ମୋ On Line ସାବିତ୍ରୀ
ଆଖି ମଳିଚିଆ ସକାଳ ବେଳାରୁ
ସାବିତ୍ରୀ ମୋ ଉଠି ଗଲେ
ବିଗତ କାଲିର ବାସି କାମ ସବୁ
ଝଅଟ ସେ ସାରିଦେଲେ ll
ସୁଗନ୍ଧିତ ତୈଳ ବାସନା ସାବୁନ
ଧରି ଗାଧି ବାହାରିଲେ
ଗାଧୁଆ ପାଧୁଆ ନିତ୍ୟ କର୍ମ ସାରି
ମୋ ପାଖକୁ ଆସିଗଲେ ll
ମୁଁ ଯେ ପଚାରିଲି ଆହେ ପତ୍ନୀ ମୋର
ଏବେ ସକାଳ ଆଠଟା
ଏତେ ବ୍ୟସ୍ତ କିଆଁ ହେଉଛ ଯେ ତୁମେ
ସାରି ଦେବ କି ପୂଜାଟା ll
ପତ୍ନୀ ମୋ କୁହନ୍ତି ବାଇଆ କି ହେଲ
ଆହେ ପତି ଦେବ ମୋର
ବିୟୁଟି ପାର୍ଲର ଯିବି ଏବେ ମୁଁହି
ସଅଳ ତୁମେ ବାହାର ll
ମୁଁହି କହି ହେଲି ଆଜି ଦିବସରେ
ପାର୍ଲର କାହିଁକି ଯିବ
ପତ୍ନୀ କହି ହେଲେ ପାର୍ଲର କୁ ଗଲେ
ଫେସନ ମୋ ବଢ଼ି ଯିବ ll
ଆଜି ଦିବସରେ ତୁମ ସେବା କରି
କେତେ ସେଲ୍ଫି ଉଠାଇବି
ବ୍ଲଗ ଭିଡିଓକୁ ୟୁଟୁବରେ ମୁହିଁ
ଅପଲୋଡ଼ କରାଇବି ll
ଏମିତି କରିଲେ କି ହେବ ଗୋ ପ୍ରିୟେ
ମୁହିଁ ପଚାରିଲି ତାଙ୍କୁ
ସେ ଉତ୍ତର ଦେଲେ ଲାଇକ କମେଣ୍ଟ
ଆସିବ ଯେ ମୋ ପାଖକୁ
ଅନ ଲାଇନରେ ମୁଁ ସତୀ ସାବିତ୍ରୀ
ହୋଇ ନାମ ସାଉଁଟିବି
ଆଜି ଦିନଟିରେ ଫଳ ମୂଳ ଖାଇ
ସମୟକୁ କାଟିଦେବି ll
ନବ କୁମାର ଦାସ
ସୁରଡ଼ିହା, ବାଲିଆପାଳ, ବାଲେଶ୍ୱର