ଶିକ୍ଷାର ପ୍ରଥମ ରେଖା : ଖଡ଼ିଛୁଆଁର ସଂସ୍କୃତି ଓ ସମୟର ଆହ୍ୱାନ
ଡ଼ା. ଦେବୀ ପ୍ରସାଦ ମିଶ୍ର,
ସମୟର ସ୍ରୋତ ସଦା ଆଗକୁ ବହୁଛି,କିନ୍ତୁ ସଂସ୍କୃତି ଓ ପରମ୍ପରାର ମୂଳ ନିତ୍ୟ ଅବିଚଳ ରହେ।ଆଧୁନିକତାର ତୀବ୍ର ଗତିରେ ଯେତେବେଳେ ମାନବ ସମାଜ ନୂତନ ପରିଚୟ ଖୋଜୁଛି,ସେତେବେଳେ ଶିକ୍ଷାକ୍ଷେତ୍ରରେ ପରମ୍ପରା ଓ ପ୍ରଗତିର ଏକ ସୁନ୍ଦର ସମନ୍ୱୟ ଦେଖାଯାଉଛି—ଯାହାର ଜ୍ଞାନମୟ ପ୍ରତୀକ ହେଉଛି ସରକାରୀ ବିଦ୍ୟାଳୟଗୁଡ଼ିକରେ ଆୟୋଜିତ “ପ୍ରବେଶ ଉତ୍ସବ” ଓ “ଖଡ଼ିଛୁଆଁ ପର୍ବ”। ଏହା କେବଳ ଦୁଇଟି ଉତ୍ସବ ନୁହେଁ,ବରଂ ଶିକ୍ଷାକୁ ନେଇ ସମାଜର ଆନ୍ତରିକ ଆବେଗ,ସାଂସ୍କୃତିକ ଆସ୍ଥା ଓ ନୂତନ ପିଢ଼ୀ ପ୍ରତି ଆଶାର ଏକ ଗଭୀର ଅଭିବ୍ୟକ୍ତି।ସମୟର ପରିବର୍ତ୍ତନଶୀଳ ଧାରାରେ ମାନବ ସଭ୍ୟତା ଯେପରି ବିକଶିତ ହୋଇଛି,ସେପରି ଶିକ୍ଷାର ଆରମ୍ଭକୁ ନେଇ ମାନବ ମନରେ ରହିଛି ଏକ ଗଭୀର ଆସ୍ଥା ଓ ପାରମ୍ପରିକ ସମ୍ବେଦନା।ଓଡ଼ିଆ ସଂସ୍କୃତିରେ ‘ଖଡ଼ିଛୁଆଁ’ କେବଳ ଏକ ଆଚାର ନୁହେଁ,ଏହା ହେଉଛି ଜ୍ଞାନର ଦ୍ୱାର ଖୋଲିବାର ଏକ ପବିତ୍ର ପ୍ରତୀକ—ଏକ ନିର୍ବାକ ଦୀକ୍ଷା,ଯେଉଁଠି ଶିଶୁର କୋମଳ ଆଙ୍ଗୁଳି ମାଧ୍ୟମରେ ଆରମ୍ଭ ହୁଏ ତା’ର ଜୀବନ ସଂଗ୍ରାମର ପ୍ରଥମ ଅକ୍ଷର।ଏହି ପରିପ୍ରେକ୍ଷିରେ “ଖଡ଼ିଛୁଆଁ ପର୍ବ” ଆମ ସାଂସ୍କୃତିକ ଐତିହ୍ୟର ଏକ ଜୀବନ୍ତ ଚିହ୍ନ।ଏହା ଶିଶୁଙ୍କ ଜୀବନରେ ଶିକ୍ଷାର ପ୍ରଥମ ସ୍ପର୍ଶ—ଯେଉଁଠାରେ ଏକ ନିର୍ମଳ ମନ ଅକ୍ଷରର ସହ ଚିର ସମ୍ପର୍କ ସ୍ଥାପନ କରେ।“ଓଁ” କିମ୍ବା “ଶ୍ରୀ” ଲେଖିବାର ସେହି ପ୍ରଥମ ମୁହୂର୍ତ୍ତ କେବଳ ଲେଖା ନୁହେଁ,ବରଂ ଜ୍ଞାନର ଦ୍ୱାରକୁ ଖୋଲିବାର ଏକ ପବିତ୍ର ଉପକ୍ରମ।ଏହା ଶିଶୁଙ୍କ ମନରେ ଶିକ୍ଷା ପ୍ରତି ଭକ୍ତି,ଶୃଙ୍ଖଳା ଓ ଦାୟିତ୍ୱବୋଧ ଜାଗ୍ରତ କରେ।
