ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ବାହୁଡ଼ା ବେଳ ହେଲା

   ବାହୁଡ଼ା ବେଳ ହେଲା

        ଅପର୍ତ୍ତି ସେଠୀ

     (ରମ୍ୟ ରଚନା)

 

ମାଉସୀକୁ ଛାଡି ଆସିବ ବାହୁଡି

       ଜମା ଇଚ୍ଛା ହେଉନାହିଁ,

କିନ୍ତୁ ଲକ୍ଷ୍ମୀ ପରା ରଡ଼ି ‌ଛାଡିଲେଣି

       ଆଉ ରହିହେବ ନାହିଁ।

ଦିନକ ପାଇଁ କି କହି ଦଶଦିନ

       ମାଉସୀ ଘରେ ରହିଲା,

ପହଞ୍ଚିଲେ ଆଜି ବଡ଼ଦେଉଳରେ

       ନିଶ୍ଚୟ ଲାଗିବ ପାଲା।

ଶୁଭଦ୍ରାଙ୍କୁ ଛାଡି ମାଉସୀଙ୍କ ମନ

       କେବେ ତ ବୁଝିବ ନାହିଁ,

ବଡ଼ପୁଅ ବଳଦେବଙ୍କୁ ସେ ଛାଡି

        ପାରିବେକି ଆଉ ରହି?

ଜଗା ଧରିଅଛି ମାଉସୀର କାନି

        ପିଲାଙ୍କ ଭଳି କାନ୍ଦୁଛି,

ଶୁଭଦ୍ରାଟି ଏଣେ ମାଉସୀ ଛାତିକୁ

        ଜାବୁଡ଼ିକି ଧରିଅଛି।

ବଳିଆ ଠାକୁର ବୁଝାଉ ଅଛନ୍ତି

        କର୍ତ୍ତବ୍ୟଟି ଜଗା ବଡ଼,

ମାଆର କୋଳକୁ ଛାଡ଼ିଦେଇ ଏବେ 

         ବାହୁଡ଼ା ବିଜୟ କର।

ତୁ ଚାଲିଯିବୁ ଜନ୍ମ ବେଦୀ ଛାଡି

        ତୋର ସେ କର୍ମବେଦୀକୁ,

ମୁଁ ଚାଲିଯିବି ତୁଳସୀ ଧାମକୁ

        ମୋର କାର୍ଯ୍ୟ କରିବାକୁ।

ଆର ବରଷକୁ ପୁଣି ତ ଆସିବା

        ଆଉ ଡେରିକର ନାହିଁ,

ଦାରୁକ,ମାତଳୀ, ଅର୍ଜ୍ଜୁନ ପହଞ୍ଚି

        ରଥ ଦେଲେଣି ଲଗେଇ।

ଜଗା ଛାଡୁନାହିଁ ମାଉସୀ ହାତକୁ

        ମାଉସୀ ଭିଡ଼ିକି ଧରେ,

ସତେ କି କନିଆଁ ବିଦା ହେଉଅଛି

        ସେଇଭଳି ଜଣାପଡେ।

ବଡ ବେହିଆ ସେ ବଳିଆ ଠାକୁର

        ଜଗାର ମାୟାକୁ ଦେଖି,

ମନେମନେହସି ହେଉଥିଲେ ଖୁସି

        ତୋ କଥା ବୁଝିବେ ଲକ୍ଷ୍ମୀ।

ମାଆକୁ ଗୁହାରୀ କରୁଛି ସେ ଜଗା

         ଲକ୍ଷ୍ମୀଙ୍କୁ ଲାଗୁଛି ଡର,

ମାଆ ଟିକେ ଆଗ ଲକ୍ଷ୍ମୀକୁ ବୁଝାଅ

         ଜଲ୍‌ଦି ଟିକେ ଫୋନ୍‌କର।

ଭାଇ ଭ‌ଉଣୀକୁ ସଙ୍ଗେ ଆଣିଥିଲି

         ତାଙ୍କୁ ସଙ୍ଗେ ଆଣିନାହିଁ,

ଶ୍ରୀ ମନ୍ଦିର ଗଲେ ଲଗେଇବ କଳି

          କେମିତି ସହିବି ମୁହିଁ?

ବଡ଼ଭାଇ କେନ୍ଦ୍ରାପଡ଼ା ଚାଲିଯିବେ

        ତାଙ୍କ ବଡ ଦେଉଳକୁ,

ସାହସ ପାଉନି ଶୁଭଦ୍ରାକୁ ନେଇ

        ଯିବି ମୁଁ ଲକ୍ଷ୍ମୀ ଆଗକୁ।

ମାଆ ରଖିଥିଲେ ରସଗୋଲା ଜଗା 

        ହାତେ ଧରେଇ କହିଲେ,

ନିଶ୍ଚେ ଖୁସି ହେବ‌ ମୋ ବୋହୂ କମଳା

        ରସଗୋଲା ଦେଖିଦେଲେ।

ନେଇଯାରେ ଧନ ରସଗୋଲା ଦେଇ

        ଲକ୍ଷ୍ମୀକୁ ତୁ ତୋଷ କର,

ତୁମର ଏ ଲୀଳା ଦେଖି ଧନ୍ୟ ହେବ

        ଚାହିଁଛି ସାରା ସଂସାର।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

 

Related posts

ଜୁନାଗଡ଼ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ସଫଳା ଦାସ ଙ୍କ କବିତା ବିଶ୍ୱକର୍ମା

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ବନ୍ଦେ ମୋ ମାଟି ଉତ୍କଳ

Leave a Comment

error: Content is protected !!