ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟା ଧର ମହାନ୍ତ ଙ୍କ କବିତା – ବିରାଗ

 ବିରାଗ

ରାଗ -:-(ରାମକେରୀ )

 

ମନୋହର ଆମ ପୃଥିବୀ

            ନାନା ସମ୍ପଦେ ଭରା,

ସ୍ଵଭାବେ ପ୍ରକୃତି ସୁନ୍ଦରୀ

            ଜନ ଧନ ପସରା (1)

 

କୋଟିକୋଟି ପ୍ରାଣୀ ଜଗତେ

          ସ୍ନେହ ରଜ୍ଜୁରେ ବାନ୍ଧି

ସୁଧାସମ ଖାଦ୍ୟ ପରଷେ

          ସୂର୍ଯ୍ୟ ଉତାପେ ରାନ୍ଧି (2)

 

ଯାହାର ଯା’ଲୋଡ଼ା ଧରାରେ

         ମନ ଜାଣି ପ୍ରକୃତି

ବିତରଇ ନିତି ପ୍ରାଣୀଙ୍କୁ

        ଭାବି ନିଜ ସମ୍ପତ୍ତି (3)

 

ତଥାପି ଏ’ରମ୍ୟ ଜଗତେ

        କେତେ ବିଜ୍ଞ ମାନବ

ସଂସାର ଜଞ୍ଜାଳୁ ଇଛନ୍ତି

        ଭିନ୍ନ ମୁକ୍ତ ବିଭବ (4)

 

ସେହି ଦିବ୍ୟଚେତା ହୃଦୟେ

        ଯେବେ ଜାଗେ ବିରାଗ,

ସଂସାରର ମୋହ ମାୟାରେ

         ତାର ବଢଇ ରାଗ (5)

 

ବିଜ୍ଞ ହେଲେ ମଧ୍ୟଁ ନିମିଷେ

         ତୁଛ ମଣେ ସଂସାର

ତେଣୁ ତ୍ୟାଗକରେ ସ୍ୱଗୃହ

          ସୁନ୍ଦର ପରିବାର (6)

 

ନିଜ ଜମିବାଡ଼ି ଗୋଧନ

             କିମ୍ବା ଧନ ସମ୍ପତ୍ତି

ବୈରାଗୀ ମଣଇ ତା’ମାର୍ଗେ

            ସଦା ମହା ବିପତ୍ତି (7)

 

ଯାହାଦେଖେ ବେନି ନୟନେ

             ମୂଲ୍ୟହୀନ ଭାବଇ,

ବୋଝମଣି ତାକୁ ବିରାଗେ

            ପଥେପ୍ରାନ୍ତେ ଫିଙ୍ଗଇ (8)

 

ଲୋଭେ ବଶହୋଇ ଅରଜି

           ଥିଲେ ବୈରାଗୀ ଜନ,

ଚାହୁଁଚାହୁଁ ତାହା ବରଜେ

           ହେଲେ ବିତୃଷ୍ଣା ମନ (9)

 

ତେଜିମୂଲ୍ୟବାନ ବସନ

            ବହୁମୂଲ୍ୟ ଭୂଷଣ

ପିନ୍ଧି ଛୋଟ ନାଲି କୌପିନ

            କରେ ବିଶ୍ୱ ଭ୍ରମଣ (10)

 

ସଂସାରର ଯେତେ ରହିଛି

           ରମ୍ୟ ମଠ ଆଶ୍ରମ

ତହିଁ ଖୋଜି ବୁଲେ ବୈରାଗୀ

          ସୁବର୍ଣ୍ଣ ସମ ଧର୍ମ (11)

 

ଯହିଁ ଶୁଣେ ନିତ୍ୟ କର୍ଣ୍ଣରେ

          ମଠେ ପ୍ରଭୁଙ୍କ ନାମ

. ସେହିସ୍ଥାନ ମଣେ ବୈକୁଣ୍ଠ

           ପୁର ହରିଙ୍କ ଧାମ (12)

 

ପ୍ରଭୁନାମେ ମିଳେ ସର୍ବଦା

          ଯେଉଁ ନାମ ରତନ

ତାକୁ ନିତ୍ୟ ରଖେ ସାଉଁଟି

          ବାଳ ସୂର୍ଯ୍ୟ ବରଣ (13)

 

ଯେତେ ବନ ନଦୀ ଝରଣା

         କିମ୍ବା ପର୍ବତ ଅଙ୍କେ

ସ୍ଵଭାଵ ରାଣୀଙ୍କ କୋଳରେ

              ରହି ଥାଏ ନିଶଙ୍କେ (14)

 

ବିରାଗ ଜନ୍ମିଲେ ବିରାଗୀ

            ମନେ ଘଟେ ଏପରି

ତେଣୁ ତାକୁ ଭଲ ଲାଗଇ

            ମଠ ବନ ନଗରୀ 1(15)

 

++++++ସମାପ୍ତ +++++

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା.

କେନ୍ଦୁଝର

 

Related posts

ଡୁଡୁକାଠେଙ୍ଗା ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ, ରସଗୋଲା ଓ ଲଷ୍ମୀ-ନାରାୟଣ ଭେଟ

Sunil Chandra Nayak

ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବିରେ ବିଇଓଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!