କୁକୁଡ୍ – କୁ
( ଶିଶୁ କବିତା )
ବାସନ୍ତୀ ଲତା ଜେନା
ବଣ ଜଙ୍ଗଳର ବଳୁଆ ପ୍ରାଣୀ ସେ
ବାଘ ମାମୁଁ ରାଜା ଥିଲା
ବନ୍ୟପଶୁ ପକ୍ଷୀ ନିମନ୍ତ୍ରଣ କରି
ଭୋଜି ଭାତ କରାଇଲା l୧l
ଆନନ୍ଦରେ ଭୋଜି ସଭିଏଁ ଖାଇଲେ
ନାଚ ଗୀତର ଆସର
ଅଧ ରାତ୍ରି ଯାଏ ପ୍ରତିଯୋଗୀତାରେ
ନିଦ୍ରାରେ ହେଲେ ବିଭୋର l୨l
ରାତ୍ରି ନ ପାହୁଣୁ ନିଦ୍ରା ଭାଙ୍ଗିଗଲା
ସମସ୍ତେ ଉଠିଲେ ଚେଇଁ
ଅନ୍ଧାରରେ ମୁଖ କାହାର ନ ଦିଶେ
ସୂର୍ଯ୍ୟଙ୍କୁ ଡାକିଲେଯାଇ l୩l
ବାଘ ରାଜା ଡାକେ ସୂର୍ଯ୍ୟ ଦାଦା ଆସ
ତୁମକୁ ରହିଛୁ ଚାହିଁ
ଆଲୋକିତ କର ଏ ମହୀ ମଣ୍ଡଳ
ସୂର୍ଯ୍ୟ ନ ଆସିଲେ ଧାଇଁ l୪l
ହାତୀ ଡାକ ଛାଡେ ସୁରୁଜ ଦେବତା
ଉଜ୍ଜ୍ୱଳ କର ହେ ମହୀ
ତୁମର ପରଶେ ବସୁଧା ହସିବ
ପଡିଛ କାହିଁକି ଶୋଇ l୫l
ଭାଲୁ ଡାକ ଦେଲା ଆଦିତ୍ୟ ପ୍ରଭୁ ହେ
ଦେଖାଅ ତୁମର ମୁଖ
ତୁମ ଆଗମନେ ଏ ପ୍ରାଣୀ ଜଗତ
ସଭିଏଁ ପାଇବେ ସୁଖ l୬l
କୁକୁଡ଼ା ସେଠାରେ ଉପସ୍ଥିତ ଥିଲା
ଅନୁମତି ସେ ମାଗିଲା
ଭଲ୍ଲୁକ ମନ୍ତ୍ରୀଙ୍କ ଆଦେଶ ପାଇଣ
ଅଂଶୁମାନକୁ ଡାକିଲା l୭l
ସୂର୍ଯ୍ୟ ଦେବତାଙ୍କ କର୍ଣ୍ଣେ ନ ବାଜିଲା
କାହାର ବିକଳ ସ୍ୱର
କୁକୁଡ଼ା ଡାକିଲା କୁକୁଡ୍- କୁ ହୋଇ
ସୂର୍ଯ୍ୟ ହୋଇଲେ ବାହାର l୮l
ଆଲୋକିତ ହେଲା ବସୁମତୀ ରାଣୀ
ସର୍ବେ ତେଜିଲେ ଆଳସ୍ୟ
ପ୍ରଭାତ ବନ୍ଦନା ବିହଙ୍ଗ ଗାଇଲେ
ପ୍ରାଣୀଏ କର୍ମେ ସନ୍ତୋଷ l୯l
ସେହି ଦିନ ଠାରୁ କୁକୁଡ଼ା ଡାକିଲେ
ସୂର୍ଯ୍ୟଙ୍କ ଉଦୟ ହୁଏ
ଲୋକ ମୁଖର ଏ ପ୍ରଚଳିତ କଥା
ସଭିଙ୍କୁ ଲୋଭାଉ ଥାଏ l୧୦l