ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ ଙ୍କ ଗଳ୍ପ = ଜହ୍ନ ପଖଳା ଚଇତି ସଞ୍ଜ

   ଜହ୍ନ ପଖଳା ଚଇତି ସଞ୍ଜ

                 ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ

 

ବସନ୍ତର ବିଭୋର ପଣରେ ଜହ୍ନ ବି ବିଭୋର ହୁଏ।

କିନ୍ତୁ ବସନ୍ତର ସବୁ ରାତ୍ରି ଜହ୍ନକୁ ଆନମନା କରିପାରନ୍ତି କି !

ଚଇତାଳି ବାଆ ସୁଲୁସୁଲୁ ହୋଇ ସଜଫୁଟା ରଜତ ଶୁଭ୍ର ମଲ୍ଲୀର ଭୁରୁଭୁରୁ ବାସକୁ ଅକୃପଣ ହୋଇ ବାଣ୍ଟି ଚାଲେ ଆଉ ବାଣ୍ଟି ଚାଲେ !!

କିନ୍ତୁ ସମସ୍ତେ କ’ଣ ମସ୍ ଗୁଲ୍ ହୋଇପାରନ୍ତି କି ?

ଜହ୍ନ ସିନା ବିଭୋର ହୁଏ, ତା’ର ସ୍ବର୍ଣ୍ଣାଭ ଜ୍ୟୋତ୍ସ୍ନା କ’ଣ ସମସ୍ତ ଜନମାନସକୁ ରୂପେଲି ସୁରା ପିଆଇ ମାଦକିତ କରିପାରେ !

ମୌସୁମୀର ମନ-ବନକୁ ଏଇ ପ୍ରଶ୍ନ ସବୁ ଧ୍ବସ୍ତ ବିଧ୍ବସ୍ତ ଆନ୍ଦୋଳିତ କରୁଥିଲା। କେତେ ବା ଵୟସ ମୌସୁମୀକୁ !ଏଇ ଫଗୁଣରେ ତାକୁ ତିରିଶି ଛୁଇଁଲା। ଗୋଟିଏ ବୋଲି ଝିଅକୁ ପାଞ୍ଚ ବର୍ଷ ଵୟସ।ମାତ୍ର ତିରିଶି ଛୁଉଁ ଛୁଉଁ ତା ମନକୁ ହୃଦୟକୁ ସ୍ଥବିରତା ସ୍ଥାଣୁ କରିଦେଲା !

ରଣୀଫୁଲ ପରି ତୋଫା ଜହ୍ନଟା ତାକୁ ଦାନ୍ତ ନିକିଟି ଜିଭ କାଢି ଖତେଇ ହେଲା ଭଳି ଅନୁଭବ ଦେଉଥିଲା।ମଧୁ ମାଳତୀ ଓ ମଲ୍ଲୀର ବାସ୍ନା ତା ଶ୍ବାସ ରୋଧ କରିଦେଉଥିଲେ କି !

କୋଉ କାଳର ଗୋଟିଏ ପୁରୁଣା ଗୀତ ତାର ମନେ ପଡୁଥିଲା।—ଏ ଜହ୍ନ,ଏ ରାତି ଏ ଫଗୁଣ।

ଏଇମାନେ ମିଶି ମତେ କରିଦେଲେ ପାଗଳ।।

ହଁ ମାତ୍ର ପାଞ୍ଚ ବର୍ଷ ପୂର୍ବେ ଏମିତି ଗୋଟିଏ ଚଇତି ପଖଳା ସଞ୍ଜରେ ସଞ୍ଜୟକୁ ସେ ଅକସ୍ମାତ୍ ଦେଖିଥିଲା। ତାଙ୍କ ଗାଁରେ ପହଞ୍ଚିଥିଲା ସହରି ବାବୁ ସଞ୍ଜୟ ସାହୁ।ତା ଅନ୍ତରଙ୍ଗ ବାନ୍ଧବୀ ମାଳତୀର ମାମୁଙ୍କ ପୁଅ।

      ତା’ର ଆକର୍ଷଣୀୟ ଚେହେରା,ଆଖି ଠାର,ଅଙ୍ଗ ଭଙ୍ଗି କେଜାଣି ଆଉ କ’ଣ କ’ଣ ସବୁ ଦେଖି ମୌସୁମୀ ସତେ ଯେପରି ପ୍ରେମ ଵୋଲି କିଛି ଗୋଟିଏ ଅଛି ନୂଆ କରି ଜାଣିବାକୁ ପାଇଲା। ଜାଣିବାକୁ ପାଇଲା ତ ପାଇଲା, ସଞ୍ଜୟ ବିଷୟରେ ଆଉ କିଛି ନଜାଣି ମଧ୍ୟ ତା ପ୍ରେମରେ ପାଗିଳୀ ହୋଇଗଲା।

