ଅଷ୍ଟମ ସାଧାରଣ ଅଧିବେଶନ ଆସିକା ପଞ୍ଚାୟତ ସମିତି ବୈଠକ
ଆସିକା, ୧୦/୯/୨୬(ଶିବ ଶଙ୍କର ମିଶ୍ର ) ଦୀର୍ଘ ୧୬ ମାସ ପରେ ଆସିକା ପଞ୍ଚାୟତ ସମିତିର ସାଧାରଣ ବୈଠକ ବୁଧବାର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ତ୍ରିବେଣୀ ନାହାକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉପାଧ୍ୟକ୍ଷା ରେଶମା ଦୋରା, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ବିଡିଓ ରାଜେନ୍ଦ୍ର ନାହାକ, ଅତିରିକ୍ତ ବିଡିଓ ସୁଶାନ୍ତ କୁମାର ବେହେରାଙ୍କ ସମେତ ତିନିଜଣ ଜିଲ୍ଲା ପରିଷଦ ସଦସ୍ୟ, ବହୁ ସରପଞ୍ଚ, ସମିତି ସଭ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ବୈଠକରେ ଆସିକା ବ୍ଲକ ଅଞ୍ଚଳର ବିଭିନ୍ନ ଜନସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷକରି ଜଳ ଓ ପରିମଳ ବ୍ୟବସ୍ଥା, ଗ୍ରାମାଞ୍ଚଳରେ ବିଦ୍ୟୁତ ଖୁଣ୍ଟ ସ୍ଥାପନ, ଅଙ୍ଗନବାଡି କେନ୍ଦ୍ରଗୁଡ଼ିକର ସୁପରିଚାଳନା ଓ ଶିଶୁ ବିକାଶ ସମ୍ପର୍କିତ ବିଷୟ ଉପରେ ସଦସ୍ୟମାନେ ଗୁରୁତ୍ବ ଦେଇଥିଲେ। ମଙ୍ଗଳପୁର ଓ କେନ୍ଦୁପଦର ପଞ୍ଚାୟତରେ ଆବଶ୍ୟକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ସ୍ଥାପନ ପାଇଁ ଦାବି ଉଠିଥିଲା। ସେହିପରି ବାଲିସିରା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ପ୍ରତି ଅସଦାଚରଣ ଓ ଖରାପ ବ୍ୟବହାର ଅଭିଯୋଗ ନେଇ ମଧ୍ୟ ଆଲୋଚନା ହୋଇଥିଲା। ସାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ସମ୍ମାନଜନକ ବ୍ୟବହାର ଓ ଉତ୍ତମ ସେବା ଯୋଗାଇବା ପାଇଁ ଦାବି ହୋଇଥିଲା। ଅନ୍ୟପକ୍ଷରେ ମହାତ୍ମା ଗାନ୍ଧୀ ନରେଗା ଯୋଜନାର ବିଭିନ୍ନ ପ୍ରକଳ୍ପ ଅନୁମୋଦନ ପାଇଁ ଡିଆରଡିଏରେ ଅଟକି ରହିଥିବା ପ୍ରସଙ୍ଗ ମଧ୍ୟ ବୈଠକରେ ଉଠିଥିଲା। ପ୍ରକଳ୍ପଗୁଡ଼ିକର ଶୀଘ୍ର
ଅନୁମୋଦନ କରାଯାଇ ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କୁ କାମ ଯୋଗାଇବା ପାଇଁ ଦାବି କରାଯାଇଥିଲା। ବିଡିଓ ରାଜେନ୍ଦ୍ର ନାହାକ ଓ ଅତିରିକ୍ତ ବିଡିଓ ସୁଶାନ୍ତ କୁମାର ବେହେରା ବୈଠକର ସୁପରିଚାଳନା ଓ ବିଭିନ୍ନ ବିଷୟର ସମନ୍ବୟ ଦିଗରେ ଗୁରୁତ୍ବ ଦେଇଥିଲେ। ଦୀର୍ଘ ବ୍ୟବଧାନ ପରେ ଅନୁଷ୍ଠିତ ଏହି ପଞ୍ଚାୟତ ସମିତି ବୈଠକରେ ଜନପ୍ରତିନିଧ୍ ଓ ଅଧୂକାରୀମାନେ ଏକାଠି ହୋଇ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିବାରୁ ଆଗାମୀ ଦିନରେ ଏହାର ସୁଫଳ ଲୋକଙ୍କୁ ମିଳିବ ବୋଲି ଆଶା ପ୍ରକାଶ ପାଇଛି।

