ନଦୀ ଓ ବଟବୃକ୍ଷ
କବି – ଶ୍ରୀ ଜଗଜ୍ଜିବନ ସ।
ହୋଡା ଉପରେ ଠିଆ ମୁଁ
ସେପଟେ
ଟାଏଁ ଟାଏଁ ଖରାରେ
ବାଲି ଗଦାର ଚିକମିକ ଝଳସ
ଆଉ
କଳକଳ ନାଦରେ
ଝଳସିଆ ନଈ
ଜଣାଇ ଦିଏ
ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ
ଅଙ୍କାବଙ୍କା ଯିବାକୁ ପଡ଼େ l
କହେ ସେଇ ନଈ,
ମୁଇଁ ପ୍ରାଣୀ ଜଗତର ଜୀବନ
ଆଉ
ଜୀବର ମୃତ୍ୟୁ ପରେ ଶ୍ମଶାନ ।
ଶିକ୍ଷା ଦିଏ
ଏ ଧରାରେ ଜନ୍ମ ପରେ ମୃତ୍ୟୁ ସୁନିଶ୍ଚିତ
ଏଇ ସତ୍ୟ ଓ ନ୍ୟାୟକୁ ମାନିବାକୁ ପଡେ ।
ଏପଟେ
ଆକାଶ ତଳେ
ପରିପୂର୍ଣ୍ଣ ଫୁଲ,ଫଳ
ଘଞ୍ଚ ଡାଳପତ୍ର,
ମେଲାଇଥିବା ଶାଖପ୍ରଶାଖାରୁ ଚେର
ତଳକୁ ତଳ ଲମ୍ବି ଥିବା
ଗାଁ ବଜାର ପଡିଆର
ଏକ ବଟବୃକ୍ଷ ।
ଶିକ୍ଷା ଦିଏ
ଏ ଜୀବନରେ ବଞ୍ଚିବାକୁ ହେଲେ
ମୂଳରୁ ମଜବୁତ ହେବାକୁ ପଡେ ।
ପୁଣି
କହେ ସେଇ ବୃକ୍ଷ ,
ମୁଁ ସହିଯାଏ
ମୋ ଫଳକୁ ଖୁମ୍ପୁଥିବା
ପକ୍ଷୀ ଥଣ୍ଟର ଯନ୍ତ୍ରଣା,
ମୋ ଡାଳପତ୍ରକୁ ଖାଉଥିବା
ପଶୁର ମୁନିଆ ଦାନ୍ତର କଷ୍ଟ ,
ଗାଈଆଳି ପିଲାର ଲାଠି ମାଡ଼,
ମୁଁ କେବେ ପ୍ରତିବାଦ କରେ ନାଇଁ ,
ତଥାପି ବି ସେବା କରେ
ବାଟୋଇକୁ ଛାଇ ଦିଏ ।
ଶିଖାଇ ଦିଏ
ଏ ଦୁନିଆଁରେ ମହାନ ହେବାକୁ ହେଲେ
ସବୁ ବ୍ୟଥାକୁ ସହିଯାଇ,
ଲୋକଙ୍କ ସେବା କରି,
ପରୋପକାର କରିବାକୁ ପଡେ ।
କୁମ୍ଭାରୀ, ଗୋଲାମୁଣ୍ଡା,
କଳାହାଣ୍ଡି (ଓଡ଼ିଶା) ।