ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅଜୟ କୁମାର ନାୟକ ଙ୍କ କବିତା= ଫେରି ଆସିଥିବା ଫଗୁଣର ବାର୍ତ୍ତା

ଫେରି ଆସିଥିବା ଫଗୁଣର ବାର୍ତ୍ତା

ଫେରି ଆସିଥିବା ଫଗୁଣର ବାର୍ତ୍ତାକଳ୍ପନା
ମହୋଦଧି କୂଳରେ ବସି ଶୁଣୁଥିଲି,
ଅସଂଖ୍ୟ ଲହରୀର ସଙ୍ଗୀତ—
ନିରବତାର ଛାତି ଉପରେ ଭାଙ୍ଗି ପଡୁଥିବା
ଅବ୍ୟକ୍ତ ଆହ୍ୱାନ ଭଳି।
ଉତ୍ତରଶୂନ୍ୟ ସମଗ୍ର ଦିଗବଳୟରେ
ପ୍ରଶ୍ନ ଖୋଜୁଥିଲି,
ସ୍ୱପ୍ନର ସଫେଦ ଗାଲିଚା ପଟରେ
ଧୀରେ ଧୀରେ ରଙ୍ଗ ହରାଉଥିଲା
ମୋ ସମଗ୍ର ଦୁନିଆ।
ହଠାତ୍ ତୁମ ପ୍ରବେଶ—
ମୋ ଜୀବନ ମାନସ ଗ୍ରନ୍ଥରେ
ନୂଆ ଅଧ୍ୟାୟ ଭଳି,
ଦିନାଲୋକର ଦ୍ୱିତୀୟ ପହରେ
ଆଶାର ଦୀପ ଜ୍ୱଳିଉଠିଲା।
ମିଳନ ରସର ବେଳାଭୂମିରେ
ଏକାଠି ହେଲା ଦୁଇଟି ମନ,
ଆଖିରେ ଆଖି ମିଶିଗଲା
ହୃଦୟରେ ହୃଦୟ—
ନିରବ ଭାଷାର ଗଭୀର ସମ୍ବାଦ।
ଶୂନ୍ୟତାର ପାହାଚ ଉପରେ
ମାପିନେଲି ଉସ୍ମତା,
ତୁମ ନୀଳ ଆଖିର ସରୋବରରେ
ଡୁବିଗଲା ମୋ ଅଶାନ୍ତ ମନ।
ଉଷ୍ଣ ଖରା ବେଳଟାରେ
ମତୁଆଲା ହୋଇଉଠେ ପ୍ରେମିକ ପ୍ରବର,
ଆଜି ସବୁକିଛି ଯେମିତି
ତୁମ ହାତ ପାହାନ୍ତାରେ—
ବାକି ସବୁ ହୋଇଯାଏ ଅପରିଗଣ୍ୟ।
ଭୁଲିଯାଇଛି ସମସ୍ତଙ୍କୁ,
ନିଜକୁ ପଚାରେ ନିଜ ପରିଚୟ,
କଣ ପାଇଛି, କଣ ହରାଇଛି—
ସେ ହିସାବ ରଖିବାକୁ
ଆଜି ସମୟ ନାହିଁ।
ଆକାଶ ବୁକୁରେ ମଥା ପିଟି
ପୁଣି ସଜାଉଥିଲି
ଅସଜାଡ଼ା, ଭଙ୍ଗା ସ୍ୱପ୍ନର ପାହାନ୍ତା,
ବତୁରିଯାଇଥିବା ଅସଙ୍ଖ୍ୟ ରାତିର ସ୍ୱପ୍ନ
ଚୁପେଚାପ ଖସିପଡିଲା।
ଝରିଗଲା ଦୁଇଟି ଲୁହର ଟୋପା,
ଆଉ ସେଇ ନୀଳ ଜହ୍ନ
ପୁଣି ଥରେ ଆଣିଦେଲା—
ଫେରି ଆସିଥିବା
ଫଗୁଣର ବାର୍ତ୍ତା।

ଅଜୟ କୁମାର ନାୟକ

ASI, ଓଡିଶା ଖଣି ନିଗମ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

Sunil Chandra Nayak

କବିତା – ସିନ୍ଦୂର

masiha

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

Sunil Chandra Nayak

Leave a Comment

error: Content is protected !!