

Sunil Chandra Nayak

ପ୍ରସନ୍ନ କୁମାର ସାହୁ ଙ୍କ କବିତା = ଅକ୍ଷୟ ତୃତୀୟା

Sunil Chandra Nayak

ସିତନ୍ସୁ ଜେନା ଙ୍କ କବିତା = ଚନ୍ଦନ ଚନ୍ଦନ

Leave a Comment

error: Content is protected !!