ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେବକୀ ବସୁଦେବ ବିବାହ, ଉଗ୍ରସେନ ଗାଦିଚ୍ୟୁତ, ଯୁବରାଜ କଂସଙ୍କ ସିଂହାସନ ଆରୋହଣ ,ତୃତୀୟ ଦିନରେ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ

ଦେବକୀ ବସୁଦେବ ବିବାହ, ଉଗ୍ରସେନ ଗାଦିଚ୍ୟୁତ, ଯୁବରାଜ କଂସଙ୍କ ସିଂହାସନ ଆରୋହଣ

ତୃତୀୟ ଦିନରେ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ

ଲାଞ୍ଜିଗଡ଼,୨୬/୦୧(ମନିସ)-ରାଜକୁମାରୀ ଦେବକୀଙ୍କ ସହିତ ବସୁଦେବଙ୍କ ବିବାହକୁ ନେଇ ମଥୁରାନଗରୀ(ବିଶ୍ୱନାଥପୁର) ଚଳଚଞ୍ଚଳ ହୋଇଉଠିଛି। ରାଜା ଉଗ୍ରସେନଙ୍କ ରାଜମହଲ ସୁସଜ୍ଜିତ ହେବା ସହିତ ବରଯାତ୍ରୀଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିରହିଛି। ଶେଷରେ ଏକ ଶୁଭ ମୁହୂର୍ତ୍ତ ଓ ମାହେନ୍ଦ୍ର ବେଳାରେ ଦେବକୀ-ବସୁଦେବଙ୍କ ବିବାହ ସଂପନ୍ନ ହୋଇଛି। ରାଜକୁମାରୀଙ୍କ ବିବାହକୁ ନେଇ ସମଗ୍ର ମଥୁରାନଗରୀ ହର୍ଷୋଲ୍ଲାସରେ ଭରି ଉଠିଥିବାବେଳେ ଏହି ଆନନ୍ଦମୟ ପରିବେଶରେ କିନ୍ତୁ ମଥୁରା ରାଜ ସିଂହାସନକୁ ବିପଦ ମାଡିଆସିଛି। କ୍ଷମତାମୋହରେ ପଡି ମଥୁରା ରାଜସିଂହାସନ ଦଖଲ କରିବା ପାଇଁ ନିଜ ପିତା ମହାରାଜ ଉଗ୍ରସେନଙ୍କ ବିରୁଦ୍ଧରେ ବିଦ୍ରୋହ ଡାକରା ଦେଇଛନ୍ତି ଯୁବରାଜ କଂସ। ବ୍ରହ୍ମାଙ୍କ ବର ଓ ଆସୁରିକ ବଳରେ ବଳୀୟାନ ଯୁବରାଜ କଂସ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜକୁ ନିଜେ ମଥୁରା ନଗରୀର ରାଜା ଭାବେ ଘୋଷଣା କରିଛନ୍ତି। ମହାରାଜ ଭାବେ ସିଂହାସନ ଆରୋହଣ କରିବା ସହିତ ମଥୁରା ରାଜ ଦରବାରର ପରମ ହିତୈଷୀ ଅକୃରଙ୍କୁ ଦେଇଛନ୍ତି ନିର୍ବାସନ ଦଣ୍ଡ। ସେହିପରି ସିଂହାସନ ଆରୋହଣ କରିବା ପରେ ରାଜନ୍ୟ ଓ ପାରିଷଦବର୍ଗଙ୍କୁ ଦେଇଛନ୍ତି କଠୋର ଆଦେଶ। ଗାଦିଚ୍ୟୁତ ରାଜା ଉଗ୍ରସେନଙ୍କୁ ତ୍ୟାଗ କରି ତାଙ୍କ ବଶ୍ୟତା ସ୍ୱୀକାର କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗାଦିଚ୍ୟୁତ ରାଜା ଉଗ୍ରସେନଙ୍କୁ କରିଛନ୍ତି ନଗ୍ର କଟୁଆଳ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁରଠାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଏହା ଥିଲା ଆକର୍ଷଣୀୟ ବିଷୟବସ୍ତୁ। ଭାଗବତ, ହରିବଂଶ ଆଦି ପୁରାଣ ଓ ଆଖ୍ୟାୟିକାର ଏହି ନାଟ୍ୟ ରୂପାନ୍ତର ତଥା ସୁପ୍ରସିଦ୍ଧ କଳାକାରମାନଙ୍କ ଜୀବନ୍ତ ଅଭିନୟ ହଜାରହଜାର ଦର୍ଶକଙ୍କୁ ବିଳମ୍ବିତ ରାତିଯାଏଁ ବାନ୍ଧି ରଖିଥିଲା। ମହାରାଜ କଂସ ଭୂମିକାରେ ଆର୍ତ୍ତତ୍ରାଣ ସୁନାନୀ, ମହାମନ୍ତ୍ରୀ ଶକ୍ରାଜିତ ଭୂମିକାରେ ଧନେଶ୍ୱର ବାଗ, ସେନାପତି ଭୂମିକାରେ ଲୋକେଶରଞ୍ଜନ ସୁନାନୀ, ଉଗ୍ରସେନ ଭୂମିକାରେ ନୀଳାମ୍ବର ରାଉତ, ଦେବକୀ ଭୂମିକାରେ ବାସୁମତୀ ନନ୍ଦ, ବସୁଦେବ ଭୂମିକାରେ ଦୀପକ ପ୍ରଧାନ, ଅକୃର ଭୂମିକାରେ ତରଣୀସେନ ବାରିକ ପ୍ରମୁଖ ଦକ୍ଷତାର ସହିତ ଅଭିନୟ କରି ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିଥିଲେ। ଆଜି ଦରବାରରେ ରାଜଅତିଥି ଭାବେ ବିଶ୍ବନାଥପୁର ଥାନାଧିକାରୀ ମମତା ହେମ୍ବ୍ରମ, ସମ୍ମାନିତ ଅତିଥି ଭାବେ ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ କଙ୍କଣ ରାୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷୀରେଶ୍ବର ପ୍ରଧାନ, ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ପ୍ରସାଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ରାଜ ଦରବାରରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଯୁବ ସାମ୍ବାଦିକ ସୁଶୀଲ କୁମାର ବାଗ ଓ କିଶୋର କୁମାର ଘଡେଇ। ଧନୁଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା ପ୍ରଦୀପ କୁମାର ଘଡ଼େଇ, ସଭାପତି ଅନନ୍ତ ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ଅଚ୍ୟୁତାନନ୍ଦ ଘଡ଼େଇ, ଉପସଭାପତି ମୀନକେତନ ଦଳେଇ, ସାଧାରଣ ସଂପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସଂପାଦକ ତରୁଣ କୁମାର ଦାସ, କ୍ଷୀରସିନ୍ଧୁ ସାହୁ, କୋଷାଧ୍ୟକ୍ଷ ମନମୋହନ ନାଏକ, ଘନଶ୍ୟାମ ସୁନାଙ୍କ ସହିତ କମିଟିର ସମସ୍ତ ସଦସ୍ୟ ଏବଂ ଉପଦେଷ୍ଟା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦୁଇଦିନର କୋହଲା ପାଗ ଅପସରି ଯିବାପରେ ଆଜି ଧନୁଯାତ୍ରା ପଡିଆରେ ଆଶାତୀତ ଭିଡ ଦେଖିବାକୁ ମିଳିଥିଲା। ଧନୁଯାତ୍ରା ସହିତ ମୀନାବଜାର ଓ ବିଭିନ୍ନ ଦୋକାନବଜାର ସବୁ ଖୋଲିଯାଇଥିବାବେଳେ ଲୋକେ ଏସବୁ ଦୋକାନରୁ ବେଶ୍ କିଣାକିଣି କରିବା ଦେଖିବାକୁ ମିଳିଥିଲା।

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

କୋଲନରା ବ୍ଲକ କାର୍ଯ୍ୟାଳୟ ପରିସରରେ ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

masiha

ସରକାର ଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସରପଞ୍ଚ ଙ୍କ ଦଲାଲ ହାତରେ

Sunil Chandra Nayak

Silver Jubilee Celebration or 42 Mouza Bikash Parisad.

Sunil Chandra Nayak

Leave a Comment

error: Content is protected !!