ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ସହିଷ୍ଣୁ ତ ସର୍ବସାର

ସହିଷ୍ଣୁ ତ ସର୍ବସାର

 

        ଜ୍ୟୋତ୍ସ୍ନା ରାଣୀ ଦେବୀ

 

କ୍ଷମାଶୀଳ ଅଟେ ମହତ ଜଗତେ

     ସହିଷ୍ଣୁ ତ ସର୍ବସାର

କହିବା ଲୋକଟି ଆପେ ବଖାଣାଇ

    ନିଜ ବଡିମା ଅପାର ।

 

କ୍ଷମା ଉପୁଜାଏ ଅରିରେ ମମତା

    କରେ ମୈତ୍ରୀ ସଂସ୍ଥାପନ

ଅପକାରୀ ତମ ନାଶ କରି କରେ

    ଧୀରଜ ସାହାସ ଦାନ ।

 

ଅଜ୍ଞାନ ପଟଳ ଘେରି ରହିଥାଏ 

   ଦଣ୍ଡଧାରୀ ଯଦି କରେ

ଅସ୍ତ୍ର ଧରିଜାଣେ ଅହଂ ଆଚରଣେ

    ନିଜ ନାଶ ନିଜେ କରେ ।

 

ଋଷି ବିଶ୍ଵାମିତ୍ର ତାପସ ସାଧକ

    ଅହଙ୍କାର ବଳେ ବଳୀ

ହୋଇ ନରହନ୍ତା କରିଲେ ଅହନ୍ତା

     ବଶିଷ୍ଠ ପୁତ୍ରଙ୍କୁ ଦଳି ।

 

ମହର୍ଷିଙ୍କ ଗୁଣଗାରିମା ନ ଥାଇ

   ପଦବୀ ଲାଳସା ନେଇ

ହତ୍ୟା ଅପରାଧେ ନିର୍ଦ୍ଦୋଷରେ ବଧି

     ପଉରୁଷ ବଳି ଦେଇ ।

 

ହୋଇଲେ କି ବଡ଼, ଶାଣିତ କୃପାଣ

     ହସ୍ତରେ ଶୋହିଲା ସିନା

ବଶିଷ୍ଠଙ୍କ କ୍ଷମା ମହତପଣିଆ

     ସବୁ କରିଦେଲା ଚୁନା ।

 

ଆପଣା ଗରବ ଆତ୍ମ ସମୀକ୍ଷାରେ

    ସ୍ଵୀକାରିଲେ ନିଜ ଦୋଷ

ବଶିଷ୍ଠ ଉଚ୍ଚାରି ହେ ଶ୍ରେଷ୍ଠ ମହର୍ଷି

     କରିଲେ ତାହାଙ୍କୁ ତୋଷ ।

 

ଉଦାରମନା ତ କ୍ଷମା ଆଚରଇ

   ନୀଚମନା ଦିଏ ଦଣ୍ଡ

ପ୍ରତିଶୋଧ ପଣ ପିଣ୍ଡ ଅକାରଣ

       କରି କରେ ସର୍ବ ଭଣ୍ଡ ।

 

ଉଚ୍ଚମନା ଲଭେ କୀରତି ଅପାର

   ନୀଚମନା ନୀଚଗତି

ଅଢେଇଦିନିଆ ସଂସାରରେ କାହିଁ

   ବଞ୍ଚିବାନି କରି ପ୍ରୀତି ?

 ବ୍ରହ୍ମପୁର, ଗଂଜାମ

Related posts

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଇଙ୍ଗପୁର ନଗର ରେ ବିଜୟା ଦଶମୀ ଉତ୍ସବ ପାଳିତ

Sunil Chandra Nayak

କାଶିବାହଲ ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ଶିକ୍ଷକ ବାସୁଦେବଙ୍କ ଶୋକସଭାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ 

Sunil Chandra Nayak

Leave a Comment

error: Content is protected !!