।। ଶ୍ରୀଲେଖାର ଦୁଃଖ।।
ଲେଖା ତାକୁ ଧିରେ ଧରି ନେଇ ଚୁପଚାପ୍ ଶୋଇବା ଘରକୁ ନେଇ ଗଲା। ତାକୁ ଶେଯରେ ଶୁଆଇ ପଙ୍ଖା ଚଲାଇ ଦେଲା। ତା ହାତରୁ ଘଣ୍ଟା, ପକେଟ ଭିତରୁ ମୋବାଇଲ କାଢି ଦେଲା। ଚାହୁଁ ଚାହୁଁ ସେ ନିଘୋଡ଼ ନିଦରେ ଶୋଇଗଲା। ଲେଖା ରୋଷେଇ କରିବାକୁ ଚାଲିଗଲା। ରୋଷେଇ ସାରି ଆସି ଦେଖିଲା ସଞ୍ଜୟ ଛୋଟ ପିଲା ଭଳି ଶୋଇଯାଇଛି। ଆସ୍ତେ ହଲାଇ ଦେଲା। ନା କିଛି ହଲଚଲ ନାହିଁ। ହେଉ ଆଉ ଟିକିଏ ଯାଉ ଭାବି ରହିଗଲା। କାହାକୁ ପଚାରିବ ଏ କଥା?। ମୁଣ୍ଡରେ କିଛି ପଶୁନି। କେବେ ଡ୍ରିଙ୍କ କରିବା ଦେଖିନି ଲେଖା, ଆଜି କାହାର ବୁଦ୍ଧିରେ ପଡ଼ି ପିଇ ଦେଇଛି ଭାବି ଧୈର୍ଯ୍ୟର ସହ ଅପେକ୍ଷା କଲା।
ରାତି ଅଧା ହୋଇଗଲାଣି। ଲେଖାକୁ ଭୋକ ଲାଗିଲାଣି, ମାତ୍ର ଖାଇ ପାରୁନି। କେମିତି ଏକା ଖାଇଦେବ। ଅପେକ୍ଷା କରିଛି ତାର ଉଠିବା ପାଇଁ। ସେ କିଛି ଭାବି ପାରୁନି ଆଗକୁ। ସେ ବି ଶୋଇପଡ଼ିଲା। ତନ୍ଦ୍ରା ଘୋଟି ଆସୁଛି। ତାକୁ କିଏ ହଲାଇ ଦେଉଛି ଜୋର୍ ଜୋରରେ। ଓଃ ଆଖି ମଳି ଉଠି ପଡ଼ିଲା। ସଞ୍ଜୟ ତା ହାତ ଧରି କଇଁ କଇଁ କାନ୍ଦୁଛି। ମୋତେ କ୍ଷମା କରିଦିଅ ଲେଖା, ତମ ପ୍ରତି ବହୁତ ଅନ୍ୟାୟ କରିଛି। ଅବହେଳା କରିଛି। ଏ କଣ କହୁଛ ତୁମେ? ଅଭିଯୋଗ କରିଛି କି କୁହ ସଞ୍ଜୟ? ନା ସେଇତ ଦୁଃଖ, ତୁମେ ଖୁବ ସହିଛ ମୋତେ । ଆଉ ନୁହେଁ। ମୋତେ ମୋର ସୁନାଝରା ଅତୀତ ଫେରାଇ ଦିଅ ଲେଖା। ମୁଁ ଆଗ ଭଳି ତମର ପ୍ରେମିକ ହବାକୁ ଚାହେଁ। ସ୍ୱାମୀର ବୋଝ ନେଇ ପାରୁନି। ଅଲଗା ମଣିଷ ପାଲଟି ଯାଉଛି ଯେପରି।