    ଚଇତି ପଖଳା ସଞ୍ଜ ଗଡି, ଜ୍ୟୋତ୍ସ୍ନା ବିଧୌତ ରାକା ରଜନୀ ସାରା ପ୍ରକୃତିକୁ ମନ୍ତ୍ର ମୁଗ୍ଧ କରିଦେଲା। କେଉଁ ଖଞ୍ଜରେ କେଉଁ ପ୍ରେମୀ ଯୁଗଳ କେଉଁଠି ପ୍ରେମାଳାପରେ ମଜ୍ଜିଗଲେ ତା’ର ଟେର ଅନ୍ୟ କେହି ପାଇଲେ ନାହିଁ। ରଙ୍ଗୀନ୍ ଭବିଷ୍ୟତର ସ୍ବପ୍ନରେ ଉଛୁଳି ଉଠିଥିଲେ ମୌସୁମୀ ଆଉ ସଞ୍ଜୟ।

ରାତି ପାହି ସକାଳ ହୋଇଥିଲା।ମୌସୁମୀ ଆଉ ସଞ୍ଜୟ ଗାଏବ୍।

କେହି ତାଙ୍କ ଠିକଣା ଜାଣିନଥିଲେ।ନା ମୌସୁମୀ ଘର ଲୋକେ ନା ତାଙ୍କ ଗାଁ ଲୋକେ ନା ସଞ୍ଜୟ ଘର ଲୋକେ କି ସଞ୍ଜରେ ଆଖପାଖ ଚିହ୍ନା ପରିଚିତ ସାଙ୍ଗ କିମ୍ବା ବନ୍ଧୁବାନ୍ଧବ କେହି ସେ ଦୁଇଜଣଙ୍କ ଅତାପତ୍ତା କିଛି ଜାଣିନଥିଲେ।

     ଦୁଇ ପ୍ରେମ ପକ୍ଷୀ କେଉଁ ଦୂର ବନାନୀର ଘଞ୍ଚ ଡାଳରେ ନୀଡଟିଏ ଗଢିଲା ପରି ମୌସୁମୀ ଓ ସଞ୍ଜୟ ନିଜର ସମସ୍ତ ସମ୍ପର୍କୀୟଙ୍କୁ ଅଜଣା ସହରରେ ନିଜେ ମୁଣ୍ଡ ଗୁଞ୍ଜିବାର ବ୍ୟବସ୍ଥା କରିନେଲେ। 

ସଞ୍ଜୟ ଖୁବ୍ ଶୀଘ୍ର ସେମାନେ ଖାଇପିଇ ବଞ୍ଚିଲା ଭଳି କମ୍ପାନୀ ଚାକିରିଟିଏ ପାଇଗଲା।

ଦୁହେଁ ଦୁହିଁଙ୍କୁ ପାଇ ବହୁତ ଖୁସି ଥିଲେ। ଅନ୍ୟ ସମସ୍ତଙ୍କୁ ଭୁଲି ଯାଇଥିଲେ। ତାଙ୍କୁ ଲାଗୁଥିଲା ଏ ସାରା ପୃଥିବୀରେ କେବଳ ସେହି ଦୁଇଜଣ ହିଁ ଅଛନ୍ତି।

    ଘରୁ ଚାଲିଯିବାର ଛଅମାସ ପରେ ସଞ୍ଜୟ ଗୋଟିଏ ନୂଆ ଅତିଥି ଆଗମନର ବାର୍ତ୍ତା ପାଇଲା।

     ସଞ୍ଜୟ ବେଜାଏ ଖୁସି ହୋଇ ମୌସୁମୀର ସାରା ଦେହଟାକୁ, ଚୁମାରେ ଚୁମାରେ ଓଦା କଲା ତ କଲା କିନ୍ତୁ ତା ଠାରୁ ବହୁତ ଅଧିକ ଡରିଗଲା।

    ଏ ଯେଉଁ ନୂଆ ଅତିଥି ଆଗମନର ସାହାନାଇ ବାଜିଲାଣି,ଏକା ଏକା ସେ ତା’ର ଭବ୍ୟ ସତ୍କାର କରିପାରିବ ତ !!

