ବସନ୍ତ
ମାନଗୋବିନ୍ଦ ସ୍ବାଇଁ
ଶାଖ ଡାଳେ ବସି କୁହୁ କୁହୁ ଶବ୍ଦ
ବନଭୂମି ଉଠେ ପୁରୀ
ମଧୁର ସ୍ଵରରେ ଆକୃଷ୍ଟ କରୁଛି
ସରବ ପରାଣ ହରି ।
ପତ୍ର ଝଡା ଦିଏ ବୃକ୍ଷ ଲତା ଆଦି
କଅଁଳ ପଲ୍ଲବ ଧରେ
ମହକ ବାସନା ଫାଟି ପଡୁ ଅଛି
ମହୀମଣ୍ଡଳର ଧାରେ।
ବସନ୍ତ ଆସୁଛି ଧରଣୀ ବକ୍ଷରେ
ଗଛ ଲତା ପତ୍ର ପରେ
କୋଇଲି ଗାଉଛି ମଧୁର ସଂଗୀତ
ଶାଖେ ବସି ଗୀତ ସ୍ବରେ।
ତା ସ୍ବର ମନକୁ ପ୍ରଫୁଲ୍ଲ କରୁଛି
ଶ୍ରୁତି ତୃପ୍ତି ଦିଏ ମନେ
ବନର କୋକିଳ ବନ ମୁଖରିତ
ସ୍ବରରେ ଡାକୁଛି ବନେ।
ପ୍ରଭାତ କାଳରେ ସଞ୍ଜ ନଇଁ ବେଳେ
କରୁଥାଏ କୁହୁ ତାନ
ପ୍ରାଣୀ ଚାହିଁ ଥାଏ କିଏ ଶବ୍ଦ କରେ
କାହାର ଏପରି ଗାନ।
ବସନ୍ତ ଆସଇ ମଳୟ ସ୍ବରରେ
ଆନନ୍ଦ ଲାଗଇ ଶୋଭା
ଶାଖ ଡାଳେ ବସି ମଧୁ ସ୍ବର ଗାଇ
ବନଭୂମି ଶାଖେ ଉଭା।