ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଆଲୁଅ ର ଆରପଖ

ଆଲୁଅର ଆରପାଖ

 

ଆଲୁଅର ଆରପାଖ ଇଲାକାଟି

ଚୁକ୍ତିବଦ୍ଧ କାଚଘର

ଆସନ୍ତା କାଲିର କାଳ କୋଠରୀ ‘ତ

ବୈଠକ ବାର୍ତ୍ତା ଖବର ।

ଦିନ ଦି’ପ୍ରହରେ କାଳ ରାତ୍ରି ସମ

ଅନ୍ଧାର ଖାଲି ଅନ୍ଧାର

ତା ଭିତରେ ହଜେ ଅଗଣିତ ପ୍ରାଣ

ଆଶା ମନ ଆଲୁଅର ।

ଆଲୁଅର ଆରପାଖ ଅନ୍ୱେଷଣ

ସୁଖର ପରିଧି ମାପ

ଜୀଇଁବାର କେନ୍ଦ୍ରବିନ୍ଦୁ ବ୍ୟାସାର୍ଦ୍ଧଠୁ

ଅସ୍ପଷ୍ଟ ଇଲାକା ରୂପ ।

ଅଭିଶପ୍ତ ଅଶ୍ରୁ ଧରାକୁ ଭିଜାଏ

ଉଆଁସୀ ଶଯ୍ୟା ସଙ୍ଗିନୀ

ଜୀବନ ଯୁଦ୍ଧରେ ହାରି ଯାଇ କହେ

ମୃତ୍ୟୁର ଜମାନ ବନ୍ଦୀ ।

ଆଲୁଅର ଆରପାଖ ଲୁଚିଯାଏ

ଗୁପ୍ତ ଧନ ପାଣ୍ଡୁଲିପି

ସମୟ ଚକ୍ର ମଧ୍ୟ ନିରାଶ ହୁଏ

ଖୋଜିବାରେ ସତ୍ୱଲିପି ।

ଜଳିଯାଏ ଅଷ୍ଟାଙ୍ଗ ଶରୀର ତାର

ଚିରାଅଖା ହାତେ ଧରି

ଆଲୁଅର ଆରପାଖ ବସ୍ତିଘର

ଅନ୍ଧାର ଭାଗ୍ୟ ତାହାରି ।

ଆଲୁଅର ଆରପାଖେ ଭାଗବଣ୍ଟା

ଦାନବର ମଧୁଶାଳା

ରାତ୍ରିର ପଣତ ଚରିତ୍ରକୁ ଢାଙ୍କେ

ନାଗୁଣୀର ଯଜ୍ଞଶାଳା ।

ନିଷ୍ଠୁର ସତ୍ୟ ସବୁ ଲୁଚି ଯାଆନ୍ତି

ଆଲୁଅର ଆରପାଖେ

ପ୍ରିୟତମ ସଙ୍ଗେ ବିଶ୍ୱାସର ବୋମା

ମାୟାବିନୀ ପ୍ରୀତି ପାଖେ ।

କାଳ ହସୁଥାଏ ଆଲୁଅ ଅନ୍ଧାରେ

ଜୀବନ ପୁସ୍ତକ ଧରି

କ୍ଷଣିକ ଆନନ୍ଦେ ପୃଷ୍ଠା ଶେଷ ହୁଏ

କାଳର ଚକା ଭଉଁରୀ ।

ସତ୍ୟର ବିଳାପ ଅନ୍ଧାର ମହଲେ

ସମ୍ଭ୍ରାନ୍ତ ସମାଜ ନାମେ

ଦୁର୍ନୀତି ରାକ୍ଷସ ଗ୍ରାସ କରି ଥାଏ

ବୟସର ସେ ମଧ୍ୟାହ୍ନ।

ମହାରଥୀଙ୍କ ହସ୍ତରେ ଭୂମିହରା

ବିଧବା ନାରୀ ନିଶ୍ୱାସ

ଆଲୁଅର ଆରପାଖେ ତ୍ରାହି ତ୍ରାହି

ଜୀବନ ଜୀଇଁବା ଆଶ ।

  ମହାଚେତନାର ମହାଆନନ୍ଦ ସେ

ଚିତ୍ତକୁ ହରଣ କରେ

ଆଲୁଅର ଆରପାଖେ ଅନୁଭୂତି

ସାଧନ ଖଳା ଉପରେ ।

ପରଂବ୍ରହ୍ମ ଉପଲବ୍ଧି ଶୂନ୍ୟତାରେ

ସତ୍ୟ ପ୍ରଦୀପ ଶିଖାରେ

ଅବର୍ଣ୍ଣନୀୟ ଶାନ୍ତିରେ ଅଭିଭୂତ

ଉର୍ଦ୍ଧ୍ବଗତି ମୁକ୍ତି ଦ୍ଵାରେ।

ଆଲୁଅର ଆରପଟେ ନିନାଦିତ

ସୃଷ୍ଟିର ପ୍ରଥମ ସ୍ୱର

ଓଁକାର ଧ୍ୱନିରେ ଆହ୍ଲାଦିତ ମୁହିଁ

ମହାଶୂନ୍ୟ ନିରାକାର ।

ଅନ୍ଧାର ସେପାଖେ ଶୁଭ୍ର ଜ୍ୟୋତି ରଶ୍ମି

ସହସ୍ରାରେ ବିଚ୍ଛୁରିତ

ଆଲୁଅର ଆରପାଖ ହିଁ ଆଲୁଅ

ବ୍ରହ୍ମ ଜ୍ୟୋତି ପ୍ରକାଶିତ ।

 

ସ୍ନିଗ୍ଧା ସାମନ୍ତରାୟ, ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର।

Related posts

ବେହେରା ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ମହାଭାରତ ଆୟୋଜନ ପାଇଁ କୁମ୍ଭାରୀ ଗ୍ରାମରେ ଭୂମି ପୂଜନ କାର୍ଯ୍ୟକ୍ରମ 

Sunil Chandra Nayak

ନୂଆପଡା–ସଟ ସର୍କିଟ ଯୋଗୁଁ ଘରେ ଲାଗିଲା ନିଆଁ

Sunil Chandra Nayak

Leave a Comment

error: Content is protected !!