ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି : ଇନ୍ଦ୍ରାବତୀ ପ୍ରକଳ୍ପରୁ ଜଳସେଚନ :ଏବେ ୪୫ ପ୍ରତିଶତରେ ଜଳ ଭଣ୍ଡାରର ଜଳସ୍ତର

କଳାହାଣ୍ଡି : ଇନ୍ଦ୍ରାବତୀ ପ୍ରକଳ୍ପରୁ ଜଳସେଚନ :ଏବେ ୪୫ ପ୍ରତିଶତରେ ଜଳ ଭଣ୍ଡାରର ଜଳସ୍ତର

ଅନ୍ତିମ ପର୍ଯ୍ୟାୟରେ ଜଳସେଚନ ପାଇଁ ଅନ୍ତରାୟ ସୃଷ୍ଟି ହୋଇପାରେ ବୋଲି ଏବେଠାରୁ ଚାଷୀଙ୍କ ମଧ୍ୟରେ ଆଶଙ୍କା 

କଳାହାଣ୍ଡି ଜିଲ୍ଲା ପାଇଁ ବିଗତ ୨୫ବର୍ଷ ଧରି କୃଷି କ୍ଷେତ୍ରରେ ଏକ ନୂତନ ସମ୍ଭାବନା ତିଆରି କରିଥିବା ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ଚଳିତ ରବି ଜଳସେଚନ କ୍ଷେତ୍ରରେ ଆଶଙ୍କା ଉତ୍ପନ୍ନ କରି ସାରିଲାଣି । ଚଳିତ ରବିରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଜଳ ସଂରକ୍ଷଣ ଗତ ବର୍ଷ ତୁଳନାରେ ଦୁଇ ମିଟର କମ ଥିବା ସତ୍ତ୍ବେ ୭୧ ହଜାର ହେକ୍ଟର ଜମିରେ ଜଳସେଚନ ଦିଆଯାଉ ଥିବାରୁ ଅନ୍ତିମ ପର୍ଯ୍ୟାୟରେ ଜଳସେଚନ ପାଇଁ ଅନ୍ତରାୟ ସୃଷ୍ଟି ହୋଇପାରେ ବୋଲି ଏବେଠାରୁ ଚାଷୀଙ୍କ ମଧ୍ୟରେ ଆଶଙ୍କା ଉତ୍ପନ୍ନ ହୋଇ ସାରିଲାଣି । ବିଭାଗର ଘୋଷଣା ମୁତାବକ ପର୍ଯ୍ୟାୟ କ୍ରମେ ଜଳସେଚନର ବ୍ୟବସ୍ଥା ଗ୍ରହଣ ନ କଲେ ଆଗାମୀ ଦିନରେ ସୁରକ୍ଷିତ ଜଳସେଚନ କ୍ଷେତ୍ରରେ ବ୍ୟାହତ ସୃଷ୍ଟି ହୋଇପାରେ ବୋଲି ଅଭିଜ୍ଞ ମହଲରେ ଆଲୋଚନା ଆରମ୍ଭ ହେଲାଣି । ଚଳିତ ରବି ଜଳସେଚନ ଜାନୁଆରୀ ୮ ତାରିଖରୁ ମଙ୍ଗଳପୁର ସ୍ଥିତ ହାତୀ ବେରେଜରୁ ବାମ ଦକ୍ଷିଣ ଓ ମେଗା ଲିଫ୍ଟ କେନାଲର ୭୧, ୨୭୪ ହେକ୍ଟର ଜମିରେ ଜଳସେଚନ ଆରମ୍ଭ କରାଗଲା ।ଗତ ବର୍ଷ ଏହି ଦିନରେ ୬୩୮.୨୦୫ ମିଟର ଜଳସ୍ତର ଥାଇ ୫୨୦୦୦ହେକ୍ଟର ଜମିରେ ଜଳସେଚନ କରାଯାଇ ଥିବାବେଳେ ଚଳିତ ବର୍ଷ ୬୩୬.୪୫ ମିଟର ଅର୍ଥାତ୍ ଦୁଇ ମିଟର କମ ପାଣି ଗଚ୍ଛିତ ଥାଇ ୭୧, ୨୭୪ ହେକ୍ଟର ଅର୍ଥାତ ହାରାହାରି ୨୦ହଜାର ହେକ୍ଟର ଅଧିକ ଜମିରେ ଜଳ ସେଚନ ଲକ୍ଷ ରଖାଯାଇଛି । ଇନ୍ଦ୍ରାବତୀର ଅନ୍ତଃ ସ୍ରୋତ କ୍ରମଶଃ କମି ଆସୁଥିବାରୁ ଜଳସ୍ତର ୬୩୨ ମିଟରକୁ ପହଞ୍ଚିବା ପରେ ପରବର୍ତ୍ତୀ ସମୟରେ ଜଳସେଚନ ସମସ୍ୟା ଦେଖାଦେଇ ପାରେ ବୋଲି ଆଲୋଚନା ହେଉଛି । ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ ସୀମା ୬୪୨ ମିଟର ଅର୍ଥାତ୍ ୧,୪୮, ୫୫୦ ହେକ୍ଟର ମିଟର ଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଜଳଭଣ୍ଡାରର ଜଳସ୍ତର ୬୩୪.୨୬୫ ମିଟର ଅର୍ଥାତ ୬୮୦୭୧ହେକ୍ଟର ମିଟରକୁ ଛୁଇଁ ୪୫ ପ୍ରତିଶତରେ ପହଞ୍ଚି ସାରିଥିବା ସୂଚନା ମିଳିଛି । ଜଳ ଭଣ୍ଡାରରୁ ଜଳସେଚନ ପାଇଁ ୬୨୫ ମିଟର ପର୍ଯ୍ୟନ୍ତ ସର୍ବନିମ୍ନ ସ୍ତର ରଖାଯାଇ ଥିବା ବେଳେ ବାସ୍ତବରେ ୬୨୭ ମିଟର ପହଞ୍ଚିବା ପର୍ଯ୍ୟନ୍ତ ଜଳସେଚନ ଦିଆଯାଇ ପାରିବ ବୋଲି ସୂଚନା ମିଳିଛି । ସର୍ବନିମ୍ନ ସ୍ତରରୁ ୬୨୭ ମିଟର ପର୍ଯ୍ୟନ୍ତ ୧୭, ୩୦୭ ହେକ୍ଟର ମିଟର ପାଣି ସଂରକ୍ଷିତ ରହୁଥିବା ସତ୍ତ୍ବେ ସାଂପ୍ରତିକ ସ୍ଥିତିରେ ମୋଟ ୬୮,୦୭୧ ହେକ୍ଟର ପାଣି ଗଚ୍ଛିତ ରହିଛି । ଏଠାରେ ଚାଷ ଉପଯୋଗୀ ପାଣିର ପରିମାଣ ମାତ୍ର ୫୦, ୭୬୪ ହେକ୍ଟର ମିଟର ରହିଥିବା ସୂଚନା ମିଳିଛି । ଅନ୍ୟ ପଟରେ ଜଳଭଣ୍ଡାର ମଧ୍ୟକୁ ଅନ୍ତଃ ସ୍ରୋତ ଭାବରେ ୨୮ କ୍ୟୁମାକ୍ସ ପାଣି ପ୍ରବେଶ କରୁଥିବା ସୂଚନାରୁ ପ୍ରକାଶ । ଏଭଳି ସ୍ଥିତିରେ ଜଳ ସମ୍ପଦ ବିଭାଗ କୌଣସି ସ୍ଥିତିର ବଶବର୍ତ୍ତୀ ହୋଇ ଅଧିକ ଜମିରେ ଜଳସେଚନ ଦେଇ ଅଦୁରଦର୍ଶିତାର ପରିଚୟ ଦେଇ ସାରିଥିବା ବେଳେ ଚାଷକୁ ସୁରକ୍ଷିତ ରଖିବା ପାଇଁ ପର୍ଯ୍ୟାୟ କ୍ରମେ ଜଳସେଚନର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ଆଲୋଚନା ହେଉଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପୋଖରୀରେ ବୁଡି ଯୁବତୀ ମୃତ 

masiha

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରୌପ୍ୟ ଜୟନ୍ତୀ । ଦୁଇ ଦିନର ଉତ୍ସବ ; ମହାମହିମ ରାଜ୍ୟପାଳ କରିବେ ଉଦଯାପନ

Sunil Chandra Nayak

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!