ସାଂସଦ ଏବଂ ବିଧାୟକଙ୍କ ପ୍ରତିନିଧିଙ୍କ ନାମରେ ରାଜନୈତିକ ଉଦ୍ଦେଶ୍ୟରେ ମିଥ୍ୟା ଅଭିଯୋଗ ହୋଇଥିବା ନେଇ ଥାନାରେ ଅଭିଯୋଗ କଲେ ଜନପ୍ରତିନିଧି
ଝରିଗାଁ,୧୭/୩(କିଶୋର ଚନ୍ଦ୍ର ମଣ୍ଡଳ) :- ନବରଙ୍ଗପୁର ସାଂସଦ ପ୍ରତିନିଧି ପ୍ରିୟରଞ୍ଜନ ଦାସ ଏବଂ ବିଧାୟକଙ୍କ ବ୍ଲକ ପ୍ରତିନିଧି ରାମଧର ମାଝିଙ୍କ ନାମରେ ରାଜନୈତିକ ଉଦ୍ଦେଶ୍ୟରେ ମିଥ୍ୟା ଅଭିଯୋଗ ହୋଇଥିବା ନେଇ ରବିବାର ଝରିଗାଁ ଥାନାରେ ସ୍ଥାନୀୟ ଜନପ୍ରତିନିଧି ମାନେ ଏକତ୍ରିତ ହୋଇ ଥାନା ଅଧିକାରୀ ତପନ କୁମାର ପତିଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି l ସୂଚନାଯୋଗ୍ୟଯେ ଗତ ଫେବୃୟାରୀ ୨୯ତାରିଖରେ ଝରିଗାଁ ବ୍ଳକର ଫୁପୁଗାଁ, ବଡଟେମରା, ଚକଲାପଦର, ଚଚା, ଭାଲୁକନାଡି, ବକଡାବେଡା, ଚାଟିଗୁଡା ଓ ବେଲଗାଁ ଆଦି ପଞ୍ଚାୟତକୁ ସାଂସଦ ରମେଶ ଚନ୍ଦ୍ର ମାଝୀ ଏଵଂ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଗସ୍ତ କରି ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ସକାଶେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଉକ୍ତ ଦିନ ବାଘଡିଆଁ ଛକ ଠାରେ କୁଇ ସମାଜ ଗୃହର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ରହିଥିଲା l ଉକ୍ତ କାର୍ଯ୍ୟକ୍ରମରେ ପଦମନ ସାନ୍ତା, ମୁରଲୀ ସାନ୍ତା, ଉଦୟ ସାନ୍ତା, ଲବ ସାନ୍ତା,ରାମ ସାନ୍ତା ଓ ଯୁଧିଷ୍ଟିର ସାନ୍ତା ପ୍ରମୁଖ ବାଘଡିଆଁ ଛକ ଠାରେ କୁଇ ସମାଜ ଗୃହର ଭିତ୍ତିପ୍ରସ୍ତର ଶୁଭ ଦେବା ନେଇ ବିରୋଧ କରିଥିଲେ l ଏହାପରେ ସେହି ସ୍ଥାନରୁ ସାଂସଦ, ବିଧାୟକ ଏଵଂ ସମସ୍ତ ଦଳୀୟ କର୍ମୀ ଫେରି ଆସିଥିଲେ l ଏହାପରେ ଉକ୍ତଦିନ ସନ୍ଧ୍ୟାରେ ସାଂସଦ ଏବଂ ବିଧାୟକଙ୍କ ପ୍ରତିନିଧିଙ୍କ ନାମରେ ଜାତିଆଣ ଆପେକ୍ଷ ନେଇ ଝରିଗାଁ ଥାନରେ ପଦମନ ସାନ୍ତା ଲିଖିତ ଅଭିଯୋଗ କରିଥିଲେ l ଏନେଇ ଝରିଗାଁ ଥାନା କେସ ନମ୍ବର – ୪୭/୨୦୨୪ ରେ ଏକ ମମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ପ୍ରକାଶ କରିଛନ୍ତି l ସାଂସଦ ଏବଂ ବିଧାୟକଙ୍କ ପ୍ରତିନିଧିଙ୍କ ନାମରେ ଏହା ଏକ ରାଜନୈତିକ ଉଦ୍ଦେଶ୍ୟରେ ମିଥ୍ୟା ଅଭିଯୋଗ ହୋଇଥିବା ସହ ଉକ୍ତ ଦିନ କୌଣସି ଗଣ୍ଡଗୋଳ ହୋଇନଥିବା ନେଇ ରବିବାର ଝରିଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝୀ, ଉପାଧ୍ୟକ୍ଷ ମନଦୀ ମାଝୀ, ୩ଟି ଜିଲ୍ଲା ପରିଷଦ ସଭ୍ୟ ଯମୁନା ଗଣ୍ଡ, ଶ୍ୟାମସୁନ୍ଦର ନାୟକ, ତ୍ରମିଳା ପୂଜାରୀ, ବିଜେଡି ବ୍ଲକ ସଭାପତି ଟିକଚାନ୍ଦ ମାଝୀ, ଲ୍ୟାମ୍ପ ସଭାପତି ଲଛମା ଗଣ୍ଡ ପ୍ରକାଶ କରିଛନ୍ତି।