ଏହି ପର୍ବର ମୂଳ ଉତ୍ସ ରହିଛି ଆମ ପୁରାତନ ଗୁରୁକୁଳ ପରମ୍ପରାରେ।ସେଦିନର ଚାଟଶାଳୀର ମାଟି ଗନ୍ଧ ଓ ଗୁରୁଙ୍କ ଆଶୀର୍ବାଦ ଆଜି ହେଉଛି ସ୍ମୃତିର ଅଂଶ,କିନ୍ତୁ ତାହାର ଆତ୍ମା ଅବିକଳ ରହିଛି।ଖଡ଼ି ଧରାଇ ଶିଶୁର ହାତରେ ଗୁରୁଜନ ଯେତେବେଳେ ସିଲଟରେ ଆଙ୍କିଥାନ୍ତି ପ୍ରଥମ ଚିହ୍ନ,ସେ କେବଳ ଅକ୍ଷର ନୁହେଁ—ସେ ହେଉଛି ଶିକ୍ଷା ପ୍ରତି ନମନ,ଜ୍ଞାନ ପ୍ରତି ଆହ୍ୱାନ ଓ ଜୀବନ ପ୍ରତି ଏକ ସଚେତନ ପଦକ୍ଷେପ।
ସାଧାରଣତଃ ବାଗଦେବୀ ସରସ୍ବତୀଙ୍କ ପୂଜା ସହିତ ଏହି ଆରମ୍ଭ ଜଡିତ।ଏହାର ମାଧ୍ୟମରେ ଆମେ ଶିଶୁଙ୍କୁ କେବଳ ପାଠଶାଳାରେ ପ୍ରବେଶ କରାଉ ନାହିଁ,ତା’କୁ ଜ୍ଞାନ,ଶିଷ୍ଟାଚାର ଓ ସଂସ୍କାରର ଏକ ବିଶାଳ ଜଗତରେ ଆମନ୍ତ୍ରଣ ଦେଉଛୁ। ଏହି ଅନୁଷ୍ଠାନ ମାଧ୍ୟମରେ ଶିଶୁର ମନରେ ବିଦ୍ୟାଳୟ ପ୍ରତି ଭୟ ନୁହେଁ,ବରଂ ଆକର୍ଷଣ ଓ ଆନନ୍ଦର ଭାବନା ଉତ୍ପନ୍ନ ହୁଏ—ଏହା ହେଉଛି ଏହି ପରମ୍ପରାର ସବୁଠୁ ବଡ଼ ସାର୍ଥକତା।
ଏକବିଂଶ ଶତାବ୍ଦୀର ଡିଜିଟାଲ ଯୁଗରେ ଯେତେବେଳେ ଶିକ୍ଷା ପ୍ରଣାଳୀ ଟେକ୍ନୋଲୋଜିରେ ନିର୍ଭରଶୀଳ,ସେତେବେଳେ ଖଡ଼ିଛୁଆଁ ପରମ୍ପରା ଆମକୁ ମୂଳ ସହିତ ଜଡ଼ାଇ ରଖୁଛି।ଏହା ଆମକୁ ସ୍ମରଣ କରାଏ ଯେ ଶିକ୍ଷାର ଆରମ୍ଭ କେବଳ ପାଠ୍ୟପୁସ୍ତକ ନୁହେଁ,ବରଂ ଏକ ଆତ୍ମିକ ପ୍ରକ୍ରିୟା।ସେଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ‘ପ୍ରବେଶ ଉତ୍ସବ’ ସହିତ ଏହି ପରମ୍ପରାକୁ ଯୋଡ଼ାଇବା ଏକ ସୁଦୃଷ୍ଟିପୂର୍ଣ୍ଣ ପଦକ୍ଷେପ।