ଆଗର ସେଇ ସିମେଣ୍ଟ ବେଞ୍ଚ ଉପରେ ତୁମର କୋଳ ଉପରେ ମୁଣ୍ଡ ରଖି ମୋର କବିତା ସବୁ ଶୁଣାଇବାକୁ ଚାହେଁ। ତୁମେ ବିଭୋର ହୋଇ ଶୁଣୁ ଶୁଣୁ ମୋର ମୁହଁ ଉପରେ ଝୁଙ୍କି ପଡ଼, ତମର ଅଲରା କେଶରାଶି ମୋର ଗାଲ ମୁହଁ ଛୁଇଁ ଯାଏ। ମୁଁ କେଉଁ କଳ୍ପନା ଜଗତରେ ପ୍ରବେଶ କରେ ତୁମେ ବୁଝି ପାରିବନି ଲେଖା। ଆଜି ସବୁ ହଜି ଯାଇଛି। ମୁଁ ସମ୍ପୂର୍ଣ୍ଣ ବଦଳି ଯାଇଛି, ସ୍ୱାର୍ଥପର ସ୍ୱାମୀଟିଏ ହୋଇ। ମୁଁ ମୋ ଭିତରେ ନିଜକୁ ପାଇ ପାରୁନି ଆଗ ଭଳି। ମୋ ଭିତରର ଆଉ ଏକ ସତ୍ତାକୁ ପାଇ ସହି ପାରୁନି ଆନେକ କଥା। ତମେ ଯେପରି ବହୁତ ଦୂରେଇ ଯାଇଛ ଲାଗୁଛି। ତୁମେ ଲେଖିଲେ ଖୁସି ହୁଏ ସତ, ମାତ୍ର ତମର ବାହାର ଜଗତ ସହିତ ସମ୍ପର୍କ ମୋତେ ଅତିଷ୍ଠ କରି ପକାଉଛି। ମୁଁ ମୋର ସତ କଥା ସ୍ବୀକାର କରୁଛି ଲେଖା। ତୁମେ କେବଳ ମୋର ହୋଇ ରୁହ। ଆଉ କିଛି ଚାହୁଁନି। ଏତିକି କଥା ରଖ। ତା ମୁହଁରେ ହାତ ଚାପି ଧରି ଲେଖା କହିଲା ଛାଡ ବାଜେ କଥା…, ମୋ ଭିତରେ ଛୋଟ ଏକ ଜୀବର ସଞ୍ଚାର ହୋଇଛି ବୋଧେ, ଜଣା ପଡିନି ପରୀକ୍ଷା କରିବାକୁ ହେବ। ଆଶ୍ଚର୍ଯ୍ୟ ବିସ୍ଫାରିତ ଆଖିରେ ସଞ୍ଜୟ ଲେଖା କୁ ଦେଖୁଛି। ଏ କଣ ସତ ଲେଖା? ମୋତେ କହିନ କାହିଁକି? ଅଭିମାନର ବନ୍ଧ ଭାଙ୍ଗି ଯାଉଛି ଲେଖାର। ଅମାନିଆ ଲୁହ ସବୁ ଝରି ଉତ୍ତର ଦେଉଛି ମୋତେ କହିବାକୁ କିଛି ସମୟ ଦେଇଛ କୁହ? କେମିତି କହିବି ତୁମକୁ ସାହାସ ହୁଏନି ତୁମର ମୋ ପ୍ରତି ଦୂରତ୍ତ୍ୱ ଭାବ ଦେଖି ନୀରବ ରହିଯାଏ।
ଆଉ ଟିକିଏ ଆଗରୁ ଥିବା ଥମ ଥମ ସ୍ଥିତି ନିମିଷକେ ବଦଳି ଗଲା। ଶୂନ୍ୟରେ ଟେକି ନେଇ ଲେଖାକୁ ଖୁସିରେ ଘୁରି ଗଲା ସଞ୍ଜୟ। ଏତେବଡ଼ ଶୁଭ ଖବର ଏତେ ଡେରିରେ ଶୁଣୁଛି। ଭାରି ଭୋକ ବଢ଼ା ବଢ଼ି କର ଗୋଟିଏ ଥାଳିରେ। ସାଥିରେ ଖାଇବା ଲେଖା ଆମେ ତିନିଜଣ। ଲେଖା ଗାଲର ଭଉଁରୀ ଲାଜରେ ଆହୁରି ଚମତ୍କାର ଦିଶୁଥିଲା। ସତେକି ନବ ଜନ୍ମ ପାଇଲା ଆଜି। ଏତିକି ପାଇଁ ଏତେ ଅପେକ୍ଷା…..।
।। ସମାପ୍ତ।।