ଆଲୁଅର ଆରପାଖ
ଆଲୁଅର ଆରପାଖ ଇଲାକାଟି
ଚୁକ୍ତିବଦ୍ଧ କାଚଘର
ଆସନ୍ତା କାଲିର କାଳ କୋଠରୀ ‘ତ
ବୈଠକ ବାର୍ତ୍ତା ଖବର ।
ଦିନ ଦି’ପ୍ରହରେ କାଳ ରାତ୍ରି ସମ
ଅନ୍ଧାର ଖାଲି ଅନ୍ଧାର
ତା ଭିତରେ ହଜେ ଅଗଣିତ ପ୍ରାଣ
ଆଶା ମନ ଆଲୁଅର ।
ଆଲୁଅର ଆରପାଖ ଅନ୍ୱେଷଣ
ସୁଖର ପରିଧି ମାପ
ଜୀଇଁବାର କେନ୍ଦ୍ରବିନ୍ଦୁ ବ୍ୟାସାର୍ଦ୍ଧଠୁ
ଅସ୍ପଷ୍ଟ ଇଲାକା ରୂପ ।
ଅଭିଶପ୍ତ ଅଶ୍ରୁ ଧରାକୁ ଭିଜାଏ
ଉଆଁସୀ ଶଯ୍ୟା ସଙ୍ଗିନୀ
ଜୀବନ ଯୁଦ୍ଧରେ ହାରି ଯାଇ କହେ
ମୃତ୍ୟୁର ଜମାନ ବନ୍ଦୀ ।
ଆଲୁଅର ଆରପାଖ ଲୁଚିଯାଏ
ଗୁପ୍ତ ଧନ ପାଣ୍ଡୁଲିପି
ସମୟ ଚକ୍ର ମଧ୍ୟ ନିରାଶ ହୁଏ
ଖୋଜିବାରେ ସତ୍ୱଲିପି ।
ଜଳିଯାଏ ଅଷ୍ଟାଙ୍ଗ ଶରୀର ତାର
ଚିରାଅଖା ହାତେ ଧରି
ଆଲୁଅର ଆରପାଖ ବସ୍ତିଘର
ଅନ୍ଧାର ଭାଗ୍ୟ ତାହାରି ।
ଆଲୁଅର ଆରପାଖେ ଭାଗବଣ୍ଟା
ଦାନବର ମଧୁଶାଳା
ରାତ୍ରିର ପଣତ ଚରିତ୍ରକୁ ଢାଙ୍କେ
ନାଗୁଣୀର ଯଜ୍ଞଶାଳା ।
ନିଷ୍ଠୁର ସତ୍ୟ ସବୁ ଲୁଚି ଯାଆନ୍ତି
ଆଲୁଅର ଆରପାଖେ
ପ୍ରିୟତମ ସଙ୍ଗେ ବିଶ୍ୱାସର ବୋମା
ମାୟାବିନୀ ପ୍ରୀତି ପାଖେ ।
କାଳ ହସୁଥାଏ ଆଲୁଅ ଅନ୍ଧାରେ
ଜୀବନ ପୁସ୍ତକ ଧରି
କ୍ଷଣିକ ଆନନ୍ଦେ ପୃଷ୍ଠା ଶେଷ ହୁଏ
କାଳର ଚକା ଭଉଁରୀ ।
ସତ୍ୟର ବିଳାପ ଅନ୍ଧାର ମହଲେ
ସମ୍ଭ୍ରାନ୍ତ ସମାଜ ନାମେ
ଦୁର୍ନୀତି ରାକ୍ଷସ ଗ୍ରାସ କରି ଥାଏ
ବୟସର ସେ ମଧ୍ୟାହ୍ନ।
ମହାରଥୀଙ୍କ ହସ୍ତରେ ଭୂମିହରା
ବିଧବା ନାରୀ ନିଶ୍ୱାସ
ଆଲୁଅର ଆରପାଖେ ତ୍ରାହି ତ୍ରାହି
ଜୀବନ ଜୀଇଁବା ଆଶ ।
ମହାଚେତନାର ମହାଆନନ୍ଦ ସେ
ଚିତ୍ତକୁ ହରଣ କରେ
ଆଲୁଅର ଆରପାଖେ ଅନୁଭୂତି
ସାଧନ ଖଳା ଉପରେ ।
ପରଂବ୍ରହ୍ମ ଉପଲବ୍ଧି ଶୂନ୍ୟତାରେ
ସତ୍ୟ ପ୍ରଦୀପ ଶିଖାରେ
ଅବର୍ଣ୍ଣନୀୟ ଶାନ୍ତିରେ ଅଭିଭୂତ
ଉର୍ଦ୍ଧ୍ବଗତି ମୁକ୍ତି ଦ୍ଵାରେ।
ଆଲୁଅର ଆରପଟେ ନିନାଦିତ
ସୃଷ୍ଟିର ପ୍ରଥମ ସ୍ୱର
ଓଁକାର ଧ୍ୱନିରେ ଆହ୍ଲାଦିତ ମୁହିଁ
ମହାଶୂନ୍ୟ ନିରାକାର ।
ଅନ୍ଧାର ସେପାଖେ ଶୁଭ୍ର ଜ୍ୟୋତି ରଶ୍ମି
ସହସ୍ରାରେ ବିଚ୍ଛୁରିତ
ଆଲୁଅର ଆରପାଖ ହିଁ ଆଲୁଅ
ବ୍ରହ୍ମ ଜ୍ୟୋତି ପ୍ରକାଶିତ ।
ସ୍ନିଗ୍ଧା ସାମନ୍ତରାୟ, ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର।