ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଗୀତାର ନବମ ଅଧ୍ଯାୟର ସାରକଥା-୯

ଶ୍ରୀମଦ୍ ଗୀତାର ନବମ ଅଧ୍ଯାୟର ସାରକଥା-୯

    ଭଗବାନ୍ ଅର୍ଜୁନଙ୍କୁ କହିଲେ-ଅତ୍ଯନ୍ତ ଗୋପନୀୟ ଓ ସର୍ବଶ୍ରେଷ୍ଠ ଜ୍ଞାନ ବିଜ୍ଞାନ ତୁମକୁ କହିବି । ତାହା ଜାଣିପାରିଲେ ତୁମେ ସଂସାର ବନ୍ଧନରୁ ମୁକ୍ତ ହେବ । ଏହି ଜ୍ଞାନ ବିଜ୍ଞାନକୁ ଭଗବାନ୍ ନିଜେ ରାଜବିଦ୍ଯା (ଶ୍ରେଷ୍ଠବିଦ୍ଯା) ରାଜଗୁହ୍ଯ(ଅତ୍ୟନ୍ତ ଗୋପନୀୟ) କହିଥିବାରୁ ଏ ଅଧ୍ଯାୟର ନାମ ରାଜବିଦ୍ଯା ରାଜଗୁହ୍ଯ ଯୋଗ ଅଟେ । ଭଗବାନ ସମସ୍ତ ଜଗତରେ ବ୍ଯାପି ରହିଅଛନ୍ତି ଏବଂ ଜଗତର ସମସ୍ତ ଜୀବ ଓ ପଦାର୍ଥ ତାଙ୍କଠାରେ ଅବସ୍ଥିତ । ପୁଣି ଜୀବମାନେ ମଧ୍ଯ ତାଙ୍କଠାରେ ଅବସ୍ଥିତ ନୁହନ୍ତି । ପ୍ରଳୟ ସମୟରେ ସମସ୍ତଭୂତ ଭଗବାନଙ୍କ ଠାରେ ଲୀନ ହୁଅନ୍ତି ଓ ସୃଷ୍ଟି ଆରମ୍ଭରେ ପୁଣି ସେମାନେ ଜନ୍ମଲାଭ କରନ୍ତି । ଭଗବାନଙ୍କ ଅଧ୍ଯକ୍ଷତାରେ ପ୍ରକୃତି ସୃଷ୍ଟି ଓ ପ୍ରଳୟ କରିଥାଏ,ମାତ୍ର ନିଜେ ଭଗବାନ ଏ ସବୁ କର୍ମରେ ସମ୍ପୂର୍ଣ୍ଣ ନିର୍ଲିପ୍ତ ।

     ମୋହଗ୍ରସ୍ତ ବ୍ଯକ୍ତିମାନେ ଅବ୍ଯକ୍ତ ପରମେଶ୍ବରଙ୍କ ବ୍ଯକ୍ତରୂପକୁ ଜାଣିନପାରି ତାଙ୍କୁ ଅବଜ୍ଞା ପ୍ରଦର୍ଶନ କରନ୍ତି । ସେମାନେ ଆସୁରୀ ପ୍ରକୃତିର ହୋଇଥିବାରୁ ସେମାନଙ୍କର ଆଶା,କର୍ମ ଓ ଜ୍ଞାନ ଆଦି ସବୁ ନିଷ୍ଫଳ ହୁଏ । କିନ୍ତୁ ସାତ୍ତ୍ବିକ ପ୍ରକୃତିର ବ୍ଯକ୍ତିମାନେ ଭଗବାନ ଶ୍ରୀକୃଷ୍ଣ ଜଗତର ମୂଳକାରଣ ଓ ଅବ୍ଯୟ ଅକ୍ଷର ତତ୍ତ୍ବ ବୋଲି ବୁଝି ତାଙ୍କର ଉପାସନା କରନ୍ତି । ସେମାନେ ନାନାଭାବରେ ଭଗବାନଙ୍କର ଆରାଧନା କରନ୍ତି । ଭଗବାନ ଶ୍ରୀକୃଷ୍ଣ ଏହି ଜଗତର ପିତା,ମାତା,ଧାତା,ପିତାମହ ଓ ଏକମାତ୍ର ଜ୍ଞେୟ ତତ୍ତ୍ବ । ସେ ଓଁକାର,ସମସ୍ତ ବେଦ,ଯଜ୍ଞ,ମନ୍ତ୍ର ଓ ହୋମ ଇତ୍ଯାଦି । ସେ ସମସ୍ତଙ୍କୁ ଉତ୍ତାପ ଓ ଆଲୋକ ଦିଅନ୍ତି । ଜଳକୁ ଆକର୍ଷଣ କରି ବୃଷ୍ଟି କରାନ୍ତି । ଫଳରେ ଶସ୍ଯ ଉତ୍ପାଦନ ହୁଏ ଓ ଜୀବଜଗତ ବଞ୍ଚିରହେ ।

