ରାଇରଙ୍ଗପୁରରେ ବହୁବିଶେଷଜ୍ଞ ଚିକିତ୍ସା ଶିବିର ଆୟୋଜନ ନେଇ ସମନ୍ୱୟ ବୈଠକ
ରାଇରଙ୍ଗପୁର, ୧୭/୦୯/୨୦୨୬: ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳର ଆଦିବାସୀ ଓ ଅନ୍ୟାନ୍ୟ ଜନସାଧାରଣଙ୍କୁ ଉନ୍ନତ ତଥା ବିଶେଷଜ୍ଞ ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରସ୍ତାବିତ ବହୁବିଶେଷଜ୍ଞ ଚିକିତ୍ସା ସ୍ୱାସ୍ଥ୍ୟ ଶିବିରର ସୁଚାରୁ ପରିଚାଳନା ନିମନ୍ତେ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରେସନ ଓରାମ,ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ଏସ ଡି ଏମ ଓ ଡା. ରବୀନ୍ଦ୍ରନାଥ ମାର୍ଣ୍ଡି,ପି ଏ ଆଇ ଟି ଡି ଏ ଯୋଗରଞ୍ଜନ ନାୟକ,ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ,ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଶକୁନ୍ତଳା ହାଁସଦା,ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁମିତ କୁମାର ସାହୁ,ରାଇରଙ୍ଗପୁର ତହସିଲଦାର ଭବାନୀ ପ୍ରସାଦ ସାହୁ,ରାଇରଙ୍ଗପୁର ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଜାମଦା ବିଡ଼ିଓ ଦେବାଶିଷ ପଣ୍ଡା, ବିଜାତଳା ବିଡ଼ିଓ ବଂଶୀଧର ଖୋଷଲା, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରିଣୀ ଶ୍ରୀମତୀ ଚିନ୍ମୟୀ ମହାନ୍ତ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ,ୱାଟକୋ କନିଷ୍ଠ ଯନ୍ତ୍ରୀ,ଟିପିଏନଓଡିଏ ଲର କାର୍ଯ୍ୟନିର୍ବାହୀ ଅଧିକାରୀ, କେନ୍ଦ୍ରୀୟ ପୂର୍ତ୍ତ ବିଭାଗ ପ୍ରତିନିଧି,ବାମନଘାଟୀ ଉପଖଣ୍ଡସ୍ଥ ଅନ୍ୟାନ୍ୟ ବ୍ଲକର ଵି ଡି ଓ, ତହସିଲଦାର ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୋଗଦେଇ ଆୟୋଜିତ ହେବାକୁଥିବା ଚିକିତ୍ସା ଶିବିରର ସୁପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅନୁଷ୍ଠିତ ହେବାକୁଥିବା ଏହି ସ୍ୱାସ୍ଥ୍ୟ ଶିବିରରେ ହୃଦରୋଗ, ବୃକ୍କକ ରୋଗ, ଚକ୍ଷୁରୋଗ, ଚର୍ମରୋଗ ଓ ଦନ୍ତରୋଗ ସମ୍ବନ୍ଧୀୟ ରୋଗୀଙ୍କର ସ୍କ୍ରିନିଂ ଓ ରୋଗ ଚିହ୍ନଟ କରାଯିବ। ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପରୀକ୍ଷା, ରେଫରାଲ୍ ଏବଂ ବିଶେଷଜ୍ଞ ଚିକିତ୍ସା ସେବା ପ୍ରଦାନର ବ୍ୟବସ୍ଥା କରାଯିବ।
ବୈଠକରେ ଚିକିତ୍ସା ଶିବିର ପାଇଁ ସ୍ଥାନ ଓ ଭିତ୍ତିଭୂମି, ପରିମଳ, ବିଦ୍ୟୁତ୍, ପାନୀୟଜଳ, ଲଜିଷ୍ଟିକ୍ସ, ମାନବ ସମ୍ବଳ, ରୋଗୀ ସ୍କ୍ରିନିଂ, ରେଫରାଲ୍, ଯାତାୟାତ ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଶିବିରରେ ଆସୁଥିବା ରୋଗୀମାନେ ଯେପରି ସୁବିଧାରେ ଚିକିତ୍ସା ସେବା ପାଇପାରିବେ, ସେଥିପାଇଁ ସମସ୍ତ ବିଭାଗ ପରସ୍ପର ସମନ୍ୱୟରେ କାର୍ଯ୍ୟ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ପ୍ରସ୍ତାବିତ ଚିକିତ୍ସା ଶିବିରଟି ତିନୋଟି ପର୍ଯ୍ୟାୟରେ ଆୟୋଜିତ ହେବ। ପ୍ରଥମ ପର୍ଯ୍ୟାୟରେ ୨୦ ସେପ୍ଟେମ୍ବରରୁ ୫ ଅକ୍ଟୋବର ପର୍ଯ୍ୟନ୍ତ ସ୍କ୍ରିନିଂ ଯାହାକି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବାମନଘାଟୀ ଉପଖଣ୍ଡସ୍ଥ ସମସ୍ତ ପିଏଚସି, ସିଏଚସି, ସବସେଣ୍ଟର(ଉପ ସ୍ୱାସ୍ଥ୍ୟ କେନ୍ଦ୍ର )ଗୁଡିକରେ ଅନୁଷ୍ଠିତ ହେବ।ଦ୍ୱିତୀୟ ପର୍ଯ୍ୟାୟରେ ୬ରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ପ୍ରସ୍ତୁତିମୂଳକ କାର୍ଯ୍ୟ ଏବଂ ତୃତୀୟ ପର୍ଯ୍ୟାୟରେ ୨୬ରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ସୁପର ସ୍ପେସିଆଲିଷ୍ଟ ମେଡିକାଲ୍ କ୍ୟାମ୍ପ ଅନୁଷ୍ଠିତ ହେବ।
ଏହି ବହୁବିଶେଷଜ୍ଞ ଚିକିତ୍ସା ଶିବିର ମାଧ୍ୟମରେ ରାଇରଙ୍ଗପୁର ଉପଖଣ୍ଡର ଦୂରଦୂରାନ୍ତ ଅଞ୍ଚଳର ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇପାରିବେ। ଶିବିରକୁ ସଫଳ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ଓ ଅଧିକାରୀମାନେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