   ସଞ୍ଜୟର ଠିକଣା କେହି ଜାଣିନଥିଲେ ସିନା ସଞ୍ଜୟ ସମସ୍ତ ସମ୍ପର୍କୀୟମାନଙ୍କ ଠିକଣା ମନେରଖିଥିଲା।

     ତୁରନ୍ତ ସେ ମୌସୁମୀ ସହିତ ଗାଁରେ ପହଞ୍ଚି ନିଜ ବାପାବୋଉଙ୍କୁ ସବୁକଥା ଜଣାଇ, ସେମାନଙ୍କୁ ବୁଝାସୁଝା କରି ସ୍ତ୍ରୀକୁ ସେମାନଙ୍କ ହେପାଜତରେ ଛାଡିଲା।

   ବାପା ବୋଉ ପରା କ୍ଷମାର ଅବତାର !!

ତାଙ୍କ ହଜିଲା ଧନ ରଙ୍କ ରତନକୁ ପାଇ ଏତେ ଖୁସି ହୋଇଗଲେ ଯେ ସେ ଭୁଲ୍ କରିଥିଲା କି ଠିକ୍ କରିଥିଲା କିଛି ପଚାରିଲେ ନାହିଁ।

ସଞ୍ଜୟକୁ ଦେଖୁ ଦେଖୁ ସେମାନେ ଖୁସିରେ ଅଧୀର ହୋଇ କାନ୍ଦିପକାଇଲେ। ମୌସୁମୀକୁ କୋଟିନିଧି କଲେ।ନାତି କି ନାତୁଣୀର ଆସିବା ବାଟକୁ ଚାତକ ପରି ଚାହିଁ ରହିଲେ।

     ଶାଶୁ ଶଶୁର —ଏତେ ଭଲ ଥାଇପାରନ୍ତି !!

ମୌସୁମୀର ଆନନ୍ଦର ସୀମା ନଥିଲା।ତା ମନରେ ପିଲାଦିନରୁ ଗୋଟିଏ ବଦ୍ଧ ମୂଳ ଧାରଣା ଥିଲା ଯେ ଶାଶୁ ଶ୍ୱଶୁର ମାନେ ବୋହୂକୁ ଗଞ୍ଜଣା ଦିଅନ୍ତି। ଯୌତୁକ ପାଇଁ ନିର୍ଯାତନା ଦିଅନ୍ତି। ଖବରକାଗଜ ଗୁଡିକ ପୁଣି ତା’ର ଏ ଧାରଣାକୁ ସଦାସର୍ବଦା ସତେଜ ଓ ଜୀବନ୍ତ କରିଦିଅନ୍ତି। କିନ୍ତୁ ତା ଶାଶୁ ଶ୍ୱଶୁର ଏତେ ଭଲ ଥିଲେ ଯେ ଏମାନଙ୍କ ଠାରୁ ଅଧିକ ଭଲ ମଣିଷ ଦୁନିଆରେ ଥାଇପାରନ୍ତି !!

ଏକଥା ସେ ଭାବି ମଧ୍ୟ ପାରୁନଥିଲା।ଘରୁ ସେ କାଣି କଉଡିଟିଏ ମଧ୍ୟ ଆଣିନଥିଲା। କିନ୍ତୁ ଶାଶୁଘରେ ସ୍ନେହ ଶ୍ରଦ୍ଧା ଆଦର ପାଇ କ’ଣ ଆଣିଛି କ’ଣ ନ ଆଣିଛି ଭାବିବାର ଅବକାଶ ହିଁ ପାଉନଥିଲା।

ସବୁକିଛି ଠିକ୍ ଠାକ୍ ଚାଲିଥିଲା। ବୋହୂର କ’ଣ ଖାଇବାକୁ ଆଶା ରହିଗଲେ ଯେଉଁ ସନ୍ତାନଟି ଜନ୍ମ ନେବ ,ତା ପାଟିରୁ ସବୁବେଳେ ନାଳ ଗଡିବ। ତେଣୁ ଶାଶୁ ଶ୍ୱଶୁର ଓ ନିଜେ ସ୍ବାମୀ ସଞ୍ଜୟ ତାକୁ କେତେ ପ୍ରକାର ଭଲ ଭଲ ଖାଦ୍ୟ ଖାଇବାକୁ ଦେଉଥିଲେ।ବେଶି କାମ କରାଇ ଦେଉନଥିଲେ।

    ଶ୍ବଶୁର ଗାଭିଲୀ ଗାଈଟିଏ କିଣି ଆଣିଲେ।ଗାଈଟିର ବାଛୁରୀ ହେଲା ପରେ ବୋହୂ ଓ ତାର ପୁଅ ବା ଝିଅ ଖାଣ୍ଟି କ୍ଷୀର ଟୋପାଏ ପାଇବେ ତ !

