ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ବିକାଶ ମଞ୍ଚର ଚେତାବନୀ

ରାଉରକେଲା/ ଅନ୍ତର୍ଜାତୀୟ ହକି ୱାର୍ଲଡ କପ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିଅମରେ ଅନୁଷ୍ଠିତ ହୋଇଥିବାରୁ ୧୯୬୦ ମସିହାରୁ ଚାଲିଆସିଥିବା ବିମାନବନ୍ଦରକୁ ଗତ ଜାନୁଆରୀ ମାସରେ ୨ସି ଲାଇସେନ୍ସ ପ୍ରଦାନ ସହ ବିମାନ ବନ୍ଦରକୁ ପରିବର୍ତନ କରାଇଥିଲେ l ରାଉରକେଲା ତଥା ସୁନ୍ଦରଗଡ଼ବାସୀ ମନରେ ନୂତନ ଆଶାର ସଂଚାର ହୋଇ ଏ ଜିଲ୍ଲା ସମଗ୍ର ଭାରତବର୍ଷରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ବାଣିଜ୍ୟ, ଗମନାଗମନ, ଖେଳ, ମନୋରଞ୍ଜନ ଆଦି କ୍ଷେତ୍ରରେ ଅଗ୍ରଗତି କରିପାରିବ ବୋଲି ଆଶା ରଖିଥିଲେ l ଡିଜିସିଏ, ଇସ୍ପାତ କାରଖାନା ଓ ରାଜ୍ୟ ସରକାରଙ୍କ ସହଯୋଗ ନିଷ୍ପତି ଅନୁଯାୟୀ ୨ସି ଲାଇସେନ୍ସ ସହ ଏଲାଏନ୍ସ ଏଆରକୁ ବିମାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଛି l ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଦିନକୁ ଥରେ ବିମାନ ଉଡାଣର ବ୍ୟବସ୍ଥା ହେଲା l କିନ୍ତୁ ଦୁଃଖ ଓ ବିଡମ୍ବନାର ବିଷୟ ଯେ, ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ କୌଣସି କାରଣ ନ ଥାଇ ପନ୍ଦର ଥର ବିମାନ ଉଡାଣ ବାତିଲ ହେଲାଣି, ଯାହା ଫଳରେ ପ୍ରଥମରୁ ଯାତ୍ରୀ ସଂଖ୍ୟା ସତୁରି ଥିଲା ବେଳେ ବିମାନ ଚଳାଚଳର ନିର୍ଦ୍ଧିଷ୍ଟତା ନ ଥିବାରୁ ଯାତ୍ରୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି l ଏଠାକୁ ଆସୁଥିବା ବିମାନଟି ବହୁତ ଉଡାଣ କରିସାରିଲା ପରେ ରାଉରକେଲା ବିମାନ ବନ୍ଦରକୁ ଆସିଥଏ l ଏଲାଏନ୍ସ ଏଆର ଏହି ରୁଟରେ ଏକ ପୁରୁଣା ବିମାନକୁ ପଠାଇଥାଏ ଯାହା ବହୁତ ସମୟରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେବା ସହ ସଠିକ ସମୟରେ ଉଡାଣ ନେବାରେ ଅସମର୍ଥ ହୋଇଥାଏ l ବିମାନ ବନ୍ଦରରେ ଆଈଏଲଏସ ଯନ୍ତ୍ରର ସ୍ଥାପନା ହୋଇ ନଥିବାରୁ ପାଗ ଖରାପ ବେଳେ ବିମାନର ଉଡାଣରେ ଅସୁବିଧା ପରିଲକ୍ଷିତ ହୁଏ l ବେସାମାରିକ ବିମାନ ଚଳାଚଳ ବିଭାଗ ଓ ଭାରତୀୟ ଇସ୍ପାତ ପ୍ରାଧିକରଣ ବିଭାଗ ଦୁଇଟି ଏକ ମନ୍ତ୍ରଣାଳୟ ଅଧୀନରେ ଥିବାରୁ ବିମାନ ବନ୍ଦର ଉନ୍ନତିକରଣ ପାଇଁ କୌଣସି ଅସୁବିଧା ହେବା କଥା ନୁହେଁ, ଓଡିଶା ସରକାରଙ୍କ ପରିବହନ ସେକ୍ରେଟାରୀ ମଧ୍ୟ ବିମାନ ବନ୍ଦର ଉନ୍ନତି ପାଇଁ ଏକ ଖସଡ଼ା ପ୍ରସ୍ତୁତ କରିବା ପାଇଁ ଡିଜିସିଏକୁ ଅନୁରୋଧ ପତ୍ର ପଠାଇଛନ୍ତି l ଏତେସବୁ ସୁବିଧା ଥାଇ ରାଉରକେଲା ବିମାନ ବନ୍ଦରର ଉନ୍ନତିକରଣ ନ ହେବା ବିଭାଗର ସ୍ଥାଣୁତା ବା ରାଜନୈତିକ ଇଛାଶକ୍ତିର ଅଭାବ ବୋଲି ସାଧାରଣ ଜନତା ହୃଦବୋଧ କଲେଣି, ଯାହା ଆଗାମୀ ଦିନରେ ଜନଅସନ୍ତୋଷର କାରଣ ସୃଷ୍ଟି କରିବାକୁ ଯାଉଛି l ଆଗାମୀ ଦିନକୁ ଆଗରେ ରଖି ଶୀଘ୍ର ବିହିତ ପଦକ୍ଷେପ ନେଇ ରାଉରକେଲା ବିମାନ ବନ୍ଦରକୁ ଏକ ନିୟମିତ ବିମାନ ବନ୍ଦରରେ ପରିଣତ କରିବା ସହ ଏଠାରୁ ଦିଲ୍ଲୀ ଓ କଲିକତାକୁ ଉଡାଣ ସଂଯୋଗ କରିବାକୁ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ସହ ରାଉରକେଲା ବିକାଶ ମଞ୍ଚ ଦୃଢ ଦାବି କରୁଛି l ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ବରିଷ୍ଠ ଉପଦେଷ୍ଟା ଅଭୟ ଦାସ, ଆନନ୍ଦ ମହାନ୍ତି, ଅମୂଲ୍ୟ ବରାଳ, ଆର୍ତ୍ତ ମହାରଣା, ପଶୁପତି ଚାଟାର୍ଜୀ, ଉତ୍ତମ କୁମାର ସାମଲ, ସତ୍ୟାନନ୍ଦ ବେହେରା, ସୁପ୍ରତିକ ମିଶ୍ର ଆଦି ଉପସ୍ଥିତ ଥିଲେ l ଶେଷରେ କୁଞ୍ଜ ବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅପହରଣ ପ୍ରସଙ୍ଗରେ ଏଗାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Sunil Chandra Nayak

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

masiha

ପୋଖରୀ ରେ ଗାଧୋଇବାକୁ ଯାଇ ବୃଦ୍ଧା ମୃତ

masiha

Leave a Comment

error: Content is protected !!