ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତି ସେଠୀ ଙ୍କ କବିତା = ଶେଷ ଗୀତ

l l ଶେଷ ଗୀତ l l

(ରେଳ ଦୁର୍ଘଟଣାର ମୃତକଙ୍କୁ ମୋର ଶ୍ରଦ୍ଧାଞ୍ଜଳୀ)

 

    ଅପର୍ତ୍ତି ସେଠୀ

ଆହୁରି ଅନେକ ବାକି ଥିଲା ସ୍ଵପ୍ନ
     ରହିଗଲା ଅବଶୋଷ,
ସୁଖନିଦ ନିଶା ଅନ୍ଧାରୀର ତୃଷ୍ଣା 
     ଅବେଳରେ ହେଲା ଶେଷ।
ଦୁନିଆଁ ମଞ୍ଚରୁ ଅଭିନୟ ରାତି
      ନ ପାହୁଣୁ ସରିଗଲା,
ଅବଶିଷ୍ଟ ଯାହା ଯନ୍ତ୍ରଣାର ଦୃଶ୍ୟ
      ଦେଖିବାକୁ ରହିଗଲା‌।
ଶୁଖିବନି ଆଉ ଲୁହ କା’ ଆଖିର
       ଲିଭିବନି ହୃଦ ଗାର,
ଥମିବନି ଆଉ ଦୁର୍ଦ୍ଦଶାର ଝଡ଼
       ଉଜୁଡିଗଲା‌ ସଂସାର।
କାଳ ଆଜି ଖେଳ କରିଦେଲା ଦେଖ
       ଦୁର୍ଦ୍ଦିନ ହୋଇଲା‌ ବେଳ,
ଭରଷା ବିଶ୍ଵାସ ତୁଟିଗଲା ଯାହା
       ମିଳିଲା ଦୁଃଖର ଫଳ।
କଥା ଦେଇଥିଲା ପହଞ୍ଚେଇଦେବ
       ଲକ୍ଷ୍ୟ ସ୍ଥଳେ ଆଗଭଳି,
ହେଲେ କିନ୍ତୁ କଥା ରଖି ଲାନି ସିଏ
       ଅଧାବାଟେ‌ ଦେଲା ଗିଳି।
ସେ ଲୌହ ଦାନବ ଦେଲା ପରାଭବ‌
       ଛଡେଇ ନେଲା ମୋ ସୁଖ,
ଆଉ ଦେଖିବାକୁ କେବେ ପାଇବିନି‌
       ମୋ ଧନ ଚନ୍ଦ୍ରମା ମୁଖ‌।
ପିଠି‌ କରି ଧନ ଯାଇଛି ସେ ଆଉ
       ମୁହଁ କରି ଫେରିବନି‌,
ଆଖି ଲୁହ ଆଖି କଣରେ‌ ମରିଲା
       ତା’ ଫେରିବା ବାଟ ଚାହିଁ।
କାହାର ମଥାରୁ ସିନ୍ଦୂର ଲିଭିଲା
       ବାହାନଗା ଷ୍ଟେସନରେ,
କିଏ ବାପାମାଆ ଛେଉଣ୍ଡ ହୋଇଲା
        ଜୁନ୍ ଦୁଇ ଶୁକ୍ରବାରେ‌।
କରମ ଡାଳ ମୋ କରମଣ୍ଡଳଟି‌
       ଦେଖୁ ଦେଖୁ କାଟିଦେଲା,
କିଏ କହେ ସବୁଦିନ ପାଇଁ ସିଏ
       ଅକର୍ମଣ୍ୟ ହୋଇଗଲା।
ଏକାବେଳେ ଚିତ୍ର ଗୁପ୍ତ ପଞ୍ଜିକାରୁ
        ତିନିଶହ ନାଆଁ ଲିଭିଲା,
ଆହୁରି ହଜାରେ କାନ୍ଦନ୍ତି ବିକଳେ
        ରଖ‌ ହେ ଉପରବାଲା‌।
କିଏ ଜାଣେ ଆଖି ପଲକେ ଘଟିବ
        ଭୟଙ୍କର ଦୁର୍ଘଟଣା,
ଦେଖୁଦେଖୁ କେତେ ସୁନାର ସଂସାର 
       ହୋଇଯିବ ଏଠି ଚୂନା।
ସଂସାର ହାଟରୁ ଭାବର ସ‌ଉଦା 
      ଆଉ କରିହେବ ନାହିଁ,
ସମୟର ଭବ ତରଙ୍ଗିଣୀ କୂଳ
      ଯାଏ ଏବେ ଖାଇ ଖାଇ ।
ଶୂନ୍ୟ ଲହରୀରେ ଦଦରା ତରୀଟି
     ଡୁବିଲା ଅଗାଧ ଜଳେ,
ପ୍ରୀତିର ବାଇଆ ବସାଟିଏ ଦେଖ
     ଉଜୁଡିଲା ଅଦିନରେ‌।
ଯେତିକି ନେଇଛ ସେତିକି ନିଅ ହେ
      ଆଉ ମନ ବଳାଅନା,
ହେ ମହାକାଳ‌ କୋପ ଶାନ୍ତ କର
       ସୀମା ଟପିଲା ଯନ୍ତ୍ରଣା।
ଆକୁଳ ଚିତ୍ତରେ ପ୍ରାର୍ଥନା କରୁଛି
       ଆହତ ମାନଙ୍କପାଇଁ,
ସେମାନଙ୍କୁ ଶୀଘ୍ର କରନ୍ତୁ ଆରୋଗ୍ୟ 
       ମୋ ପ୍ରଭୁ କଳା ଗୋସାଇଁ।
ଦିବଂଗତ ଆତ୍ମା ମାନଙ୍କୁ ଜଣାଏ
       ମୁଁ ଅଶ୍ରୂଳ ଶ୍ରଦ୍ଧାଞ୍ଜଳୀ,
ସଦଗତି‌ ପାଇ‌ ବସନ୍ତୁ‌ ସର୍ବଦା
       ଆବୋରି ବୈକୁଣ୍ଠ ପୁରି‌।

ଗ୍ରାମ- ପାଳକଣା, ପୋଷ୍ଟ-କୋରୋ,

ଥାନା-ନିକିରାଇ, ଜିଲ୍ଲା-କେନ୍ଦ୍ରାପଡା

   

Related posts

ରତିନାରାୟଣ ରାଉତ ଙ୍କ କବିତା = ହିନ୍ଦୁ ନବ ବର୍ଷ 

Sunil Chandra Nayak

ମଧୁମିତା ମିଶ୍ର ଙ୍କ କବିତା = ବ୍ୟାଖ୍ୟା =

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା = ଜୟ ସୀତା ରାମ 

Sunil Chandra Nayak

Leave a Comment

error: Content is protected !!