ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ମାଆର ମମତା

ମାଆର ମମତା

ଜ୍ୟୋତ୍ସ୍ନା ରାଣୀ ଦେବୀ

 

ପଛରୁ ଡାକିଲେ ଅଶୁଭ ହୁଅଇ ବୋଲନ୍ତି ଜଗତଜନ

ମାଆ ଡାକିଦେଲେ ପଛରୁ ଥରଟେ ଶୁଭେ ଯାଉଥାଏ ଦିନ ।

 

ଅଭିଶାପ ନଈ ଯାଉଥାଏ ବହି ଗାଳି ଦେଲେ କେ ଜୀବନେ

ମାଆ ଗାଳି ସବୁ ଦୂରେ ଉଡିଯାଏ ଗୋଧୂଳି ବେଳେ ଯେସନେ ।

 

ସରଗର ସୁଧା ଢାଳି ଦେଉଥାଏ ତାହାରି ହାତ ପରଶା

ଶାଗପଖାଳ ତା’ ଅମୃତ ମଣୋହି କିଏ ହେବ ତା’ ସରିସା ।

 

 

ତା’ ଉଷ୍ମ ଆଶ୍ଳେଷ ମନୁ ଭରେ କ୍ଳେଶ ହୃଦୟେ ଭରଇ ଶାନ୍ତି

ଆଉ କା’ ବନ୍ଧନ ଭରିବ ଜୀବନେ ହରି ସବୁ ଭୟଭ୍ରାନ୍ତି ।

 

ତା’ ପଣତକାନି ଦେବଙ୍କୁ ଦୁର୍ଲଭ ସୁରକ୍ଷିତ ଜାଗାଟିଏ

ତା’ କୋଳଝୁଲଣା ବିନା ତ ଅଲଣା ସଂସାରର ଯେତେ ଯିଏ ।

 

ଦେବ ସାଥେ ବାଦବିବାଦ ଲାଗଇ ମାଆ ପରା ଦୁନିଆରେ

ତା’ ଜୀବନ ଦେଇ ସନ୍ତାନର ପାଇଁ ଆୟୁଷକୁ ଭିକ୍ଷା କରେ ।

 

ନାନାବାୟା ଗୀତ ପରାଣ ପୂରିତ ହରଇ ତ ଦୁଃଖଶୋକ

ତା’ କୋମଳଛୁଆଁ ମନୁ ହରେ ନିଆଁ ଦିଅଇ ଦିବ୍ୟ ଆଲୋକ ।

 

ତା’ ପଣତଛାଇ ଦିଏ ଘଉଡାଇ ସପତ ସୁରୁଜ ତେଜ

ତା’ ମୁଖ ଦର୍ଶନ ଅଶୁଭ କେମିତି ଆରେ ମୁଢ଼ମତି ହେଜ ।

 

ମରଣମୁଖରୁ ଯମ ସଦନରୁ ଫେରି ଆସୁଥାଏ ମାଆ

ତା’ ଶ୍ରବଣେ ଯଦି ପଡିଯାଏ ଟିକେ ସନ୍ତାନର ଡାକ ଆହା! 

 

ମାଆ ନୁହଁ କେବେ ଡାହାଣୀ ରଙ୍କୁଣୀ ସରଗର ସୁନ୍ଦରୀ ପରୀ

ତା’ର ଅନ୍ତର୍ମନ କେଡେ ନିରିମଳ ଥା’ ତା’ ଚରଣ ବରି ।

ବ୍ରହ୍ମପୁର, ଗଂଜାମ

Related posts

ଖଇରଭାଡ଼ି ଠାରେ ନବକୁଣ୍ଡୀୟ ବିଶ୍ୱଶାନ୍ତି ଶ୍ରୀ ମହାବିଷ୍ଣୁ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଥୁଆମୂଳ ରାମପୁରରେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ବିଧିମତେ ସମ୍ପନ୍ନ

Sunil Chandra Nayak

ଭଏସ ଅଫ ୱେଷ୍ଟର୍ଣ ଓଡ଼ିଶା ପକ୍ଷରୁ ଲିପ୍ସା ମହାରଣା ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!