ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ମାଆର ମମତା

ମାଆର ମମତା

ଜ୍ୟୋତ୍ସ୍ନା ରାଣୀ ଦେବୀ

 

ପଛରୁ ଡାକିଲେ ଅଶୁଭ ହୁଅଇ ବୋଲନ୍ତି ଜଗତଜନ

ମାଆ ଡାକିଦେଲେ ପଛରୁ ଥରଟେ ଶୁଭେ ଯାଉଥାଏ ଦିନ ।

 

ଅଭିଶାପ ନଈ ଯାଉଥାଏ ବହି ଗାଳି ଦେଲେ କେ ଜୀବନେ

ମାଆ ଗାଳି ସବୁ ଦୂରେ ଉଡିଯାଏ ଗୋଧୂଳି ବେଳେ ଯେସନେ ।

 

ସରଗର ସୁଧା ଢାଳି ଦେଉଥାଏ ତାହାରି ହାତ ପରଶା

ଶାଗପଖାଳ ତା’ ଅମୃତ ମଣୋହି କିଏ ହେବ ତା’ ସରିସା ।

 

 

ତା’ ଉଷ୍ମ ଆଶ୍ଳେଷ ମନୁ ଭରେ କ୍ଳେଶ ହୃଦୟେ ଭରଇ ଶାନ୍ତି

ଆଉ କା’ ବନ୍ଧନ ଭରିବ ଜୀବନେ ହରି ସବୁ ଭୟଭ୍ରାନ୍ତି ।

 

ତା’ ପଣତକାନି ଦେବଙ୍କୁ ଦୁର୍ଲଭ ସୁରକ୍ଷିତ ଜାଗାଟିଏ

ତା’ କୋଳଝୁଲଣା ବିନା ତ ଅଲଣା ସଂସାରର ଯେତେ ଯିଏ ।

 

ଦେବ ସାଥେ ବାଦବିବାଦ ଲାଗଇ ମାଆ ପରା ଦୁନିଆରେ

ତା’ ଜୀବନ ଦେଇ ସନ୍ତାନର ପାଇଁ ଆୟୁଷକୁ ଭିକ୍ଷା କରେ ।

 

ନାନାବାୟା ଗୀତ ପରାଣ ପୂରିତ ହରଇ ତ ଦୁଃଖଶୋକ

ତା’ କୋମଳଛୁଆଁ ମନୁ ହରେ ନିଆଁ ଦିଅଇ ଦିବ୍ୟ ଆଲୋକ ।

 

ତା’ ପଣତଛାଇ ଦିଏ ଘଉଡାଇ ସପତ ସୁରୁଜ ତେଜ

ତା’ ମୁଖ ଦର୍ଶନ ଅଶୁଭ କେମିତି ଆରେ ମୁଢ଼ମତି ହେଜ ।

 

ମରଣମୁଖରୁ ଯମ ସଦନରୁ ଫେରି ଆସୁଥାଏ ମାଆ

ତା’ ଶ୍ରବଣେ ଯଦି ପଡିଯାଏ ଟିକେ ସନ୍ତାନର ଡାକ ଆହା! 

 

ମାଆ ନୁହଁ କେବେ ଡାହାଣୀ ରଙ୍କୁଣୀ ସରଗର ସୁନ୍ଦରୀ ପରୀ

ତା’ର ଅନ୍ତର୍ମନ କେଡେ ନିରିମଳ ଥା’ ତା’ ଚରଣ ବରି ।

ବ୍ରହ୍ମପୁର, ଗଂଜାମ

Related posts

ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଦେଶାତ୍ମବୋଧକ ସ୍ବରଚିତ କବିତା ପାଠୋତ୍ସବ

Sunil Chandra Nayak

ବେଆଇନ ଧାନ ଚାଳାଣ, ୨ ଟ୍ରକ ଜବତ

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ” ସ୍ରୋତ” 

Sunil Chandra Nayak

Leave a Comment

error: Content is protected !!