ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଗମ ତ୍ରିଲୋଚନପୁର ଓ ବିକାଶନଗର ପରିଦର୍ଶନ 

ସାମିଲ ହେଲେ ନବନିଯୁକ୍ତ ସହକାରୀ ଯନ୍ତ୍ରୀଙ୍କ ପ୍ରତିନିଧି ଦଳ

ଲାଞ୍ଜିଗଡ଼,୦୭/୦୫(ମ.ନି.ସ)-କଳାହାଣ୍ଡି ଜିଲ୍ଲାର ଶେଷ ସୀମାନ୍ତରେ ଥିବା ଲାଞ୍ଜିଗଡ ବ୍ଲକର ତ୍ରିଲୋଚନପୁର ଗ୍ରାମପଞ୍ଚାୟତ କିଛି ବର୍ଷ ପୂର୍ବେ ଅବହେଳିତ ଓ ଅନୁନ୍ନତ ପଞ୍ଚାୟତ ଭାବେ ପରିଚିତ ଥିଲା । ଏପରିକି ମାଓବାଦୀଙ୍କ ଭୟରେ ଏଠାକୁ କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀମାନେ ଯାଉନଥିଲେ । ବର୍ଷ ବର୍ଷ ଧରି ତ୍ରିଲୋଚନପୁର ପଞ୍ଚାୟତ ଓ ଏହା ଅଧୀନରେ ଆସୁଥିବା ଗାଁଗୁଡିକର ଲୋକେ ସରକାରୀ ଯୋଜନା ସଂପର୍କରେ ସୁଦ୍ଧା ଜାଣିନଥିଲେ । କିନ୍ତୁ ଗତ ଦୁଇବର୍ଷ ହେଲା ବ୍ଲକରେ ବିଡିଓ ଭାବେ ଯୁବପ୍ରଶାସକ ଜିତେନ୍ଦ୍ର କୁମାର ମିଶ୍ର ଯୋଗ ଦେବାପରେ ସେ ଅବହେଳିତ ତ୍ରିଲୋଚନପୁର ଗ୍ରାମପଞ୍ଚାୟତକୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଏ ଅଞ୍ଚଳକୁ ବାରମ୍ବାର ଗସ୍ତ କରି ଲୋକଙ୍କ ସହିତ ଭାବର ଆଦାନପ୍ରଦାନ ସହିତ ପଞ୍ଚାୟତ ଅଞ୍ଚଳରେ ସରକାରୀ ଯୋଜନା ସବୁ ଉପଲବ୍ଧ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସା, କନିଷ୍ଠଯନ୍ତ୍ରୀ ପିତାମ୍ବର ହେମ୍ବ୍ରମ, ଗ୍ରାମ ରୋଜଗାର ସେବକ ଅରବିନ୍ଦ ମହାନ୍ତିଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହିତ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ଦୁଇବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ତ୍ରିଲୋଚନପୁର ଏକ ଆଦର୍ଶ ଗ୍ରାମପଞ୍ଚାୟତ ହେବାକୁ ଯାଉଥିବାବେଳେ ଆଦିବାସୀ ଓ ଡଙ୍ଗରିଆ କନ୍ଧ ଜନଜାତି ବହୁଳ ଏହି ଅଞ୍ଚଳ ଏବେ ଦ୍ରୁତ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛି । ପଞ୍ଚାୟତ ଅଞ୍ଚଳରେ ଅନେକ ଆଖିଦୃଶିଆ କାର୍ଯ୍ୟ ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା ନଅଜଣ ସହକାରୀ ଯନ୍ତ୍ରୀଙ୍କ ପ୍ରତିନିଧି ଦଳ ଆଜି ତ୍ରିଲୋଚନପୁର ଗ୍ରାମପଞ୍ଚାୟତ ପରିଦର୍ଶନ କରିବା ସହିତ ଦୁର୍ଗମ ତଥା ମାଓପ୍ରବଣ ଅଞ୍ଚଳର ବିକାଶ ପ୍ରକ୍ରିୟା ଦେଖି ତାଜୁବ ହୋଇଯାଇଥିଲେ । ଆଜି କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ପ୍ରଶାସକ ସୁରେଶ ସାହୁ, ନିର୍ବାହୀ ଯନ୍ତ୍ରୀ ଋଷିକେଶ ଦଣ୍ଡସେନାଙ୍କ ନେତୃତ୍ୱରେ ଜିଲ୍ଲାରେ ନବନିଯୁକ୍ତ ନଅଜଣ ସହକାରୀ ଯନ୍ତ୍ରୀ ତ୍ରିଲୋଚନପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିବା ପରେ ଏହାର ସୌନ୍ଦର୍ଯ୍ୟ ଦେଖି ଅଭିଭୁତ ହୋଇପଡିଥିଲେ । ସେହିପରି ନିୟମଗିରି ପାହାଡ ଉପରେ ଥିବା ଫୁଲଡୁମେର ଓ କୁନାକାଡୁ ଗାଁକୁ ଗସ୍ତ କରିବା ସହିତ ସେଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ । ସେହିପରି ଏହି ପରିଦର୍ଶକ ଦଳ ବ୍ଲକର ଲାଞ୍ଜି ପଞ୍ଚାୟତର ନଙ୍ଗଳବାହାଲି ଗାଁରେ ଚାଲିଥିବା ବିକାଶନଗର କାର୍ଯ୍ୟ ପରିଦର୍ଶନ କରି ଦୁର୍ଗମ ଅଞ୍ଚଳର ଲୋକଙ୍କୁ ପାହାଡ ତଳକୁ ଓହ୍ଲାଇ ଆଣି ଥଇଥାନ କରାଯାଉଥିବା ଦେଖି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ । ଏହାସହିତ ଲାଞ୍ଜିଗଡ ବ୍ଲକର ଏହିସବୁ ଅଞ୍ଚଳ ଓ ସେଠାରେ ହୋଇଥିବା ଉନ୍ନୟନ କାର୍ଯ୍ୟ ଓ ପ୍ରକଳ୍ପ କେବଳ ଜିଲ୍ଲା କିମ୍ବା ରାଜ୍ୟ ନୁହେଁ ସାରା ଦେଶ ପାଇଁ ଉଦାହରଣ ବୋଲି ପ୍ରକାଶ କରିଥିଲେ । ଏହି ପରିଦର୍ଶକ ଦଳ ସହିତ ଉଭୟ ପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସା ଉଭୟ ପଞ୍ଚାୟତ ପରିଦର୍ଶନରେ ସାମିଲ ହେବା ସହିତ ବ୍ଲକ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷର ମିଳିତ ଉଦ୍ୟମ କିଭଳି ସଫଳ ହୋଇପାରିଛି ତାହା ଦର୍ଶାଇଥିଲେ ।

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଘର ଉପରେ ପଡ଼ିଲା ଗଛ , ମୃତ୍ୟୁ ମୁଖରୁ ବଞ୍ଚିଗଲେ ୨ପରିବାର ର ୧୩ ଜଣ

Sunil Chandra Nayak

ବରିଷ୍ଠ ସାମ୍ବାଦିକ ରବି ରଥ ସପ୍ତମ ଥର ପାଇଁ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ମହାସଂଘ ସଭାପତି ନିର୍ବାଚିତ

Sunil Chandra Nayak

ଖୁବଶୀଘ୍ର ଜୟପୁର ବିମାନବନ୍ଦରରୁ ଉଡ଼ିବ ବିମାନ

Sunil Chandra Nayak

Leave a Comment

error: Content is protected !!