ବର୍ତ୍ତମାନର ପରିପ୍ରେକ୍ଷୀରେ,ଖଡ଼ିଛୁଆଁ କେବଳ ଏକ ପାରମ୍ପରିକ ଉତ୍ସବ ରହିନାହିଁ;ଏହା ହୋଇଯାଇଛି ଏକ ସାମାଜିକ ଆନ୍ଦୋଳନ।‘ପ୍ରତ୍ୟେକ ଶିଶୁ ବିଦ୍ୟାଳୟକୁ’—ଏହି ମନ୍ତ୍ରକୁ ସାର୍ଥକ କରିବା ପାଇଁ ଏହା ହେଉଛି ଏକ ସୁଦୃଢ଼ ମାଧ୍ୟମ।ଅବହେଳିତ ଓ ପିଛିଡ଼ା ବର୍ଗର ଅଭିଭାବକମାନଙ୍କୁ ଏହା ଆକର୍ଷିତ କରୁଛି,ଶିକ୍ଷା ପ୍ରତି ତାଙ୍କର ଦୃଷ୍ଟିକୋଣକୁ ବଦଳାଉଛି। ଏହି ଉତ୍ସବ ମାଧ୍ୟମରେ ବିଦ୍ୟାଳୟ ହେଉଛି ଏକ ପରିବାର ଏବଂ ଶିକ୍ଷା ହେଉଛି ଏକ ଉତ୍ସବମୟ ଅନୁଭୂତି।
ଶିକ୍ଷା କେବଳ ତଥ୍ୟ ଓ ଜ୍ଞାନର ସଂଗ୍ରହ ନୁହେଁ;ଏହା ମନୁଷ୍ୟ ଗଢ଼ିବାର ଏକ ସୃଜନଶୀଳ ପ୍ରକ୍ରିୟା।ଏହି ଗଢ଼ାଣିର ପ୍ରଥମ ପଦକ୍ଷେପ ଯଦି ଆନନ୍ଦ,ଆତ୍ମୀୟତା ଓ ସମ୍ମାନରେ ଭରିଥାଏ, ତେବେ ତାହାର ପରିଣାମ ଦୀର୍ଘସ୍ଥାୟୀ ଓ ସାର୍ଥକ ହୁଏ। ସରକାରୀ ବିଦ୍ୟାଳୟରେ ପ୍ରବେଶ ଉତ୍ସବର ଆୟୋଜନ ଏହି ଦୃଷ୍ଟିକୋଣର ଏକ ସ୍ପଷ୍ଟ ପ୍ରତିବିମ୍ବ।ଏଠାରେ ନୂତନ ଛାତ୍ରଛାତ୍ରୀମାନେ କେବଳ ଭର୍ତ୍ତି ହୁଅନ୍ତି ନୁହେଁ,ବରଂ ସେମାନଙ୍କୁ ଆଦର,ସ୍ନେହ ଓ ସମ୍ମାନରେ ସ୍ୱାଗତ କରାଯାଏ।ଫୁଲର ସୁଗନ୍ଧ,ସ୍ୱାଗତ ଗୀତର ମାଧୁର୍ଯ୍ୟ,ଶିକ୍ଷକଙ୍କ ମୁଖରେ ହସ—ଏହି ସମସ୍ତ ମିଶି ଶିଶୁମାନଙ୍କ ମନରେ ବିଦ୍ୟାଳୟ ପ୍ରତି ଏକ ଆକର୍ଷଣ ସୃଷ୍ଟି କରେ,ଯାହା ଶିକ୍ଷାର ପଥକୁ ସୁଗମ କରିଥାଏ।
ପ୍ରତ୍ୟେକ ଶିକ୍ଷାବର୍ଷ ପାଇଁ ଆୟୋଜିତ ହୋଇଥିବା ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଏହି ଧାରାକୁ ଆଉ ଅଧିକ ସୁଦୃଢ଼ କରିଛି।ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନୂତନ ଭର୍ତ୍ତି ପାଇଁ ଏହା ହେଉଛି ଏକ ସୁଯୋଗମୟ ମଞ୍ଚ।ଆନନ୍ଦମୟ ପରିବେଶ,ସୃଜନାତ୍ମକ କାର୍ଯ୍ୟକ୍ରମ ଓ ସମ୍ମାନପୂର୍ଣ୍ଣ ଆମନ୍ତ୍ରଣ—ଏହା ସବୁ ମିଶି ଏହି ଦିନଟିକୁ କରିଥାଏ ସ୍ମରଣୀୟ।ଏହି ଦୁଇଟି ଉତ୍ସବର ସଂଯୁକ୍ତ ପ୍ରଭାବ ସାମାଜିକ ଓ ଶିକ୍ଷାମୂଳକ ଦୃଷ୍ଟିରୁ ଅତ୍ୟନ୍ତ ଗଭୀର। ଏହା ବିଦ୍ୟାଳୟକୁ କେବଳ ଏକ ପାଠପଢ଼ାର ସ୍ଥାନ ଭାବେ ନୁହେଁ,ବରଂ ଏକ ସାମାଜିକ କେନ୍ଦ୍ର ଭାବେ ପରିଣତ କରେ। ଅଭିଭାବକମାନେ ବିଦ୍ୟାଳୟ ସହ ନିକଟତର ହୁଅନ୍ତି, ଶିକ୍ଷକମାନେ ସମାଜ ସହ ଯୋଡ଼ି ହୋଇଯାନ୍ତି ଓ ଶିଶୁମାନେ ଏକ ଆତ୍ମୀୟ ପରିବେଶରେ ଶିକ୍ଷା ଗ୍ରହଣ କରନ୍ତି।ଏହି ପ୍ରୟାସ ଡ୍ରପଆଉଟ୍ ହାର କମେଇବା ସହିତ ସମସ୍ତଙ୍କ ପାଇଁ ଶିକ୍ଷାକୁ ସୁଲଭ ଓ ଆକର୍ଷଣୀୟ କରିବାରେ ସାହାଯ୍ୟ କରୁଛି।ଆଜିର ପରିସ୍ଥିତିରେ ଯେତେବେଳେ ବେସରକାରୀ ଶିକ୍ଷା ପ୍ରତି ଆକର୍ଷଣ ବଢ଼ୁଛି,ସେତେବେଳେ ସରକାରୀ ବିଦ୍ୟାଳୟରେ ଏହିପରି ସୃଜନଶୀଳ ଓ ସାଂସ୍କୃତିକ ପଦକ୍ଷେପ ଏକ ନୂତନ ଆଶା ସଞ୍ଚାର କରୁଛି।ଏହା ପ୍ରମାଣ କରୁଛି ଯେ,ଯଦି ଇଚ୍ଛା ଓ ପ୍ରୟାସ ଥାଏ,ତେବେ ସରକାରୀ ବ୍ୟବସ୍ଥାରେ ମଧ୍ୟ ଉତ୍କୃଷ୍ଟ ଶିକ୍ଷା ଦିଆଯାଇପାରେ।ତଥାପି,ଏହି ପର୍ବର ସଫଳତା କେବଳ ସରକାରୀ ପଦକ୍ଷେପରେ ସୀମିତ ନୁହେଁ।ଏଥିପାଇଁ ସମାଜର ପ୍ରତ୍ୟେକ ଶ୍ରେଣୀ—ଅଭିଭାବକ,ଶିକ୍ଷକ ଓ ସଚେତନ ନାଗରିକ—ସମସ୍ତଙ୍କ ସକ୍ରିୟ ସହଭାଗୀତା ଆବଶ୍ୟକ।କାରଣ ଏକ ଶିଶୁର ହାତରେ ଧରାଯାଇଥିବା ଖଡ଼ି ଆଗାମୀ ଦିନରେ ଗଢ଼ିପାରେ ଏକ ସଚେତନ ସମାଜ ଓ ସଶକ୍ତ ରାଷ୍ଟ୍ର।ପରିଶେଷରେ ଏତିକି କୁହାଯାଇପାରେ ଯେ ଖଡ଼ିଛୁଆଁ ହେଉଛି ଏକ ଆରମ୍ଭ—କିନ୍ତୁ, ଏହାର ପ୍ରତିଧ୍ୱନି ଜୀବନର ସମଗ୍ର ପଥରେ ଶୁଣାଯାଏ।