ଉପଜିଲ୍ଲାପାଳଙ୍କ ଦ୍ୱାରା ନିଶାମୁକ୍ତ ଭାରତ ଅଭିଯାନ ସଚେତନତା ରଥର ଶୁଭାରମ୍ଭ
ରାଇରଙ୍ଗପୁର : ( ଅକ୍ଷୟ ବିଶ୍ବାଳ) ତା ୧୯-୧୧ଭାରତ ସରକାରଙ୍କ ମିଶନ ସ୍ପନ୍ଦନ ଅଧୀନସ୍ଥ ନିଶାମୁକ୍ତ ଭାରତ ଅଭିଯାନ କ୍ରମରେ ଆଜି ରାଇରଙ୍ଗପୁର ଠାରେ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ନିଶା ନିବାରଣ ଓ ନିଶାମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ ଏକ ସଚେତନତା ରଥକୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରେସନ ଓରାମ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ଏହି ଭ୍ରାମ୍ୟମାଣ ସଚେତନତା ରଥ ଉପଖଣ୍ଡର ବିଭିନ୍ନ ବ୍ଲକକୁ ପରିକ୍ରମାରେ ଯାଇ ଜନସାଧାରଣଙ୍କୁ ନିଶାଦ୍ରବ୍ୟ ସେବନର କୁପରିଣାମ, ଏହାର ଶାରୀରିକ, ମାନସିକ ଓ ସାମାଜିକ ପ୍ରଭାବ ସମ୍ପର୍କରେ ବୁଝାଇବା ସହ ନିଶାଠାରୁ ଦୂରେଇ ରହି ଏକ ସୁସ୍ଥ ଓ ଶୃଙ୍ଖଳିତ ଜୀବନଯାପନ କରିବାକୁ ପରାମର୍ଶ ଦେଇ ସଚେତନତା ବାର୍ତ୍ତା ପହଞ୍ଚାଇବ। ପ୍ରଜାପତି ବ୍ରହ୍ମା କୁମାରୀ ଈଶ୍ୱରୀୟ ଅନୁଷ୍ଠାନର ଏଭଳି ଗଠନମୂଳକ ପଦକ୍ଷେପକୁ ଉପଜିଲ୍ଲାପାଳ ସାଧୁବାଦ ଜଣାଇବା ସହିତ ଏହି ସଚେତନତା କାର୍ଯ୍ୟକ୍ରମ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନରେ ସହାୟକ ହେବ ବୋଲି ଆଶା ପୋଷଣ କରିଛନ୍ତି ଏବଂ ଆବଶ୍ୟକ ପ୍ରଶାସନିକ ସହଯୋଗ ଯୋଗାଇଦେବା ନିମନ୍ତେ ସହମତି ପ୍ରକାଶ କରିଛନ୍ତି।

