ବୁଢ଼ୀ ଅସୁରୁଣୀ ଗପ
କବି ସୌରଭ କୈଳାଶ ଚନ୍ଦ୍ର ବେହେରା
ପୂର୍ବରୁ …..
ବୁଢ଼ୀ ଅସୁରୁଣୀ ଘର ଭିତରକୁ ଆସି ନର ଗନ୍ଧ ନର ଗନ୍ଧ କହି କମଳାକୁ ଡାକ ପକାଇଲା । ପଚାରିଲା – ” ଏଠାକୁ କୌଣସି ମଣିଷ। ଆସିଥିଲା କି ? ନରଗନ୍ଧ ହେବାରୁ ନର ମା°ସ ଟିକେ ଖାଇବାକୁ ମୋ ପାଟିରୁ ଲାଳ ବୋହୁଛି । ” କମଳା କହିଲା – ” ଏ ଜଙ୍ଗଲ ଭିତରକୁ ମଣିଷ କୁଆଡୁ ଆସିବ ? ମୁଁ ତ ମଣିଷ ଖାଇବୁ ଯଦି ମତେ ଖାଇଦେ ” ବୁଢ଼ୀ ଅସୁରୁଣୀ କହିଲା -” ନାଇଁ ଲୋ ଝିଅ ତୁ ମତେ ରାନ୍ଧି ବାଢ଼ି ଖାଇବାକୁ ଦେଉଛୁ । ମୁଁ ତତେ କାହିଁକି ଖାଇବି “
ଏତିକି କହି ସାରି ଅସୁରୁଣୀ ବୁଢ଼ୀ ଭାତ ଖାଇ ଶୋଇ ପଡ଼ିଲା ।
————————————————
ତାପରେ …..
ଯୁବକ ବାଡ଼ି ପଟୁ ଆସି ବୁଢ଼ୀ ଅସୁରୁଣୀ କିପରି ମରିବ ପଚାରିବାକୁ କହିଲା ।
ବୁଢ଼ୀ ଅସୁରୁଣୀ ନିଦରୁ ଉଠି କହିଲା – ” ଝିଅଲୋ ! ତୁ କେବେହେଲେ ମଣିଷକୁ ଏ ଘରେ ପୂରାଇବୁ ନାହିଁ । କମଳା କହିଲା –
” ନାଇଁ ଲୋ ମାଆ ! ମୁଁ କେବେହେଲେ ମଣିଷଙ୍କୁ ଏ ଘରେ ପୂରାଇଦେବି ନାହିଁ । ହେଲେ ମତେ ଭୟ ଲାଗୁଛି , ତୁ ତ ବୁଢ଼ୀ ହେଲୁଣି , ଯଦି କେବେ ତୋର କିଛି ହେଇଯାଏ
ଅବା ତୁ ମରି ଯାଉ ମୁଁ ଏକାକୀ ଏ ଜଙ୍ଗଲ ଭିତରେ କେମିତି ରହିବି ?
ବୁଢ଼ୀ ଅସୁରୁଣୀ ଅଟ୍ଟହାସ୍ୟ କରି କହିଲା –
” ମୁଁ ସହଜରେ ମରିବି ନାହିଁ ଲୋ ଝିଅ । ମୋ ମୁଣ୍ଡର ସବୁ ପାଚିଲା ବାଳ ଭିତରେ ଗୋଟିଏ କଳା ବାଳ କଞ୍ଚା ହୋଇ ରହିଛି । ସେଇଟା ଯଦି କିଏ ଉପାଡ଼ି ଦେବ ତେବେ ଯାଇ ମୁଁ ମରିବି । ହେଲେ ସେଇଟା କିଏ ଉପାଡ଼ି ପାରିବ ନା ମୁଁ ମରିବି ? “
ତା’ ପର ଦିନ ବୁଢ଼ୀ ଅସୁରୁଣୀ ବାହାରକୁ ଚାଲି ଯିବା ପରେ ଯୁବକଟି ଆସିବାରୁ କମଳା ବୁଢ଼ୀ ଅସୁରୁଣୀର ମରଣ କଥା କହିଲା । ଯୁବକ କମଳାକୁ ବୁଢ଼ୀ ଅସୁରୁଣୀକୁ ମାରିବାର ଉପାୟ କହିଦେଇ ଚାଲିଗଲା । ପ୍ରତିଦିନ ଆସି ସେ କମଳାକୁ ଦେଖାକରି ଯାଉଥାଏ ।
ଦିନେ ବୁଢ଼ୀ ଅସୁରୁଣୀ କମଳାକୁ କହିଲା – ” ଝିଅଲୋ ମୋ ମୁଣ୍ଡଟା କାହିଁକି କୁଣ୍ଡାଇ ହେଉଛି ଜାଣି ପାରୁନି । ଦେଖୁଲି କାଳେ ମୁଣ୍ଡରେ ଉକୁଣୀ ହୋଇଥିବ । ” କମଳା ତ ସୁଯୋଗ ଖୋଜୁଥିଲା । ବୁଢ଼ୀ ଅସୁରୁଣୀର ଉକୁଣୀ ଖୋଜିବା ବାହାନାରେ ତା’ର ମୁଣ୍ଡ ବାଳକୁ ଆଡେଇ ଆଡେଇ ସେଇ କଳା ବାଳଟାକୁ ଖୋଜିବାକୁ ଲାଗିଲା । ଯେମିତି ପାଇ ଯାଇଛି ଜୋର୍ ଲଗାଇ କଳା ବାଳଟାକୁ ଉପାଡ଼ି ଦେଲା । ବାଳଟା ଉପୁଡ଼ି ଯିବାରୁ ବୁଢ଼ୀ ଅସୁରୁଣୀ ଖୁବ୍ ଗର୍ଜନ କରି ଗୋଡ଼ ବାଡେଇ ଛଟପଟ ହେଇ ଚାଖଣ୍ଡେ ଲମ୍ବର ଜିଭ କାଢ଼ି ଦେଇ ମରିଗଲା । ଅସୁରୁଣୀ ମରିଯିବା ପରେ ତା’ର ସମସ୍ତ ଧନ ଦୌଲତ ଧରି କମଳା ସେହି ଯୁବକଟି ସାଥିରେ ନିଜ ଗାଆଁକୁ ଫେରି ଆସିଲା ।
କମଳାର ମାଆ ବାପା ଏତେ ଦିନ ପରେ ନିଜ ଝିଅକୁ ଦେଖି ଭାରି ଖୁସି ହେଇଗଲେ ।
ଭଲ ଦିନ ଦେଖି ଦୁହେଁ ବିବାହ ହୋଇ ଆନନ୍ଦରେ ଘର ସ°ସାର କଲେ ।