ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିଶୁ କବିତା – କୁକୁଡ – କୁ

କୁକୁଡ୍ – କୁ

     

   ( ଶିଶୁ କବିତା )

    ବାସନ୍ତୀ ଲତା ଜେନା

 

ବଣ ଜଙ୍ଗଳର ବଳୁଆ ପ୍ରାଣୀ ସେ

     ବାଘ ମାମୁଁ ରାଜା ଥିଲା

ବନ୍ୟପଶୁ ପକ୍ଷୀ ନିମନ୍ତ୍ରଣ କରି

     ଭୋଜି ଭାତ କରାଇଲା l୧l

ଆନନ୍ଦରେ ଭୋଜି ସଭିଏଁ ଖାଇଲେ

      ନାଚ ଗୀତର ଆସର

ଅଧ ରାତ୍ରି ଯାଏ ପ୍ରତିଯୋଗୀତାରେ

    ନିଦ୍ରାରେ ହେଲେ ବିଭୋର l୨l

ରାତ୍ରି ନ ପାହୁଣୁ ନିଦ୍ରା ଭାଙ୍ଗିଗଲା

     ସମସ୍ତେ ଉଠିଲେ ଚେଇଁ

ଅନ୍ଧାରରେ ମୁଖ କାହାର ନ ଦିଶେ

     ସୂର୍ଯ୍ୟଙ୍କୁ ଡାକିଲେଯାଇ l୩l

ବାଘ ରାଜା ଡାକେ ସୂର୍ଯ୍ୟ ଦାଦା ଆସ

     ତୁମକୁ ରହିଛୁ ଚାହିଁ

ଆଲୋକିତ କର ଏ ମହୀ ମଣ୍ଡଳ

     ସୂର୍ଯ୍ୟ ନ ଆସିଲେ ଧାଇଁ l୪l

ହାତୀ ଡାକ ଛାଡେ ସୁରୁଜ ଦେବତା

     ଉଜ୍ଜ୍ୱଳ କର ହେ ମହୀ

ତୁମର ପରଶେ ବସୁଧା ହସିବ

      ପଡିଛ କାହିଁକି ଶୋଇ l୫l

ଭାଲୁ ଡାକ ଦେଲା ଆଦିତ୍ୟ ପ୍ରଭୁ ହେ

      ଦେଖାଅ ତୁମର ମୁଖ

ତୁମ ଆଗମନେ ଏ ପ୍ରାଣୀ ଜଗତ

      ସଭିଏଁ ପାଇବେ ସୁଖ l୬l

କୁକୁଡ଼ା ସେଠାରେ ଉପସ୍ଥିତ ଥିଲା

      ଅନୁମତି ସେ ମାଗିଲା

ଭଲ୍ଲୁକ ମନ୍ତ୍ରୀଙ୍କ ଆଦେଶ ପାଇଣ

     ଅଂଶୁମାନକୁ ଡାକିଲା l୭l

ସୂର୍ଯ୍ୟ ଦେବତାଙ୍କ କର୍ଣ୍ଣେ ନ ବାଜିଲା

       କାହାର ବିକଳ ସ୍ୱର

କୁକୁଡ଼ା ଡାକିଲା କୁକୁଡ୍- କୁ ହୋଇ

   ସୂର୍ଯ୍ୟ ହୋଇଲେ ବାହାର l୮l

ଆଲୋକିତ ହେଲା ବସୁମତୀ ରାଣୀ

       ସର୍ବେ ତେଜିଲେ ଆଳସ୍ୟ

ପ୍ରଭାତ ବନ୍ଦନା ବିହଙ୍ଗ ଗାଇଲେ

     ପ୍ରାଣୀଏ କର୍ମେ ସନ୍ତୋଷ l୯l

ସେହି ଦିନ ଠାରୁ କୁକୁଡ଼ା ଡାକିଲେ

      ସୂର୍ଯ୍ୟଙ୍କ ଉଦୟ ହୁଏ

ଲୋକ ମୁଖର ଏ ପ୍ରଚଳିତ କଥା

       ସଭିଙ୍କୁ ଲୋଭାଉ ଥାଏ l୧୦l

ଗାନ୍ଧୀନଗର, ନବରଙ୍ଗପୁର

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ସମ୍ପର୍କର ଡୋରୀ

Sunil Chandra Nayak

ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

Sunil Chandra Nayak

ଗୋହିରାପଦର ରେଲ୍ ଫାଟକ ନିକଟରେ ପୁଣି ଏକ ଟ୍ରକ୍ ଦୁର୍ଘଟଣା, ହେଲପରର ମୃତ୍ୟୁ ହୋଇଥିବା ସୂଚନା 

Sunil Chandra Nayak

Leave a Comment

error: Content is protected !!