ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଥ ଅଧ୍ଯାୟର ସାରକଥା-୪
ଭଗବାନ କହିଲେ- ମୁଁ ପ୍ରଥମେ ଏ କର୍ମଯୋଗର ଉପଦେଶ ସୂର୍ଯ୍ୟଙ୍କୁ ଦେଇଥିଲି । ସୂର୍ଯ୍ୟ ତାଙ୍କ ପୁତ୍ର ମନୁଙ୍କୁ,ମନୁ ତାଙ୍କ ପୁତ୍ର ଇକ୍ଷ୍ବାକୁଙ୍କୁ ଦେଇଥିଲେ । ପରମ୍ପରା କ୍ରମେ ରାଜର୍ଷିମାନେ ଏ ଯୋଗାଭ୍ଯାସ କରୁଥିଲେ । କାଳକ୍ରମେ ଏହା ଲୋପ ପାଇଗଲା । ତେଣୁ ସେ ଧର୍ମର ପ୍ରତିଷ୍ଠା ପାଇଁ ମୋତେ ଅବତାର ଗ୍ରହଣ କରିବାକୁ ପଡିଲା । ମୋର ଜନ୍ମ ଓ କର୍ମ ସାଧାରଣ ଲୋକଙ୍କ ପରି ନୁହେଁ, ଦିବ୍ଯ-ଏକଥା ଯେଉଁମାନେ ଜାଣିଛନ୍ତି ସେମାନେ ଆଉ ପୁନର୍ଜନ୍ମ ଲାଭ କରନ୍ତି ନାହିଁ । ଶୀଘ୍ର ସିଦ୍ଧିଲାଭ କରିବାପାଇଁ ସାଧାରଣ ମନୁଷ୍ୟମାନେ ଅନ୍ଯ ଦେବତାମାନଙ୍କୁ ପୂଜା କରନ୍ତି । ପୁଣି ଗୁଣକର୍ମ ଭେଦରେ ମୁଁ ଚାରୋଟି ବର୍ଣ୍ଣ-ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ଯ ଓ ଶୂଦ୍ର-ସୃଷ୍ଟି କରିଅଛି । ସେମାନଙ୍କର କର୍ମ ଭିନ୍ନ ଭିନ୍ନ । ହେଲେ ଗୁଣ ଓ କର୍ମବନ୍ଧନ ମୋତେ ଲାଗେନାହିଁ । ଏ ତତ୍ତ୍ବ ଯେଉଁମାନେ ବୁଝିଛନ୍ତି ସେମାନେ ମଧ୍ଯ କର୍ମବନ୍ଧନରୁ ମୁକ୍ତ ହୁଅନ୍ତି । କର୍ମ,ଅକର୍ମ ଓ ବିକର୍ମର ତତ୍ତ୍ବ ମଧ୍ଯ ବୁଝିବା ଉଚିତ । ସାଧାରଣତଃ ଲୋକମାନେ ଯେପରି ଜାଣନ୍ତି ଏହା ସେପରି ନୁହେଁ । ଯେଉଁ ପୁରୁଷ କର୍ମରେ ଅକର୍ମ (କର୍ମଶୂନ୍ଯତା) ଦେଖନ୍ତି ସେ ପ୍ରକୃତରେ ବୁଦ୍ଧିମାନ । ତତ୍ତ୍ବଜ୍ଞାନ ଲାଭକରି,ଫଳାସକ୍ତି ତ୍ଯାଗକରି,ନୃତ୍ୟତୃପ୍ତ ଓ ନିରାଶୟ ଭାବରେ ସମସ୍ତ କର୍ମକରି ମଧ୍ଯ ବ୍ଯକ୍ତି କର୍ମବନ୍ଧନରୁ ମୁକ୍ତ ହୁଅନ୍ତି । ନିରାଶୀ, ସଂଯତଚିତ୍ତ,ଈର୍ଷାଶୂନ୍ଯ ଭାବରେ ସିଦ୍ଧି ଓ ଅସିଦ୍ଧିକୁ ସମାନ ମନେକରି ଯେ କର୍ମ କରନ୍ତି ସେ ମୁକ୍ତିଲାଭ କରନ୍ତି