    ବେଦର କର୍ମକାଣ୍ଡୀମାନେ ଭୋଗବିଳାସ କାମନା କରି ନାନାପ୍ରକାର ଯଜ୍ଞରେ ଭଗବାନଙ୍କୁ ପୂଜାକରି ସ୍ବର୍ଗଲୋକ ପ୍ରାପ୍ତ ହୁଅନ୍ତି । ତାଙ୍କର ପୁଣ୍ଯ ସରିଗଲେ ପୁଣି ମର୍ତ୍ତ୍ଯଲୋକରେ ଜନ୍ମଗ୍ରହଣ କରନ୍ତି । ମାତ୍ର ଯେଉଁମାନେ ଅନନ୍ଯ ଚିତ୍ତରେ ନିଷ୍କାମ ଭାବରେ ଭଗବାନଙ୍କର ଉପାସନା କରନ୍ତି ଭଗବାନ ସେମାନଙ୍କର ଯୋଗକ୍ଷେମ ବହନ କରନ୍ତି । ସେମାନେ ଶରଣାଗତ ଭକ୍ତ ହୋଇଥିବାରୁ ସେମାନଙ୍କର ସାଂସାରିକ ଅଭାବ ଅସୁବିଧା କିଛି ରହେନା । ଦେବତାମାନଙ୍କୁ ପୂଜାକରୁଥିବା ବ୍ଯକ୍ତିମାନେ ପିତୃଲୋକ ପ୍ରାପ୍ତ ହୁଅନ୍ତି, ଭଗବାନଙ୍କୁ ଉପାସନା କରୁଥିବା ବ୍ଯକ୍ତିମାନେ ଭଗବାନଙ୍କୁ ହିଁ ପ୍ରାପ୍ତ ହୁଅନ୍ତି । ଭଗବାନଙ୍କ ପୂଜାପାଇଁ ବିଶେଷ କିଛି ଆବଶ୍ୟକ ନାହିଁ । ଗୋଟିଏ ପତ୍ର,ଗୋଟିଏ ଫୁଲ, ଗୋଟିଏ ଫଳ କିମ୍ବା ଟିକିଏ ଜଳ ଭକ୍ତିର ସହିତ ସମର୍ପଣ କଲେ ସେ ସନ୍ତୁଷ୍ଟ ହୁଅନ୍ତି । ଏଣୁ ଯାହା କରୁଛ,ଯାହା ଖାଉଛ, ଯାହା ହୋମ କରୁଛ,ଯାହା ଦାନ କରୁଛ ଇତ୍ଯାଦି ସମସ୍ତ କର୍ମ ପରମେଶ୍ବର ଶ୍ରୀକୃଷ୍ଣଙ୍କୁ ସମର୍ପଣ କରିବାକୁ ସେ ଅର୍ଜୁନଙ୍କୁ ପରାମର୍ଶ ଦେଇଛନ୍ତି ।

       ଭଗବାନଙ୍କର କେହି ପ୍ରିୟ ନୁହେଁ କି କେହି ଅପ୍ରିୟ ନୁହେଁ । ଭକ୍ତିରେ ଯେ ତାଙ୍କୁ ଭଜେ ସେ ତାଙ୍କର ଅତ୍ଯନ୍ତ ପ୍ରିୟ । ଅତ୍ଯନ୍ତ ପାପୀ ମଧ୍ଯ ତାଙ୍କୁ ଭକ୍ତିରେ ଭଜି ମୋକ୍ଷପ୍ରାପ୍ତ ହୋଇଛନ୍ତି । ଭକ୍ତି କରିବାରେ ସ୍ତ୍ରୀ,ଶୂଦ୍ର,ପାପ ଯୋନିସଂଭୂତଙ୍କ ପାଇଁ ମଧ୍ଯ ବାଧା ନାହିଁ । ଏଣୁ ସେମାନେ ଭଗବାନଙ୍କୁ ଭକ୍ତିକରି ମୁକ୍ତଲାଭ କରିପାରିବେ । ଅର୍ଜୁନ କ୍ଷତ୍ରିୟ ହୋଇଥିବାରୁ ତାଙ୍କର ଉପାସନା କରିବାର ଶାସ୍ତ୍ରାଧିକାର ଅଛି । ସୁତରାଂ ମନପ୍ରାଣ ଶ୍ରୀକୃଷ୍ଣ (ସାକାର ବ୍ରହ୍ମ)ଙ୍କଠାରେ ସମର୍ପଣ କରି ତାଙ୍କର ଭକ୍ତ ଓ ଶରଣାଗତ ହେବାକୁ ଭଗବାନ ଅର୍ଜୁନଙ୍କୁ କହିଛନ୍ତି । ସେହିପରି କରିପାରିଲେ ସେ ନିଶ୍ଚୟ ମୋକ୍ଷ ଲାଭ କରିବେ ।

 

ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,

ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର, 

Related posts

ପୁଣି ଭାଙ୍ଗିଲା ଇନ୍ଦ୍ରାବତୀ ବାମ କେନାଲ…୪୦ରୁ ଅଧିକ ଏକର ଚାଷ ଜମି ଜଳ ମଗ୍ନ

Sunil Chandra Nayak

ପୁଣ୍ୟାତ୍ମାଙ୍କ ପୁଣ୍ୟତିଥିରେ ଡାକ୍ତରଖାନାରେ ଫଳ ବଣ୍ଟନ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା କବି

Leave a Comment

error: Content is protected !!