ଶ୍ରୀରାମ
ସୁକାନ୍ତ ଖଣ୍ଡା
ନିତି ସଢୁଥିଲେ ମୁହଁକୁ ଲୁଚେଇ
ରାଜା ଦଶରଥ ବସି
ମନ ଓ ହୃଦୟ କେଉଁଠି ନ ଥିଲା
ପାରୁ ନ ଥିଲେ ବି ହସି।୧
ନିଜର ହାତରେ ହତ୍ଯା ହେବାଯୋଗୁଁ
ମୁକ୍ତିର ବାଟକୁ ଚାହିଁ
ଦାନ ଦୟା କ୍ଷମା ହୋମ ଓ ଯଜ୍ଞରେ
ସମୟ ଯାଉଛି ତହିଁ।୨
ପୁତ୍ରେଷ୍ଟି ଯଜ୍ଞରେ ସଫଳ ହେବାରୁ
କୋଳ ହୋଇଗଲା ପୂର୍ଣ୍ଣ
ହୃଦୟ ମନ୍ଦିର ଯାହା ରହିଥିଲା
ବିବାହ କାଳରୁ ଶୂନ୍ଯ।୩
ପୁତ୍ର ଆଗମନ ଦେଖି ଏ ସଂସାର
ଆନନ୍ଦେ ଗାଇଲା ଗୀତ
କିଏ ବାଦ୍ଯଯନ୍ତ୍ର କିଏ ବା ନାଚିଲେ
ରାଜାଙ୍କର ଚାହିଁ ହିତ।୪
ମଙ୍ଗଳ ସଙ୍ଗୀତ ପବନ ଗାଇଲା
ଘଡ଼ଘଡି଼ ବାଦ୍ଯଯନ୍ତ୍ର
ନାଚିଲା ଦୂରରେ ସେ ଦିଗବଳୟ
ବର୍ଷାର ବି ବେଦମନ୍ତ୍ର।୫
ସମୁଦ୍ର ଆନନ୍ଦେ ପାଦ ଧୋଇବାକୁ
ବ୍ଯାକୁଳିତ ହୋଇଗଲା
ମିଠା ଜଳରାଶି ନଦୀ ଗାଧୋଇବ
କଳକଳ ବହିଗଲା।୬
ଦାଣ୍ଡ ଦୁଆରରେ ଇନ୍ଦ୍ରଧନୁ ଆସି
ତୋରଣ ଟାଙ୍ଗିଲା ଧିରେ
ଆକାଶରେ ସବୁ ଗ୍ରହ ଓ ନକ୍ଷତ୍ର
ଆସି ସଜେଇଲେ ବାରେ।୭
ମାଟି ମାଆ କୋଳେ ଖେଳିଲେ ଶିଶୁଏ
ଆନନ୍ଦ ମନରେ ଯେବେ
ଦେଖି ବ୍ରହ୍ମା ବିଷ୍ଣୁ ମହେଶ୍ବର ଆସି
ଆଶୀର୍ବାଦ ଭକ୍ତିଭାବେ।୮
ସକଳ ଦେବତା ଆଉ ଦେବୀଗଣ
ଶୁଭାଶିଷ ଦେବା ପାଇଁ
ଗାଇଲେ ନାଚିଲେ ହୃଦୟ କନ୍ଦରେ
ନିଜ ଇଛାମତେ ଯାଇ।୯
କିଏ ଆଶୀର୍ବାଦ କିଏ ବା ପ୍ରଣାମ
କରିଲେ ଅଯୋଧ୍ଯା ଆସି
ସଂସାର ହାଟକୁ ସନ୍ତୋଷ ବୁଣିବେ
ସେ’ପାଇଁ ସଭିଏଁ ଖୁସି।୧୦