ଏହି ପବିତ୍ର ଆରମ୍ଭକୁ ଯଦି ଆମେ ସମସ୍ତେ ସମ୍ମାନ ଓ ସଚେତନତା ସହିତ ପାଳନ କରିପାରିବା,ତେବେ ନିଶ୍ଚିତ ଭାବେ ଆମେ ଗଢ଼ିପାରିବା ଜ୍ଞାନମୟ,ସଂସ୍କୃତିମୟ ଓ ପ୍ରଗତିଶୀଳ ଓଡ଼ିଶା,ଭାରତ ଓ ପୃଥିବୀ।ପ୍ରକୃତରେ କୁହିବାକୁ ହେଲେ “ପ୍ରବେଶ ଉତ୍ସବ” ଓ “ଖଡ଼ିଛୁଆଁ ପର୍ବ” କେବଳ ଏକ ଆରମ୍ଭ ନୁହେଁ,ବରଂ ଏକ ସୁନ୍ଦର ଯାତ୍ରାର ପ୍ରଥମ ପଦକ୍ଷେପ—ଯେଉଁଠାରେ ଶିକ୍ଷା ହେଉଛି ଆଲୋକ,ସଂସ୍କୃତି ହେଉଛି ଦିଗଦର୍ଶନ ଓ ଶିଶୁମାନେ ହେଉଛନ୍ତି ଭବିଷ୍ୟତର ଆଶା।ଏହି ଉତ୍ସବମୟ ପ୍ରୟାସ ନିଶ୍ଚୟ ଆମ ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ଦିଗ୍ ଦର୍ଶନ ଦେଉଛି,ଯାହା ଆଗାମୀ ପିଢ଼ୀ ପାଇଁ ଜ୍ଞାନମୟ ଓ ମୂଲ୍ୟବୋଧପୂର୍ଣ୍ଣ ସମାଜ ଗଢ଼ିବାରେ ସାହାଯ୍ୟ କରିବ।ପ୍ରକୃତ ଶିକ୍ଷl ଆମକୁ ଭଲମଣିଷ କରେ,ଭଲ କଥା ଶିଖାଏ ଆଉ ଆମ ସ୍ବପ୍ନକୁ ସଫଳ କରିବାର ବାଟ ଦେଖାଏ।ତାର ପ୍ରଥମ ପାହାଚ ଏପ୍ରିଲ ମାସରେ ହୋଇଥିବା ଖଡ଼ିଛୁଆଁ – ପ୍ରବେଶ ଉତ୍ସବ।ଆଉ ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଦ୍ବାରା ନୂତନ ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରାଯାଇଥିବା ଏହାର ନିମନ୍ତ୍ରଣ ପତ୍ର ହେଉଛି ଏକ ଆନନ୍ଦମୟ ଉତ୍ସବର ବିରଳ ଅବସର।ସେଇ ଅବସରରେ ଆମର କର୍ତ୍ତବ୍ୟ କୁନି କୁନି ପିଲାଙ୍କୁ ଶିକ୍ଷlର ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ତାଙ୍କ ହାତରେ ଖଡ଼ି ଧରାଇ,ଅ-ଅକ୍ଷର ଶିଖିବା ଠାରୁ ଆରମ୍ଭ କରି,ଆ-ଆତ୍ମନିର୍ଭରଶୀଳ ହେବା ପାଇଁ ଲକ୍ଷ୍ୟ ପଥରେ ପହଞ୍ଚିବା ପର୍ଯ୍ୟନ୍ତ ପଥ ପ୍ରଦର୍ଶନ କରିବା।
ଡ଼ା. ଦେବୀ ପ୍ରସାଦ ମିଶ୍ର,
✉️ debisirscience@gmail.com
/ debiprasadmishra085@gmail.com

