ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟରେ ଏକ ରକ୍ତଦାନ ଶିବିର : ୫୦ ୟୁନିଟ୍ ରକ୍ତ ସଂଗୃହୀତ
କଟକ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୪ତମ ପୁଣ୍ୟ ତିଥିର ସ୍ମୃତି ଚାରଣରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର “ରାଷ୍ଟ୍ରୀୟ ସେବା ଯୋଜନା”ଶାଖା (ଏନ.ଏସ.ଏସ ୱିଙ୍ଗ୍) ଆନୁକୂଲ୍ୟରେ ଆୟୋଜିତ ଶିବିରଟିକୁ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଡ଼.ଆରତୀ ତ୍ରିପାଠୀ ଏବଂ କେନ୍ଦ୍ରୀୟ ରେଡ଼କ୍ରସ୍ ବ୍ଲଡ଼ବ୍ୟାଙ୍କର ପରିଚାଳିକା ଡ଼.କନକଲତା ଦେଇଙ୍କ କରକମଳରେ ଉଦ୍ଘାଟିତ ହେଇଯାଇଛି l କାର୍ଯ୍ୟକ୍ରମର ପ୍ରାରମ୍ଭ ଔପଚାରିକ ସଭା ଓ ବେଦ ପାଠ ହୋଇଥିଲା । “ରାଷ୍ଟ୍ରୀୟ ସେବା ଯୋଜନା”ର ସଂଯୋଜକ ଡ଼କ୍ଟର ବିଶ୍ଵମୋହନ ଜେନା ଇତ୍ୟବସରରେ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରିତ ହୋଇଥିଲେ l ମଞ୍ଚାସୀନ ବରେଣ୍ୟ ସଭ୍ୟ ମଣ୍ଡଳୀଙ୍କ ମଧ୍ୟରୁ ଅଧ୍ୟାପିକା ଡ଼. ରିତା ରାୟ,ବିଦ୍ୟାଳୟ ଏନ.ଏସ.ଏସ ଉପଦେଶ୍ଟା ରୋବିନ ସୋରେନ, ଏସିବି ମେଡିକାଲ ବ୍ଲଡ଼ ବ୍ୟାଙ୍କ୍ ଡାକ୍ତର ସଂଗୀତା ସାମଲ,କଟକ ଏମଡିଓ ବିଶ୍ଵନାଥ ସେଠୀ ଓ ଏନ.ଏସ.ଏସର ପୂର୍ବତନ ସମ୍ପାଦକ ଓ ସାରସ୍ଵତ ସାଧକ ଡ଼.ସେଖ କଲିମୁଲ୍ଲା ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ସୂଦକ୍ଷ ପରିଚାଳନା କରିଥିଲେ ବିଦ୍ୟାଳୟ ଏନ.ଏସ.ଏସ କାର୍ଯ୍ୟକ୍ରମ ଅଧିକାରୀ ଶିବପ୍ରସାଦ ମିଶ୍ର । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଦୁନିଆକୁ ରାଧାଙ୍କ ଆଖିରେ ଦେଖିଲେ ଦୁନିଆ କୃଷ୍ଣ ମୟ,ଦୁନିଆକୁ କୃଷ୍ଣଙ୍କ ଆଖିରେ ଦେଖିଲେ ଦୁନିଆ ପ୍ରେମମୟ । ଦୁନିଆ କୁ ଏନ.ଏସ.ଏସ ଜରିଆରେ ଦେଖିଲେ ଦୁନିଆ ସେବାମୟ । ରକ୍ତଦାନ ଶିବିରରେ ଏନ.ଏସ.ଏସ ସ୍ବେଛାସେବୀ ମାନଙ୍କର ସହଯୋଗରେ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l