ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରବି ମଣ୍ଡି ବନ୍ଦ: ଖୋଲା ଆକାଶ ତଳେ ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ, ଚିନ୍ତାରେ ଚାଷୀ

ରବି ମଣ୍ଡି ବନ୍ଦ: ଖୋଲା ଆକାଶ ତଳେ ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ, ଚିନ୍ତାରେ ଚାଷୀ

ଧର୍ମଗଡ଼:କଳାହାଣ୍ଡି ଜିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଚାଷୀଙ୍କ ସମସ୍ୟା ଦୂର ହୋଇନାହିଁ। ଜୁଲାଇ ୩ ତାରିଖରୁ ଜିଲ୍ଲାର ବିଭିନ୍ନ ରବି ମଣ୍ଡିକୁ ବିଧିବଦ୍ଧ ଭାବେ ବନ୍ଦ କରାଯାଇଛି। ସରକାରୀ ନିର୍ଦ୍ଦେଶ ଅନୁସାରେ, ପ୍ରଥମେ ଜୁନ୍ ୩୦ ପର୍ଯ୍ୟନ୍ତ ମଣ୍ଡି ଚାଲିବାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଆଉ ୩ ଦିନ ବୃଦ୍ଧି କରାଯାଇଥିଲା। ପ୍ରଶାସନ ପକ୍ଷରୁ ୩ ତାରିଖ ରାତି ସୁଦ୍ଧା ସମସ୍ତ ଧାନ କ୍ରୟ କରିବାକୁ ନିର୍ଦ୍ଦେଶ ଥିଲେ ହେଁ, ବାସ୍ତବ ଚିତ୍ର ଏବେ ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳିଛି।ସରକାରୀ ତଥ୍ୟ ଅନୁସାରେ, ଧର୍ମଗଡ଼ ଉପଖଣ୍ଡର ୬ଟି ବ୍ଲକରେ କାର୍ଯ୍ୟକାରୀ ହୋଇଥିବା ୧୨୦ଟି ମଣ୍ଡି ମାଧ୍ୟମରେ ଗତ ଜୁଲାଇ ୩ ସୁଦ୍ଧା ୪୮ ହଜାର ୭୦୪ ଜଣ ଚାଷୀଙ୍କଠାରୁ ୩୨ ଲକ୍ଷ ୭୯ ହଜାର କୁଇଣ୍ଟାଲ୍ ଧାନ କ୍ରୟ କରାଯାଇଛି। ମାତ୍ର ଏହା ପରେ ମଧ୍ୟ ପ୍ରାୟ ୩ ହଜାର ୪୨୫ ଜଣ ଚାଷୀଙ୍କ ୨ ଲକ୍ଷ ୯୬ ହଜାର କୁଇଣ୍ଟାଲ୍ ଧାନ ଏବେ ମଧ୍ୟ ମଣ୍ଡିଗୁଡ଼ିକରେ ବିକ୍ରି ନହୋଇ ପଡ଼ିରହିଛି। ଅନ୍ୟପଟେ ଯେଉଁ ଚାଷୀଙ୍କ ଧାନ କ୍ରୟ କରାଯାଇଛି, ମିଲର୍ସମାନେ ତାହାକୁ ନେଇନଥିବାରୁ ସେହି ସବୁ ଧାନ ବସ୍ତା ମଧ୍ୟ ମଣ୍ଡିରେ ଜମା ହୋଇ ରହିଛି। ଗତ ମେ’ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ରବି ମଣ୍ଡି ପ୍ରକ୍ରିୟା ଶେଷ ହେବା ପରେ ଏବେ ଖୋଲା ଆକାଶ ତଳେ ଲକ୍ଷ ଲକ୍ଷ କୁଇଣ୍ଟାଲ ଧାନ ପଡ଼ିରହିଛି। ମୌସୁମୀ ପ୍ରଭାବରେ ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେଉଥିବାରୁ ଚାଷୀର କଷ୍ଟଅର୍ଜିତ ଧାନ ବେଶ୍ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ଧାନ ଓଦା ହୋଇ ଗଜା ହେବା ସହ ନଷ୍ଟ ହେବାକୁ ବସିଲାଣି।ବର୍ତ୍ତମାନ ସମୟରେ ଖରିଫ ଚାଷ ପାଇଁ ଚାଷୀମାନେ ବିଲ ପ୍ରସ୍ତୁତ କରିବା ସହ ଧାନ ବୁଣିବା ସମୟ ଉପନୀତ ହୋଇଛି। କିନ୍ତୁ ପୂର୍ବ ଫସଲର ଧାନ ମଣ୍ଡିରେ ପଡ଼ିରହିଥିବାରୁ ଏବଂ ତାହାର ଉପଯୁକ୍ତ ମୂଲ୍ୟ ମିଳିନଥିବାରୁ ଚାଷୀ ଆଗାମୀ ଚାଷ ପାଇଁ ଅର୍ଥ ସଂକଟର ସମ୍ମୁଖୀନ ହେଉଛି। ଗୋଟିଏ ପଟେ ରବି ଧାନ ବିକ୍ରିର ଚିନ୍ତା ଓ ଅନ୍ୟପଟେ ଖରିଫ ଚାଷର ପ୍ରସ୍ତୁତି ଚାଷୀକୁଳକୁ ଦୋଛକିରେ ଠିଆ କରିଛି। ଚାଷୀଙ୍କ ଏହି ବଡ଼ ସମସ୍ୟା ପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବଳକା ଧାନ ଉଠାଇବା ପାଇଁ ଚାଷୀ ସଂଗଠନ ପକ୍ଷରୁ ଦାବି ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅଭାବୀ ପରିବାର କୁ ମାଏରା ଚେରିଟେବୁଲ ଟ୍ରଷ୍ଟର ସହାୟତା ପ୍ରଦାନ

Sunil Chandra Nayak

ରାଇରଙ୍ଗପୁର ଝାଡ଼ଖଣ୍ଡ ମୁକ୍ତିମୋର୍ଚା କାର୍ଯ୍ଯାଳୟ ଠାରେ ସମ୍ବିଧାନ ଦିବସ ପାଳିତ 

masiha

ସର୍ଗତ କଣ୍ଡକ୍ଟରଙ୍କ ପରିବାରଙ୍କୁ ସାହାଯ୍ୟ କଲା ଉପଖଣ୍ଡ କର୍ମଚାରୀ ସଂଘ

masiha

Leave a Comment

error: Content is protected !!