ଘର ଆଗରେ ଥବା ଛୋଟ ବଗିଚାଟିରେ ମୂଲିଆ ଲଗାଇ ପନିପରିବା ଚାଷ ମଧ୍ୟ ଆରମ୍ଭ କରିଦେଲେ। ଆଜିକାଲି ବଜାରରୁ ଯେକୌଣସି ପନିପରିବା କିଣ, କେଉଁଥିରେ ଆଉ ବିଷ ନାହିଁ ଯେ !!

    ବାଡିରେ ଫଳିଥିବା ତଟକା ସଜ ପରିବାର ସ୍ବାଦ ସ୍ବତନ୍ତ୍ର। ସଞ୍ଜୟ ମଧ୍ୟ କମ୍ପାନୀକୁ ସୁପାରିଶ କରି ତାଙ୍କ ଗାଁ ପାଖ ସହରକୁ ଚାଲିଆସିଲା।

ମୌସୁମୀର ବାପଘରକୁ ମଧ୍ୟ ଖବର ଦିଆଗଲା। ତା’ର ସାତମାସ ଚାଲିଲା ବେଳେ ଘରୁ ବିଭିନ୍ନ ପ୍ରକାରର ପିଠାପଣା ସାଦ ପହଞ୍ଚିଗଲା।

  ମାର୍ଗଶିରର ଏକ ଗୁରୁବାରରେ ସୁକନ୍ୟା ଭୂମିଷ୍ଠ ହେଲା। ଗ୍ରୀଷ୍ମର ଶୀର୍ଣ୍ଣ ନଦୀଟିରେ ଜଳ ସମ୍ଭାର ଅଜାଡି ଦେଇ ସତେ ଯେପରି ସେ ଭରା ଭରା ନଦୀର ଅପୂର୍ବ ଅନୁଭବରେ ମୌସୁମୀକୁ ଗରିମା ମଣ୍ଡିତ କରିଦେଲା।ଆତ୍ମଜାର ସୃଷ୍ଟିରେ ଆତ୍ମହରା ହେଉଥିଲା ମୌସୁମୀ।

    ତା ବକ୍ଷର ଅମୃତ ଧାରା ସୁକନ୍ୟାକୁ ପୁଷ୍ଟ କଲାବେଳେ ସେ ନାହିଁ ନଥିବା ଆନନ୍ଦରେ ପରିପୂର୍ଣ୍ଣ ହୋଇଉଠୁଥିଲା।

      ସାରା ପରିବାରର ସ୍ନେହ ଶ୍ରଦ୍ଧା ଆଶୀର୍ବାଦର ସଫଳ ରୂପାୟନଟିଏ ଥିଲା ସୁକନ୍ୟା।ଜନ୍ମରୁ ସୁନ୍ଦରୀ। ମୁଣ୍ଡରେ କଳା ମୁଚୁମୁଚୁ କେଶ।ସମୂଦ୍ର ରଙ୍ଗର ଆଖିରେ ଚିକ୍ ମିକ୍ କଳା ଡୋଳା।ସରୁ ଓଠରେ ବଧୁଲୀ ଫୁଲର ଲାଲିମା।ଅପ୍ ସରୀ ପରି ଚନ୍ଦ୍ରଉଦିଆ ଝିଅକୁ ପାଇ ସଞ୍ଜୟ ନିଜକୁ ଧନ୍ୟ ମନେ କରୁଥିଲା।

ସୁକନ୍ୟାକୁ ବର୍ଷେ ପୂରିଗଲା।ତା କୁନି କୁନି ପାଦର ଠୁକୁ ଠୁକୁ ଚାଲିରେ କୁନି ପାଉଁଜି ରୁଣୁଝୁଣୁ ବାଜୁଥିଲା।ବେକର ସୁନାଚେନ୍ ରେ ଦୁର୍ଗାଙ୍କ ମୂର୍ତ୍ତି ଥିବା ଲକେଟ୍।ତା ହାତରେ ଛୋଟ ଛୋଟ ସୁନା ବଳା ଦୁଇଟି ଝଲସି ଉଠୁଥିଲା।

