କଣ୍ଢେଇର ବାହାଘର
ତୃପ୍ତି ରାଣୀ ପାତ୍ର
ହସ ଆନନ୍ଦର ସେ ହଜିଲା ଦିନ
ମନେ ହୁଏ ଆନ୍ଦୋଳନ
ହୋଇଗଲା ଶେଷ ଅଭୁଲା ସପନ
ଖୋଜୁଅଛି ନିଶିଦିନ ।
ଫେରି ଆସନ୍ତାକି ସେହି ପିଲାଦିନ
ଖେଳୁଥାନ୍ତି ସାଥୀ ମେଳେ
କରିଥାଆନ୍ତି ମୋ କନ୍ୟାରତ୍ନ ଦାନ
କାନ୍ଦନ୍ତି ବିଦାୟ ବେଳେ ।
ଦୁଇପକ୍ଷ ହୋଇ ବରକନ୍ୟା ସାଜି
ଖେଳୁଥିଲୁ ଆନନ୍ଦରେ
କଣ୍ଢେଇର ବାହାଘରେ ଖାଉ ଭୋଜି
ବସି ପଙ୍କ୍ତି ଭୋଜନରେ ।
ଆଉ ନାହିଁ କଣ୍ଢେଇର ବାହାଘର
ଟେଡି ଦିଆନିଆ ଭାବ
ପ୍ରେମର ପ୍ରତୀକ ରକ୍ତର ଗୋଲାପ
ଉପହାରର ସଦ୍ଭାବ।
ଚକୋଲେଟ୍ ଦିଆ ମନ ମତାଣିଆ
କରୁଛି ସଭିଙ୍କୁ ବାୟା
ଅତୀତ ଗୌରବ ସ୍ମୃତିର ଫରୁଆ
ଥିଲା ବହୁତ ବଢିଆ ।
ଇଚ୍ଛା ଅନୁସାରେ ହୋଇଲେ ବିବାହ
ଘେରେ ଅଶାନ୍ତି ବିଚ୍ଛେଦ
କାମନା ବାସନା ସମ୍ପର୍କର ମୋହ
ତେଜି ମିଳେ ଆଶୀର୍ବାଦ ।
ଭୋଜିଭାତ ରନ୍ଧା ଯେ ମିଛିମିଛିକା
ଯାନି ଯଉତୁକ ପ୍ରଥା
ଖେଳିଖେଳିକା ଯେ ପାଉଥିଲୁ ଶିକ୍ଷା
ନାହିଁ ଆଉ ତା’ର ସତ୍ତା ।
ମାଟିର କଣ୍ଢେଇ ସୁଶିକ୍ଷା ଦିଅଇ
ପିତାମାତା ସ୍ନେହାଧାରେ
ସନ୍ତାନର ପାଇଁ ଭଲ ପାତ୍ର ଦେଖି
ବାନ୍ଧୁଥିଲେ ବନ୍ଧନରେ ।
ହଜି ଗଲାଣି ସେ ପବିତ୍ର ବନ୍ଧନ
ନିଜ ପସନ୍ଦରେ ରାଜି
ପିତାମାତା ସୁକଲ୍ୟାଣେ ସୁସମ୍ପନ
ସାତସ୍ୱପ୍ନ ହୁଏ ଆଜି ।
*ସହଦେବଖୁଣ୍ଟା, ବାଲେଶ୍ଵର ।*