ସାହିତ୍ୟ ଅଗଣାରଜ ଭାଗବତ by Sunil Chandra NayakJune 15, 2026039 Share0 ରଜ ଭାଗବତ କବି ଶ୍ରୀ ଶମ୍ଭୁନାଥ ଦାସ,ଯାଜପୁର ନମଇଁ ପ୍ରଭୁ ଜଗନ୍ନାଥ । ଶ୍ରୀପାଦେ କୋଟି ପ୍ରଣିପାତ ।। ସକଳ କର୍ମର ବିଧାନ । ଅତୀତ ଆଉ ବର୍ତ୍ତମାନ ।। ଯାହା ଲିଖନ ଭବିତବ୍ୟ । ତାହା ହିଁ ଅବଶ୍ୟ ଘଟିବ ।। କରି କରାଉ ସବୁ ତୁହିଁ । ନର କେବଳ ହାଇଁ-ପାଇଁ ।। ପ୍ରକୃତି ରଚନା ତୋହର । ମାନବେ ସ°ରକ୍ଷଣ ଭାର ।। ତବ ସୃଷ୍ଟିର ପୂଜାର୍ଚ୍ଚନା । ମାନବ ହୃଦୟେ ଭାବନା ।। ସ°ସ୍କୃତି ପରମ୍ପରା ମାନ । ଗଢ଼ା ଯେ’ ମାନବ କଲ୍ୟାଣ ।। ପୂଜନ ସୁନ୍ଦର ସୃଷ୍ଟିର । ବୈଦିକ ରୀତିର ବିଚାର ।। ଯେମନ୍ତ ଉତ୍କଳ’ରେ ରଜ । ପର୍ବ ପାଳନେ ସଜ-ବାଜ ।। ଆବହମାନର ସ°ସ୍କୃତି । ଭରିଛି ସ°ସ୍କାର ସ°ହତି ।। ପ୍ରକୃତି ପୂଜନେ ଏ ପର୍ବ । ଅବଶ୍ୟ ଉତ୍କଳ’ର ଗର୍ବ ।। ଜ୍ୟେଷ୍ଠ ମାସାନ୍ତରୁ ତ୍ରିଦିନ । ରଜ-ଉତ୍ସବ’ର ପାଳନ ।। ଧରିତ୍ରୀ-ମାତା ରଜସ୍ଵଳା । ଆଧ୍ୟାତ୍ମ-ଭାବ ଭକ୍ତି-ମାଳା ।। ପହିଲି ରଜ ଏହି ଦିନ । ନିଷେଧ ଖନନ ଦହନ ।। ପରିବାର’ର ପ୍ରତି ଜନ । ନବ-ବସ୍ତ୍ର’ରେ ପରିଧାନ ।। ପାଦ ନ ଲଗାନ୍ତି ମାଟିରେ । ଚାଲନ୍ତି ତାଳ ଫମ୍ପଡ଼ାରେ ।। ଗୃହିଣୀ କରି ଉଠା-ଚୂଲି । ରନ୍ଧନ କରନ୍ତି ସେ’ ଜାଳି ।। ବିଭିନ୍ନ ଖେଳ କସରତ । ପିଲାଏ ଆନନ୍ଦେ ମୋହିତ ।। ଯୁବତୀଙ୍କର ଦୋଳି ଖେଳ । ଯୁବକ ବାଗୁଡ଼ିରେ ମେଳ ।। ଆମ୍ବ ପଣସ ପ୍ରତି ଘରେ । ପାନ ଖାଆନ୍ତି ଆନନ୍ଦରେ ।। ବିଭିନ୍ନ ପିଠା-ପଣା ବାଗ । ତା’ ମଧ୍ୟେ ପୋଡ଼-ପିଠା ଆଗ ।। ବନ୍ଧୁ ବାନ୍ଧବ’ରେ ମିଳନ । ସ°ସାର ଶ୍ରଦ୍ଧାରେ ବନ୍ଧନ ।। ଏ ପର୍ବ ଉତ୍କଳର ଗର୍ବ । ପୂଜନେ ସ୍ତ୍ରୀଲିଙ୍ଗ ଯେ’ ସର୍ବ ।। ଗୋମାତା ଦେବୀ ଓ ମହିଳା । ଶ୍ରଦ୍ଧା-ସମ୍ମାନେ ଶୁଭ ବେଳା ।। ଶକ୍ତି ଦେବୀଙ୍କ ଶକ୍ତିପୀଠ । କାମାକ୍ଷାଦେବୀରେ ନାମିତ ।। ଆସାମ ରାଜ୍ୟର ଗୌରବ । କାମାକ୍ଷାଦେବୀଙ୍କ ସୌରଭ ।। ପୂଜା ଉତ୍ସବ ସାରା ବର୍ଷ । ରଜ ଉତ୍ସବ ଯେ’ ବିଶେଷ ।। ଉତ୍ସବ ନାମ ଆମ୍ବୁବାଚି । କାମାକ୍ଷାଦେବୀ ରଜବତୀ ।। ଆଦ୍ଯ ଆଷାଢ଼ ଶୁକ୍ଳପକ୍ଷ । ପ୍ରତିପଦରୁ ତ୍ରିଦିବସ ।। ମନ୍ଦିର ଦ୍ବାର ରହେ ବନ୍ଦ । ଦର୍ଶନ ନାସ୍ତି ଭକ୍ତବୃନ୍ଦ ।। ନୀତିନିୟମ ପୂଜାର୍ଚ୍ଚନ । ସେବିକା କରନ୍ତି ବହନ ।। ଏମନ୍ତ ତଥ୍ଯ-ତତ୍ତ୍ବେ ପର୍ବ । ମହାସଂସ୍କୃତି ରଜ-ପର୍ବ ।। ପୁନଶ୍ଚ ଶୁଣ ସୁଧୀଜନ । ରଜ’ର ମାହାତ୍ମ୍ୟ ବିଧାନ ।। ବନରେ ଜନକ-ନନ୍ଦିନୀ । ରାବଣ ଦ୍ଵାରା ଯେ’ ବନ୍ଦିନୀ ।। ବନଦେବୀ’ଙ୍କ କୋଳେ ରହି । ସୀତାଙ୍କ ସମୟ କଟଇ ।। ଅଶୋକ ବୃକ୍ଷ ମୂଳେ ସ୍ଥାନ । ମାସ ବରଷ କଟେ ଦିନ ।। ଏ ଗଛ ଔଷଧୀୟ ଗୁଣ । ନ ହେବା ରଜ ହେବ ଜାଣ ।। ପ୍ରଥମେ ହେଲେ ରଜବତୀ । ଅଶୋକ ବନେ ସୀତା-ସତୀ ।। ଏମନ୍ତ ଶୁଭ ଘଟଣାରେ । ଆନନ୍ଦ ଭରେ ପରିବାରେ ।। ଦେବୀ ସୀତା ହିଁ ମାତା-ଲକ୍ଷ୍ମୀ । ସେ’ ମାତା ଚରଣେ ପ୍ରଣାମି ।। କେହି ନାହାନ୍ତି ପରିଜନ । ଆନନ୍ଦ ହୋଇଲା ମଳିନ ।। ସର୍ଗୁ ଦେଖନ୍ତି ଦେବଗଣ । ପବନ ଅରୁଣ ବରୁଣ ।। ସୂର୍ଯ୍ୟଙ୍କ ସୁନେଲି କିରଣେ । ଅଳତା ସୀତାଙ୍କ ଚରଣେ ।। ଇନ୍ଦ୍ରଙ୍କ ହିମ ବାରିଧାରା । ସ୍ନାନ କରନ୍ତି ବସୁନ୍ଧରା ।। ବନ୍ୟଦେବୀ’ଙ୍କ ଶୋଭା କୋଳେ । ପୁଷ୍ପର ବସ୍ତ୍ର-ବାସ ମିଳେ ।। ମା’ ଲକ୍ଷ୍ମୀ ଦେବୀ ବସୁମତୀ । ଏମନ୍ତ କାଳେ ରଜବତୀ ।। ଆଷାଢ଼ ମାସ ତିନି ଦିନ । ହୁଅଇ ବସୁମତୀ ସ୍ନାନ ।। ସେଦିନ ସୂର୍ଯ୍ୟୋଦୟ ପରେ । ପୂଜା ଯେ’ ଭୂମିର ବକ୍ଷରେ ।। ଖଟୁଳି କରେ ଶିଳ-ପୁଆ । ଭୂମି