ଅନୁ ଦିଦିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ; ଝୁରି ଝୁରି କାନ୍ଦିଲେ ଛାତ୍ରଛାତ୍ରୀ
ରାଇରଙ୍ଗପୁର – ତା ୦୮/୧୦ ; ଶିକ୍ଷକତା ଏକ ମହାନ ବୃତ୍ତି I ଦେଶର ଭବିଷ୍ୟତ ଗଠନରେ ଶିକ୍ଷକର ଭୂମିକା ଗୁରୁତ୍ୱପୂର୍ଣ୍ଣ I ନିଜର ମହନୀୟ ଗୁଣ ବଳରେ କେତେକ ଶିକ୍ଷକ/ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାନ୍ତି I ସେହିପରି ବାରିପଦାର ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟୀତ୍ରୀ ବନ୍ଦିତା ପାଲପାବୁ ( ଅନୁ ଦିଦି ) ପାଠପଢା ସହ ସ୍ନେହ ମମତା ଡୋରିରେ କୁନିକୁନି ଛାତ୍ରଛାତ୍ରୀଙ୍କୁ ଆପଣେଇ ନେଇଥିଲେ I ଦୀର୍ଘ ୧୩ ବର୍ଷଧରି ବିଦ୍ୟାଳୟରେ ଶିକ୍ଷକତା ଭିତରେ ମାତୃବତ ସ୍ନେହ ପ୍ରଦାନ କରି ସେ ଛାତ୍ରଛାତ୍ରୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଥିଲେ I ତାଙ୍କର ଅବସରକାଳୀନ ସଭାରେ ବିଶେଷ ଭାବରେ ଶିଶୁବାଟିକା ରୁ ୩ୟ ଶ୍ରେଣୀର କୁନିକୁନି ପିଲାମାନେ ବାହୁନି ବାହୁନି କାନ୍ଦୁଥିବାର ଦେଖାଯାଇଥିଲା I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁକୁମାର ରାଉତ, ପୂର୍ବତନ ଏ ବି ଇ ଓ ତପସ୍ୱିନୀ ଦାଶ, ପୂର୍ବତନ ପ୍ରଧାନ ଶିକ୍ଷକ ସୋମନାଥ ସିଂହ, ସି ଆର ସି ସି ଧନଞ୍ଜୟ ସାହୁ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ହଷ୍ଟେଲର କର୍ମକର୍ତ୍ତା, ଅଭିଭାବକ ପ୍ରମୁଖ ଉପସ୍ଥିତ ରହି ଦିଦିଙ୍କ କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ I ବିଦ୍ୟାଳୟର ବିକାଶ ଦିଗରେ ଅନୁ ଦିଦିଙ୍କ ଭୂମିକା ଉଲ୍ଲେଖନୀୟ ଥିଲା ଏବଂ ତାଙ୍କର ଅନୁପସ୍ଥିତି ଏକ ଶୂନ୍ୟସ୍ଥାନ ହୋଇରହିବ ବୋଲି ସମସ୍ତେ ପ୍ରକାଶ କରିଥିଲେ I ଶେଷରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ଶିକ୍ଷକ ଗଣେଶ ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ I
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

