ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା ବାହୁଡା଼ ଯାତ୍ରା                   

   ବାହୁଡା଼ ଯାତ୍ରା                   

ଚନ୍ଦ୍ରକଳା ଦେବୀ

 

ଆସଲୋ ବଉଳ ଆସଲୋ ମକର 

ଶିରୀ କ୍ଷେତ୍ର ଆମେ ଯିବା, 

ବାହୁଡ଼ିବେ ଆଜି ବଳିଆ କାଳିଆ 

ଭଦ୍ରାକୁ ଆମେ ଦେଖିବା ||

ବାହୁଡା଼ ରଥରେ ଦେଖି ତିନି ଦିଅଁ 

ଭକତ ବିଭୋର ହେବ, 

ଶଙ୍ଖ ହୁଳହୁଳି ଆଉ କରତାଳି 

ବଡ଼ ଦାଣ୍ଡ ଉଛୁଳିବ ||

ସପ୍ତ ଦିନ ରହି ମାଉସୀ ମା’ ଘରୁ 

ଆସିବେ ବିଦାୟ ହୋଇ, 

ଜନମ ବେଦିରୁ ଫେରିବ କାଳିଆ 

ଗୁଣ୍ଡିଚା ରାଣୀ କାନ୍ଦଇ ||

ମାଉସୀ କହନ୍ତି ଶୁଣ ମୋର ଧନ 

କଥା ଦେଇ ମୋତେ ଯିବ, 

ବରଷକେ ଥରେ ବୁଲି ଆସିକରି 

ମାଉସୀକୁ ଦେଖୁଥିବ ||

କାଳିଆ କହନ୍ତି ଆସିବି ମାଉସୀ 

କଥା ମୁଁ ତୁମକୁ ଦେଉଛି, 

ଜନମ ଭୂଇଁକୁ କେହି କେବେ କଣ

ଭୁଲି କରି ରହି ପାରିଛି ||

ସାଗର ଦୁଲଣୀ ବହିଲେଣି କୋପ 

ଆଉ ପାରିବିନି ରହି, 

ରଥାରୂଢ ହୋଇ ରତନ ବେଦୀକୁ 

ଆଜି ମୁଁ ଯିବି ପଳାଇ ||

ବାହୁଡ଼ିବେ ପ୍ରଭୁ ନୀଳ କନ୍ଦରକୁ 

ନବ ଦିନ ଯାତ୍ରା ସାରି 

ବାଟେ ସୁନାବେଶ ଅଧରପଣାରେ 

ସମସ୍ତଙ୍କୁ ତୃପ୍ତ କରି ||

ଅଭିମାନ କରି ରୁଷି ବସିଥିବେ 

ଜଗତର ଠାକୁରାଣୀ, 

ନାନା କଟୁକଥା କହିବେ ସେପୁଣି 

ଅନେକ ଭର୍ତ୍ସନା ବାଣୀ ||

ଲକ୍ଷ୍ମୀ ନାରାୟଣ ମାନ ଅଭିମାନ 

ମାନବୀୟ ଲୀଳା ଖେଳା, 

ସେନେହ ଶ୍ରଦ୍ଧାରେ ବୁଝାଇଲେ ପ୍ରଭୁ 

ଖୁଆଇଲେ ରସଗୋଲା ||

ମୋ ପ୍ରାଣ ସଙ୍ଗିନୀ ଲକ୍ଷ୍ମୀ ଠାକୁରାଣୀ 

ଅଭିମାନ କରୁ କାହିଁ, 

ତୁମ ନାମ ସାଥେ ବିହି ଯୋଡିଅଛି  

ଜଗନ୍ନାଥ ନାମ ନେଇ ||

ଜଗତକୁ ଶିକ୍ଷା ଦିଅଇ ଯେ ପୁଣ

ଏଇ ପରା ଘର କଳି, 

ପତି ପତ୍ନୀ ମଧ୍ୟେ ମାନ ଅଭିମାନ 

ସତେକି ପାଦର ଧୂଳି ||

ଭାଇ ଭଉଣୀକୁ ଦେଇଣ ଗୁରୁତ୍ୱ 

ରଖିଛ ସଂସ୍କୃତି ମାନ, 

ପତ୍ନୀଆଗେ ହେଲ ଯେ ନତ ମସ୍ତକ

ରଖି ନାରୀ ସ୍ୱାଭିମାନ ||

ଦେଖଲୋ ବଉଳ ଦେଖଲୋ ମକର 

ବଡ଼ ଦାଣ୍ଡ ପୁଣି ହସିଲା, 

ରତନ ବେଦୀକୁ ବାହୁଡ଼ିଲେ ପ୍ରଭୁ 

ତୁଳସୀ ତୁଳସୀ ବସିଲା || 

ଜଗତ ବାସୀଙ୍କୁ ସୁଖେ ରଖ ପ୍ରଭୁ 

ମୋର ଏଇ ନିବେଦନ, 

ତୁମ ଦାନ ପରା ଏ ସାରା ସଂସାର

ଦୁଃଖ କରନ୍ତୁ ମୋଚନ ||

ବନ୍ଧୁଗାଁ,କୋରାପୁଟ

 

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଆଶାର କୌମୁଦୀ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଆମର ନଟିଆ, ବଡ଼ ଉଚ୍ଚାଟିଆ

ପଦଯାତ୍ରା କରି ଘର ଘର ବୁଲି ସମସ୍ୟା ବୁଝିଲେ ବିଧାୟକ 

Sunil Chandra Nayak

Leave a Comment

error: Content is protected !!