ଉପରେ ହେବ ଥୁଆ ।। ତା’ ପାଶେ କଳସୀ ବସାଇ । କଜଳ ଅଳତା ଲଗାଇ ।। ଚନ୍ଦନ ସିନ୍ଦୂର ଓ ଦୁବ । ଗୁଆ ଓ ଆମ୍ବଡାଳ ଶୁଭ ।। ଧୂପ-ଦୀପ’ରେ ବନ୍ଦାଇବ । ଭୂମିଷ୍ଠ ପ୍ରଣାମ କରିବ ।। ବଜାଇ ଶଙ୍ଖ ହୁଳହୁଳୀ । ହଳଦୀ-ଜଳ ଢାଳି ଢାଳି ।। କରନ୍ତି ବସୁମତୀ ସ୍ନାନ । ପୂଜା-ନୈବେଦ୍ୟ ସମର୍ପଣ ।। ମା’ ଲକ୍ଷ୍ମୀ-ସୀତା ବିଳପନ । ସେଦିନ ଦୁଃଖ ପ୍ରଶମନ ।। ଏମନ୍ତ ବସୁଧା ପୂଜନ । ତା’ପରେ ଭୂମିକୁ ଖନନ ।। ଭୂମିରେ ପ୍ରଥମ ଖନନ । ଅଟଇ ଯେ’ ବୃକ୍ଷ-ରୋପଣ ।। ବିଭିନ୍ନ ବୃକ୍ଷ ଫଳ-ଫୁଲ । ନଡ଼ିଆ ପଣସ କି ବେଲ ।। କଇଁଥ ଆତ ଜାମୁ ଆମ୍ବ । ପଞ୍ଚ-ଫଳ’ରେ ଧ୍ୟାନ ଥିବ ।। ମଲ୍ଲି ମାଳତୀ କି ମନ୍ଦାର । ଗୋଲାପ ହେନା କି ଟଗର ।। ଅଶୋକ ଚମ୍ପକ କଞ୍ଚନ । ପାଞ୍ଚ ପ୍ରକାର ସର୍ବନିମ୍ନ ।। ରୋପଣ ଅଟେ ପରମ୍ପରା । ପ୍ରକୃତି ସୁରକ୍ଷା’ର ଧାରା ।। ପ୍ରକୃତି ପୂଜନେ ଗୌରବ । ରଜ ସ°ସ୍କୃତି’ର ସୌରଭ ।। ଫଳ-ଫୁଲ ବୃକ୍ଷ ରୋପଣ । ତତ୍ତ୍ଵ ଯେ’ ଆହାର ରମଣ ।। ଏମନ୍ତ ସ°ସ୍କାର ସ°ହତି । ଏ ରଜ-ପରବ ସ°ସ୍କୃତି ।। ଧନ୍ୟ ଏ ଉତ୍କଳ ମହିଁମା । ଗୂଢ଼-ରହସ୍ୟେ ନାହିଁ ସୀମା ।। ଜୀବନ ଜୀବିକା’ର ପ୍ରୀତି । ସ°ଯୋଗ କରଇ ସ°ସ୍କୃତି ।। ଏମନ୍ତ ଭାଗବତ ବାଣୀ । ପାନ କରିବେ ଜ୍ଞାନୀ-ଗୁଣୀ ।। ମା’ ଲକ୍ଷ୍ମୀ ଆଶିଷ ଲଭିଣ । ସୁଖ ଶାନ୍ତିରେ ଜନଗଣ ।। ମା’ ବସୁମତୀଙ୍କୁ ଭୂମିଷ୍ଠ । ପ୍ରଣାମ କରେ ମୁଁ ବିନୀତ ।। ରଜ’ର ଭାଗବତ ରସ । ପିଆନ୍ତି କବି ଶମ୍ଭୁ ଦାସ ।। କି ସ୍ଵାଦ ଖଟା ମିଠା ପିତା । ବୋଲିବେ ଉତ୍କଳ ଜନତା ।। ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ) ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା ,କୋଲକାତା