ବୌଦ୍ଧ ଧର୍ମର ପ୍ରତୀକ ଚିତ୍ତଲପୁର ଦଶ ଖମ୍ବ
ଢେଙ୍କାନାଳ – ଢେଙ୍କାନାଳ ହିନ୍ଦୋଳ ବ୍ଲକ ଠାରୁ ପ୍ରାୟ ୨୦ କି.ମି.ଦୂରରେ ଅବସ୍ଥିତ ଚିତ୍ତଲପୁର ଗ୍ରାମ। ଏହି ଗାଁରେ ରହିଛି ବହୁ ପୁରାତନ କାଳର ଦଶ ଖମ୍ବ,ଯାହାକୁ ଅନେକ ଇତିହାସବିତ୍ ଓ ଗବେଷକ ବୌଦ୍ଧ ଧର୍ମର ପ୍ରତୀକ ବୋଲି କହୁଛନ୍ତି। ଗାଁ ମୁଣ୍ଡରେ ଧାଡ଼ି ହୋଇ ଠିଆ ହୋଇଛି ୧୦ଟି ପ୍ରାଚୀନ ପଥର ଖମ୍ବ। ପ୍ରାୟ ୧୪୦୦ ବର୍ଷ ପୁରୁଣା ଏହି ଖମ୍ବ ଗୁଡ଼ିକ ଆଜି ବି ନିଜ ଇତିହାସ କହୁଛି। ମନ୍ଦିର ଭିତରେ ମଧ୍ୟ ଦେବୀ ଏକ ଖମ୍ବ ଉପରେ ବିରାଜମାନ। ଲୋକେ ତାଙ୍କୁ ମା’ ସ୍ତମ୍ଭେଶ୍ୱରୀ ବା ଖମ୍ବେଶ୍ୱରୀ ବୋଲି ପୂଜା କରୁଛନ୍ତି। କାହିଁକି ବୌଦ୍ଧ ପ୍ରତୀକ? ବୌଦ୍ଧ ଧର୍ମରେ ସ୍ତମ୍ଭ ହେଉଛି ଧର୍ମର ପ୍ରତୀକ। ସମ୍ରାଟ ଅଶୋକ ଧର୍ମ ପ୍ରଚାର ପାଇଁ ଜାଗା ଜାଗାରେ ଧର୍ମ ସ୍ତମ୍ଭ ସ୍ଥାପନ କରିଥିଲେ। ବୌଦ୍ଧ ସ୍ତୂପ ଉପରେ ମଧ୍ୟ ମଝି ଖମ୍ବ ରହେ। ଚିତ୍ତଲପୁରର ଦଶ ଖମ୍ବର ଗଠନ ଓ ପୂଜା ପଦ୍ଧତି ସେହି ବୌଦ୍ଧ ସ୍ତମ୍ଭ ପରମ୍ପରା ସହ ମିଶୁଛି ବୋଲି ଗବେଷକମାନେ କହୁଛନ୍ତି। ଇତିହାସ କହେ,ଆଦିବାସୀମାନେ ପ୍ରଥମେ କାଠ ଓ ପଥର ଖମ୍ବକୁ ଶକ୍ତି ଭାବେ ପୂଜା କରୁଥିଲେ। ଏହି ପରମ୍ପରାକୁ ପ୍ରଥମେ ବୌଦ୍ଧମାନେ ନିଜ ଧର୍ମରେ ମିଶାଇଥିଲେ। ବିଶେଷ କରି ସହଜଯାନୀ ତାନ୍ତ୍ରିକ ବୌଦ୍ଧ ଧର୍ମରେ ଖମ୍ବ ପୂଜା ଥିଲା। ପରେ ଏହା ହିନ୍ଦୁ ଶାକ୍ତ ଧର୍ମରେ ସ୍ତମ୍ଭେଶ୍ୱରୀ ପୂଜା ଭାବେ ପରିଚିତ ହେଲା। ଶୁଲ୍କୀ ବଂଶ ଓ ବୌଦ୍ଧ ଯୁଗ: ୭ମ ରୁ ୧୦ମ ଶତାବ୍ଦୀ ମଧ୍ୟରେ ଏହି ଅଞ୍ଚଳରେ ଶୁଲ୍କୀ ବଂଶ ଶାସନ କରୁଥିଲା। ତାଙ୍କର କୁଳ ଦେବୀ ଥିଲେ ମା’ସ୍ତମ୍ଭେଶ୍ୱରୀ। ଶୁଲ୍କୀ ରାଜାମାନେ ଯାହାଙ୍କ ସାମନ୍ତ ଥିଲେ,ସେ ଭୌମକର ବଂଶ ଥିଲା ବୌଦ୍ଧ ଧର୍ମାବଲମ୍ବୀ। ସେ ସମୟରେ ଲଳିତଗିରି,ରତ୍ନଗିରି,ଉଦୟଗିରି ଅଞ୍ଚଳରେ ବୌଦ୍ଧ ଧର୍ମ ଚରମ ସୀମାରେ ଥିଲା। କୁହାଯାଏ,ଚିତ୍ତଲପୁର ଗାଁ ୮ମ ଶତାବ୍ଦୀରେ ଶୁଲ୍କୀ ରାଜା କୁଳସ୍ତମ୍ଭଙ୍କ ଦ୍ୱାରା ନିର୍ମିତ। ହିନ୍ଦୋଳରୁ ମିଳିଥିବା ତାମ୍ରପତ୍ରରେ ଏହି ଗାଁକୁ ବ୍ରାହ୍ମଣମାନଙ୍କୁ ଦାନ କରାଯାଇଥିବା ଉଲ୍ଲେଖ ଅଛି। ସେହି ତାମ୍ରପତ୍ର ଏବେ ଓଡ଼ିଶା ମ୍ୟୁଜିୟମରେ ଅଛି। ଆଜିର ସ୍ଥିତି: ଏଠାରେ ସ୍ୱୟମ୍ଭୁ ଉଗ୍ରେଶ୍ୱର ମହାଦେବ ମନ୍ଦିର ମଧ୍ୟ ରହିଛି,ଯେଉଁଠି ଶିବ ଓ ପାର୍ବତୀ ଏକାଠି ପଶ୍ଚିମମୁଖୀ ହୋଇ ପୂଜା ପାଉଛନ୍ତି। କୁନୁଆ ଗାଁର ସୁକିଆ ବଉତି ମନ୍ଦିର ଏଠାରୁ ମାତ୍ର ୪ କି.ମି.ଦୂର। ଗ୍ରାମବାସୀ ଓ ଇତିହାସ ପ୍ରେମୀଙ୍କ ଦାବି,ଏହି ବୌଦ୍ଧ ଐତିହ୍ୟ ଦଶ ଖମ୍ବକୁ ସରକାରୀ ଭାବେ ସଂରକ୍ଷଣ କରାଯାଉ ଓ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦିଆଯାଉ। କାରଣ ଏହା କେବଳ ଏକ ଗାଁର ଇତିହାସ ନୁହେଁ,ଓଡ଼ିଶାର ବୌଦ୍ଧ – ଆଦିବାସୀ – ହିନ୍ଦୁ ସଂସ୍କୃତିର ମିଳନ ସ୍ଥଳୀ।
କାମାକ୍ଷାନଗରରେ ସମ୍ବିଧାନ ଦିବସ ପାଳିତ
ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସମ୍ବିଧାନ ସୁରକ୍ଷା ପାଇଁ ଆହ୍ୱାନ
କାମାକ୍ଷାନଗର- ଡକ୍ଟର ବି.ଆର୍. ଆମ୍ବେଦକର ମୂଳନିବାସୀ ଦଳିତ ସେବା ସଂଘ ପକ୍ଷରୁ କାମାକ୍ଷାନଗରଠାରେ ସମ୍ବିଧାନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି। ସଂଘର ସଭାପତି ଭିକାରୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରାଜ୍ୟ ଆମ୍ବେଦକର ସେବକ ସଂଘର ଅଧ୍ୟକ୍ଷ ମନୋରଞ୍ଜନ ଜେନା ମୁଖ୍ୟ ଅତିଥି ଏବଂ ରାଜ୍ୟ ମହିଳା ସଭାନେତ୍ରୀ ସୁପ୍ରଭା ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆର ରାଜ୍ୟ ଯୁଗ୍ମ ସମ୍ପାଦକ ଲମ୍ବୋଦର ନାୟକ ଯୋଗଦେଇଥିଲେ। ଏହି ଅବସରରେ ଡକ୍ଟର ବି.ଆର୍. ଆମ୍ବେଦକର ମୂଳନିବାସୀ ଦଳିତ ସେବା ସଂଘର ଉପସଭାପତି ରାଜକିଶୋର ବେହେରା, ଉପଦେଷ୍ଟା ବିଜୟ ପାତ୍ର, କୋଷାଧ୍ୟକ୍ଷ ବିପିନ ନାୟକ, ବିନୟ କୁମାର ନାୟକ ମାଧବାନନ୍ଦ ମାରାଣ୍ଡି ଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବାବା ସାହେବ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଅତିଥି ଓ ସଦସ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ସମସ୍ତେ ସମ୍ବିଧାନର ଶପଥ ପାଠ କରିଥିଲେ। ଏହି ଅବସରରେ ଅନୁଗୁଳସ୍ଥିତ ବାବା ସାହେବ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ସଭାପତି ଭିକାରୀ ନାୟକଙ୍କୁ ମାନପତ୍ର ଓ ସମ୍ମାନ ପ୍ରଦାନ କରାଯାଇଥିଲା। ସଭାରେ ବକ୍ତାମାନେ କହିଥିଲେ ଯେ, ଭାରତୀୟ ସମ୍ବିଧାନ ହେଉଛି ଦେଶର ଗଣତନ୍ତ୍ର, ସାମାଜିକ ନ୍ୟାୟ, ସମାନତା ଓ ଭାଇଚାରାର ମୂଳ ଆଧାର। ତେଣୁ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଦେବା ସହ ଏହାର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ। ଗଣତନ୍ତ୍ରର ସୁରକ୍ଷା ପାଇଁ ସମ୍ବିଧାନର ସୁରକ୍ଷା ଅପରିହାର୍ଯ୍ୟ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।ସଂଘର ସଦସ୍ୟମାନଙ୍କ ସକ୍ରିୟ ସହଯୋଗ ଓ ପ୍ରମୁଖ ନେତୃତ୍ୱରେ ସମଗ୍ର କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା
ରୁଙ୍ଗଟା କାରଖାନା ଏସ୍ଏମ୍ଏସ୍ରେ ଭୟାବହ ବିସ୍ଫୋରଣ
ଢ଼େଙ୍କାନାଳ – ହିନ୍ଦୋଳ ଉପଖଣ୍ଡ ଝାଡ଼ବନ୍ଧରେ ଗଢ଼ି ଉଠିଥିବା ରୁଙ୍ଗଟା ଷ୍ଟିଲ କାରଖାନାର ଏସ୍ଏମ୍ଏସ୍ ଶାଖାରେ ଗୁରୁବାର ସନ୍ଧ୍ୟାରେ ଭୟାବହ ବିସ୍ଫୋରଣ ଘଟିଛି। ଘଟଣା ପରେ କାରଖାନା କର୍ତ୍ତୃପକ୍ଷ ବିସ୍ଫୋରଣ ସ୍ଥଳକୁ ଘେରାବନ୍ଦୀ କରି ରଖିଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ମୃତାହତଙ୍କ ସଂଖ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ। ବିଗତ ଦିନରେ କର୍ମଚାରୀଙ୍କ ସୁରକ୍ଷା ପ୍ରତି ରୁଙ୍ଗଟା କମ୍ପାନୀ ଦୃଷ୍ଟି ଦେଉ ନ ଥିବା ବାରମ୍ବାର ଅଭିଯୋଗ ହେଉଛି। ଗତ ୨ ବର୍ଷ ଭିତରେ ୪ରୁ ଊର୍ଦ୍ଧ୍ବ ବିସ୍ଫୋରଣ ଘଟିଲାଣି। ବିସ୍ଫୋରଣରେ ମୃତାହତ ସଂଖ୍ୟା ଲୁଚାଇବା ନିମନ୍ତେ କାରଖାନା କର୍ତ୍ତୃପକ୍ଷ ସମସ୍ତ କୌଶଳ ଆପଣାଇ ନାହିଁ ବୋଲି ସୂଚନା ମିଳିଛି।
କାଜୁ କମ୍ପାନୀର ଧୂଳି ଧୂଆଁରେ ଅତିଷ୍ଠ ଛଦେଶ ଅଞ୍ଚଳବାସୀ
ଢେଙ୍କାନାଳ – ଓଡ଼ାପଡ଼ା ଓ ସଦର ବ୍ଲକ୍ ଭାପୁର-ଛଦେଶ ଅଞ୍ଚଳରେ ଥିବା ପ୍ରାୟ ୫୦ରୁ ଉର୍ଦ୍ଧ୍ବ କାଜୁ କମ୍ପାନୀରୁ ବାହାରୁଥିବା ଧୂଳି ଓ ଧୂଆଁରେ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ିଛନ୍ତି। ପ୍ରଭାବିତ ଗାଁ : ଶଙ୍କରପୁର ପଞ୍ଚାୟତର ତେନ୍ତୁଳିପାଟଣା,ଧୀରପାଟଣା ପଞ୍ଚାୟତର କୃଷ୍ଣପ୍ରସାଦ, ଭାପୁର ପଞ୍ଚାୟତର ବେଗୁନିଆପାଳ, କାକୁଡିଭାଗ ପଞ୍ଚାୟତର ଇଚ୍ଛାପୁର (ବୋଲୁଆ ସାହି), ଗାନ୍ଧୀ ଛକ, ଘଟିପିରି ପଞ୍ଚାୟତର ଘଟିପିରି, ପାଣମୂର୍ଗା, ବାଲିବୋରେଇ, ରଥପଦା, ବୃନ୍ଦାବନପୁର, ଓସ୍ତପାଳ, ଭାଲିଆବୋଲକାଟେଣୀ, ଲମ୍ବୋଦରପୁର କମ୍ପାନୀରୁ ନିରନ୍ତର ଧୂଳି-ଧୂଆଁ ବାହାରୁଥିବାରୁ ଲୋକେ କାଛୁ-କୁଣ୍ଡିଆ,ଶ୍ଵାସ ରୋଗ ସହ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି। ଛୋଟ ପିଲା ଓ ବୟସ୍କ ଲୋକେ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି। ଘରେ ରହିବା ବି ମୁସ୍କିଲ ହୋଇ ପଡ଼ିଛି। ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ବିଭାଗ ଅଧିକାରୀଙ୍କୁ ଅଞ୍ଚଳବାସୀ ଦାବୀ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ନ ହେଲେ ଆନ୍ଦୋଳନ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି।
ବାରାହା ଆକ୍ରମଣ ରେ ଜଣେ ଆହତ, ଜଣେ ଗୁରୁତର
ଢେଙ୍କାନାଳ – ଗଁଦିଆ ବ୍ଲକ ଅନ୍ତର୍ଗତ ସନ୍ଥପୁର ଗ୍ରାମର ବଳରାମ ମହାନ୍ତି 31ଓ ତାଙ୍କରସାନ ଭାଇ ଜଗନ୍ନାଥ ମହାନ୍ତି 29ବର୍ଷ ଆଜି ସନ୍ଧ୍ୟା ସମୟରେ ଏକ ବାଇକ ଯୋଗେ ନିଜର ଘରକୁ ଫେରୁଥିବା ସମୟରେ ସନ୍ଥପୁର ଗ୍ରାମ ଠାରେ ଥିବା ଗ୍ରାମ୍ୟ ଜଙ୍ଗଲରୁ ହଟାତ ଏକ ଜଙ୍ଗଲୀ ବାରହା ତାଙ୍କର ବାଇକ ଆଗକୁ ଆସିଯାଇଥିଲା ଯାହା ଫଳରେ ବାଇକ ସହିତ ବାରହାର ମୁହାଁ ମୁହିଁ ଧକ୍କା ହୋଇଥିଲା ଏହି ଦୁର୍ଘଟଣାରେ ଦୁଇ ଭାଇ ଗୁରୁତର ଭାବରେ ଆହତ ହୋଇଥିବା ସ୍ଥଳେ ଉକ୍ତ ବାରହାର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ଖବର ପାଇ ସ୍ଥାନୀୟ ଗ୍ରାମ ବାସି ତୁରନ୍ତ ନିଜସ୍ୱ ଗାଡ଼ିରେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଦୁଇ ଭାଇ ଏହି ଦୁର୍ଘଟଣାରେ ଗୁରୁତର ଆହତ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।
ମଠକରଗୋଳା ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ସ୍ଵାଗତ ଉତ୍ସବ
କାମାକ୍ଷାନଗର – କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନବାଗତ ମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ପ୍ରଥମ ବର୍ଷ ସମ୍ମାନ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ପାରମ୍ପରିକ ଢଙ୍ଗରେ ପୁଷ୍ପ ଚନ୍ଦନ ଓ ଉପଢ଼ୌକନ ଦେଇ ସ୍ଵାଗତ କରାଯାଇଥିଲା। ପରେ ଅଧ୍ୟକ୍ଷ ଶ୍ରୀ ଦାଶ ଙ୍କ ସଭାପତିତ୍ବ ରେ ସ୍ଵାଗତ ସଭା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ସାଂପ୍ରତିକ ପରିସ୍ଥିତିରେ ରାଜନୀତି ବିଜ୍ଞାନ ପଠନର ଆବଶ୍ୟକତା, ରାଜନୈତିକ ମୂଲ୍ୟବୋଧ ଓ ଗଣତନ୍ତ୍ରକୁ ସୁଦୃଢ କରିବାରେ ବ୍ରତୀ ହେବାକୁ ଅଧ୍ୟକ୍ଷ ଶ୍ରୀ ଦାଶ ପରାମର୍ଶ ଦେଇଥିଲେ। ବୀଭାଗୀୟ ମୂଖ୍ୟ ଅଧ୍ୟାପିକା ଶ୍ରୀଲେଖା ରାୟ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ରାଜନୀତି ବିଜ୍ଞାନର ବ୍ୟାପକତା ସମ୍ପର୍କରେ ଆଲୋଚନା କରିଥିଲେ। ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପିକା ସ୍ଵପ୍ନିତା ରାଉତ ବିଦ୍ୟାର୍ଥୀମାନେ ପ୍ରତିଦ୍ବନ୍ଦିତା ମୂଳକ ଭବିଷ୍ୟତକୁ କିପରି ମୁକାବିଲା କରି ସଫଳତା ପ୍ରାପ୍ତି ସମ୍ଭବ ତାର ସରଳ ଉପାୟ ବର୍ଣ୍ଣନା କରିଥିଲେ। ବାଣିଜ୍ୟ ବିଭାଗର ମୂଖ୍ୟ ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର ଛାତ୍ରଛାତ୍ରୀ ମାନେ କର୍ତ୍ତବ୍ୟନିଷ୍ଠ ହେବା ସହ ଉଚ୍ଚାଭିଳାଷୀ ହେବାକୁ ପରାମର୍ଶ ଦେଇଥିଲେ। ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକା ମାଧୋଇ ଭୁଏ ବିଦ୍ୟାର୍ଥୀ ମାନେ ଚିନ୍ତାଧାରା କୁ ସୀମା ହୀନ କରିବା ସହ ସ୍ନାତକ ଶିକ୍ଷା ସମାପ୍ତ ପରେ ଉପଲବ୍ଧ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାର ଅବତାରଣା କରିଥିଲେ। ପଦାର୍ଥ ବିଜ୍ଞାନ ବିଭାଗର ଲଳିତ କୁମାର ବେହେରା ଛାତ୍ରଛାତ୍ରୀ ମାନେ ପାଠପଢ଼ା ସହ ବ୍ୟକ୍ତିତ୍ଵ ର ବିକାଶ ନିମନ୍ତେ ଜାତୀୟ ସେବା ଯୋଜନା ,ଯୁବ ରେଡ୍ କ୍ରସ କିମ୍ବା ସ୍କାଉଟ୍ ଗାଇଡ୍ ରେ ଯୋଗ ଦେବାକୁ ଆହ୍ଵାନ ଦେଇଥିଲେ।ଦ୍ଵିତୀୟ ଅଧିବେଶନରେ ବରିଷ୍ଠ ଛାତ୍ରଛାତ୍ରୀ ମାନେ ନବାଗତ ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ କୌତୁହଳ ପ୍ରଶ୍ନ ପଚାରିଥିଲେ। ନବାଗତ ମାନେ ସେମାନଙ୍କ ଜୀବନର ଲକ୍ଷ୍ୟ ପ୍ରକାଶ କରିବା ସହ ରୁଚି ଅନୁସାରେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଚଳିତ ବର୍ଷ ନିମନ୍ତେ ତପସ୍ୱୀନି ମହାନ୍ତି ଶ୍ରେଷ୍ଠ ନବାଗତା ଏବଂ ଓମ୍ ଆହ୍ଵାନ ନାୟକ ଶ୍ରେଷ୍ଠ ନବାଗତ ଘୋଷିତ ହୋଇଥିଲେ। ଅଧ୍ୟାପିକା ବିଦ୍ୟାବତୀ ରାଜୀନ୍ଦ୍ର, ଶ୍ରଦ୍ଧାଞ୍ଜଳି ସ୍ଵାଇଁ, ଅର୍ଚ୍ଚିତା ମହାମାନସିଂ, ଦିପ୍ତିମୟୀ ସାହୁ ଅଧ୍ୟାପକ ସୋମନାଥ ପଣ୍ଡା, ଦୀପକ ସ୍ଵାଇଁ ଓ ହିମାଂଶୁ ମହାନ୍ତ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।
ସଡ଼କ ଦୁର୍ଘଟଣା ରୋକିବା ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ମିଳିତ ପ୍ରବର୍ତ୍ତନ ଓ ସଚେତନତା ଉପରେ ଗୁରୁତ୍ୱ
ଢେଙ୍କାନାଳ- ଜିଲ୍ଲାରେ ସଡ଼କ ଦୁର୍ଘଟଣା ହ୍ରାସ ଓ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଆଜି ଅପରାହ୍ନ ୪ଟା ସମୟରେ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେ ଉପସ୍ଥିତ ଥିଲେ।ବୈଠକରେ ଜାନୁଆରୀରୁ ଅକ୍ଟୋବର ୨୦୨୬ ମଧ୍ୟରେ ଜିଲ୍ଲାରେ ୩୭୫ଟି ସଡ଼କ ଦୁର୍ଘଟଣା ଘଟିଥିବା ଏବଂ ଏଥିରେ ୧୬୮ ଜଣଙ୍କ ମୃତ୍ୟୁ ହୋଇଥିବା ତଥ୍ୟ ଉପସ୍ଥାପନ କରାଯାଇଥିଲା। ୨୦୨୫ର ସମାନ ଅବଧିରେ ୩୫୭ଟି ଦୁର୍ଘଟଣାରେ ୧୫୮ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଗୁରୁତର ଆହତଙ୍କ ସଂଖ୍ୟା ୨୮୯ରୁ ହ୍ରାସ ପାଇ ୨୨୨ରେ ପହଞ୍ଚିଛି।
ମେରାମଣ୍ଡଳୀ ଅଞ୍ଚଳରେ ଜାତୀୟ ରାଜପଥ ପାର୍ଶ୍ୱରେ ବେଆଇନ ପାର୍କିଂ ଯୋଗୁଁ ସୃଷ୍ଟି ହେଉଥିବା ଯାନବାହନ ଭିଡ଼ ଓ ଯାତାୟାତ ସମସ୍ୟା ଉପରେ ଜିଲ୍ଲାପାଳ ଉଦ୍ବେଗ ପ୍ରକାଶ କରିଥିଲେ। ସମ୍ପୃକ୍ତ ଅଞ୍ଚଳରେ କାର୍ଯ୍ୟରତ ଶିଳ୍ପ ସଂସ୍ଥାଗୁଡ଼ିକୁ ନିଜସ୍ୱ ଜମିରେ ଯାନବାହନ ପାର୍କିଂ ବ୍ୟବସ୍ଥା କରିବା ଏବଂ ଜାତୀୟ ରାଜପଥକୁ ପାର୍କିଂ ପାଇଁ ବ୍ୟବହାର ନକରିବା ନିମନ୍ତେ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ କହିଥିଲେ।
ସେହିପରି ଗୋବିନ୍ଦପୁର-ମହିଷାପାଟ ରାସ୍ତାରେ ଦୁର୍ଘଟଣା ରୋକିବା ନିମନ୍ତେ ଆବଶ୍ୟକୀୟ ସୂଚନା ଫଳକ ସ୍ଥାପନ ଓ ଆଲୋକୀକରଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସଡ଼କ ଦୁର୍ଘଟଣା ରୋକିବା ଦିଗରେ ପୋଲିସ ଓ ପରିବହନ ବିଭାଗର ମିଳିତ ଯାଞ୍ଚ ଓ ଆଇନ ପ୍ରବର୍ତ୍ତନକୁ ଅଧିକ କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ଘଟୁଥିବା ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟାର ସଠିକ୍ ଆକଳନ ନିମନ୍ତେ, ମଦ୍ୟପାନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମାମଲାରେ କୌଣସି ପକ୍ଷପାତ ନକରି ମୃତ୍ୟୁର କାରଣ ସମ୍ପର୍କିତ ପୋଷ୍ଟମର୍ଟମ ରିପୋର୍ଟ ଉପଲବ୍ଧ କରାଇବାକୁ ଉପସ୍ଥିତ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ। ଆଗାମୀ ନଭେମ୍ବରରୁ ଫେବୃଆରୀ ମାସ ମଧ୍ୟରେ ପିକନିକ୍ ସ୍ଥଳଗୁଡ଼ିକରେ ଜନସମାଗମ ଓ ଦୁର୍ଘଟଣା ଆଶଙ୍କାକୁ ଦୃଷ୍ଟିରେ ରଖି ସପ୍ତଶଯ୍ୟା, ସାପୁଆ ଡ୍ୟାମ୍, ଦଣ୍ଡାଧାର ଓ କପିଳାସ ଆଦି ସ୍ଥାନରେ ପୋଲିସ ଓ ପରିବହନ ବିଭାଗର ମିଳିତ ଯାଞ୍ଚ, ମଦ୍ୟପାନ କରି ଗାଡ଼ି ଚାଳନା ରୋକିବା, ଯାତ୍ରୀବାହୀ ଗାଡ଼ିରେ ଅତ୍ୟଧିକ ଯାତ୍ରୀ ପରିବହନ ନିୟନ୍ତ୍ରଣ ଓ ଗାଡ଼ିରେ ପ୍ରାଥମିକ ଚିକିତ୍ସା ବାକ୍ସ ରଖିବା ଉପରେ ଆଲୋଚନା ହୋଇଥିଲା। ଏଥିସହ ଗଜମରା, ଗଣ୍ଡାନାଳୀ, କାମାକ୍ଷାନଗର, କଙ୍କଡ଼ାହାଡ଼ ଓ କପିଳାସ-ଟାଙ୍ଗୀ ରାସ୍ତାରେ ଗାଡ଼ିର ବେଗ ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଥିଲା।
ବୈଠକର ଶେଷରେ ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ସହାୟତା କରି ମାନବିକତା ଓ ମହତ୍ତ୍ୱପୂର୍ଣ୍ଣ ସାମାଜିକ ଦାୟିତ୍ୱର ପରିଚୟ ଦେଇଥିବା ପାଞ୍ଚ ଜଣ ଗୁଡ୍ ସମାରିଟାନ୍ଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ କଣ୍ଟାବଣିଆର ଶ୍ରୀ ଅନିରୁଦ୍ଧ ସେଠ୍, ଚିତ୍ତଳପୁରର ଶ୍ରୀ ସୁକାନ୍ତ ସେନାପତି, ଦଲାରର ଶ୍ରୀ ଜିତେନ୍ଦ୍ର କୁମାର ଦାସ ସାମନ୍ତ, ପିଙ୍ଗୁଆର ଶ୍ରୀ ବିନୋଦ ପ୍ରଧାନ ଓ ଶ୍ରୀମତୀ ରାଧା ପରିଡ଼ା। ସଡ଼କ ସୁରକ୍ଷା ନିୟମ ପାଳନ, ଦାୟିତ୍ୱପୂର୍ଣ୍ଣ ଗାଡ଼ି ଚାଳନା ଓ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ସହାୟତା ପ୍ରଦାନ ଦିଗରେ ସମସ୍ତଙ୍କ ସହଯୋଗ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ମାନବିକତାର ନିଆରା ଉଦାହରଣ: ସଡ଼କ ଦୁର୍ଘଟଣାରେ ଆହତଙ୍କ ଜୀବନ ବଞ୍ଚାଇ ସମ୍ମାନିତ ହେଲେ ଢେଙ୍କାନାଳର ୫ ଗୁଡ୍ ସମାରିଟାନ୍
ବିପଦ ସମୟରେ ଆଗେଇ ଆସିଲେ, ଅଚିହ୍ନା ମଣିଷଙ୍କ ପାଇଁ ସାଜିଲେ ଜୀବନରକ୍ଷକ।
ଢେଙ୍କାନାଳ- ମାନବିକତାର ପରିଚୟ ଦେବା ପାଇଁ ବଡ଼ ପଦପଦବୀ କିମ୍ବା ବିଶେଷ ପରିଚୟର ଆବଶ୍ୟକତା ନାହିଁ। ବିପଦ ସମୟରେ ଅନ୍ୟ ଜଣଙ୍କ ପାଇଁ ସହାୟତାର ହାତ ବଢ଼ାଇବା ହିଁ ପ୍ରକୃତ ମାନବିକତା। ଢେଙ୍କାନାଳ ଜିଲ୍ଲାର ପାଞ୍ଚ ଜଣ ସାଧାରଣ ନାଗରିକ ନିଜର ନିଃସ୍ୱାର୍ଥପର ସେବା ଓ ତତ୍ପରତା ଦ୍ୱାରା ଏହାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଜୀବନର ସଂକଟାପନ୍ନ ସମୟରେ ତୁରନ୍ତ ଡାକ୍ତରଖାନା ପହଞ୍ଚାଇ ସେମାନେ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହୋଇଛନ୍ତି।
ଜିଲ୍ଲାରେ ଆଜି ଅନୁଷ୍ଠିତ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅବସରରେ ଏହି ପାଞ୍ଚ ଜଣ ଗୁଡ୍ ସମାରିଟାନ୍ଙ୍କୁ ସମ୍ମାନିତ କରାଯାଇଛି। ସେମାନେ ହେଲେ କଣ୍ଟାବଣିଆର ଶ୍ରୀ ଅନିରୁଦ୍ଧ ସେଠ୍, ଚିତ୍ତଳପୁରର ଶ୍ରୀ ସୁକାନ୍ତ ସେନାପତି, ଦଲାରର ଶ୍ରୀ ଜିତେନ୍ଦ୍ର କୁମାର ଦାସ ସାମନ୍ତ ଏବଂ ପିଙ୍ଗୁଆ ଅଞ୍ଚଳର ଶ୍ରୀ ବିନୋଦ ପ୍ରଧାନ ଓ ଶ୍ରୀମତୀ ରାଧା ପ୍ରଧାନ।
ଅଟୋ ଚାଳକ ଅନିରୁଦ୍ଧଙ୍କ ମାନବିକତା
କଣ୍ଟାବଣିଆର ୩୫ ବର୍ଷୀୟ ଅନିରୁଦ୍ଧ ସେଠ୍ ଜଣେ ଅଟୋ ଚାଳକ। ପ୍ରାୟ ଏକ ମାସ ପୂର୍ବେ ରାତି ପାହିବା ପୂର୍ବରୁ ଏକ ଦମ୍ପତି ମୋଟରସାଇକେଲ୍ରେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଭଳି ସଂକଟଜନକ ପରିସ୍ଥିତିରେ ଅନିରୁଦ୍ଧ ବିଳମ୍ବ ନକରି ଆହତ ଦମ୍ପତିଙ୍କୁ ନିକଟସ୍ଥ ବନରପାଳ ଡାକ୍ତରଖାନାକୁ ନେଇଥିଲେ ଏବଂ ଆବଶ୍ୟକ ଚିକିତ୍ସା ଯୋଗାଇଦେବାରେ ସହଯୋଗ କରିଥିଲେ। ଦୁର୍ଘଟଣା ପରବର୍ତ୍ତୀ ଗୋଲଡେନ୍ ଆୱାର୍ ବା ସୁବର୍ଣ୍ଣ ସମୟ ମଧ୍ୟରେ ତାଙ୍କର ଏହି ତତ୍ପରତା ଦୁଇଟି ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲା।
ସୁକାନ୍ତ ଓ ଜିତେନ୍ଦ୍ରଙ୍କ ସମୟୋଚିତ ସହାୟତା
ଚିତ୍ତଳପୁରର ସୁକାନ୍ତ ସେନାପତି ଓ ଡାଳରାର ଜିତେନ୍ଦ୍ର କୁମାର ଦାସ ସାମନ୍ତ ମଧ୍ୟ ନିଜର ମାନବିକତାର ପରିଚୟ ଦେଇଛନ୍ତି। ଏକଦା ଏକ ଶାଶୂ ଓ ଜ୍ୱାଇଁ ମୋଟରସାଇକେଲ୍ରେ ଯାଉଥିବା ସମୟରେ ମାଣ୍ଡାର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ଶାଶୂ ଜଣକ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏଭଳି ସମୟରେ ସୁକାନ୍ତ ଓ ଜିତେନ୍ଦ୍ର ଆଗେଇ ଆସି ଚେତାଶୂନ୍ୟ ମହିଳାଙ୍କୁ ନିଜ ସ୍କୁଟିରେ ଭୁବନ ଡାକ୍ତରଖାନାକୁ ନେଇଥିଲେ। ସେମାନଙ୍କର ତ୍ୱରିତ ପଦକ୍ଷେପ ମହିଳାଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଥିଲା।
ଭାଇ-ଭଉଣୀ ବିନୋଦ ଓ ରାଧାଙ୍କ ନିଃସ୍ୱାର୍ଥପର ସେବା
ପିଙ୍ଗୁଆର ଟୋଲରପାଶି ଅଞ୍ଚଳର ବିନୋଦ ପ୍ରଧାନ ଓ ରାଧା ପ୍ରଧାନ ଭାଇ-ଭଉଣୀ। ପିଙ୍ଗୁଆ କଲେଜ ନିକଟରେ ସେମାନଙ୍କର ଏକ ଛୋଟ ଦୋକାନ ରହିଛି। ନିଜର ଦୈନନ୍ଦିନ ଜୀବିକା ମଧ୍ୟରେ ମଧ୍ୟ ସେମାନେ ସାମାଜିକ ଦାୟିତ୍ୱକୁ ଭୁଲିନାହାନ୍ତି। ଏହି ଅଞ୍ଚଳରେ କୌଣସି ସଡ଼କ ଦୁର୍ଘଟଣା ଘଟିଲେ ଆହତଙ୍କୁ ତୁରନ୍ତ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁର ଡାକ୍ତରଖାନାରେ ପହଞ୍ଚାଇବାକୁ ଉଭୟ ସବୁବେଳେ ଉଦ୍ୟମ କରିଥାନ୍ତି। ଏଭଳି ଅନେକ ଆହତଙ୍କୁ ଗୋଲଡେନ୍ ଆୱାର୍ ମଧ୍ୟରେ ଡାକ୍ତରଖାନା ପହଞ୍ଚାଇ ସେମାନେ ଚିକିତ୍ସା ସେବା ପାଇବାରେ ସହାୟତା କରିଛନ୍ତି।
ଏହି ପାଞ୍ଚ ଜଣଙ୍କ କାର୍ଯ୍ୟ ଆମକୁ ମନେ ପକାଇଦିଏ ଯେ, ସଡ଼କ ସୁରକ୍ଷା କେବଳ ଟ୍ରାଫିକ୍ ନିୟମ ପାଳନ କିମ୍ବା ପ୍ରଶାସନିକ ପଦକ୍ଷେପ ମଧ୍ୟରେ ସୀମିତ ନୁହେଁ। ଦୁର୍ଘଟଣା ସମୟରେ ଆହତଙ୍କୁ ସହାୟତା କରିବା ମଧ୍ୟ ପ୍ରତ୍ୟେକ ନାଗରିକଙ୍କ ମାନବିକ ଦାୟିତ୍ୱ। ସମୟୋଚିତ ଚିକିତ୍ସା ଅନେକ ଜୀବନ ବଞ୍ଚାଇପାରେ। ତେଣୁ ଦୁର୍ଘଟଣାଗ୍ରସ୍ତଙ୍କୁ ଦେଖି ଅଣଦେଖା ନକରି ସହାୟତାର ହାତ ବଢ଼ାଇବାକୁ ଏହି ପାଞ୍ଚ ଜଣଙ୍କ ଉଦାହରଣ ସମାଜକୁ ପ୍ରେରଣା ଯୋଗାଇବ।
ସେମାନେ ପ୍ରମାଣ କରିଛନ୍ତି ଯେ, ଜଣେ ସାଧାରଣ ମଣିଷର ଛୋଟିଆ ପ୍ରୟାସ ମଧ୍ୟ ଅନ୍ୟ କାହା ପାଇଁ ଜୀବନର ସବୁଠାରୁ ବଡ଼ ଆଶା ହୋଇପାରେ।
ଢେଙ୍କାନାଳରେ ୧୬ ଦିନିଆ ମହିଳା ହିଂସା ବିରୋଧୀ ଅଭିଯାନର ଶୁଭାରମ୍ଭ
ନାରୀଙ୍କ ସମ୍ମାନ, ସୁରକ୍ଷା ଓ ନ୍ୟାୟ ପାଇଁ ଏକଜୁଟ ହେଲା ପ୍ରଶାସନ ଓ ସମାଜ
ଢେଙ୍କାନାଳ- ନାରୀ ହେଉଛି ସମାଜର ଶକ୍ତି, ସୃଷ୍ଟି ଓ ସମୃଦ୍ଧିର ଆଧାର। ନାରୀଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାରର ସୁରକ୍ଷା କେବଳ ଗୋଟିଏ ବ୍ୟକ୍ତି ବା ପରିବାରର ଦାୟିତ୍ୱ ନୁହେଁ, ଏହା ସମଗ୍ର ସମାଜର ନୈତିକ କର୍ତ୍ତବ୍ୟ। ମହିଳା ଓ ବାଳିକାଙ୍କ ପ୍ରତି ହେଉଥିବା ସମସ୍ତ ପ୍ରକାର ହିଂସା, ଅନ୍ୟାୟ ଓ ନିର୍ଯାତନା ବିରୋଧରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଢେଙ୍କାନାଳ ଜିଲ୍ଲାରେ ଆରମ୍ଭ ହୋଇଛି ୧୬ ଦିନିଆ ସ୍ୱତନ୍ତ୍ର ଅଭିଯାନ “ପ୍ରତ୍ୟେକ ମହିଳାଙ୍କ ପାଇଁ ନ୍ୟାୟ”। ଏହି ଅବସରରେ ଆଜି ସକାଳେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ବିଶାଳ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହି ଶୋଭାଯାତ୍ରାକୁ ଉପଜିଲ୍ଲାପାଳ (ସାଧାରଣ) ପ୍ରତାପ ପ୍ରୀତିମୟ ଏବଂ ଉପଜିଲ୍ଲାପାଳ (ରାଜସ୍ୱ) ଲଳିତ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଡିଏସଡବ୍ଲୁଓ, ଢେଙ୍କାନାଳ, ଡିସି ଅଶୋକ ରାଉଳ, ଐରାର ନିର୍ଦ୍ଦେଶକ ସୁରେଶ କୁମାର ପଣ୍ଡାଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ସିଡ଼ିପିଓ, ଡିଏସଡବ୍ଲୁଓ କାର୍ଯ୍ୟାଳୟର କର୍ମଚାରୀ, ଐରାର ସଦସ୍ୟ, ପୋଲିସ ପ୍ରଶାସନର ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡ଼ି କର୍ମୀ, ଆଶା ଦିଦି, ସିଆରପି, ଶକ୍ତି ସଦନ ଓ ୱାନ୍ ଷ୍ଟପ୍ ସେଣ୍ଟରର କର୍ମକର୍ତ୍ତାମାନେ ଉତ୍ସାହର ସହ ଯୋଗଦେଇଥିଲେ। ଶୋଭାଯାତ୍ରା ମାଧ୍ୟମରେ ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ ଏକତାର ବାର୍ତ୍ତା ଦିଆଯିବା ସହ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର କରୁଥିବା କୌଣସି ବ୍ୟକ୍ତି ଆଇନର ଦୃଷ୍ଟିରୁ ଖସି ପାରିବେ ନାହିଁ ବୋଲି ସମସ୍ତେ ଶପଥ ଗ୍ରହଣ କରିଥିଲେ। ନାରୀଙ୍କ ପ୍ରତି ଅନ୍ୟାୟ ଦେଖି ନୀରବ ନ ରହିବା ସହ ହିଂସା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ମଧ୍ୟ ଆହ୍ୱାନ ଦିଆଯାଇଥିଲା। ଆଗାମୀ ୧୬ ଦିନ ଧରି ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏହି ଅଭିଯାନକୁ ବ୍ୟାପକ ଭାବେ ଆୟୋଜନ କରାଯିବ। ଏହି ସମୟରେ ମହିଳା ହିଂସା, ଘରୋଇ ହିଂସା, ବାଲ୍ୟ ବିବାହ ଆଦି ସାମାଜିକ ସମସ୍ୟା ଉପରେ ଜନସଚେତନତା ସୃଷ୍ଟି କରାଯିବା ସହ ମହିଳା ଓ ବାଳିକାମାନଙ୍କୁ ସେମାନଙ୍କ ଅଧିକାର, ଆଇନଗତ ସୁରକ୍ଷା ଏବଂ ନ୍ୟାୟ ପାଇବାର ବିଭିନ୍ନ ଉପାୟ ସମ୍ପର୍କରେ ଅବଗତ କରାଯିବ। ନାରୀଙ୍କୁ ସମ୍ମାନ ଦେବା କେବଳ ସ୍ଲୋଗାନରେ ସୀମିତ ନ ରହୁ, ତାହା ଆମ ଆଚରଣ ଓ ସମାଜର ସଂସ୍କାରରେ ପ୍ରତିଫଳିତ ହେଉ। ହିଂସାମୁକ୍ତ ସମାଜ ଗଠନ ଓ ପ୍ରତ୍ୟେକ ମହିଳାଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଢେଙ୍କାନାଳ ଜିଲ୍ଲାର ଏହି ୧୬ ଦିନିଆ ଅଭିଯାନ ଏକ ସଚେତନତାମୂଳକ ଓ ପ୍ରଶଂସନୀୟ ପଦକ୍ଷେପ ଭାବେ ଆଶା ସଞ୍ଚାର କରିଛି।
କାନ୍ତୋଳ ପଞ୍ଚାୟତ ପୁଟିପାଳ ଗାଁରେ ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ
ଢେଙ୍କାନାଳ – କଙ୍କଡ଼ାହାଡ଼ ବ୍ଲକ କାନ୍ତୋଳ ଗ୍ରାମ ପଞ୍ଚାୟତ ଅଧୀନ ପୁଟିପାଳ ଗାଁରେ ଆଦିବାସୀ ପରିବାର ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ବିକାଶର ଡିଣ୍ଡିମ ବାଜୁଥିଲେ ବି ଏହି ଆଦିବାସୀ ଅଧ୍ୟୁଷିତ ଗାଁରେ ବିକାଶ ପହଞ୍ଚି ପାରିନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁକୁ ଯିବା ପାଇଁ ଭଲ ପକ୍କା ରାସ୍ତା ନାହିଁ। କାଚା ରାସ୍ତା ଓ ନାଳ ପାର ହୋଇ ଲୋକେ ଯାତାୟାତ କରୁଛନ୍ତି। ବର୍ଷା ଦିନେ ସ୍ଥିତି ଆହୁରି ଖରାପ ହୋଇଯାଏ। ଅସୁସ୍ଥ ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେବାକୁ ପଡ଼ୁଛି। ବିଶୁଦ୍ଧ ପିଇବା ପାଣି,ବିଦ୍ୟୁତ୍,ସ୍ୱାସ୍ଥ୍ୟସେବା ଓ ଶିକ୍ଷା ବ୍ୟବସ୍ଥା ମଧ୍ୟ ଯଥେଷ୍ଟ ନାହିଁ। ଅନେକ ପରିବାର କୂଅ ଓ ଦୂର ନଳକୂପ ଉପରେ ନିର୍ଭର କରୁଛନ୍ତି। ପାଖରେ ଭଲ ସ୍ୱାସ୍ଥ୍ୟକେନ୍ଦ୍ର ନଥିବାରୁ ସାମାନ୍ୟ ରୋଗ ପାଇଁ ବି ଦୂରକୁ ଯିବାକୁ ପଡ଼ୁଛି। ପିଲାମାନଙ୍କ ପାଠପଢ଼ା ପାଇଁ ମଧ୍ୟ ସୁବିଧା ଅଭାବ ରହିଛି। ଅଧିକାଂଶ ପରିବାର ଚାଷ ଓ ଦିନ ମଜୁରି ଉପରେ ନିର୍ଭର କରୁଛନ୍ତି। ସରକାରୀ ଆବାସ,ରାସନ,ଭତ୍ତା ଭଳି ଯୋଜନା ଅନେକ ଯୋଗ୍ୟ ପରିବାରଙ୍କ ପାଖରେ ପହଞ୍ଚି ପାରିନି ବୋଲି ଲୋକେ କହିଛନ୍ତି। ଗ୍ରାମବାସୀଙ୍କ ଦାବି – ପ୍ରଶାସନ ଗାଁ ବୁଲି ବାସ୍ତବ ସ୍ଥିତି ଦେଖି ରାସ୍ତା,ପାଣି,ବିଦ୍ୟୁତ୍,ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ମୌଳିକ ସୁବିଧା ତୁରନ୍ତ ଯୋଗାଇ ଦେଉ।
ବାବା କୁମ୍ଭେଶ୍ଵର ମହାଦେବ ,୨୦୦ ବର୍ଷ ପୁରୁଣା ପ୍ରଭୁ ଶ୍ରୀ ଶ୍ରୀ କୁମ୍ଭେଶ୍ୱର ମହାଦେବଙ୍କ ମନ୍ଦିର
ଢେଙ୍କାନାଳ – ସଦର ବ୍ଲକ ମାଣିପୁର ପଞ୍ଚାୟତ ଦେଓପଡ଼ା ଗ୍ରାମରେ ବିରାଜମାନ ଅଛନ୍ତି ପ୍ରଭୁ ଶ୍ରୀ ଶ୍ରୀ କୁମ୍ଭେଶ୍ୱର ମହାଦେବ। ପ୍ରାୟ ୨୦୦ ବର୍ଷ ପୁରୁଣା ଏହି ମନ୍ଦିର ଢେଙ୍କାନାଳର ଏକ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ସ୍ଥଳୀ। ଇତିହାସ: ୧୮୧୮ମସିହାରେ ଆଠଗଡ଼ ରାଜା ଗୋପୀନାଥ ବେବର୍ତ୍ତା ପଟ୍ଟନାୟକ ଏହି ମନ୍ଦିର ନିର୍ମାଣ କରିଥିଲେ। ତାଙ୍କ ମୃତ୍ୟୁ ପରେ ରାଣୀ ରାଧାପ୍ରିୟା ଦେବୀ ଅସମ୍ପୂର୍ଣ୍ଣ ମନ୍ଦିରକୁ ସମ୍ପୂର୍ଣ୍ଣ କରିଥିଲେ। ପରେ ଢେଙ୍କାନାଳ ରାଜା ତ୍ରିଲୋଚନ ସିଂହ ମହେନ୍ଦ୍ର ବାହାଦୁର ଆଠଗଡ଼ ଓ ତିଗିରିଆକୁ ଜୟ କରି ଏହି ଅଞ୍ଚଳକୁ ନିଜ ରାଜ୍ୟରେ ମିଶାଇଥିଲେ। ଦେଓପଡ଼ା ନାମ ବି ଏହି ମନ୍ଦିରରୁ ହିଁ ହୋଇଛି। ଦେବ = ଭଗବାନ,ପଦ = ପାଦ। ଭଗବାନଙ୍କ ସେବା ପାଇଁ ବସାଯାଇଥିବା ଗାଁ ବୋଲି ଏହାର ନାମ ଦେଓପଡ଼ା। କିମ୍ବଦନ୍ତୀ: କୁମ୍ଭ = କଳସରୁ ପ୍ରଭୁଙ୍କ ନାମ କୁମ୍ଭେଶ୍ୱର ହୋଇଛି ବୋଲି ବିଶ୍ୱାସ। ଆଉ ଏକ କିମ୍ବଦନ୍ତୀ ଅନୁଯାୟୀ ଏଠାରେ ଗାଈ ଦୁଧ ଦେବାରୁ ମାଟି ତଳେ ଥିବା ଶିବଲିଙ୍ଗ ପ୍ରକଟ ହୋଇଥିଲା। ସ୍ଥାପତ୍ୟ ଓ ଉମା-ମହେଶ୍ୱର ପ୍ରତିମା: ଏହି ମନ୍ଦିର ରେଖ ଦେଉଳ ଶୈଳୀର,ପ୍ରବେଶ ପଥ ପୀଢ଼ ଶୈଳୀର। ନାଟ ମଣ୍ଡପରେ ୧୬ଟି ସ୍ତମ୍ଭ ଅଛି,ଯାହା କପିଳାସ ମନ୍ଦିର ପରି ବିରଳ। ଏହି ମନ୍ଦିରରେ ହର-ପାର୍ବତୀ ବା ଉମା-ମହେଶ୍ୱର ପ୍ରତିମା ବିରାଜମାନ। ଶିବ ଓ ପାର୍ବତୀଙ୍କ ଏକାଠି ରୂପ ଭକ୍ତଙ୍କୁ ବେଶ ଆକୃଷ୍ଟ କରେ। ଏଥିସହ ସୁନ୍ଦର ବିଷ୍ଣୁ ମୂର୍ତ୍ତି ଥିବାରୁ ଏହାକୁ ହରିହର ସଂସ୍କୃତିର ମନ୍ଦିର ବୋଲି କୁହାଯାଏ। ପରିସରରେ ମା’ଛିନ୍ନମସ୍ତା ଓ ଶ୍ରୀଜଗନ୍ନାଥଙ୍କ ମନ୍ଦିର ମଧ୍ୟ ଅଛି। ପର୍ବପର୍ବାଣୀ: ମହାଶିବରାତ୍ରି,ଶୀତଳଷଷ୍ଠୀରେ ଏଠାରେ ବଡ଼ ଭିଡ଼ ହୁଏ। ଆଗରୁ ଦଣ୍ଡ ନାଚ ମଧ୍ୟ ହେଉଥିଲା। ଏହି ଐତିହ୍ୟ ମନ୍ଦିରକୁ ସଂରକ୍ଷଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
କପିଳାସ ପାଦଦେଶରେ ମହିମାଶ୍ରମ ତପୋବନ ପୀଠରେ ବାର୍ଷିକ ମେଳା ସମ୍ପନ୍ନ
ଢେଙ୍କାନାଳ – କପିଳାସ ପାଦଦେଶରେ ଥିବା ମହିମାଶ୍ରମ ତପୋବନ ପୀଠରେ ବାର୍ଷିକ ମେଳା ମହା ଆଡ଼ମ୍ବରରେ ସମ୍ପନ୍ନ ହୋଇଛି। ପ୍ରତିକୂଳ ପାଗ ସତ୍ତ୍ୱେ ବି ପୀଠରେ ମହିମା ସାଧୁ,ସନ୍ଥ,ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସନ୍ଥ ଭୀମଭୋଇଙ୍କ ରଚିତ ଭଜନ ଜଣାଣ ଗାନ ମଧ୍ୟରେ ୨୧ ଶାଖା ବିଶିଷ୍ଟ ଝାଡ଼ ପ୍ରଜ୍ବଳିତ ହୋଇଥିଲା। ମହିମା ଅଲେଖ ଧ୍ୱନିରେ ପୀଠ ପ୍ରକମ୍ପିତ ହୋଇଥିଲା। ପାରମ୍ପରିକ ଖଞ୍ଜଣୀ ଭଜନ ମାଧ୍ୟମରେ ନାମଯଜ୍ଞ,ଅଖଣ୍ଡ ବ୍ରହ୍ମଜ୍ୟୋତି ଓ ଧୁନିରେ ଅହୋରାତ୍ର ଜଗତ ଭଗତଙ୍କ କଲ୍ୟାଣ ନିମନ୍ତେ ଘୃତାହୁତି ଦିଆଯାଇଥିଲା। ନୂତନ ହାଣ୍ଡିରେ ପ୍ରସ୍ତୁତ ପ୍ରସାଦ ଶୂନ୍ୟବ୍ରହ୍ମଙ୍କୁ ସମର୍ପିତ ହେବା ପରେ ପିଲାମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା। ଭକ୍ତମାନଙ୍କ ମାନସିକ ନଡ଼ିଆ ଓ ଘୃତ ବ୍ରହ୍ମଧୁନିରେ ସମର୍ପିତ କରାଯାଇଥିଲା। ମହିମା ଭଜନ କୀର୍ତ୍ତନ ଓ ମହିମା ଅଲେଖ ଧ୍ୱନିରେ ତପୋବନ ପୀଠର ଗଗନପବନ ମୁଖରିତ ହୋଇଯାଇଥିଲା। ତ୍ରିସଂଧ୍ୟା ଯଥା ପ୍ରତ୍ୟୁଷ,ମଧ୍ୟାହ୍ନ ଓ ସଂଧ୍ୟାରେ ଜ୍ୟୋତି ମନ୍ଦିରକୁ ଚନ୍ଦନ,ଅଗୁରୁ ଓ ଗୋମୟ ମିଶ୍ରିତ ଜଳ ମାଧ୍ୟମରେ ଶୁଦ୍ଧି କରାଯାଇ ଚାମର ସେବା ଏବଂ ମହିମା ଭଜନ ଗାନ ମାଧ୍ୟମରେ ଜ୍ୟୋତି ମନ୍ଦିର ପରିକ୍ରମା କରାଯାଇଥିଲା। ଘଣ୍ଟଘଣ୍ଟା ନାଦ ଓ ମହିମା ଅଲେଖ ଡାକରେ ତପୋବନର ଗଗନ ପବନ ମୁଖରିତ ହୋଇ ଉଠିଥିଲା। ସାୟଂ କାଳରେ ଅଖଣ୍ଡ ବ୍ରହ୍ମଧୁନି ସଂସ୍ଥାପନ ଏବଂ ୨୧ ଶାଖା ବିଶିଷ୍ଟ ଝାଡ଼ବତୀ ପ୍ରଜ୍ବଳିତ କରାଯାଇ ଘୃତାହୁତି ଦିଆଯାଇଥିଲା। ଅପରାହ୍ନ ୩ଟାରେ ବାର୍ଷିକ ତପୋବନ ମେଳାର ସ୍ୱତନ୍ତ୍ର ବିଶେଷାଙ୍କ ‘ତପୋବନ’ ପତ୍ରିକାର ଲୋକାର୍ପଣ କୌପୀନଧାରୀ ମହିମା ସମାଜର ଧର୍ମାଧ୍ୟକ୍ଷ ଶ୍ରୀମଦ୍ ରଘୁନାଥ ବାବାଙ୍କ ଦ୍ୱାରା କରାଯାଇଥିଲା। ଧର୍ମସଭାରେ ତପୋବନ ପତ୍ରିକାର ସଂପାଦକ ପ୍ରଶାନ୍ତ ମହାପାତ୍ର ଅଧ୍ୟକ୍ଷତା କରି ମହିମାଧର୍ମର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମଦ୍ ରଘୁନାଥ ବାବା ତପୋବନ ପୀଠରେ ମହିମାସ୍ୱାମୀଙ୍କ ୨୪ ବର୍ଷର ଆତ୍ମଯୋଗ ସାଧନା ଓ ପରିବ୍ରାଜକ ସନ୍ୟାସୀ ଭାବେ ୧୪ ବର୍ଷ ଧରି ଆତ୍ମଉପଲବ୍ଧ ଜ୍ଞାନ ମାଧ୍ୟମରେ ଶୂନ୍ୟବ୍ରହ୍ମଙ୍କ ଉପାସନା ସଂପର୍କରେ ଏବଂ ନିଜର ୬୪ ସିଦ୍ଧ ସନ୍ୟାସୀ ଶିଷ୍ୟଙ୍କୁ ନେଇ ସମଗ୍ର ଭାରତବର୍ଷରେ ମହିମାଧର୍ମ ଦର୍ଶନର ପ୍ରଚାର କରିଥିବା ବିଷୟ ଉଲ୍ଲେଖ କରିଥିଲେ। ମୁଖ୍ୟବକ୍ତା ତପୋବନ ମହିମା ପୀଠ ଟ୍ରଷ୍ଟ ବୋର୍ଡର ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ରଥ ମହିମା ଧର୍ମ ଶୂନ୍ୟବାଦର ଧର୍ମ ବୋଲି କହିଥିଲେ। ଏହି ଧର୍ମ ଏକଇଶ୍ୱରବାଦ,ନିରାକାରବାଦ ଓ ପ୍ରକୃତି ଉପାସନାକୁ ବୁଝାଇଥାଏ। ଏହା ସ୍ଥାବର,ଜଙ୍ଗମ,କୀଟପତଙ୍ଗ ଓ ମନୁଷ୍ୟ ସମସ୍ତଙ୍କ ମଧ୍ୟରେ ସର୍ବତ୍ର ବ୍ରହ୍ମ ଦର୍ଶନର କଥା ବଖାଣିଥାଏ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରଦୀପ ଶତପଥୀ ଯୋଗଦେଇଥିଲେ। ବାର୍ଷିକ ମେଳାକୁ କରୁଣାକର ବାବା,ଜ୍ଞାନି ବାବା,କନ୍ଦର୍ପ ବାବା,ସନକ ବାବା,ବିନୋଦ ବାବା,ରବି ବାବା,ମହେଶ୍ୱର ବାବା,ନିବାରଣ ବାବା,ଅଲେଖ ବାବା,ବସନ୍ତ ବାବା ଓ ଅରୂପ ବାବା ପ୍ରମୁଖ ପରିଚାଳନା କରିଥିଲେ। ନାମଯଜ୍ଞରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଅନୁଗୋଳ ଅଙ୍ଗାରବନ୍ଧର ଅଲେଖ ମହିମା ଖଞ୍ଜଣୀ ଭଜନ ଦଳ ସହ ବୁଢ଼ାପଙ୍କ ମହିଳା ଭଜନ ମଣ୍ଡଳୀ ସାମିଲ୍ ହୋଇଥିଲେ। ଅଙ୍ଗାରବନ୍ଧର ବିଜ୍ଞାନ ବେହେରା,ଭକ୍ତ ଅଶୋକ ପ୍ରଧାନ,ପ୍ରଶାନ୍ତ ରାଉତ,କୈଳାସ ବେହେରା ଓ ଧର୍ମାନନ୍ଦ ପୃଷ୍ଟି ପରିଚାଳନାରେ ସହଯୋଗ କରିଥିଲେ।
ମଠତେନ୍ତୁଳିଆ ଜମ୍ବୁସାହିରେ କାର୍ତ୍ତିକ ପୂର୍ଣ୍ଣିମାରେ ଶାଳ ପୂଜା – ଆଦିବାସୀଙ୍କ ପରମ୍ପରାରେ ଝଲସିଲା ଗାଁ
ଢେଙ୍କାନାଳ – କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଢେଙ୍କାନାଳ ଜିଲ୍ଲାର ଗଁଦିଆ ମଠତେନ୍ତୁଳିଆ ଜମ୍ବୁସାହି ଗ୍ରାମରେ ଆଦିବାସୀ ପରମ୍ପରା ଅନୁସାରେ ଶାଳ ପୂଜା ଅତି ନିଷ୍ଠା ଓ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ଏହି ଦିନ ଗ୍ରାମର ମୁରବି,ଯୁବକ ଓ ମହିଳାମାନେ ଏକାଠି ହୋଇ ଗ୍ରାମ ମୁଣ୍ଡରେ ଥିବା ଶାଳ ଗଛ ମୂଳରେ ପୂଜା କରିଥିଲେ। ଶାଳ ଗଛକୁ ଗ୍ରାମର ରକ୍ଷକ ଦେବତା ଭାବେ ପୂଜା କରାଯାଏ। ସିନ୍ଦୂର,ହଳଦୀ,ଫୁଲ,ଫଳ,ଧୂପ ଦୀପ ଓ ନଡ଼ିଆ ଦେଇ ଗ୍ରାମର ସୁଖ ଶାନ୍ତି,ଭଲ ଫସଲ ଓ ରୋଗ ଦୂର ହେବା ପାଇଁ ପ୍ରାର୍ଥନା କରାଯାଇଥିଲା। ପୂଜା ପରେ ଆଦିବାସୀ ନୃତ୍ୟ ଗୀତରେ ଗାଁ ଦାଣ୍ଡ କମ୍ପି ଉଠିଥିଲା। ମାଦଳ ଓ ଢୋଲ ତାଳରେ ପୁରୁଷ ମହିଳା ସମସ୍ତେ ନାଚି ପର୍ବକୁ ଉପଭୋଗ କରିଥିଲେ। ପୂର୍ବପୁରୁଷଙ୍କ ପରମ୍ପରାକୁ ବଜାୟ ରଖି ନୂଆପିଢ଼ି ବି ଏହି ପୂଜାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। କାର୍ତ୍ତିକ ପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ,ଏହା ଆଦିବାସୀ ସଂସ୍କୃତି,ପ୍ରକୃତି ପୂଜା ଓ ଗ୍ରାମ ଏକତାର ପ୍ରତୀକ ବୋଲି ଗ୍ରାମବାସୀ କହିଛନ୍ତି।
ବାବା ପଶ୍ଚିମେଶ୍ଵରଙ୍କ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ
ଢେଙ୍କାନାଳ – ପବିତ୍ର କାର୍ତ୍ତିକ ମାସ ଶେଷ ହୋଇଯାଇଛି। ବାବା ପଶ୍ଚିମେଶ୍ୱରଙ୍କ ଦର୍ଶନ କରିବା ସହ ଶ୍ରଦ୍ଧାଳୁମାନେ ମାସଯାକର ବ୍ରତ ଭାଙ୍ଗିଥିଲେ। ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଛଦେଶ ଅଞ୍ଚଳର ଆରାଧ୍ୟ ଦେବତା ପ୍ରଭୁ ବାବା ପଶ୍ଚିମେଶ୍ୱରଙ୍କ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଯାତ୍ରା ଅତି ଧୂମଧାମରେ ପାଳିତ ହୋଇଯାଇଛି। ବିଭିନ୍ନ ରୀତିନୀତି ସହିତ ପୂଜାପାଠ ପରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରି ପ୍ରଭୁକୃପା ଲାଭ କରିଛନ୍ତି। ରାସ ପୂର୍ଣ୍ଣିମା ଯାତ୍ରାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଶ୍ରଦ୍ଧାଳୁ ଲମ୍ବା ଲାଇନରେ ଠିଆ ହୋଇ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଭୋର୍ ପହରରୁ ହିଁ ମନ୍ଦିର ପରିସରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ମହିଳା,ପୁରୁଷ ଓ ଶିଶୁଙ୍କ ସହ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ବାବାଙ୍କ ନାମରେ ଜୟଧ୍ୱନି କରିଥିଲେ। ଏହି ଅବସରରେ ଏଠାରେ ଏକ ବଡ଼ ଧରଣର ଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ମୀନାବଜାର,ଦୋଳି,ଆଇସକ୍ରିମ,ବିଭିନ୍ନ ପ୍ରକାର ଘରୋଇ ଜିନିଷ କିଣିବା ସାଙ୍ଗକୁ ଚଟପଟା ଖାଦ୍ୟର ମଜା ନେଇଥିଲେ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ। ପିଲାମାନଙ୍କ ପାଇଁ ଦୋଳି ଓ ମୀନାବଜାର ମୁଖ୍ୟ ଆକର୍ଷଣ ପାଲଟିଥିଲା। ବାବା ପଶ୍ଚିମେଶ୍ୱରଙ୍କ ପୀଠକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି। କାର୍ତ୍ତିକ ମାସ ସାରା ଭକ୍ତମାନେ ବ୍ରତ ରଖି ପୂର୍ଣ୍ଣିମା ଦିନ ବାବାଙ୍କ ଦର୍ଶନ କରି ବ୍ରତ ଭାଙ୍ଗିଥାନ୍ତି। ଏହି ଯାତ୍ରା ଛଦେଶ ଅଞ୍ଚଳର ପରମ୍ପରା ଓ ସଂସ୍କୃତିର ପରିଚୟ ବହନ କରେ।
ରଙ୍ଗୋଲି ପ୍ରତିଯୋଗିତାରେ ଝଲସିଲା ମହିଳାଙ୍କ ପ୍ରତିଭା
କାମାକ୍ଷାନଗର – କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ରାଧାକୃଷ୍ଣ ମନ୍ଦିର ପରିସରରେ ଚାଲିଥିବା ପାଞ୍ଚଦିନିଆ ରାସ ପୂର୍ଣ୍ଣିମା ଉତ୍ସବ ଅବସରରେ ଆଜି ଏକ ଆକର୍ଷଣୀୟ ରଙ୍ଗୋଲି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଗ୍ରାମର ବହୁ ମହିଳା ଉତ୍ସାହର ସହ ଭାଗ ନେଇ ବିଭିନ୍ନ ସୁନ୍ଦର ଓ ଆକର୍ଷଣୀୟ ରଙ୍ଗୋଲି ମାଧ୍ୟମରେ ନିଜର କଳାତ୍ମକ ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଚାରକମଣ୍ଡଳୀଙ୍କ ଦ୍ୱାରା ଶ୍ରୀମତୀ ରୀନା ରାଉତ ପ୍ରଥମ, ଶ୍ରୀମତୀ ଅଞ୍ଜଳି ପରିଡ଼ା ଦ୍ୱିତୀୟ ଏବଂ ଶ୍ରୀମତୀ ସଂଘମିତ୍ରା ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ନିଆରା ପଦକ୍ଷେପ ନିଆଯାଇଛି। ଉତ୍ସବ ଅବସରରେ ସ୍ଥାନୀୟ ରାମିଆଳ ନଦୀରେ ପରିବେଶ ଅନୁକୂଳ ଜୈବ ବିଘଟନଶୀଳ କାଗଜ ଡଙ୍ଗା ଭସାଇବାକୁ ଗ୍ରାମବାସୀଙ୍କୁ ଆହ୍ୱାନ ଦିଆଯାଇଛି। ନଦୀକୁ ପ୍ରଦୂଷଣମୁକ୍ତ ରଖିବା ସହ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଧାର୍ମିକ ପରମ୍ପରା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପରିବେଶ ସଚେତନତାକୁ ଏକାଠି କରି ଗ୍ରାମବାସୀ ଏଥର ଏକ ନିଆରା ଢଙ୍ଗରେ ରାସ ପୂର୍ଣ୍ଣିମା ପାଳନ କରୁଛନ୍ତି।
କାର୍ଯ୍ୟକ୍ରମକୁ ବିଭୂତି ଭୂଷଣ ଖଟୁଆ ସଂଯୋଜନା କରିଥିବା ବେଳେ ଶ୍ରୀଧର ବେହେରା, ରଣଜିତ ବେହେରା ଓ ବିଚିତ୍ରାନନ୍ଦ ଖଟୁଆ ଏହାର ସଫଳ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଉତ୍ସବର ଆଗାମୀ ଦୁଇ ଦିନରେ ନୃତ୍ୟ ଓ ଫୁଲମାଳ ପ୍ରସ୍ତୁତି ପ୍ରତିଯୋଗିତା ସମେତ ଅନ୍ୟାନ୍ୟ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମଗୁଡ଼ିକ ମହିଳାମାନଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ସହ ଗ୍ରାମବାସୀଙ୍କ ମଧ୍ୟରେ ଏକତା ଓ ଭାଇଚାରାକୁ ସୁଦୃଢ଼ କରିବ।
ବୁଦ୍ଧେଶ୍ଵର ମନ୍ଦିର ରେ ବଡ଼ ଓଷା ପାଳିତ ୨୬୦ ହଣ୍ଡା ଭଣ୍ଡାର ଭୋଗ ଲାଗିଲା
କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନ ର ବାବା ବୁଦ୍ଧେଶ୍ଵର ମନ୍ଦିର ପରିସରରେ ରେ ପ୍ରସିଦ୍ଧ ବଡ଼ ଓଷା ପାଳିତ ହୋଇଯାଇଛି। ଶ୍ରଦ୍ଧାଳୁ ଭକ୍ତମାନେ ମାନସିକ ପୂରଣ ପାଇଁ ପ୍ରତ୍ୟୁଷରୁ ଧାଡ଼ି ରେ ଯାଇ ବାବା ବୁଦ୍ଧେଶ୍ଵର ଙ୍କୁ ଦର୍ଶନ କରିଥିଲେ ଓ ପରେ ଭଣ୍ଡାର ଭୋଗ ରାନ୍ଧି ବାବା ଙ୍କ ନିକଟରେ ଭୋଗ ଅର୍ପଣ କରିଥିଲେ। ସମୁଦାୟ ୨୬୦ ହଣ୍ଡା ଭଣ୍ଡାର ଭୋଗ ଲାଗି ହୋଇଥିଲା । ମନ୍ଦିର ପରିଚାଳନା କମିଟି ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଅନୁରୂପ ଭାବେ ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ର କାଶୀ ବିଶ୍ଵନାଥ ମନ୍ଦିର ( ଛତା ମଠ) ପରିସରରେ ମଧ୍ୟ ଭଣ୍ଡାର ଭୋଗ ଲାଗି ହୋଇଥିଲା।ପଞ୍ଚକ ପାଇଁ ଚଳ ଚଞ୍ଚଳ ହୋଇପଡିଛି ବୁଦ୍ଧେଶ୍ଵର ମନ୍ଦିର । ମନ୍ଦିର ପରିସରରେ ଷୋଡଶ ବାର୍ଷିକ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଆଜି ଠାରୁ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ଉଠା ଦୋକାନ ଓ ମିନା ବଜାର ପାଇଁ ପ୍ରବଳ ଗହଳି ହୋଇଛି ।
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