ମାର୍ଗଶିରର ଗୁରୁବାରରେ ଜନ୍ମ ନେଇଥିବା ସୁକନ୍ୟା ଲକ୍ଷ୍ମୀ ପ୍ରତିମା ପରି ଝଟକୁଥିଲା।

  ଦରୋଟି ତୁଣ୍ଡରେ” ଦେଦେ”,”ଦେଦେମା”,”ବୋଉ”ଓ ‘ବା’ଡାକୁଥିଲ।ସାରା ସ‍ଂସାରର ଖୁସି ଯେମିତି ସେହି ପରିବାରରେ ଧସେଇ ପଶୁଥିଲା। ପରିବାରର ସମସ୍ତେ ଅନୁଭବ କରୁଥିଲେ, ‘ସ୍ବର୍ଗ’ କେବଳ କଳ୍ପନାବିଳାସ ନୁହେଁ।ସ୍ବର୍ଗ ଠାରୁ ଆହୁରି ସୁନ୍ଦର,ସ୍ନେହାମୃତ ଭରା ସ୍ୱର୍ଗୀୟ ସୁଷମା କେବଳ ହିଁ କେବଳ ଏହି ମର୍ତ୍ତ୍ୟଲୋକରେ ସର୍ଜନା କରାଯାଇପାରେ।

     ପାରିଜାତ ଠାରୁ ଆହୁରି ବାସ୍ନାମୟ, ଆହୁରି ଢେର୍ ସମ୍ମୋହିତ କରିପାରେ ଭଲପାଇବାର ଅପୂର୍ବ ଆକର୍ଷଣୀୟ ସୁଗନ୍ଧମୟ ସୁଦୃଢ ସେ ଡୋର।

ଆଃ—ଏମିତି ଗୋଟିଏ ହସଖୁସିଆ ପରିବାରରେ ଦୁଃଖ ରାଜୁତି କରିବାର ସମୟ ଆସିଗଲା।କାହା ଭାଗ୍ୟରେ ସବୁବେଳେ ଦୁଃଖ କି ସୁଖ ନଥାଏ। ସୁକନ୍ୟାକୁ ପାଞ୍ଚ ବର୍ଷ ଚାଲିଲା। ତା’ର ପାଠପଢ଼ା ଆରମ୍ଭ ହୋଇଯାଇଥିଲା।ତା ଜେଜେ ତାକୁ ପାଖରେ ବସାଇ ‘ମଧୁ ବର୍ଣ୍ଣବୋଧ’ ପଢ଼ାଉଥିଲେ।ତା ଜେଜେମା କେତେ ଶ୍ରଦ୍ଧାରେ ତା ମୁଣ୍ଡ କୁଣ୍ଡେଇ ଛୋଟ ବେଣୀ କରିଦେଉଥିଲେ।ବାପା ବୁଲେଟ୍ ରେ ବସାଇ ତାକୁ ବିଭିନ୍ନ ଦୋକାନକୁ ନେଇ ତା ପାଞ୍ଚ ବର୍ଷିଆ ମନକୁ ଯାଉଥିବା ଜିନିଷ ସଵୁ କିଣିଦେଉଥିଲେ। ମୌସୁମୀ ସାରା ପରିବାରରେ ଖୁସି ପରିପୂର୍ଣ୍ଣ କରିବା ପାଇଁ ଦିନରାତି ଲୋଟଣୀ ପାରା ଭଳି ଲୋଟିଯାଉଥିଲା।

ହଠାତ୍ ଦିନେ କିଛି ରୋଗ ବୈରାଗ ନାହିଁ ସୁକନ୍ୟାର ଜେଜେମା ଆଖି ବୁଜିଦେଲେ। ଜେଜେମା ଯିବାର ଠିକ୍ ଦିନେ ପରେ ଜେଜେ ମଧ୍ୟ ଜେଜେମାଙ୍କ ବାଟ ଧରିଲେ।