ତ୍ଯାଗମୂଳକ କର୍ମ ହିଁ ଯଜ୍ଞ । ଯେ ଯଜ୍ଞର ସମସ୍ତ ଅଙ୍ଗରେ କେବଳ ବ୍ରହ୍ମଙ୍କୁ ଦର୍ଶନ କରନ୍ତି ସେ ସହଜରେ ବ୍ରହ୍ମଙ୍କୁ ପ୍ରାପ୍ତ ହୁଅନ୍ତି । ଦ୍ରବ୍ଯଯଜ୍ଞ ଅପେକ୍ଷା ଜ୍ଞାନଯଜ୍ଞ ଶ୍ରେଷ୍ଠ । ପ୍ରକୃତ ଜ୍ଞାନଲାଭ ହେଲେ କର୍ମ ଓ ଜ୍ଞାନର ପାର୍ଥକ୍ୟ ଦୂରହୁଏ । ଜ୍ଞାନଲାଭ କରିବାପାଇଁ ବ୍ରହ୍ମଜ୍ଞାନୀ ଗୁରୁଙ୍କର ଶରଣାଗତ ହେବା ଦରକାର । ଉପଯୁକ୍ତ ଗୁରୁଙ୍କଠାରୁ ଜ୍ଞାନଲାଭ କଲେ ତୁମର ପୁଣି ଏଭଳି ମୋହ ଆଉ କେବେ ହେବନାହିଁ । ସେହି ଜ୍ଞାନଲାଭ ହେଲେ ପାପ ନଷ୍ଟ ହୋଇଯିବ । ଶ୍ରଦ୍ଧାବାନ୍,କର୍ମତତ୍ପର ଓ ସଂଯତେନ୍ଦ୍ରିୟ ହେଲେ ତୁମେ ସେହି ଜ୍ଞାନଲାଭ କରି ଶାନ୍ତି ପାଇବ । ସଂଶୟ ତ୍ଯାଗକରି ସେହି ଜ୍ଞାନଦ୍ବାରା ତୁମେ କର୍ମବନ୍ଧନରୁ ମୁକ୍ତ ହେବ । ତୁମ ମନରେ ସିଦ୍ଧି ବିଷୟରେ ସଂଶୟ ରହିଲେ ସିଦ୍ଧି ତ ମିଳିବ ନାହିଁ, ବରଂ ତୁମେ ନଷ୍ଟହେବ । ଏଣୁ ତୁମର ସମସ୍ତ ସନ୍ଦେହ ଦୂରକରି ନିଷ୍କାମ ଚିତ୍ତରେ ତୁମେ ଯୁଦ୍ଧକର-ତୁମକୁ କୌଣସି ପାପ ସ୍ପର୍ଶ କରିବ ନାହିଁ । ଜ୍ଞାନଶବ୍ଦର ଅର୍ଥ ବ୍ରହ୍ମଜ୍ଞାନ ଏବଂ କର୍ମସନ୍ନ୍ଯାସ ଅର୍ଥ କର୍ମଫଳାକାଙ୍କ୍ଷା ତ୍ଯାଗ । ସମସ୍ତ ବସ୍ତୁ ଓ କର୍ମରେ ବ୍ରହ୍ମଜ୍ଞାନ ନହେଲେ କର୍ମସନ୍ନ୍ଯାସ ସମ୍ଭବ ନୁହେଁ । ଏସବୁ ବିଷୟରେ ଭଗବାନ୍ ଏ ଅଧ୍ଯାୟରେ ପ୍ରାଞ୍ଜଳଭାବରେ ବୁଝାଇଅଛନ୍ତି । ଏଣୁ ଏ ଅଧ୍ଯାୟର ନାମ ଜ୍ଞାନ-କର୍ମ-ସନ୍ନ୍ଯାସ-ଯୋଗ ରଖାଯାଇଛି ।
ଆଚାର୍ଯ୍ୟ ଶଙ୍କର ପ୍ରଭୃତି ସନ୍ନ୍ଯାସୀମାନେ ଗୀତାର ବ୍ଯାଖ୍ଯା ପ୍ରଥମେ କରିଥିବାରୁ ଏବଂ ଏବେ ମଧ୍ଯ ଅନେକ ତାଙ୍କର ଅନୁଗାମୀ ହୋଇଥିବାରୁ ସନ୍ନ୍ଯାସ ଅର୍ଥ କର୍ମତ୍ଯାଗ ବୋଲି କହିଛନ୍ତି । ମାତ୍ର ଏହା ଗୀତାର ପ୍ରତିପାଦ୍ଯ ବିଷୟ ହୋଇଥିଲେ ଅର୍ଜୁନ ଯୁଦ୍ଧ ନକରି ବଣକୁ ତପସ୍ଯା କରିବାକୁ ଯାଇଥାନ୍ତେ । ଭଗବାନ୍ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସମସ୍ତ ତତ୍ତ୍ବ ବୁଝାଇ ଯୁଦ୍ଧଭଳି ଭୟଙ୍କର କର୍ମରେ ପ୍ରବୃତ୍ତ କରିଥିବା ହେତୁ ସନ୍ନ୍ଯାସୀମାନଙ୍କର ବ୍ଯାଖ୍ଯା ସମୀଚୀନ ମନେହୁଏନାହିଁ । ମନୁ,ଇକ୍ଷ୍ବାକୁ ଓ ଜନକ ପ୍ରଭୃତି ରାଜର୍ଷିମାନଙ୍କ ଭଳି ଗୃହସ୍ଥ କର୍ମଯୋଗୀ ଏବେ ବିରଳ । ଏଣୁ କର୍ମଯୋଗର ପ୍ରକୃତ ତତ୍ତ୍ବ ଏବେ ସାଧାରଣତଃ ସମସ୍ତଙ୍କ ପକ୍ଷରେ ଦୁର୍ବୋଧ ।
ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର,