ଅଭିମାନ
ସୁକାନ୍ତ ଖଣ୍ଡା
ଡହଡ଼ହ ଖରାରେ ଭିଜୁଥାଏ ସିଏ
ଗୋଟେ ଅଭିମାନ ଭରା ହୃଦୟରେ।
ସିଏ ତ ନିତି ଅଭିମାନ କରେ
ଯେମିତି ବିଲେଇଟିଏ
ଗୁମମାରି ବସିଯାଏ ଛୋଟ ମୂଷାଟେ ବୋଲି
ପେଟର କେଉଁ କଳକୁ ଏ ହେବ?
ମୂଷା ପରି ନିତି ହୁଏ,ହେଉଥାଏ
ମୋତେ ଦେଖିଲେ ହିଁ ଥରେ
ତାର ଏ ଫୁଲେଇ ମନ
ପାହାଡ ସଦୃଶ ସୁମୁଦ୍ରର ଏ ତରଙ୍ଗ
ଯେମିତି କଳକଳ ଆଉ ଛଳଛଳ।
ଦେଖିଲେ ତ ପୂରିଯାଏ ହୃଦୟ
ଭୋକ ଆଉ ଶୋଷର ମଝିରେ
ଯେମିତି ଉଡି଼ଯାଏ କାହିଁ କେତେ ଦୂର
ଯେଉଁଠି ସୂର୍ଯ୍ଯଙ୍କ ଘର,ମେଘର ଘର
ମୋତେ ତ କିମିଆଁ କରେ ତା
ଅଭିମାନର ଭରା ଉଦ୍ଦାମ ନୀରବତା
ଘାଇଲା କରେ କାମନା ଜ୍ଜାଳାରେ ତା ଶଙ୍ଖଧ୍ବନୀ।
ଖରାକୁ ଖାତିର ଥାଏ ନା କ’ଣ
ନା ବର୍ଷାର ବେଣୁରେ ଜୁଡୁବୁଡୁ?
ସବୁ ମିଛ ନୀରବତାର ମାୟା
ସବୁ ଅଭିମାନର ଗୋଟେ ଶକ୍ତ କୁହୁକ
ଯେମିତି ନେଶି ହୋଇଯାଏ ତା’ ସୌନ୍ଦର୍ଯ୍ଯର ସୁରଭିରେ
ବୁଣି ହୋଇଯାଏ ମୋର ଦଶଦିଶ।
ଆଜି କିନ୍ତୁ ଅଭିମାନ ନାହିଁ କି
ନାହିଁ ମଧ୍ଯ ଆକର୍ଷଣ
ଖାଲି ଡ଼ହଡହ ଖରାରେ ଝାଉଁଳି ପଡି଼ଥିବା
ବହଳ ସବୁଜ ବନାନୀଟି ଯେପରି
ଶୁଷ୍କ ଓ ନୀରସ।
ହେଇଟି !
ଆଜି ବି ଅଭିମାନ କରନା
ଘଡି଼ଏ ବଞ୍ଚିଯାଏ
ଅଠାଅଠା ହେଉଥିବା ତଣ୍ଟି
ଲାଳେଇ ଯାଉ
ସାରା ଦେହରେ ବୀରହୀ ଫୁଲ
ଫୁଟିଉଠୁ ବସନ୍ତର ଏ ଆଗମନରେ।
ସତରେ !
ମଲାଜହ୍ନ ପରି ଲାଗୁଛି ଦେହମନ
ସତେକି ଜୀଅନ୍ତା ଶବ ପରି
ଲଟକି ଯାଇଛି କେଉଁ ଦୂର ଦିଗବଳୟେ।
ହସିକି କହିଲା ଆଭିମାନ କ’ଣ କି?
ଜଣଙ୍କ ହୃଦୟକୁ ଦୋହଲାଇ ଦେବା
ଶୁଷ୍କ ମରୁଭୂମିରେ ସଞ୍ଚରି ଦେବା
ସମୁଦ୍ରର ତରଙ୍ଗ ପରି
ଯେମିତି ତୁମେ ଏତେ ଖରା ସତ୍ତ୍ବେ ବି
ମୋ ପଛରେ ପଡି଼ଛ
ଝାଳୁଆ ଓ ଲାଳୁଆ ହୋଇ।
ମୁଁ ହସିଲି ଆଉ ବୁଝିଲି
ବୋଧହୁଏ ଏହା ହିଁ
ଅସଲ ଅଭିମାନ,ନୁହେଁ?