ସଞ୍ଜୟ ବାପା ବୋଉଙ୍କର କ୍ରିୟାକର୍ମ ବହୁତ ଭଲ ଭାଵରେ କଲା। ଦୁଇ ଜଣଙ୍କ ମୃତ୍ୟୁ ମଧ୍ୟରେ ମାତ୍ର ଗୋଟିଏ ଦିନର ବ୍ୟବଧାନ ଥିବାରୁ ପୂରୋହିତଙ୍କ ପରାମର୍ଶ ଅନୁଯାୟୀ ବାପାଙ୍କ ଦେହାନ୍ତ ଦିନକୁ ହିସାବକୁ ନେଇ ଦୁଇ ଜଣଙ୍କ କ୍ରିୟା କର୍ମ ଏକସଙ୍ଗେ କରାଗଲା।ନବମ ଦିନ ଦୁଇଶହ ସ୍ମାର୍ତ୍ତ ବ୍ରାହ୍ମଣଙ୍କୁ ଶୀତ ଦିନ ହୋଇଥିବାରୁ ସାଲ୍ ଓ ପାଞ୍ଚ ଶହ ଲେଖା ଟଙ୍କା ଦିଆଗଲା।

ଦ୍ବାଦଶାହରେ ହଜାରେ ଲୋକଙ୍କୁ ଭୂରି ଭୋଜନରେ ଆପ୍ୟାୟିତ କରାଗଲା।

ବାପାବୋଉ ଯିବା ପରେ ସଞ୍ଜୟ ବେମୁରବି ହୋଇ ଅବାଟକୁ ଚାଲିଲା।କୁସଙ୍ଗରେ ପଡି ମଦ ପିଇବା ଆରମ୍ଭ କରିଦେଲା।ମଦ ତା’ର କରାମତି ଦେଖେଇଲା।

    କିଂକର୍ତ୍ତବ୍ଯବିମୂଢା ହୋଇଗଲା ମୌସୁମୀ।

  ସତରେ ବୟସ୍କ ମୁରବିମାନେ ପରିବାରର ମେରୁଦଣ୍ଡ।

ମୌସୁମୀର ସବୁ ଅନୁରୋଧ ଅନୁନୟ ବିନୟକୁ ଏଡାଇ ଦେଉଥିଲା ସଞ୍ଜୟ।

    ଯିଏ ଥରେ ନିଶାପାଣିର ଶିକାର ହୁଏ ଓ କୁସଙ୍ଗ ପାଇଯାଏ,ସେ କ’ଣ ସହଜରେ ଶିକାରୀର ଫାଶରୁ ମୁକୁଳିପାରେ !

କୁସଙ୍ଗ,ତ ତାକୁ ସ୍ବର୍ଗ ସୁଖ ଦେଲା ଭଳି ସେ ଅନୁଭବ କରେ।

ଫକୀରମୋହନଙ୍କ “ପେଟେଣ୍ଟ୍ ମେଡିସିନ୍” ମୌସୁମୀ ବ୍ୟବହାର କରିବାକୁ ସାହସ ଜୁଟାଇପାରୁନଥିଲା।

ତାକୁ ତିରିଶି ବର୍ଷର ସେଇ ଫଗୁଣ ରାତିରେ ଜହ୍ନର ଜ୍ୟୋତ୍ସ୍ନାକୁ ନିନ୍ଦି ତା ଆଖିରୁ ଝରିଚାଲିଥିଲା ଶ୍ରାବଣର ବର୍ଷା।

    ସତେ କଣ ତା ସ୍ବାମୀ ଅବାଟରୁ ଫେରି ଆସେଵେନି ! ଏତ ଆଗକାଳିଆ ପରିବାର ନୁହେଁ ଯେ ଦେଢଶୂର କି ଦିଅର ତା’ର ଓ ତା ଝିଅର ଭବିଷ୍ୟତ ସୁରକ୍ଷାର ସ୍ଵିକୃତି ଦିଅନ୍ତେ କିମ୍ବା ତା ସ୍ବାମୀକୁ ଅବାଟରୁ ଫେରେଇ ଆଣନ୍ତେ ।ସଞ୍ଜୟ ବାପା ବୋଉଙ୍କର ଗୋଟିଏ ବୋଲି ପୁଅ‌।

ଜ୍ୟୋତ୍ସ୍ନା ଝରିଚାଲିଥିଲା।ମୋସୁମୀ ଆଖିରୁ ଲୁହ ବହି ଚାଲିଥିଲା। ପାଞ୍ଚ ବର୍ଷର ଝିଅ କ’ଣ ବା ଜାଣେ ? ଗହନ ନିଦରେ ଶୋଇଯାଇଥିଲା। ପିଲାଦିନେ ପଢିଥିବା କଥାଟିଏ ମୌସୁମୀର ମନେ ପଡ଼ୁଥିଲା।

