ଲାବଣ୍ୟମୟୀ ମୌସୁମୀ
ଏକ
ବିଶ୍ୱବିହାରୀଙ୍କ ଅତିଧନ୍ୱା ବିଶ୍ୱେ
ଦିବ୍ୟ ତାଙ୍କ ଉପାଖ୍ୟାନ,
ନିର୍ଦ୍ଦେଶକ ସାଜି ଚ଼ଳାନ୍ତି ଅଚଳା
ରାତି ପରେ ହୁଏ ଦିନ l
ଦୁଇ
ଆଘୁର୍ଣ୍ଣନ କରେ ସମୟର ଚକ
ଛଅଋତୁ ବାର ମାସେ,
ନିଦାଘର ଶେଷେ ଆଷାଢ଼ ପ୍ରବେଶେ
ଆନନ୍ଦେ ମୌସୁମୀ ହସେ l
ତିନି
ଲାବଣ୍ୟମୟୀ ସେ ଫୁଲେଇ ମୌସୁମୀ
ଶୀତଳ ପରଶ ଦିଏ,
ଆଗମନେ ତାର ବିହାୟସ ବକ୍ଷେ
ଅଭ୍ରମାଳ ଭାସୁଥାଏ l
ଚାରି
କୃଷ୍ଣଜୀମୂତକୁ ଦେଖି ନାଚେ କେକୀ
ମହା ଉଲ୍ଲାସ ମନରେ,
କୃଷକ ମୁହଁରେ ପ୍ରସନ୍ନତା ଆସେ
ମୌସୁମୀର ଲାବଣ୍ୟରେ l
ପାଞ୍ଚ
ଅଚିରାଂଶୁ ସ୍ଵନେ ଥରିଯାଏ ଛାତି
ବହେ ଅତପ ସମୀର,
ରିମ୍ ଝିମ୍ ସୁରେ ପ୍ରୀତି ରାଗିଣୀରେ
ଝରାଏ ଜଳଦ ନୀର l
ଛଅ
ଅଭିମର୍ଷ କଲେ ପ୍ରାବୃଟ ରସାରେ
ଜଳାଶୟ ପରିପୂର୍ଣ୍ଣ,
ଶୁଷ୍କ ତରୁଲତା ସ୍ପର୍ଶେ ମୌସୁମୀର
ହୋଇଥାନ୍ତି ହରିଦ୍ବର୍ଣ୍ଣ l
ସାତ
ସାରୁଗଛ ମୂଳେ ଭେକ ଗରଜନ୍ତି
ଶାବକ ସାଥିରେ ଧରି,
ନାଲି ଟୁକୁ ଟୁକୁ ସାଧବ ବୋହୂଏ
ଲାଗନ୍ତି ଅପ୍ସରୀ ପରି l
ଆଠ
ଲାବଣ୍ୟମୟୀର ଶୀତଳ ପରଶ
ହୃଦୟକୁ ଦିଏ ଶାନ୍ତି,
ମନେ ପଡ଼ିଯାଏ ଅତୀତର ସ୍ମୁତି
ପୁରୁଣା ଅଭୁଲା ପ୍ରୀତି l
ସ୍ଵାଗତିକା ମିଶ୍ର
କଣ୍ଟାବାଞ୍ଜି , ବଲାଙ୍ଗୀର