    ‘ ସର୍ପ ସମାନ ଭୟଙ୍କର

     ଦୁର୍ଜନ ସଙ୍ଗ ପରିହର।’

କିନ୍ତୁ ଯେଉଁ ବ୍ୟକ୍ତିର ନିଜସ୍ବ ବୁଦ୍ଧି ବିବେକ ଜ୍ଞାନ ଥିବ, ସେ ଦୁର୍ଜନମାନଙ୍କ ଖାପଚାରୁ କବଜାରୁ ନିଜକୁ ରକ୍ଷା କରିପାରିଵ ନାହିଁ କାହିଁକି ? ?

ଏ ପ୍ରଶ୍ନର କିଛି ଉତ୍ତର ପାଉନଥିଲା ମୌସୁମୀ।

   କବାଟରେ ଠକ୍ ଠକ୍ ଶବ୍ଦ।କବାଟ ଖୋଲିବନି କି ମୌସୁମୀ ! ନିଜକୁ ନିଜେ ପ୍ରଶ୍ନ କରୁଥିଲା।

   ମନ ବିବେକର ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ମୌସୁମୀ କେତେବେଳେ କବାଟ ଖୋଲିଦେଇଥିଲା।

   ତା ପାଦ ତଳେ ଆଣ୍ଠୁମାଡ଼ି ସଞ୍ଜୟ ବସି ପଡି କହୁଥିଲା ” ଦେହି ପଦ ପଲ୍ଲବମୂଦାରମ୍।”

ସଞ୍ଜୟ ଆଖିରୁ ଝରୁଥିବା ଧାର ଧାର ଲୁହକୁ ମୌସୁମୀ ପୋଛିଦେଉଥିଲା ଏବଂ ମୌସୁମୀର ଲୁହକୁ ସଞ୍ଜୟ।

     ନିଜ ମୁଣ୍ଡ ଛୁଇଁ ସଞ୍ଜୟ କହୁଥିଲା ” ମୋ ରାଣ ଖାଇ ମୁଁ କହୁଛି,ଆଉ କେବେ ମଧ୍ୟ ଅବାଟକୁ ଫେରିବିନି କି କୁସଙ୍ଗର ଶିକାର ହେବି ନାହିଁ।”

   ମୌସୁମୀ ସଞ୍ଜୟ ହାତକୁ ଟାଣି ଆଣି କହୁଥିଲା,” ଛିଃ ଛିଃ—ତୁମେ ଏ କ’ଣ କରୁଛ ? ତୁମେ ମୋ ମୁଣ୍ଡ ଛୁଇଁ ରାଣ ଖାଅ ପଛେ ନିଜ ମୁଣ୍ଡ ଛୁଅଁ ନାହିଁ।”

ଦୁହେଁ ଦୁହିଁଙ୍କୁ ଜଡାଇଧରି ଲୁହ ମିଶା ଚୁମ୍ବନ ବର୍ଷା କରୁଥିଲେ।

     ଝରକା ବାଟେ ଧସେଇ ପଶିଥିବା ଜ୍ୟୋତ୍ସ୍ନା, ସଞ୍ଜୟ ଓ ମୌସୁମୀର ଏ ମିଳନକୁ ଦେଖି ଫିକ୍ କରି ହସିଦେଲା।

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ

ଗ୍ରନ୍ଥାଗାର ଅଧୀକ୍ଷକା
ଡେରାବିଶ ମହାବିଦ୍ୟାଳୟ ,କେନ୍ଦ୍ରାପଡ଼ା

Related posts

ଭାଗବତ ପ୍ରସାଦ ଙ୍କ ଗଳ୍ପ = ତଥାପି ଅନ୍ଧାର

Sunil Chandra Nayak

ଭାରତ ପେଟ୍ରୋଲ ପମ୍ପ ସମ୍ମୁଖରେ ଟ୍ରଲର /ଟ୍ରକ ମୁହାଁମୁହିଁ,ଟ୍ରକ ଚାଳକ ଗୁରୁତର 

Sunil Chandra Nayak

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ ଗଳ୍ପ = ବୁଢ଼ୀ ଅସୁରୁଣୀ ଗପ 

Sunil Chandra Nayak

Leave a Comment

error: Content is protected !!